ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୮
ମୃତ୍ୟୁକୁ ବାଦ ଦେଇ ଦେଖିଲେ ତାଙ୍କର ଏହା ପରାଜୟ ହିସାବରେ ଅନ୍ତିମ ପାର୍ଥିବ ପରାଜୟ। ଏହା ପୂର୍ବରୁ ତାଙ୍କ ନାଆଁରେ ଅନ୍ତତଃ ତିନିଶହରୁ ଅଧିକ ବିଜୟର ଗୌରବ ନଥିଭୂକ୍ତ ହୋଇ ରହିଥିଲା । କୁସ୍ତି ପ୍ରତିଯୋଗିତାରେ ସେ ଉପସ୍ଥିତ ଅଛନ୍ତି ମାନେ ତାଙ୍କର ପ୍ରତିପକ୍ଷର ସମର୍ଥକମାନେ ଭଲ ଭାବରେ ଜାଣନ୍ତି ଯେ ,ଏଥର ତାଙ୍କ ସମର୍ଥନ ଯାହା ପାଇଁ ରହିଛି ତାହାର ଜିତିବାର ସମ୍ଭାବନା ଅବଶ୍ୟ ନାହିଁ, କାରଣ ଫୁଲକାରେ ଅଛନ୍ତି ସେ ।
ସେ ହେଉଛନ୍ତି ଆବେ ।
ସମସ୍ତଙ୍କର ପ୍ରିୟ କୁସ୍ତିଗୀର ସେ। କୁସ୍ତିରାଜ୍ୟର ଅବିବାଦିତ ସମ୍ରାଟ। ବାର ବର୍ଷ ଭଳି ଦୀର୍ଘକାଳ ଅପରାଜେୟ ରହିବା ଏମିତିରେ କିଛି କମ୍ କଥା ନୁହଁ ।
ମଣିଷ ଜାତିର ଇତିହାସ ଚିରକାଳ ଆବେଙ୍କୁ ସ୍ମରଣ କରିବ । ଏହା ନିରାଟ ସତ ; ମାତ୍ର କାଳର ଏହି ସ୍ମରଣ ଲିପିରେ କଦାପି କେଉଁଠି ସେ ଏକଦା ଜଣେ ପ୍ରସିଦ୍ଧ କୁସ୍ତିଗୀର ଥିଲେ ଏହି ଭଳି ସେମିତି ଉଲ୍ଲେଖ ରହିବ ନାହିଁ । ଯଦିଓ ନିଜ ଦେଶର ଏକ ପ୍ରସିଦ୍ଧ କୁସ୍ତି-ସ୍ମୃତିଗାରରେ ଆବେଙ୍କର ସସମ୍ମାନ ଉଲ୍ଲେଖ ରହିଅଛି ।
୨୨ ଏପ୍ରିଲ୍ ୧୮୩୨ । ସେଦିନ ଆବେ ପରାଜିତ ହୋଇଥିଲେ ।
ନାୟକର ପରାଜୟ ନଥାଏ ମାତ୍ର ଜଣେ ଯେତେବେଳେ ନାୟକ ହୋଇଯାଏ ବା ନାୟକ ପାଲଟିଯାଏ ସେତେବେଳେ ତାହାର ଅତୀତର ପରାଜୟର ଘଟଣାମାନଙ୍କୁ ଟିକିନିଖି କରି ଦେଖାଯାଏ । ଦେଖାଯାଏ ଏଇଥି ପାଇଁ ଯେ ଅତୀତର ପରାଜୟ ଭିତରୁ ଆମେ ହୁଏତ ଦୁଇଟି କଥା ଦେଖିବା ପାଇଁ ବିଶେଷରେ ଆଗ୍ରହ ପ୍ରକାଶ କରିଥାଉ । ପ୍ରଥମରେ ଜଣେ ନାୟକର ଅତୀତର ପରାଜୟକୁ ଦେଖିବା ବେଳେ ଆମେ ତାହା ଭିତରୁ ଏଇଭଳି ଗୋଟିଏ ଗୋଟିଏ ସାଧାରଣପଣକୁ ଖୋଜିବାରେ ଆଗ୍ରହୀ ଥାଉ ଯାହା ଆମକୁ ବସ୍ତୁତଃ ଏମିତି ଅବବୋଧ ଗୋଟିଏ ଦେଇଥାଏ ଯେ ସମସ୍ତେ ପରାଜୟଭୋଗୀ ତେଣୁ ସମସ୍ତେ ସାଧାରଣ ମଣିଷ ଏବଂ ପରାଜୟର ପ୍ରତିବନ୍ଧକ ସଭିଙ୍କ ଆଗରେ ରହିଅଛି ଆଉ ଏହି ପ୍ରତିବନ୍ଧକକୁ ଅତିକ୍ରମ କରିପାରିଲେ ଆମେ ହୁଏତ କେବେ ନାୟକ ପାଲଟି ଯିବା ସମ୍ଭବ ।
ପରାଜୟ ଆମକୁ ଦେଇଥାଏ ନାୟକ ହେବାର ସ୍ୱପ୍ନ ଆଉ ସେଇଥିପାଇଁ କୌଣସି ନାୟକର ପରାଜୟ ଆମର ମନଗହୀରରେ ସବୁବେଳେ ପ୍ରିୟ ।
ଆବେ ଏବଂ ତାଙ୍କର ବନ୍ଧୁମାନେ “ବ୍ଲାକ ହକ ଯୁଦ୍ଧ” ରେ ସ୍ୱଚ୍ଛାସେବୀ ସୈନିକ ଦଳ ହିସାବରେ ଯୋଗ ଦେଇଥିଲେ । ସେତେବେଳକୁ ତାଙ୍କର ବୟସ ମାତ୍ର ୨୩ ବର୍ଷ । ସେଇଠି ସେଇ ସ୍ୱେଚ୍ଛାସେବୀ ସୈନିକ ଦଳ ଭିତରେ କୌଣସି ଏକ ବିଶେଷ କାମକୁ କିଏ ସମ୍ପାଦନ କରିବ ତାହାକୁ ନେଇ ଆବେଙ୍କ ବନ୍ଧୁ ଦଳ ଅନ୍ୟସ୍ଥାନରୁ ଆସିଥିବା ଆଉ ଗୋଟିଏ ଦଳ ଭିତରେ ଦ୍ୱନ୍ଦ୍ୱ ଘଟିଥିଲା । ଏହି ଦ୍ୱନ୍ଦ୍ୱର ସମାଧାନ ଲାଗି ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ ଯେ କୁସ୍ତି ଲଢାଯିବ । ଯେଉଁ ଦଳର ତରଫରୁ ଲଢୁଥିବା କୁସ୍ତିଗୀର ଜଣକ ହେଉଛନ୍ତି ବିଗତ ବାରବର୍ଷର ଚାମ୍ପିଆନ ଆବେ ସେହି ଦଳର ସ୍ୱାଭାବିକ ଉଲ୍ଲାସକୁ ସହଜରେ ବୁଝାଯାଇ ପାରିବ । ଆବେଙ୍କ ବିପକ୍ଷରେ ଯିଏ ଆର ଦଳରୁ କୁସ୍ତି ଲଢିବା ପାଇଁ ଆଗେଇଆସିଥିଲେ ସେ ବି ଜଣେ କୁସ୍ତିଗୀର । କୁସ୍ତି ଭଲଭାବରେ ଲଢନ୍ତି । କିଛି ବିଜୟ କିଛି ପରାଜୟ ତାଙ୍କର ଅନୁଭବରେ ରହିଥିଲା । ତାଙ୍କୁ ଜଣେ ଚିନ୍ତାଶୀଳ-କୁସ୍ତିବିତ୍ ବୋଲି କୁହାଯାଏ । ତାଙ୍କର ନାଆଁ ଲୋରେଞ୍ଜୋ ଦାଓ ଥମ୍ପସନ୍ । ଉଚ୍ଚତାରେ ସେ ଆବେଙ୍କଠାରୁ ଛୋଟ । ଥମ୍ପସନଙ୍କ ଉଚ୍ଚତା ୫ ଫୁଟ ୮ ଇଞ୍ଚ ଥିବାବେଳେ ଆବେ କିନ୍ତୁ ବେଶ୍ ଦୀର୍ଘାଙ୍ଗୀ, ଉଚ୍ଚତାରେ ସେ ୬ ଫୁଟ ୪ ଇଞ୍ଚ ।
୨୨ ଏପ୍ରିଲ ୧୮୩୨ ର ସେହି କୁସ୍ତିଯୁଦ୍ଧରେ ନିହାତି ଅସ୍ୱାଭାବିକ ଭାବରେ ମାତ୍ର ଦୁଇଟି ଚାଲରେ ଚିତକାତ ହୋଇ ଭୂଇଁରେ ପଡିଗଲେ ଆବେ । ଭୂଇଁରୁ ଉଠିବା ପରେ ସେ ନିଜ ବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ପରିଷ୍କାର ଇଂରେଜୀରେ ନିଜର ପ୍ରଥମ ତଥା ଅନ୍ତିମ ପରାଜୟର ଘୋଷଣା କରିବାକୁ ଯାଇ କହିଉଠିଥିଲେ, ବୟେଜ୍, ଗିଭ୍ ଅପ୍ ୟୋର୍ ବେଟ୍ ।
ନାୟକ ସବୁବେଳେ ନାୟକ । ପରାଜୟରେ ବି । ଆଉ କୌଣସି ନାୟକର ପରାଜୟର କାରଣ ମାନ ଯେମିତି ନାୟକକୁ ଆମର ସ୍ମରଣକୁ ଆଣିଥାନ୍ତି ସେଇଭଳି ଗୋଟିଏ ସ୍ମାରକୀ ହୋଇ ରହିଗଲେ, ସେଦିନର ସେଇ ଐତିହାସିକ କୁସ୍ତି ମୁକାବିଲାର ବିଜୟୀ ଲୋରେଞ୍ଜୋ ଦାଓ ଥମ୍ପସନ ।
ନାୟକ ସବୁବେଳେ ନାୟକ।ପରାଜୟରେ ବି । ସେଦିନର ସେହି ପରାଜୟ ପରେ ଆବେ ସ୍ଥିର କଲେ ସେ ନିଜର ଜୀବନରେ ଆଉ କେବେ କୁସ୍ତି ଲଢିବେ ନାହିଁ । ଠିକ୍ ସେଇ ଦିନ ପରଠାରୁ ସେ ଜନସେବା ତଥା ରାଜନୀତି କରିବାକୁ ଆଗେଇ ଆସିଥିଲେ ।
ଆବେ ଏବେ ଜଣେ ଇତିହାସ ପ୍ରସିଦ୍ଧ ଜନନେତା । ରାଜନୀତିକୁ ଆସିବାପରେ ଦେଖାଗଲା ଯେ ସେ ନିଜର ଚିକ୍କଣ ମୁହଁରେ ଏକ ବିଶେଷ ଷ୍ଟାଇଲର ଦାଢୀ ରଖୁଛନ୍ତି । ଏଇ ଷ୍ଟାଇଲର ଦାଢୀକୁ ସାଧାରଣ ରେ “ଗୋଏଟି” ବୋଲି କୁହାଯାଏ ,ଆମେରିକୀୟ ମାନେ ଶ୍ରଦ୍ଧାର ସହ ଏହାକୁ କହିଥାନ୍ତି, “ରିଥ୍ ବିଅର୍ଡ”।
୨୨ ଏପ୍ରିଲ୍ ୧୮୩୨ ର ସେହି ନିହାତି ଅସ୍ୱାଭାବିକ ପରାଜୟର ଦାସତ୍ୱରୁ ମୁକ୍ତି ପାଇ ନଥିବା ଆବେ କିନ୍ତୁ ଜଣେ ମାନବତାବାଦୀ ଜନନେତା ହିସାବରେ ମାନବ ଜାତିର ଇତିହାସରୁ ଦାସପ୍ରଥାର ଚିରକାଳ ବିଲୋପ ସାଧନ କରିଛନ୍ତି ।
ଏଇ କଥାକୁ ଆଉ ଏହାପରେ ବୁଝାଇ କହିବାର ଆବଶ୍ୟକ ପଡିବ ନାହିଁ ଯେ ଆବେ ହେଉଛନ୍ତି ଆମେରିକାର ପ୍ରଖ୍ୟାତ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ ।
Comments are closed.