Latest Odisha News

BREAKING NEWS

ମାନ୍ଦାବସ୍ଥା ପରେ ବି ସ୍ମାର୍ଟ ସିଟି ପ୍ରକଳ୍ପ ଠିକ୍ ସମୟରେ ଶେଷ ହେବ, ତାଲିକାରେ ରହିଛି ଭୁବନେଶ୍ୱର

ନୂଆଦିଲ୍ଲୀ: ଦେଶର ୭ ସହର ପ୍ରଥମ ସ୍ମାର୍ଟ ସିଟି ଭାବେ ଘୋଷଣା କରାଯିବ। ଏହି ସହର ମଧ୍ୟରେ ଭୁବନେଶ୍ୱର ରହିଛି । ଏହାବାଦ ଭୋପାଳ, ସୁରତ, ଉଦୟପୁର, ଅହମ୍ମଦାବାଦ, ବାରଣାସୀ ଓ ଇନ୍ଦୋର ରହିଛି। ଏହି ପ୍ରକଳ୍ପ ପାଇଁ ୭ ବର୍ଷ ଧାର୍ଯ୍ୟ ହୋଇଥିଲା। ଯାହାର କାମ ଶେଷ ହେବାକୁ ଯାଉଛି।

ସ୍ମାର୍ଟ ସିଟି ଏଭଳି ଏକ ସହର ,ଯେଉଁଠି ସମସ୍ତ ମୌଳିକ ଭିତ୍ତିଭୂମି ରହିବ । ଏହାଦ୍ୱାରା ସବୁକିଛି ହାତ ପାହାନ୍ତାରେ ମିଳିଯିବ । ଏହା ସହ ଏକ ସୁସ୍ଥ ଓ ସୁନ୍ଦର ବାତାବରଣ ମଧ୍ୟରେ ବଞ୍ଚିବାକୁ ଲୋକେ ସୁଯୋଗ ପାଇବେ । ସ୍ମାର୍ଟ ରଣନୀତି ଦ୍ୱାରା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିବ। ଏଭଳି ସୁବିଧା ସୁଯୋଗ ଦେବାକୁ ଲକ୍ଷ୍ୟ ରଖି କେନ୍ଦ୍ରର ମୋଦୀ ସରକାର ୨୦୧୫ରେ ସ୍ମାର୍ଟ ସିଟିର ପରିକଳ୍ପନା କରିଥିଲେ। ଏହା ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ଅଧିନରେ ପରିକଳ୍ପନା କରାଯାଇଥିଲା ।

ଏବେ ଏହି ସ୍ମାର୍ଟ ସିଟି ମିଶନ ଶେଷ ବର୍ଷରେ ପହଞ୍ଚିଛି। ଏହି ମିଶନର ଅବଧି ୨୦୨୩ ଜୁନରେ ଶେଷ ହେବ। ୧୦୦ଟି ସହର ମଧ୍ୟରୁ ୭ଟି ସହରର ଅଧିକାଂଶ ପ୍ରକଳ୍ପ ଶେଷ ହୋଇଛି। ଭୋପାଳରେ ୯୨%, ସୁରତରେ ୮୨.୪୪%, ଉଦୟପୁରରେ ୭୮%, ଭୁବନେଶ୍ୱରରେ ୭୬%, ଇନ୍ଦୋର, ବାରଣାସୀ ଓ ଅହମ୍ମଦାବାଦରେ ୭୦% ପ୍ରକଳ୍ପ ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ସହର ଗୁଡିକରେ ଅବଶିଷ୍ଟ କାମ ଶେଷ ହେବ ବୋଲି ଆଶା କରାଯାଉଛି। ସର୍ବାଧିକ ପ୍ରକଳ୍ପ ସମ୍ପନ୍ନ ହୋଇଥିବା ୭ଟି ସହର ମଧ୍ୟରୁ ୫ଟି ମଧ୍ୟପ୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନରେ ରହିଛି। ଅର୍ଥାତ୍ ଓଡିଶାରେ ଯେଉଁଭଳି କାମ ଆଗେଇବା କଥା ତାହା ଆଗେଇପାରୁ ନାହିଁ ।

ସ୍ମାର୍ଟ ସିଟି ମିଶନ ନିର୍ଦ୍ଦେଶକ କୁନାଲ କୁମାର ଇକୋନମିକ୍ସ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସ୍ମାର୍ଟ ସିଟି ମିଶନର ଅନ୍ତିମ ବର୍ଷରେ ବାକି ଥିବା କାମ ଶେଷ କରିବାକୁ ଯାଇ ୪୦ଟି ସହର ଉପରେ ଧ୍ୟାନ ଦିଆଯାଉଛି । ଏଥିପାଇଁ ଆମେ ପ୍ରତିମାସରେ କାମର ଅଗ୍ରହତି ଉପରେ ତଦାରଖ ହେଉଛି। ପ୍ରକଳ୍ପର କାର୍ୟ୍ୟକାରିତା ଆରମ୍ଭ କରିବା ପାଇଁ ଆମେ ଏକ ସମୟ ସୀମା ଅନୁସରଣ କରିଛୁ। ଯେଉଁଥିପାଇଁ ମାର୍ଚ୍ଚ ୨୦୨୨ ସୁଦ୍ଧା ଆମେ ପ୍ରାୟ ପ୍ରକଳ୍ପ ପାଇଁ କାମ ଶେଷ କରି ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛୁ।

ଉଲ୍ଲେଖଯୋଗ୍ୟ, ଦେଶରେ କୋଭିଡ ପାଇଁ ଦୁଇ ବର୍ଷ ମାନ୍ଦାବସ୍ଥା ଜାରି ରହିଛି । ଏପରି ସ୍ଥିତିରେ ଏହି ପ୍ରକଳ୍ପ ଶେଷ ହେବାକୁ ଅଧିକ ଦିନ ଲାଗିବ ବୋଲି କୁହାଯାଉଥିଲା। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ଏହି କାମ ଶେଷ ହେବାକୁ ଯାଉଛି।

Leave A Reply

Your email address will not be published.