Latest Odisha News

BREAKING NEWS

ଅନୁଭୂତିରୁ ସୃଷ୍ଟି ହୋଇଥିବା ସାହିତ୍ୟ ହୃଦୟକୁ ଅଧିକ ଆନ୍ଦୋଳିତ କରେ : ଜୟନ୍ତୀ ଜେନା

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଜୟନ୍ତୀ ଜେନା । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା ।

ମୋହ , ନିଷିଦ୍ଧ ଅଭିସାର, ବନ୍ଦିନୀ , ଇଚ୍ଛାର ଈଶ୍ୱରୀ ସହ ଆହୁରି ଅନେକ ପୁସ୍ତକର ସେ କାଳଜୟୀ ସ୍ରଷ୍ଟା।। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।

ଲେଖିକା ଜୟନ୍ତୀ ଜେନାଙ୍କ ସହିତ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଖ୍ୟ ଉତ୍ସ କ’ଣ ଥିଲା ?

ଉତ୍ତର ୧୯୮୦ ମସିହାରେ ସେତେବେଳେ ନୂଆ ଜାପାନ ସେଟ୍ ଟେପ୍ ରେକର୍ଡ ବାହାରିଥାଏ। ମୋ ବାପା ସେଥିରୁ ଗୋଟେ କିଣି ଆଣିଥିଲେ ,ତା ସହିତ କିଛି ଭିକାରୀ ବଳ ଓ ଶାନ୍ତିଲତା ବାରିକଙ୍କର ଭଜନ କ୍ୟାସେଟ୍ ମଧ୍ୟ କିଣି ଆଣିଥିଲେ। ସଙ୍ଗୀତ ପ୍ରତି ମୋର ଖୁବ୍ ଦୁର୍ବଳତା ପିଲାଦିନରୁ ଥିଲା । ମୁଁ ସ୍କୁଲରୁ ଫେରିବାପରେ ପ୍ରତ୍ୟକ ଦିନ ସେଇ କ୍ୟାସେଟ୍ ବଜେଇ ଶୁଣେ। ଧୀରେ ଧୀରେ ମୋର କିଛି ଭଜନ ଲେଖିବାକୁ ଇଛା ହେଲା। ଲେଖିଲି ମଧ୍ୟ। ପ୍ରଥମ ଭଜନ ଲେଖିସାରି ମୋ ବୋଉ ଓ ଆଈଙ୍କୁ ଶୁଣେଇଲି। ସେମାନେ ଖୁସିହୋଇ ମୋର ଖୁବ୍ ପ୍ରଶଂସା କଲେ। ମୋ ବୋଉ ତ ଗାଁର ସମସ୍ତଙ୍କ ନିକଟରେ ଗାଇ ବୁଲିଲା କି ଦେଖ ମୋ ଝିଅ କେତେ ସୁନ୍ଦର ଭଜନ ନିଜ ମନରୁ ଲେଖିଛି। ଏସବୁ ଶୁଣି ଲେଖିବା ପ୍ରତି ମୋର ଆହୁରି ଆଗ୍ରହ ବଢ଼ିଲା। ତାପରେ ସେତେବେଳେ ଉପନ୍ୟାସ, ଗପ ପଢ଼ିବା ଯେମିତି ମୋର ଗୋଟେ ଅଭ୍ୟାସ ହୋଇଯାଇଥିଲା। ଯାହାଦ୍ୱାରା କି ମୁଁ ମାଟ୍ରିକ ପଢ଼ିବା ଭିତରେ ତିନି ଖଣ୍ଡ ଉପନ୍ୟାସ ଓ ପ୍ରାୟ ୨୦୦ ଭଜନ ଲେଖି ସାରିଥିଲି।

ଆପଣ ଅଧିକାଂଶ ସମୟ ସମାଜ ସେବାରେ ନିୟୋଜିତ । ତେବେ ସମାଜ ସେବା ଓ ସାହିତ୍ୟ ସେବା ମଧ୍ୟରେ କିପରି ସମନ୍ୱୟ ରଖନ୍ତି ?

ମୁଁ ଯାହା ବୁଝେ, ସାହିତ୍ୟର ଅନ୍ୟ ଦିଗଟି ହେଲା ସମାଜସେବା। ବୋଧହୁଏ ସମାଜସେବା କରିବାଦ୍ୱାରା ମୁଁ ସାହିତ୍ୟକୁ ଖୁବ୍ ନିକଟରୁ ବୁଝିଛି ଓ ଭଲପାଇଛି । ସମାଜକୁ ଛାଡି ସାହିତ୍ୟର ସ୍ଥିତି କାହିଁ ଯେ! ସାହିତ୍ୟରେ ରୂପ ନେଇଥିବା ଜୀବନ୍ୟାସ ପାଇଥିବା ସମସ୍ତ ଘଟଣା ଓ ଚରିତ୍ରମାନେ ହିଁ ତ ସମାଜରେ ଅବସ୍ଥିତ। ସମାଜସେବା ଦ୍ୱାରା ସାହିତ୍ୟ ସାଧନା କରିବାରେ ମୋତେ ଖୁବ୍ ସହଜ ମନେହୁଏ। ସମାଜରେ ମୋ ଦ୍ୱାରା ସମ୍ପାଦନ ହୋଇଥିବା ସମସ୍ତ କାର୍ଯ୍ୟକୁ ମୁଁ ଲିପିବଦ୍ଧ କରି ରଖିବାପାଇଁ ତ ସାହିତ୍ୟର ସାହାରା ନେଇଛି।

 ରଚନା ସହିତ ଅନୁଭୂତି କେତେ ମାତ୍ରାରେ ଜଡ଼ିତ ?

ଉତ୍ତର ମୁଁ ଲେଖିଥିବା ଉପନ୍ୟାସ କୁହନ୍ତୁ ଅବା ଗଳ୍ପ କିମ୍ବା କବିତା ହେଉ ସବୁଥିରେ ମୋର ଅନୁଭୂତି ଶତ ପ୍ରତିଶତ ଜଡ଼ିତ। ଏକା ମୁଁ କାହିଁକି ପ୍ରତ୍ୟକ ଲେଖକ ଲେଖିକାଙ୍କର ବୋଧହୁଏ ଏହି ମତ ରହିବ। ଅନୁଭୂତି ନଥିଲେ ସାହିତ୍ୟ କ’ଣ ଜୀବନ୍ତ ହୋଇପାରେ ? ଅନୁଭୂତିରୁ ଲେଖାଯାଇଥିବା ସାହିତ୍ୟ ଯେ ଆଖିରୁ ଲୁହ ଝରେଇ ପାରେ ଓ ଓଠରେ ଖେଳେଇ ପାରେ ଚେନାଏ ହସ । ଏକଥା କ’ଣ ଅସ୍ବୀକାର କରିହେବ !

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ତାର ସାମ୍ନା କିପରି କରିଛନ୍ତି ?

ସାହିତ୍ୟ ଏକ ସାଧନା। ସାହିତ୍ୟ କୁ ମୁଁ ମୋ ହୃଦୟରେ ଥାପନା କରି ପୂଜା କରେ। ସାହିତ୍ୟ ମୋର ଏକ ନିଶା। ସାହିତ୍ୟକୁ ବାଦ୍ ଦେଇ ମୋର ଜୀବନ ଯେ ଅସମ୍ଭବ ଏକଥା ଏବେ ମୋର ପରିବାର ଜାଣି ସାରିଲେଣି। କିନ୍ତୁ ପ୍ରଥମେ ପ୍ରଥମେ ବହୁତ୍ ବ୍ୟକ୍ତିଗତ ବାଧକ ସୃଷ୍ଟି ହୋଇଛି। ଏବେ ବି ହେଉନାହିଁ ବୋଲି କହି ହେବନାହିଁ। ଆଗକୁ ବି ହୋଇପାରେ। ମୁଁ ସେଥିପ୍ରତି ବେଶ୍ ସଜାଗ ଥାଏ। ପରିବାର ପ୍ରତି ଏବଂ ମୋର ବୃତ୍ତି ପ୍ରତି ମୁଁ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ମୋର କର୍ତ୍ତବ୍ୟ ସମ୍ପାଦନ କରିସାରିବା ପରେ ମୁଁ ମୋର ସମ୍ପୂର୍ଣ୍ଣ ନିଜସ୍ୱ ସମୟ ଟିକକ ସାହିତ୍ୟ ପ୍ରତି ବିନିଯୋଗ କରେ କାରଣ ସେଇ ସମୟ ଟିକକରେ କେବଳ ମୋର ଅଧିକାର ଥାଏ। ମୁଁ ତାକୁ ଯେମିତି ଖର୍ଚ୍ଚ କରିବି ସେଥିରେ ଅନ୍ୟ କାହାର ଆପତ୍ତି ନଥାଏ। ଏମିତିକି ମୋର ରାତିରେ ଆଠ ଘଣ୍ଟା ଶୋଇବା ସମୟ କେବେ କେବେ ଦୁଇ ତିନି ଘଣ୍ଟାରେ ସରିଯାଏ। କିନ୍ତୁ ମୋ ଭିତରେ ଥିବା ସାହିତ୍ୟ ପ୍ରତି ଶ୍ରଦ୍ଧା ଓ ସାଧନାରେ କେବେ ବାଧା ପହଞ୍ଚାଇ ନାହିଁ।

ଆପଣ ସମାଜର ସବୁଠାରୁ ଗରିବ ଓ ଶୋଷିତ ଲୋକଙ୍କ ପାଇଁ କାମ କରନ୍ତି । ଏହା ଆପଣଙ୍କ ସାହିତ୍ୟ ସୃଷ୍ଟିକୁ କେତେ ଦୂର ପ୍ରଭାବିତ କରେ ବୋଲି ଆପଣ କହିବେ ?

ସତ କହିବାକୁ ଗଲେ ସମାଜର ସେଇ ଗରିବ ଓ ଶୋଷିତ ଲୋକଙ୍କ ଭିତରୁ ହିଁ ମୁଁ ଖୋଜି ପାଇଛି ସାହିତ୍ୟ। ଯେଉଁ ସାହିତ୍ୟ ପାଠକଙ୍କ ହୃଦୟରେ ଘର କରି ରହିଛି। ଯେଉଁ ସାହିତ୍ୟ ମୋତେ ଆଜି ଓଡ଼ିଶାର ବହୁ ପାଠକଙ୍କ ନିକଟରେ ପ୍ରିୟପାତ୍ର କରି ରଖିଛି। ମୋର ସମସ୍ତ ଉପନ୍ୟାସ ଗଳ୍ପ ଓ କବିତା କେବଳ ଦଳିତ ,ଗରିବ, ଅସହାୟ ଓ ଶୋଷିତମାନଙ୍କର କଥା କହେ। ସେଇମାନଙ୍କ ଦୈନନ୍ଦିନ ଜୀବନ କାହାଣୀକୁ ନେଇ ମୋର ସାହିତ୍ୟ ଆଜି ଜୀବନ୍ତ ହୋଇଛି। ଆଜି ସହ ସହ ପାଠକ ମୋର ଲେଖା ପଢିବା ପାଇଁ ବ୍ୟାକୁଳ ହୁଅନ୍ତି। ସେଇମାନଙ୍କୁ ଛାଡ଼ି ଦେଲେ ମୋର ସାହିତ୍ୟ ସାଧନା ହୁଏତ ବ୍ୟର୍ଥ ଯାଇପାରେ।

 ଓଡ଼ିଆ ସାହିତ୍ୟରେ ନାରୀ ଲେଖିକାମାନଙ୍କର ପ୍ରଭାବ କିପରି ବୋଲି ଆପଣ ଭାବନ୍ତି ?

ଓଡ଼ିଆ ସାହିତ୍ୟରେ ପୂର୍ବରୁ ମଧ୍ୟ ନାରୀ ଲେଖିକାମାନଙ୍କର ପ୍ରଭାବ ଥିଲା ଏବେ ମଧ୍ୟ ବହୁ ମାତ୍ରାରେ ପ୍ରଭାବ ରହିଛି। ବର୍ତ୍ତମାନ ଆମ ସମାଜରେ ପୁରୁଷ ଲେଖକମାନଙ୍କ ତୁଳନାରେ ନାରୀ ଲେଖିକାମାନେ ବେଶ୍ ଆଗ ଧାଡ଼ିରେ ସାମିଲ ଅଛନ୍ତି। ସୁନ୍ଦର ସୁନ୍ଦର ଲେଖୁଛନ୍ତି ମଧ୍ୟ। କେବଳ ଲେଖୁଛନ୍ତି ନୁହେଁ ଶ୍ରେଷ୍ଠ ଲେଖା ଲେଖିକି ବେଶ୍ ଚର୍ଚ୍ଚାରେ ଅଛନ୍ତି ମଧ୍ୟ। ଏବେ ତ ସାହିତ୍ୟ କାର୍ଯ୍ୟକ୍ରମରେ ଛୋଟ ଛୋଟ ଝିଅମାନେ କବିତା ପାଠରେ ଭାଗ ନେବାର ଦେଖିବାକୁ ମିଳୁଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?

ସାହିତ୍ୟ ସବୁବେଳେ ସମାଜର ହିତ ସାଧନ କରେ। ଶାନ୍ତି ମୈତ୍ରୀ ଓ ପ୍ରୀତିର ବାର୍ତ୍ତା ବାହକ ସାଜେ। ବେଳେବେଳେ ଅସାଧ୍ୟକୁ ମଧ୍ୟ ସାହିତ୍ୟ ସାଧନ କରିପାରେ। ବର୍ତ୍ତମାନ ସମାଜରେ ସାହିତ୍ୟରେ ହିଂସା, ଦ୍ଵେଷ, ପରଶ୍ରୀକାତରତା ଓ ରାଜନୀତି ବେଶୀ ପ୍ରଭାବ ପକାଇଛି। ଲେଖକ ଅପେକ୍ଷା ପାଠକଙ୍କ ସଂଖ୍ୟା କମି କମି ଯାଉଛି। ଆମର ଆଗାମୀ ପୀଢ଼ିରେ ଅଧିକ ପାଠକ ସୃଷ୍ଟି ହୁଅନ୍ତୁ ଯାହାଦ୍ୱାରା ଲେଖାଟିକୁ ପଢିଲେ ଲେଖକଙ୍କ ଶ୍ରମ ସାର୍ଥକ ହେବ ଏବଂ ଆମ ମାତୃଭାଷାର ସାହିତ୍ୟ ମାଧ୍ୟମରେ ହିଁ ତ ପ୍ରଚାର ଓ ପ୍ରସାର ଘଟିବ।। ସାହିତ୍ୟକୁ ରାଜନୀତି କରଣ କିମ୍ବା ବ୍ୟବସାୟୀ କରଣ ନକରି ସମୃଦ୍ଧିର ବାର୍ତ୍ତାବହ କରାଯାଉ। ସାହିତ୍ୟକୁ ନେଇ ଦେଶ ଦେଶ ମଧ୍ୟରେ ଶାନ୍ତି ମୈତ୍ରୀ ସ୍ଥାପନ ହେଉ ଏତିକି ତ କାମନା।

 ଉପନ୍ୟାସଟିଏ ଲେଖିଲା ବେଳେ ଆପଣ କି ପ୍ରକାର ପ୍ରସ୍ତୁତି କରିଥାନ୍ତି ?

ଗପଟିଏ କିମ୍ବା କବିତାଟିଏ ଲେଖିବା ଖୁବ୍ ସହଜ। କିନ୍ତୁ ଉପନ୍ୟାସଟିଏ ଲେଖିବା କଷ୍ଟ ସାଧ୍ୟ ବ୍ୟାପାର। ଉପନ୍ୟାସଟିଏ ଲେଖିବା ପୂର୍ବରୁ ବହୁତ ଭାବିବାକୁ ହୁଏ। ସେଥିପାଇଁ କେତୋଟି ଚରିତ୍ର ଓ କେତୋଟି ପରିବାରକୁ ନିଆଯାଏ। କେଉଁ ଚରିତ୍ରକୁ କିପରି ରୂପ ଦେଲେ ତାହା ସମ୍ପୂର୍ଣ୍ଣ ଘଟଣା ସହିତ ଖାପ ଖାଇବ ଏସବୁ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ହୁଏ। ଚରିତ୍ର ଅନୁଯାୟୀ ନାମକରଣ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ। ବହିଟି ଲେଖିବା ପୂର୍ବରୁ ବହୁବାର ଭାବିବାକୁ ହୋଇଥାଏ କିପରି କେଉଁଠାରୁ ଆରମ୍ଭ କରାଯିବ। କେତେବେଳେ କେଉଁ ପରିସ୍ଥିତିରେ ଶେଷ ହେଲେ ବହିଟି ପାଠକୀୟ ସ୍ୱୀକୃତି ଲାଭ କରିବ। ସାମ୍ପ୍ରତିକ ଘଟଣାକୁ ନେଇ ଲେଖିଲାବେଳେ ପ୍ରତ୍ୟକ ଶବ୍ଦ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହପଡ଼ିଥାଏ ନଚେତ୍ ପାଠକଙ୍କ ନିକଟରୁ ନାସ୍ତି ବାଚକ ମତାମତ ଶୁଣିବାକୁ ମିଳିଥାଏ। କାରଣ ମୋର ପ୍ରତ୍ୟକଟି ଉପନ୍ୟାସ ସତ୍ୟ ଘଟଣା ଉପରେ ଆଧାରିତ। ସତ୍ୟକୁ ସବୁବେଳେ ସହଜରେ ଗ୍ରହଣ କରି ହୁଏନାହିଁ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ହଁ,  ନିଶ୍ଚିତ ଭାବରେ । କାରଣ ମୋର ପ୍ରତ୍ୟକଟି ସୃଷ୍ଟି ମୋର ଇପ୍ସିତ। ମୁଁ ପ୍ରତ୍ୟକ କାହାଣୀକୁ ଖୁବ୍ ଭଲପାଏ। ସେଇ କାହାଣୀ ଭିତରେ କେତେବେଳେ ନିଜକୁ ହଜେଇ ଦେଇଥାଏ ତ ପୁଣି କେତେବେଳେ ଖୋଜି ହେଉଥାଏ। ପ୍ରତ୍ୟକ କାହାଣୀ କୁ ମୁଁ ଖୁବ୍ ପାଖରୁ ଦେଖିଛି, ସେଇ କାହାଣୀର ଚରିତ୍ରମାନଙ୍କ ସହିତ ମିଶିଛି, ଲଢ଼ିଛି, ଆଉ ଜୀବନକୁ ଯୁଝିଛି ମଧ୍ୟ। ମୋର ସବୁଠାରୁ ପ୍ରିୟ ଉପନ୍ୟାସ (ଭଙ୍ଗାସିଲଟ ) ( ନିଷିଦ୍ଧଅଭିସାର) ଯାହାକୁ ଫେସବୁକରେ ଏଗାରସହ ପାଠକ ପଢିଥିଲେ ଏବଂ ଖୁବ୍ ପାଠକୀୟ ଅଦୃତିଲାଭ କରିପାରିଛି। ମୋର ପିଲାଦିନର ଆଖି ଦେଖିଥିବା ଓ ଅଙ୍ଗେ ଲିଭେଇଥିବା ଘଟଣା। ଗୋଟିଏ ବାଲ୍ଯବିଧବାକୁ ନେଇ ରଚିତ ତ ଅନ୍ଯଟି ଜାତିପ୍ରଥାକୁ ନେଇ ଏକ ବଳିଷ୍ଠ କାହାଣୀ ଯାହା ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛି ବୋଲି ମୋର ବିଶ୍ୱାସ ।

ନୂଆ ଲେଖକମାନଙ୍କୁ କି ବାର୍ତ୍ତା ଦେବେ ?

ଉତ୍ତର : ଯେଉଁମାନେ ନୂଆ ନୂଆ ସାହିତ୍ୟ ସାଧନ କରୁଛନ୍ତି ସେମାନଙ୍କୁ ସ୍ୱାଗତ କରୁଛି ଓ ଉତ୍ସାହିତ ମଧ୍ୟ କରୁଛି ଏପରି ସାହିତ୍ୟ ଲେଖନ୍ତୁ ଯେଉଁଥିରେ ମଣିଷର କଥାଥିବ। ଯେଉଁ ସାହିତ୍ୟରେ ପାଶ୍ଚାତ୍ୟ ସଭ୍ୟତାର ଲେସ ମାତ୍ର ସ୍ଥାନ ପାଇବନାହିଁ। ଯେଉଁ ସାହିତ୍ୟରେ ଆମ ମାତୃଭାଷାର ବିକାଶ ହେବା ସହିତ ଦେଶର ଜାତିର ମଧ୍ୟ ବିକାଶ ହେଉଥିବ। ଯେଉଁ ସାହିତ୍ୟକୁ ପଢି ଆଗାମି ପୀଢ଼ି ଆମ ଭାଷାର ମର୍ଯ୍ୟାଦା ରକ୍ଷା କରିବ।

Leave A Reply

Your email address will not be published.