Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ବାନର ନର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୬

 

ଠିକ୍ ଯେମିତି ସିମ୍ପାଜି, ସେମିତି ହେଉଛି ହ୍ୟୁମାନଜି । ଗୋଟିଏ ଶବ୍ଦ ହିସାବରେ ପ୍ରଥମରେ ଏହିଭଳି ପରିଚିତି । କିନ୍ତୁ ସିମ୍ପାଜି ଭଳି ଶବ୍ଦ କେବଳ ଶବ୍ଦ ଆକାରରେ ରହିବ ନାହିଁ , କିଏ ଚାହିଁଲେ ତାହାପରେ ଚଳପ୍ରଚଳ କରୁଥିବା ସିମ୍ପାଜିଟିଏ ନିଶ୍ଚୟ କେଉଁଠି ସ୍ୱଚକ୍ଷୁରେ ଦେଖିପାରିବ । ମାତ୍ର ଅନ୍ୟ ପକ୍ଷରେ ହ୍ୟୁମାନଜି ତାହାର ଶବ୍ଦତ୍ୱର ଘଞ୍ଚ ପରିସୀମାରୁ ବାହାରି ପାରିବ ନାହିଁ ।

ହ୍ୟୁମାନଜିକୁ ଶବ୍ଦରୁ ମୁକ୍ତ କରି ତାହାକୁ ଗୋଟିଏ ଚିତ୍ରରୂପ ଦେବାପାଇଁ ଅନେକ ପ୍ରୟାସ କରାଯାଇଛି ।

ବିଜ୍ଞାନର ବିବର୍ତ୍ତନର ଗତିପଥକୁ ଟିକିଏ ପଛୁଆ କରିବା ତଥା ପୃଥିବୀରେ ମଣିଷ ବା ମ୍ୟାନର ଏକ ବୈକଳ୍ପିକ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଏଇ ଶବ୍ଦଟି ର ସୃଷ୍ଟି । ମଣିଷ ବା ହ୍ୟୁମ୍ୟାନର ଯେଉଁ ବିକଳ୍ପ ପ୍ରଜାତିର ପରିକଳ୍ପନା କରାଯାଇଥିଲା ସେହି ପ୍ରଜାତିର ସେ ନାମକରଣ କରିଥିଲେ ହ୍ୟୁମାନଜି । ସେ ହ୍ୟୁମାନଜିକୁ ଏମିତି ଏକ ପ୍ରଜାତି ହିସାବରେ ବିକଶିତ କରିବାକୁ ଚାହୁଁଥିଲେ ଯେଉଁଠି ତାହା ସମସ୍ତ ମାନବିକ ଭଲପଣ ତଥା ଉତ୍କର୍ଷପଣର ଧାରକ ହୋଇ ପୃଥିବୀପୃଷ୍ଟରେ ଆବିର୍ଭୂତ ହେବ ଆଉ ତାହା ଫଳରେ ପୃଥିବୀ ଏକ ଉଚ୍ଚମାନର ପୃଥିବୀରେ ରୂପାନ୍ତରିତ ହୋଇଯିବ । ହ୍ୟୁମାନଜିକୁ ନେଇ ତାଙ୍କର ସେହି ପରିକଳ୍ପନା କହିବାକୁ ଗଲେ ଦାର୍ଶନିକ ନିତସେ ଙ୍କ କଥିତ “ସୁପରମ୍ୟାନ” ର ଏକପ୍ରକାର ନିର୍ମାଣ ।

ତାଙ୍କର ବାସଗୃହ ଆଉ ସେଥିରେ ଯେଉଁ ପରୀକ୍ଷାଗାର ରହିଥିଲା ତାହାକୁ ଦେଖିଲେ ମନେ ହେବ ତାହା ଯେମିତି ଜଣେ ଗମ୍ଭୀର ବୈଜ୍ଞାନିକର ପରୀକ୍ଷାଗାର । ସେ ନିରନ୍ତର ମଣିଷର ବିବର୍ତ୍ତନ ସମ୍ପର୍କରେ ଗବେଷଣା କରୁଥିଲେ । ମଝିରେ ମଝିରେ ଅନେକ ସଂଭ୍ରାନ୍ତ ଉପସ୍ଥିତି ତାଙ୍କର ଗବେଷଣାମୂଳକ ଉପଲବ୍ଧିର ବ୍ୟାଖ୍ୟାନମାନ ପ୍ରଦାନ କରୁଥିଲେ। ଫଳରେ ତାଙ୍କର ଜଣେ ବୈଜ୍ଞାନିକ ହିସାବରେ ଏକ ପ୍ରକାର ବିଶେଷ ପରିଚିତି ଥିଲା । ତଥାପି ତାଙ୍କର ସମସାମୟିକ ଅନେକେ ମନେ କରୁଥିଲେ ଯେ ସେ ବସ୍ତୁତଃ ଜଣେ ଠକ,ବିଜ୍ଞାନ ନୁହଁ ସେ ପ୍ରବଞ୍ଚନାର ଗବେଷଣା କରନ୍ତି ।

ତାଙ୍କର ପୁରା ନାଆଁ ଇଲିଆ ଇଭାନୋଭିଚ ଇଭାନୋଭ । ତାଙ୍କର ହ୍ୟୁମାନଜି ପ୍ରକଳ୍ପକୁ ସୋଭିଏତ ସରକାର ଆଗରୁ ସ୍ୱୀକୃତି ପ୍ରଦାନ କରିଥିଲେ ବି ୧୯୨୭ ସାଲର ଶେଷ ଆଡକୁ ଏହି ଗବେଷଣାର ସମର୍ଥନକୁ ପ୍ରତ୍ୟାହାର କରିନେଇଥିଲା । ସରକାରଙ୍କର ବିନା ସମର୍ଥନରେ ହ୍ୟୁମାନଜି ଭଳି ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମ୍ଭବପର ନୁହଁ । ସେଥିପାଇଁ ଇଲିଆଙ୍କ ମନ ବଡ ଖରାପ । ସେ ନିଜର ପ୍ରକଳ୍ପ ପାଇଁ ଅନ୍ୟତ୍ର ସମର୍ଥନର ଚେଷ୍ଟା କରୁଥିଲେ ।

ଇଲିଆଙ୍କୁ ୧୯୨୭ ମସିହା ଫେବ୍ରୁଆରି ୨୮ ତାରିଖ ଦିନ ହ୍ୟୁମାନଜି ସମ୍ପର୍କିତ ଗବେଷଣା ପାଇଁ ଭିନ୍ନ ଏକ ସରକାରର ସମର୍ଥନ ମିଳିଥିଲା । ସୋଭିଏତ ଋଷିଆ ବଦଳରେ ଏଥର ଫ୍ରାନ୍ସ ସରକାର ତାହାର ପଶ୍ଚିମ ଆଫ୍ରିକାରେ ଥିବା ଗୋଟିଏ ଉପନିବେଶ ଯାହାର ନାଆ ହେଉଛି ଫ୍ରେଞ୍ଚ ଗିନିଆ ସେଇଠି ତାଙ୍କୁ ତାଙ୍କର ଏହି ଗବେଷଣାକୁ ପୂର୍ଣ୍ଣରୂପ ଦେବାପାଇଁ ଅନୁମତି ପ୍ରଦାନ କରିଥିଲେ ।

ଇଲିଆ ଇଭାନୋଭିଚ ଇଭାନୋଭ ତାହାପରେ ତାଙ୍କର ଏହି ହ୍ୟୁମାନଜି ଗବେଷଣାକୁ ଫ୍ରେଞ୍ଚ ଗିନିଆରେ ଆରମ୍ଭ କରିଦେଇଥିଲେ । ଏହି ଗବେଷଣାରେ ତାଙ୍କର ଏକମାତ୍ର ସହଯୋଗୀ ଥିଲା ତାଙ୍କର ନିଜ ପୁଅ । ପିତା ପୁତ୍ର ଯୁଗଳଙ୍କର ସେତେବେଳର ଏହି ଗବେଷଣା ସମ୍ପର୍କରେ ଜଣେ ଋଷୀୟ ସ୍କଲାର୍ କିରିଲ୍ ରୋସିଆନୋଭ୍ ନିଜର ଅଭିମତକୁ ଏହିଭଳି ରଖିଛନ୍ତି : ” ଏଇ ପିତାପୁତ୍ର ଦୁଇଜଣଙ୍କ ର ଗବେଷଣା ଯେଉଁ ଭଳି ନିର୍ଦ୍ଦିଷ୍ଟ ବର୍ବର ଭାବରେ ଆଉ ଦ୍ରୁତତାର ସହ ସମ୍ପାଦନ କରାଯାଇଥିଲା ତାହାକୁ କେବଳ ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ, ଧର୍ଷଣ ।”

ଇଲିଆ ଏବଂ ତାଙ୍କର ପୁଅ ପଶ୍ଚିମ ଆଫ୍ରିକାର ସେଇ ଅଞ୍ଚଳରୁ ଦୁଇଟି ସ୍ତ୍ରୀ-ସିମ୍ପାଜି ଧରିଥିଲେ ଆଉ ସେମାନଙ୍କର ନାଆଁ ଦେଇଥିଲେ ବାବେଟ୍ ଆଉ ସିଲଭେଟ୍ । କୌଣସି ଅଜ୍ଞାତ ସ୍ଥାନୀୟ ଲୋକର ବୀର୍ଯ୍ୟ ସଂଗ୍ରହ କରି ତାହାଦ୍ୱାରା ସେହି ଦୁଇ ସ୍ତ୍ରୀ-ସିମ୍ପାଞ୍ଜିଙ୍କୁ ଗର୍ଭବତୀ କରିବାର ପ୍ରଚେଷ୍ଟା କରାଯାଇଥିଲା ।

ହ୍ୟୁମାନଜି ପ୍ରକଳ୍ପ ବିଷୟରେ ଏବେ ଏହାପରେ ଆପଣମାନଙ୍କ ଧାରଣା ସ୍ପଷ୍ଟ ହୋଇଯିବଣି । ଇଭାନ୍ ,ଦି ସାଇଣ୍ଟିଷ୍ଟଙ୍କର ହ୍ୟୁମାନଜି ହେଉଛି ସିମ୍ପାଜି ଆଉ ମଣିଷ ବା ହ୍ୟୁମାନ ର ଏକ ମିଶ୍ରଣ ବା ହାଇବ୍ରିଡ୍ ପ୍ରଜାତି । ମଣିଷରୁ ଆସିବ ହ୍ୟୁମାନ ଆଉ ସିମ୍ପାଜିରୁ ଆସିବ ଜି ଆଉ ଉଭୟ ମିଶି ହୋଇଯିବ ହ୍ୟୁମାନଜି ।

ମାତ୍ର ଦୁଃଖର କଥା ବାବେଟ୍ ଆଉ ସିଲଭେଟ୍ ସ୍ଥାନୀୟ “ସ୍ପର୍ମ ଡୋନୋର” ଦ୍ୱାରା ଗର୍ଭବତୀ ହେଲେ ନାହିଁ । ତାହାପରେ ସେମାନେ ଆଉ ଗୋଟିଏ ସ୍ତ୍ରୀ-ସିମ୍ପାଜି ସଂଗ୍ରହ କଲେ ଯାହାର ନାଆଁ ଦେଇଥିଲେ ସେମାନେ ବ୍ଲାକ୍ । ବ୍ଲାକକୁ କ୍ଲୋରୋଫର୍ମ ପ୍ରୟୋଗ ଦ୍ୱାରା ଅଚେତନ କରାଯାଇ ଗର୍ଭବତୀ କରାଯିବାର ପ୍ରଚେଷ୍ଟା କରାଯାଇଥିଲା । ମାତ୍ର ସିଲଭେଟ୍ ଆଉ ବାବେଟ୍ ଭଳି ବ୍ଲାକ୍ ବି ଗର୍ଭଧାରଣ କରିବାକୁ ଅକ୍ଷମ ହୋଇଥିଲା । ପର ପର ତିନୋଟି ସ୍ତ୍ରୀ- ସିମ୍ପାଜି ଙ୍କ କ୍ଷେତ୍ରରେ ଏହିଭଳି ଗର୍ଭଧାରଣର ଅସଫଳତାକୁ ଦେଖି ଏହି ପିତାପୁତ୍ର ବୈଜ୍ଞାନିକ ଯୁଗଳ ନିଜର ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଇଲିଆ ସେଇଥିପାଇଁ ସେଠିକାର ଗଭର୍ଣ୍ଣରଙ୍କୁ ଏଇଭଳି ନିବେଦନ କରିଥିଲେ ଯାହାଫଳରେ କି ସ୍ଥାନୀୟ ହସପିଟାଲରେ ଚିକିତ୍ସିତ ହେଉଥିବା ମହିଳାମାନଙ୍କୁ ସେମାନଙ୍କର ଅଜାଣତରେ ସିମ୍ପାଜିର ସିମେନ୍ ବା ବୀର୍ଯ୍ୟ ପ୍ରୟୋଗ ଦ୍ୱାରା ସହଜରେ ଗର୍ଭବତୀ କରାଯାଇପାରିବ । ଏହି ଭଳି ହ୍ୟୁମାନଜି ନିର୍ମାଣ ପ୍ରକ୍ରିୟା ପାଇଁ ନିବେଦନଙ୍କୁ ଫରାସୀ ଗଭର୍ଣ୍ଣର ଦେଖିବାମାତ୍ରକେ ତୁରନ୍ତ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଏହି ଖବରକୁ ଇଲିଆ ନିଜର ଡାଏରୀରେ ଲେଖିଛନ୍ତି,” ହଠାତ୍ ବଜ୍ରପାତ। ଏହା ଏକ ଦାରୁଣ ଆଘାତ।”

ଏହିଭଳି ବିଫଳତାରେ ମର୍ମାହତ ହୋଇ ତାହାପରେ ଇଲିଆ ନିଜ ଦେଶ ସୋଭିଏଟ୍ ଋଷିଆକୁ ଫେରି ଆସିଥିଲେ । ଏଥର କିନ୍ତୁ ସେ ସୋଭିଏତ ସରକାରଙ୍କଠାରୁ ଅନୁମତି ପାଇଥିଲେ ଯେ ଯେଉଁ ମହିଳା ମାନେ ସ୍ୱେଚ୍ଛାକୃତ ଭାବରେ ଇଲିଆଙ୍କ ଗବେଷଣାରେ ସହଯୋଗ କରିବାକୁ ଇଚ୍ଛୁକ ସେମାନେ ସେହିଭଳି କାମ କରିପାରନ୍ତି,ସରକାରଙ୍କ ତରଫରୁ ସେଥିପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ମାତ୍ର ସେହି ଭଳି ଇଛୁକ ଅଂଶଗ୍ରହଣକାରୀ ମହିଳାମାନଙ୍କର ପରିଚୟକୁ ଗୋପନ ରଖାଯିବା ଏକାନ୍ତ ଆବଶ୍ୟକ । ତାହା ଫଳରେ ଯେଉଁ ମହିଳାମାନେ ଇଲିଆଙ୍କର ଏହି ହ୍ୟୁମାନଜି ପ୍ରକଳ୍ପରେ ସ୍ୱଇଚ୍ଛାରେ ସହଯୋଗ କରିବେ ସେମାନଙ୍କୁ କେବଳ ଗୋଟିଏ ଅକ୍ଷରରେ ଚିହ୍ନିତ କରାଯିବ ବୋଲି ଇଲିଆ ନିର୍ଣ୍ଣୟ ନେଇଥିଲେ ।

ସେଇ ଗୁପ୍ତ ଅକ୍ଷରଟି ଥିଲା,”ଜି”।

ଅନେକ ପ୍ରଚେଷ୍ଟା ପରେ ଇଲିଆ ତାଙ୍କର ଗବେଷଣା ପାଇଁ କେବଳ ଜଣକୁ ଅର୍ଥାତ୍ ଗୋଟିଏ “ଜି” କୁ ପାଇଥିଲେ । ଆଉ ଅନ୍ୟପଟେ ତାଙ୍କୁ କୌଣସି ପୁରୁଷ ସିମ୍ପାଜି ମିଳିନଥିଲା । ସେ ସିମ୍ପାଜିର ବିକଳ୍ପ ହିସାବରେ ଗୋଟିଏ ଓରାଙ୍ଗଓଟାଙ୍ଗକୁ ପାଇଥିଲେ । ନିଜର ହ୍ୟୁମାନଜି ପ୍ରକଳ୍ପରେ ବ୍ୟବହୃତ ସମସ୍ତ ବାନର ପ୍ରଜାତିମାନଙ୍କୁ ମଣିଷ ସଦୃଶ ଗୋଟିଏ ଗୋଟିଏ ନାଆଁରେ ଚିହ୍ନିତ କରାଯାଇଥିବା ଭଳି ଏହି ଓରାଙ୍ଗଓଟାଙ୍ଗର ବି ଇଲିଆ ଗୋଟିଏ ନାମକରଣ କରିଥିଲେ,ଟାରଜନ୍ ।

ଟାରଜନ୍ ଆଉ ଜି ହେଉଛନ୍ତି ଇଲିଆ ଇଭାନୋଭିଚ ଇଭାନୋଭ ଙ୍କର ଏହି ବିଶେଷ ହ୍ୟୁମାନଜି ( ହୁରାଙ୍ଗଉଟାଙ୍ଗ୍ ?)ପ୍ରକଳ୍ପର ଅନ୍ତିମ ପୁରୁଷ-ନାରୀ ଯୋଡି । ଏଥର ବି ସେହି ବହୁ ପ୍ରତୀକ୍ଷିତ ଗର୍ଭାଧାନ ସମ୍ଭବପର ହୋଇପାରିଲା ନାହିଁ ।

ସମ୍ଭାବିତ ଗର୍ଭାଧାନର ଆୟୋଜନ ଚାଲିଥିବା ବେଳେ ଟାରଜନର ମୃତ୍ୟୁ ହୁଏ ଆଉ ସେହି ମୃତ୍ୟୁର କାରଣ ହିସାବରେ ଦେଖାଯାଏ ଯେ ମସ୍ତିଷ୍କରୁ ଅତ୍ୟଧିକ ରକ୍ତ କ୍ଷରଣ କାରଣରୁ ତାହାର ମୃତ୍ୟୁ ଘଟିଅଛି । ଏହି ସମ୍ବାଦ ପରେ ସୋଭିଏତ ସରକାର ସକ୍ରିୟ ହୁଅନ୍ତି ଏବଂ ଏହି ଗବେଷଣା ଉପରେ ପୂର୍ଣ୍ଣବିରାମ ଲଗାଇବା ସହ ଏହାର ସୂତ୍ରଧର ଇଲିଆ ଇଭାନୋଭିଚଙ୍କୁ ତୁରନ୍ତ ଗିରଫ କରାଯାଏ । ପରେ ଜେଲଖାନାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇଯାଏ ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ତାଙ୍କୁ କର୍ତ୍ତୃପକ୍ଷ ମୁକ୍ତ କରିବାପାଇଁ ସିଦ୍ଧାନ୍ତ ନିଅନ୍ତି।

୧୯୩୦ ସାଲରେ ଜେଲରୁ ବାହାରିବା ପରେ ଇଲିଆ ନିଜ ଗବେଷଣାରେ ଅଧିକ ସମୟ ଦେବାପାଇଁ ପୃଥିବୀରେ ଆଉ
ବଞ୍ଚି ରହିନାହାଁନ୍ତି । ତାଙ୍କର ତାହାପରେ ମୃତ୍ୟୁ ହୁଏ । ମୃତ୍ୟୁର କାରଣ ମସ୍ତିଷ୍କରେ ଅତ୍ୟଧିକ ରକ୍ତକ୍ଷରଣ।

ଏହି ବାନର ନର କଥାରୁ ଆମର ସ୍ମରଣରେ ଦୁଇଟି ପରିଣତି ।

ଏକ, ହ୍ୟୁମାନଜି ଶେଷ ଯାଏଁ କେବଳ ଗୋଟିଏ ଶବ୍ଦ ହୋଇ ରହିଯାଇଛି, ଶବ୍ଦ ଭିନ୍ନ ଆଉ କିଛି ଦୃଶ୍ୟରୂପ ଏହା ଗ୍ରହଣ କରିପାରିନାହିଁ ।

ଦୁଇ, ଇଲିଆ ଇଭାନୋଭିଚଙ୍କୁ ସୋଭିଏତ ସରକାର ଗିରଫ କରିବା ପଛରେ ସେତେବେଳେ କାରଣଟି ଥିଲା,ସେ ହେଉଛନ୍ତି ଜଣେ ପ୍ରତିବିପ୍ଳବୀ, ମଣିଷକୁ ଅଣମଣିଷ କରିବାରେ ସେ ସବୁବେଳେ ପ୍ରୟାସରତ ।

°°°°°

Comments are closed.