Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୭

କିଛି ସମୟ ପରେ ସେ ତାଙ୍କ ବ୍ୟାଗ୍ ଧରି ମୋ’ ହାତରେ ଦରମା ଟଙ୍କା ଦେଲେ, କହିଲେ ତୋ’ ବାପା ଆସିଲେ ତାଙ୍କ ସହ ଚାଲିଯିବୁ । ସତ କହୁଛି ବାବୁ ସେ କିଛି ବି କହିନାହାନ୍ତି? ସୁର ମଉସା ପଦାକୁ ଯାଇଥିଲେ, ଫେରିଆସି ମତେ ବହେ ଗାଳିକଲେ । ଏଥର ଝିଅଟି ସତକୁ ସତ କାନ୍ଦି ପକାଇଲା ।

ତା’ର ବା ଭୁଲ କ’ଣ । ସେ ଡ଼ରି ଯାଇଛି । ତା’କୁ ଯିବାକୁ କହି, ଆରାଧ୍ୟାକୁ କଲ କଲା । ଫୋନ୍ ରିଙ୍ଗ୍ ହେଉଛି । କିନ୍ତୁ ଏଇଠି କେଉଁଠି । ଫୋନ୍ ନେଇ ନାହିଁ ଆରାଧ୍ୟା ବା ନେବାକୁ ଭୁଲି ଯାଇଛନ୍ତି । ଟେବଲ୍ ଉପରେ ଥୁଆ ହେଇଛି ।

ଏଥର କୁମାର ବି ଚିନ୍ତାରେ ପଡ଼ି ଗଲା । ନିଶ୍ଚିତ ଭାବେ ଆରାଧ୍ୟା ବୈଭବ ସାର୍ ଓ କମ୍ପାନୀ ବିଷୟରେ କିଛି ଖବର ପାଇଗଲେ । କେମିତି ପାଇବ ତାଙ୍କ ଖବର । କୁଆଡେ ଚାଲିଗଲେ ସେ!

ତା’ ମୁଣ୍ଡକୁ କିଛି ପଶୁନାହିଁ । କାଲି ବୈଭବ ସାର୍ ଏମିତି କଲା ପରେ, ଆଜି ଇଏ ।

ତା’ ଜାଣିବାରେ ଆରାଧ୍ୟାର ଏଠି ନିଜର କେହି ନାହାନ୍ତି । ତ କୋଉ ସାଙ୍ଗ ସାଥି ଘରକୁ କେବେ ହେଲେ ଯାଇନଥିବେ । ଆଉ ରହିଲା ମାମୁଁ ଘର । ତାଙ୍କ କହିବା ମୁତାବକ ମାମୁଁ ଏବେ ତାଙ୍କ ପୁଅ ପାଖରେ ବରୋଦାରେ ରୁହନ୍ତି । ଗାଁରେ କେହି ନାହାଁନ୍ତି ତ, ସେ ଆଶା ବି ନାହିଁ ।

ନିଜକୁ ସ୍ଥିର କଲା କୁମାର । ଶାନ୍ତ ମନରେ ଭାବିଲା ଓ ଷ୍ଟଡି ରୁମ୍ ଆଡେ ମୁହେଁଇଲା । ଯେଉଁଠି ସବୁବେଳେ ବସିରହି, ଆରାଧ୍ୟାର ସାରା ରାତି କଟିଛି । ତାଙ୍କର ଖୁବ୍ ସୁନ୍ଦର ପେଣ୍ଟିଙ୍ଗ୍ ମାନ ଘର ସାରା ଝୁଲି ରହିଛି । ଭାବନାକୁ ବ୍ୟକ୍ତ କାରିବାର ସୁନ୍ଦର ଉପାୟ ।

କାନଭାସ୍ ଉପରେ ଅଙ୍କା ହେଇଥିବା ପେଣ୍ଟିଙ୍ଗ୍ ପାଖରେ ତା’ ପାଦ ଅଟକି ଗଲା । ପାଖରେ ପେଲ୍ୟାଟ୍ , କଲର୍‌, ବ୍ରସ୍ ସେମିତି ଇତସ୍ତତ ହେଇ ପଡ଼ିଛି । ସଦ୍ୟ ଅଙ୍କା ହେଇଥିବା ଛବି । ଆରେ, କ’ଣ ! ଏଇ ତ’ ହରିଶ୍‌ ପୁଅ! କେଦାର….

ଆରାଧ୍ୟାର ଭାବପ୍ରବଣତା ବିଷୟରେ ସେ ଖୁବ୍ ଜାଣେ । ନିମିଷକେ ସବୁ ଦ୍ୱନ୍ଦର ଅନ୍ତ ଘଟିଲା । ବୁଝିବାକୁ ବାକି ରହିଲା ନାହିଁ, ଯେ’ ସେ ବିଜିପୁର ପଳେଇଛନ୍ତି । କେଦାର ପାଖକୁ । ଏଇ ବିଷମ ପରିସ୍ଥିତିରେ ତାଙ୍କ ମାନସ ପଟରେ କେବଳ କେଦାର ଛବି ହିଁ ନାଚି ଉଠିଛି । ଫେରିବା ପରଠାରୁ ଅନେକ ସମୟରେ ସେ କେଦାରକୁ ମନେପକାନ୍ତି । ମାତ୍ର ଦୁଇ ଦିନରେ ଛୁଆଟି ପ୍ରତି ଅଦ୍ଭୁତ ବାତ୍ସଲ୍ୟ ମମତା ଆସିଯାଇଥିଲା । ଆଉ ଥରେ ଯିବା, କେଦାରକୁ ଟିକେ ଦେଖିଆସିବା ବୋଲି କହୁଥିଲେ । ନିଶ୍ଚିତ ସେଇଠିକୁ ଯାଇଥିବେ ।

 

କ୍ରମଶଃ

 

Leave A Reply

Your email address will not be published.