ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୫
ସେମିତି ଅନ୍ୟମନସ୍କ ଭାବରେ ରଙ୍ଗ ଭରି ଚାଲିଛି । ସବୁ ରଙ୍ଗ ଆଜି କାନଭାସ୍ ଉପରେ ଅଜାଡି ଦେଇ ଆଙ୍କୁଛି କଣ!
ବାସ୍…ଶେଷ ସ୍ପର୍ଶ ଦେଇ ଦୂରକୁ ଘୁଞ୍ଚି ଆସିଲା । ଚିତ୍ରଟିକୁ ଆଖି ଭରିଦେଖିନେଲା । ଚମକି ପଡ଼ିଲା । ତା’ ହୃଦୟରୁ ଦୀର୍ଘ ନିଃଶ୍ୱାସଟେ ବାହାରି ଆସିଲ।। ଉଃ ଫ୍ ଫ୍ ଫ୍ …
ଅଜାଣତରେ ପାଟିରୁ ବାହାରି ଆସିଲା ହେଃ ଇଶ୍ୱର!!! ଏ କ’ଣ ଆଙ୍କିଦେଲ ତା ହାତରେ
ଏଇ ଦୀର୍ଘ ରାତିଟା କାଟିଦେବା ପରେ, ସକାଳୁ ସକାଳୁ କୁମାରର ଗାଡ଼ି ଲୁଇସ୍ ଭିଲ୍ଲା ଭିତରେ ପ୍ରବେଶ କଲା । ସେ ଜାଣେ, କି’ ଅଜବ୍ ଦାୟିତ୍ୱର ଦାୟରେ ଛନ୍ଦି ହେଇ ଯାଇଛି । ବହୁତ କଷ୍ଟରେ ଆରୋଗ୍ୟ ଲାଭ କରିଥିବା ଆରାଧ୍ୟାକୁ ଯାହା ଜଣେଇବାକୁ ଆସିଛି, ତା’ ଶୁଣି ହୁଏତ ତା’ ର ଛାତି ଥରି ଉଠିବ, ଆଘାତ ଲାଗିବ । ପୁଣି ଥରେ ମାନସିକ ଅବସାଦ ଭିତରକୁ ଚାଲିଯାଇ ପାରେ!
ଯାହା ହେଲେ ବି ସତ୍ୟ, ସତ୍ୟ । ସେ ଜଣେଇବ । ଆରାଧ୍ୟାକୁ ବି, ବାସ୍ତବତାକୁ ଗ୍ରହଣ କରିବାକୁ ପଡ଼ିବ । ଷ୍ଟ୍ରଙ୍ଗ୍ ହେବାକୁ ପଡ଼ିବ ।
ସୁର ଗେଟ ଖୋଲିସାରି ମୁହଁ ଶୁଖେଇ ସାଇଡକୁ ଘୁଞ୍ଚିଗଲା । କାମ କରୁଥିବା ଝିଅଟି ବଗିଚାରେ ପାଣି ଦେଉଥିଲା । ତା’ କୁ ଦେଖୁଦେଖୁ ପାଇପ୍ଟା ତଳେ ପକେଇଦେଇ ଯୋଡ଼ହସ୍ତ ମୁଦ୍ରାରେ ଛିଡ଼ା ହେଇ ପଡ଼ିଲା । ମାଟିତଳୁ ବାହାରିଥିବା ପ୍ରାଚୀନ ମୃର୍ତ୍ତୀ
ପରି । ହଲ୍ ନାହିଁ କି, ଚଲ ନାହିଁ । ଲୁଇସ୍ ଭିଲ୍ଲାରେ ଅସମ୍ଭବ ନୀରବତା ।
Comments are closed.