ଅନୁବାଦ କବିତା : ତ୍ରିଭୁଜ
ଆଧୁନିକ ବଙ୍ଗଳା କାବ୍ୟ କବିତା ଜଗତରେ ଜୟ ଗୋସ୍ବାମୀ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । କୋଲକାତାରେ ୧୯୫୪ ରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପାଞ୍ଚ ବର୍ଷ ବୟସରେ ରାନାଘାଟରେ ବସବାସ ଓ ସେଇଠି ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେ ପାଠ ପଢ଼ି ଥିଲେ। ତାଙ୍କ ରଚିତ କବି ଏବଂ ବାରଟି କବିତା ପୁସ୍ତକ ପ୍ରକାଶିତ। ଅଳ୍ପ କେତୋଟି ଉପନ୍ୟାସର ମଧ୍ୟ ସେ ଲେଖିଛନ୍ତି। ଆନନ୍ଦ ପୁରସ୍କାର, ପଶ୍ଚିମ ବଙ୍ଗ ସାହିତ୍ୟ ଏକାଡେମୀ ପୁରସ୍କାର ,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ମୂର୍ତ୍ତିଦେବୀ ପୁରସ୍କାରରେ ସେ ସମ୍ମାନିତ।
ମୂଳ ରଚନା : ଜୟ ଗୋସ୍ୱାମୀ
ମରିବା ପୁର୍ବରୁ ତୁମେ ଆଉଥରେ
ମୋର ରକ୍ତ ପିଅ।
କୋକିଶିଆଳିର ସେଇ ପଞ୍ଝା ଦୁଇଟି
ମୋ ଛାତି ଉପରେ ରଖି , ନାକଟାକୁ
ମୋ ପଞ୍ଜରା ହାଡ଼ ମଝିରେ ପୁରାଇ ଦେଇ
ରକ୍ତ ଟାଣିବାର ସେଇ ସଁ ସଁ ଚଁ ଚଁ ଶବ୍ଦ
ଏତେ ବର୍ଷ ପରେ ବି ମୁଁ ଭୁଲି ପାରିନାହିଁ।
କିନ୍ତୁ, ସେତେବେଳେ ବୟସ କମ ଥିଲା
ଜହ୍ନ ବି ଛୋଟ ଫାଳିକାଏ ଥିଲା
ତେଣୁ ଅଳ୍ପରେ ହିଁ ମୁଁ ଚେତା ହରାଇଥିଲି।
ମୋର ମୃତ ଦେହଟାକୁ ଖୋଜି
ବାହାର କରିଥିଲା ଅନ୍ୟ ଏକ ଝିଅ।
ସେ ସମୁଦ୍ର କୂଳକୁ ଟାଣି ଆଣି
ମନ୍ତ୍ରପୂତ ପାଣି ଛିଞ୍ଚି
ଫେରାଇ ଆଣିଥିଲା ମୋର ଜୀବନ।
ଆଉ ଚେତା ଫେରି ଆସିବା ମାତ୍ରେ
ପ୍ରତିଶୋଧ ନେବାର କାମନାରେ ଡେଇଁ ପଡ଼ି
ମୁଁ ତାରି ରକ୍ତ ପିଇବାକୁ ଆରମ୍ଭ କରିଥିଲି।
କିନ୍ତୁ ସେ ଥିଲା ବରଫର ଦେବୀ
ତା ଶରୀରରୁ ଅଳ୍ପଟିକେ ଶୀତ ଛଡ଼ା
ଆଉ କିଛି ବି ମୁଁ ଖାଇ ପାରିଲିନି
ସେ ହତାଶ ହୋଇ ମତେ ଛାଡି ଚାଲିଗଲା
ଏବଂ ତୁଷାର ପ୍ରତିମାଙ୍କର ରକ୍ତ ପିଇବାର ପାପ କରି
ମୁଁ ସେବେଠାରୁ ସ୍ତୁପ ସ୍ତୁପ ବରଫ ତଳେ
ଚାପି ହୋଇ ପଡ଼ିଛି।
ମତେ କେହି ଖୋଜି ପାଇନାହିଁ।
ଆଖି,ଓଠ, ଆଙ୍ଗୁଳି ଏପରିକି ଯେଉଁ ପଞ୍ଜରାଟା ତୁମେ ଚୋବାଇଥିଲ
ସବୁ ବରଫ ତଳେ କ୍ଷୟ ପ୍ରାୟ।
ତଥାପି ତା ହୃତପିଣ୍ଡଟା ଏବେବି ଡେଉଁଛି।
ଏତେ ହଜାର ବର୍ଷ ଚାପା ପଡ଼ି ମଧ୍ୟ
ସେ ମରିବାକୁ ଚାହୁଁନାହିଁ
ସେ ଚାହୁଁଛି
ମଲା ପୁର୍ବରୁ ତୁମେ ଥରେ ତାର ରକ୍ତପିଅ,
ତା’ହେଲେ ହୁଏତ ସେଇ ତୁଷାର କନ୍ୟାଟି
ତାକୁ ଆଉଥରେ ଜୀବନ୍ୟାସ ଦେଇ ପାରିବ
ଅନୁବାଦ : ମନୋରଞ୍ଜନ ହୋତା
Comments are closed.