ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳା କ୍ଷେତ୍ର ନୀଳଗିରି ପର୍ବତ ବା ନୀଳସୁନ୍ଦର ପର୍ବତ ର ପ୍ରାଚୀନତାର ପ୍ରମାଣ ଖୋଜିଲେ । ଶାସ୍ତ୍ରରେ ବର୍ଣ୍ଣନା ମିଳେ କଳ୍ପବୃକ୍ଷ, ରୋହିଣୀ କୁଣ୍ଡ, ପ୍ରଭୁ ନୃସିଂହ, ଶବରପଲ୍ଲୀ (ଶବର ଦୀପକ ) ଓ ଶବର ପୂଜିତ ଠାକୁର ନୀଳମାଧବ । ସବୁ ପ୍ରମାଣ ବର୍ତ୍ତମାନ ଆଉ ନିଜ ସ୍ୱରୂପରେ ନାହାନ୍ତି । ଆଗରୁ ଏକକ୍ରୋଶ ବ୍ୟାପି ରହିଥିବା କଳ୍ପବୃକ୍ଷ (କଳ୍ପବଟ ), ବର୍ତ୍ତମାନ ଏକ ସୀମିତ କଳେବର ଧାରଣ କରିଛନ୍ତି । ରୋହିଣୀ କୁଣ୍ଡ ର ଅସ୍ତିତ୍ୱ ଲୋପ ପାଇଛି । ନୀଳମାଧବ ଅଦୃଶ୍ୟ । ସେହିପରି ଶାସ୍ତ୍ର ବର୍ଣ୍ଣିତ ପ୍ରଭୁ ନୃସିଂହ ଯେକି କୃଷ୍ଣlଗୁରୁ ବୃକ୍ଷ ମୂଳରେ ଅବସ୍ଥାନ କରୁଥିଲେ ସେ ଏବେ ମନ୍ଦିର ମଧ୍ୟରେ ଉପବିଷ୍ଠ ।
” ଆସେଦୁଯତ୍ର ବସତିଃ କୃଷ୍ଣlଗୁରୁ ତରୋରଧ, ସର୍ବାପଦଭୟସଂହତ୍ତ୍ରା ଦିବ୍ୟସିଂହତନୁ ବିଭୁ “(ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡ ) ।” ଏହି ଶ୍ଳୋକ ଏହାପ୍ରମାଣିତ କରୁଛି ଯେ ଶ୍ରୀନୀଳମାଧବଙ୍କ ସହ ନୀଳାଚଳରେ ପ୍ରଭୁ ନୃସିଂହ ଉପାସିତ ହେଉଥିଲେ । ସେହି ସ୍କନ୍ଦ ପୁରାଣର ଅନ୍ୟ ଏକ ଶ୍ଳୋକ କ୍ଷେତ୍ରର ପ୍ରାଚୀନତା ବର୍ଣ୍ଣନା ଏପରି କରିଛି : “ଚରାଚର ଜଗତସ୍ମିନ ପ୍ରଲୀନେ ପ୍ରଭୟେ ଯମ, ଏତତ କ୍ଷେତ୍ରମହଞ୍ଚେବ ଦ୍ୱାବେତାବସ୍ଥିତୌ ତଦା ।” ଅର୍ଥାତ ପ୍ରଳୟ କାଳରେ ସ୍ୱୟଂ ନାରାୟଣ ଏହି ଅକ୍ଷୟବଟ ର ଏକ ପତ୍ର ଆଧାର କରି ଭାସମାନ ଥିଲେ । ସପ୍ତକଳ୍ପଆୟୁ ମାର୍କଣ୍ଡେୟ, ଭାସି ଆସି ତାଙ୍କ ନିକଟରେ ପହଞ୍ଚିଲେ । ତେଣୁ ଏହି କଳ୍ପବଟ, ଯେ ପ୍ରଭୁଙ୍କର ଆଶ୍ରୟ ସ୍ଥଳ ଏହା ଯୁଗେ ଯୁଗେ ପ୍ରମାଣିତ । ଅବଶ୍ୟ ଏ କଳ୍ପବୃକ୍ଷର ନାମ କେତେବେଳେ ଅକ୍ଷୟବଟ, କେବେ ଦେବନାଶନ ବଟ ଇତ୍ୟାଦି ହୋଇଛି କିନ୍ତୁ ଶାସ୍ତ୍ର କହେ କଳ୍ପବଟ (ବଟ ବୃକ୍ଷ )ବିଷ୍ଣୁଙ୍କ ଆଳୟ । ପଲାଶବୃକ୍ଷ ବ୍ରହ୍ମlଙ୍କ ପ୍ରିୟ । ସେହିପରି ବେଲ ବୃକ୍ଷ ଶିବଙ୍କ ପ୍ରିୟ । ଆମ୍ବ ବୃକ୍ଷ ଶକ୍ତିଙ୍କ ପ୍ରିୟ । ଅର୍କ ବା ଅରଖ (ଶ୍ୱେତ ଅର୍କ )ସୂର୍ଯ୍ୟଙ୍କ ପ୍ରିୟ । ପୁରାଣମାନଙ୍କରେ ଏଭଳି ଅଶୋକ ଅଶ୍ଵତଥ, ତୁଳସୀଠାରୁ ଆରମ୍ଭ କରି ଦୁବ ଘାସ ମହାତ୍ମ୍ୟ ବର୍ଣ୍ଣିତ ହୋଇଛି । ଏଥିରୁ ପ୍ରମାଣିତ ହୁଏ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ କେବଳ ଦାରୁର ଶରୀର ଧାରଣ କରି ନାହାନ୍ତି; ଯୁଗେ ଯୁଗେ ପ୍ରଳୟ କାଳରେ ବାଞ୍ଛାବଟ (କଳ୍ପ ବଟ )ରେ ଆଶ୍ରୟ ନେଇ ସୃଷ୍ଟିର ପୁନଃ ଆରମ୍ଭ କରିଛନ୍ତି । ହୁଏତ ପୁଣି ପ୍ରଳୟ ଆସିଲେ ବାଇଶି ପାହାଞ୍ଚରେ ମୀନ ଖେଳି ପରେ (ମାଳିକା ବଚନ ) କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥ ପୁଣି ବାଳମୁକୁନ୍ଦ ରୁପ ଧରି କଳ୍ପ ବଟର ପତ୍ରରେ ଶୟନ କରିବେ ଓ ନୂତନ ସୃଷ୍ଟି ଆରମ୍ଭିବେ । ଆସନ୍ତୁ ସେହି ପରଂବ୍ରହ୍ମ ଙ୍କୁ ଆରାଧନା କରିବା :
“ତୁମ୍ଭ ଗୋଚରେ ଧ୍ୟାନ ଦୀକ୍ଷା
ଶରଣ ଗଲୁ କର ରକ୍ଷା ”
ସେହି ପରମ ଶାସ୍ତ୍ର ଭାଗବତର ବାଣୀ ଏହା ହେ ପ୍ରଭୁ ତୁମଙ୍କୁ ଜାଣିବା ପାଇଁ ଏ ପ୍ରଚେଷ୍ଟା, କିନ୍ତୁ ସବୁ ତୁମରି କରୁଣା ବିନା ଅସାର, ତେଣୁ ଶରଣ ଗଲୁ ତୁମର । ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.