Latest Odisha News

ଉଦ୍ଦେଶ୍ୟ ପୂରଣ ନହେବା ଯାଏ ରୁଷ ସାମରିକ ଆକ୍ରମଣ ଜାରି ରଖିବ: ପୁଟିନ

ମସ୍କୋ: ଗୋଟିଏ ପଟେ ରୁଷ ବିରୋଧରେ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଦୁର୍ବଳ କରିବାରୁ ଆମେରିକା ସମେତ ଅନେକ ଦେଶ ପ୍ରୟାସ କରୁଛନ୍ତି । ଅନ୍ୟପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହା ଯେମିତି କୌଣସି ପ୍ରଭାବ ପକାଉନି । ମଙ୍ଗଳବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ୟୁକ୍ରେନରେ ସାମରିକ ଅଭିଯାନ ପୂର୍ବ ଯୋଜନା ଅନୁୟାୟୀ ଜାରି ରହିବ। ପୁଟିନ କହିଛନ୍ତି, ଆମର କାମ ହେଉଛି ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିବା ଏବଂ କ୍ଷତି ହ୍ରାସ କରିବା।

ରୁଷର ‘ଭୋଷ୍ଟୋଚନ୍ ସ୍ପେସ୍ ଲଞ୍ଚ୍ ସେଣ୍ଟର’ ଗସ୍ତ ଅବସରରେ ସେ ଏହି ସୂଚନା ଦେଇଛନ୍ତି, ଇସ୍ତାନବୁଲରେ ଋଷ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ୟୁକ୍ରେନ ରଖିଥିବା ପ୍ରସ୍ତାବରୁ ଓହରି ଯାଇଛି । ତେଣୁ ଯେପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ଏଥିପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇନାହିଁ, ସେଯାଏ ଏହି ସାମରିକ ଅଭିଯାନ ଜାରି ରହିବ। ତେଣୁ ଏବେ ଆଲୋଚନା ଅଟକି ଯାଇଛି । ରୁଷ ପାଖରେ ଆକ୍ରମଣ କରିବା ଛଡା ଅନ୍ୟ କିଛି ଉପାୟ ନାହିଁ।

ଅନ୍ୟପଟେ ଲିଥୁଆନିଆ ସଂସଦକୁ ସମ୍ବୋଧନ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ୟୁରୋପୀୟ ସଂଘ ରୁଷ ତେଲ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ । ରୁଷିଆର ଗ୍ୟାସ ଆମଦାନୀକୁ ବନ୍ଦ କରିବା ପାଇଁ ୟୁରୋପୀୟ ଦେଶଗୁଡିକ ଏକ ସମୟ ସୀମା ନିର୍ଦ୍ଧାରଣ କରିବା ଉଚିତ । ରୁଷ ବିରୋଧରେ ସାରା ବିଶ୍ୱରେ ଜନମତ ସୃଷ୍ଟି କରିବା ପାଇଁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ବାରମ୍ବାର ଅନ୍ୟ ଦେଶର ନେତାଙ୍କ ସହ କଥା ହେଉଛନ୍ତି ଏବଂ ଅନେକ ଦେଶର ସଂସଦକୁ ସମ୍ବୋଧନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ରୁଷ ବାରମ୍ବାର ୟୁକ୍ରେନର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗକୁ ଅସ୍ୱୀକାର କରିଛି । ୟୁକ୍ରେନ ଏକ ବଡ ଜନସଂଖ୍ୟାକୁ ଢାଲ କରୁଛି ବୋଲି ରୁଷ କହିଛି। ୟୁକ୍ରେନର ବୁଚା ସହରରେଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ରିପୋର୍ଟ ବାବଦରେ ପୁଟିନ କହିଛନ୍ତି, ଅଭିଯୋଗ ଭିତ୍ତିହୀନ ।

Comments are closed.