Latest Odisha News

BREAKING NEWS

ପିଲାଙ୍କଠାରୁ ବରିଷ୍ଠ ନାଗରିକ – ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛି ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ

ସୁନ୍ଦରଗଡ଼: ବହି ହେଉଛି ମଣିଷର ବଡ଼ ସାଥୀ। କାରଣ, ଆମ ଜ୍ଞାନର ପରିସୀମାକୁ ବଢ଼ାଇଥାଏ ବହି। ହେଲେ ବର୍ତ୍ତମାନର ଡିଜିଟାଲ୍ ସମୟରେ ଲୋକଙ୍କ ଭିତରେ ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ବହି ପଢ଼ିବାର ଆଗ୍ରହ ଜାରି ରଖିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼, ବହି ପଢ଼’ ଅଭିଯାନ ଚାଲିଛି। କରୋନା ମହାମାରୀର ପ୍ରକୋପ କମିଯିବା ପରେ ଏବେ ଜିଲ୍ଲାରେ ଏହି ଅଭିଯାନକୁ ବ୍ୟାପକ କରାଯାଉଛି।

‘‘ରାଉରକେଲା ମହାନଗର ନିଗମ ପାଠାଗାରଠାରେ ହୋଇଥିବା ସୁନ୍ଦରଗଡ଼ ବହି ପଢ଼ କାର୍ଯ୍ୟକ୍ରମରେ ଭାଗନେଇ ମତେ ବହୁତ ଖୁସି ଲାଗିଲା। ବିଭିନ୍ନ ପ୍ରକାରର ବହି ପଢ଼ିବା ଫଳରେ ଆମ ରୁଚିରେ ପରିବର୍ତ୍ତନ ଆସିବା ସହ ଆମର ବୌଦ୍ଧିକ ବିକାଶ ମଧ୍ୟ ହୋଇପାରିବ’’, କହିଛନ୍ତି ରାଉରକେଲା ବାସନ୍ତୀ କଲୋନୀ ଡିଏଭି ସ୍କୁଲର ଛାତ୍ରୀ ରିୟା ଧଳ।

‘‘ଆମେ ସ୍କୁଲ, କଲେଜରେ ପାଠ ପଢ଼ିବା ବେଳେ ବଣାଇଁରେ ଏଭଳି ଆଧୁନିକ ପାଠାଗାର ନଥିଲା। ଏହି ପାଠାଗାରରେ ଆଜି ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ଲୋକ ନିଜ ରୁଚି ଅନୁଯାୟୀ ବହି ଓ ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଉଛନ୍ତି। ତା’ସାଙ୍ଗକୁ ସୁନ୍ଦରଗଡ଼ ବହି ପଢ଼ ଅଧୀନରେ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଛି। ଆଜିର ମୋବାଇଲ ସମୟରେ ବହି ପଢ଼ା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ କଥା’’, କହିଛନ୍ତି ବଣାଇଁ ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ। ବଣାଇଁ ଉପଖଣ୍ଡ ପାଠାଗାରଠାରେ ପ୍ରଶାସନ ପକ୍ଷରୁ ଆୟୋଜିତ ବହି ପଢ଼ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ସାଧାରଣ ଲୋକଙ୍କ ଭିତରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଥାନରେ ସାର୍ବଜନୀନ ପାଠାଗାରକୁ ପ୍ରୋତ୍ସାହିତ କରାଯାଉଛି । ସୁନ୍ଦରଗଡ଼ସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ଏକ ପାଠାଗାର ମଧ୍ୟ ରହିଛି। ସେହିପରି ରାଉରକେଲାଠାରେ ମହାନଗର ନିଗମର ପାଠାଗାର ଓ ବଣାଇଁରେ ଉପଖଣ୍ଡସ୍ତରୀୟ ପାଠାଗାର ପ୍ରତିଷ୍ଠା କରାଯାଇଛି ।

ଏହାଛଡ଼ା ଜିଲ୍ଲାରେ ଗ୍ରାମାଞ୍ଚଳ ପାଠାଗାର ନିର୍ମାଣ ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉଛି। ହେମଗିର ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ବ୍ଲକଠାରେ ଦୁଇଟି ଗ୍ରାମୀଣ ପାଠାଗାର ଖୋଲାଯାଇଛି। ପର୍ଯାୟକ୍ରମେ ଅନ୍ୟ ବ୍ଲକରେ ଗ୍ରାମୀଣ ପାଠାଗାର ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଜିଲ୍ଲାରେ ବିଭିନ୍ନ ପାଠାଗାର ନିର୍ମାଣ ଓ ଉନ୍ନତିକରଣ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ମଞ୍ଜୁର କରାଯାଉଛି।

‘‘ସୁନ୍ଦରଗଡ଼, ବହି ପଢ଼ ଅଭିଯାନ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ଖୋଲାଯାଉଛି। ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକମାନେ ଯେପରି ବହି ପଢ଼ା ପ୍ରତି ଆକର୍ଷିତ ହେବେ ସେଥିପାଇଁ ପାଠାଗାରରେ ବିଭିନ୍ନ ପ୍ରକାରର ବହି ରହିଛି। ପ୍ରତି ପାଠାଗାରରେ ଆବଶ୍ୟକ ରିଡିଙ୍ଗ ରୁମ୍ ସହ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା କରାଯାଉଛି। ଏହାଛଡ଼ା ସେଠାରେ ଛାତ୍ରଛାତ୍ରୀମାନଙ୍କର ସର୍ଜନାତ୍ମକ ପ୍ରତିଭାର ବିକାଶ ଲାଗି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

କୋଭିଡ୍ ମହାମାରୀ ପୂର୍ବ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିଲା ଏହି ଅଭିନବ କାର୍ଯ୍ୟକ୍ରମ ‘ସୁନ୍ଦରଗଡ଼ ବହି ପଢ଼’। ତେବେ ମହାମାରୀ ଯୋଗୁଁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ପୁଣି ଏବେ ଏହି କାର୍ଯ୍ୟକ୍ରମକୁ ସକ୍ରିୟ କରିବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହେଉଛନ୍ତି।

ଅଭିଯାନର ଆକର୍ଷଣ – ‘ବହି ବଗିଚା’

ସୁନ୍ଦରଗଡ଼ ବହି ପଢ଼ ଅଭିଯାନ ଅଧୀନରେ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ‘ବହି ବଗିଚା’ ଖୋଲାଯାଇଛି। ଏଠାରେ ବିଭିନ୍ନ ପ୍ରକାରର ଗପ, କବିତା, ଉପନ୍ୟାସ, କମିକ୍ସ ସହିତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ରହିଛି। ଏହି ଭିନ୍ନ ରୁଚିର ପାଠାଗାରରୁ ବହିପ୍ରେମୀମାନେ ନିଜ ମନ ପସନ୍ଦର ବହି ନେଇ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ଥିବା ବଗିଚାରେ ବସି ପଢ଼ି ପାରୁଛନ୍ତି।

ବିଶେଷକରି, ସାନ ସାନ ପିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ପ୍ରତି ରବିବାର ଦିନ ‘ବହି ବଗିଚା’ରେ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଚିତ୍ରାଙ୍କନ, ନାଚ, ଗୀତ ମାଧ୍ୟମରେ ବହି ପଢ଼ିବା ଲାଗି ଆଗ୍ରହ ସୃଷ୍ଟି କରାଯାଉଛି। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଭିଭାବକମାନଙ୍କ ସହିତ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣ ଜିଲ୍ଲାପାଳ ଏବଂ ଉପସ୍ଥିତ ଅନ୍ୟ ବୁଦ୍ଧିଜୀବୀ ଏବଂ ଅତିଥିମାନଙ୍କ ସହିତ ଭାବବିନିମୟ କରିପାରୁଛନ୍ତି।

‘‘ବହି ବଗିଚା କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରେ ମୁଁ ଚିତ୍ରାଙ୍କନ କରିବା ସହ ବିଭିନ୍ନ ବହି ପଢ଼ି ମତେ ଭଲ ଲାଗିଲା। ଏହାସହ ମତେ ଆମ ଜିଲ୍ଲାପାଳଙ୍କ ସହିତ କଥା ହେବାର ସୁଯୋଗ ମିଳିଲା। ବହି ପଢ଼ିବା ଫଳରେ ଆମ ଜ୍ଞାନର ପରିସୀମା ବ୍ୟାପକ ହେବ ବୋଲି ଜିଲ୍ଲାପାଳ ଆମକୁ କହିଥିଲେ’’, ନିଜର ଅନୁଭୂତି ବର୍ଣ୍ଣନା କରି କହିଛନ୍ତି ସୁନ୍ଦରଗଡ଼ର ଜଣେ ଛାତ୍ରୀ ଭାଗ୍ୟଶ୍ରୀ ସିଂ।

‘‘ଜିଲ୍ଲାପାଳଙ୍କ ବାସଭବନକୁ ସାଧାରଣ ଲୋକ ଯିବା ଆସିବା କରିବା ଲାଗି ବିଶେଷ ସୁଯୋଗ ବା ଆବଶ୍ୟକତା ନଥାଏ। ତେବେ ଏହି ‘ବହି ବଗିଚା’ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାପାଳ ବିଭିନ୍ନ ବର୍ଗର ଲୋକ ତଥା ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହେଉଛନ୍ତି। ସୁନ୍ଦରଗଡ଼ରେ ଏହି ନିଆରା କାର୍ଯ୍ୟକ୍ରମ ଦେଖି ବହୁତ ଖୁସି ଲାଗିଲା’’, କହନ୍ତି ବ୍ରହ୍ମପୁରରୁ ସୁନ୍ଦରଗଡ଼ ଆସିଥିବା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ଖାଡ଼େଙ୍ଗା।

ସୁନ୍ଦରଗଡ଼ ଜିଲ୍ଲାରେ ପାଠାଗାର ଅଭିଯାନ

ଜିଲ୍ଲାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସୁନ୍ଦରଗଡ଼ ସହରରେ ରହିଛି ଜିଲ୍ଲା ସଂସ୍କୃତି ଭବନ। ସେଠାରେ ଏକ ଆଧୁନିକ ପାଠାଗାର ଓ ରିଡିଙ୍ଗ୍ ରୁମ୍ ଖୋଲାଯାଇଛି। ବିଭିନ୍ନ ପ୍ରକାରର ଉପାଦେୟ ପୁସ୍ତକ ସହିତ ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦେଖି ସେଠାରେ ଇ-ଲାଇବ୍ରେରି ବ୍ୟବସ୍ଥା କରାଯାଉଛି।

ଏହି ଇ-ଲାଇବ୍ରେରିକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ପାଠାଗାର ସହ ସଂଯୁକ୍ତ କରାଯିବ। ଏହା ଫଳରେ ସୁନ୍ଦରଗଡ଼ରେ ବସି ପାଠକମାନେ ଏହା ମାଧ୍ୟମରେ ରାଜ୍ୟ ପାଠାଗାରରେ ଥିବା ବିଭିନ୍ନ ଇ-ପୁସ୍ତକ, ପତ୍ରପତ୍ରିକା ଏବଂ ସୂଚନା ପାଇପାରିବେ। ସାଧାରଣ ବର୍ଗର ପାଠକଙ୍କ ସହ ଗବେଷକ ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ ଏହି ପାଠାଗାରରୁ ବିଶେଷ ଉପକୃତ ହେବେ।

ସରକାରୀ ହାଇସ୍କୁଲରେ ଆଧୁନିକ ପାଠାଗାର

ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକରେ ଆଧୁନିକ ପାଠାଗାର କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହା ଅଧୀନରେ ପାଠାଗାର ଓ ରିଡିଙ୍ଗ ରୁମକୁ ଆକର୍ଷଣୀୟ କରାଯାଉଛି। ଏହାଛଡ଼ା ସେଠାରେ ଆଧୁନିକ କମ୍ପ୍ୟୁଟର ଲ୍ୟାବ୍ ଓ ଇ-ଲାଇବ୍ରେରି ସୁବିଧା କରାଯାଉଥିବାରୁ ଇଣ୍ଟରନେଟ୍ ବ୍ୟବହାର କରି ଛାତ୍ରଛାତ୍ରୀମାନେ ଅନଲାଇନରେ ବିଭିନ୍ନ ବିଷୟ ପଢ଼ି ସେମାନେ ଜ୍ଞାନର ପରିସୀମାକୁ ବଢ଼ାଇ ପାରୁଛନ୍ତି।

‘‘ସବୁ ବୟସ, ବର୍ଗ ଏବଂ ରୁଚିର ମଣିଷଙ୍କ ପାଇଁ ବହି ଗୋଟେ ବଡ଼ ସାଥୀ। ବହିରୁ ଆମକୁ ସୂଚନା ଓ ଜ୍ଞାନ ମିଳିଥାଏ, ଯାହାକି ଆମ ଜୀବନକୁ ନୂଆ ଦିଗ ଦେଖାଏ। ଏହାଛଡ଼ା ବିଭିନ୍ନ ବହିରୁ ନାନା ପ୍ରକାରର ଅଭିନବ ବିଷୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରୀକ୍ଷା ନିରୀକ୍ଷା ଏବଂ ସଫଳ ବ୍ୟକ୍ତିଙ୍କ ଜୀବନ ଅନୁଭୂତି ଆମକୁ କଠିନ ପରିସ୍ଥିତିର ମୁକାବିଲା କରି ଆଗକୁ ଯିବାରେ ପ୍ରେରଣା ଦେଇଥାଏ। ତେଣୁ ଜ୍ଞାନ ଆହରଣ ହେଉ ବା ଅବସର ବିନୋଦନ, ଛାତ୍ରଛାତ୍ରୀଙ୍କଠାରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରୁଛି ସୁନ୍ଦରଗଡ଼ ବହି ପଢ଼ ଅଭିଯାନ’’, କହନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

Leave A Reply

Your email address will not be published.