Latest Odisha News

BREAKING NEWS

ବାତ୍ୟା ଆସିପାରେ କିନ୍ତୁ ବନ୍ୟା ହେବନି, ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଠୁଳ ନକରିବାକୁ ନିବେଦନ

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ । ହେଲେ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ସୂଚନା ମିଳିନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଏହା କହିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର 17 ଟି ଏନଡିଆରଏଫ ଟିମ୍, 20ଟି ଓଡ୍ରାଫ ଟିମ୍ ଏବଂ 175ଟି ଅଗ୍ନିଶମ ବାହିନୀକୁ ସଜାଗ ରଖିଛନ୍ତି । ତେବେ ଏହି ଘୂର୍ଣ୍ଣିବଳୟର ପ୍ରଭାବ ଓଡିଶା ଉପକୂଳରେ ପଡ଼ିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପ୍ରଦୀପ ଜେନା କହିଛନ୍ତି, “ଯଦି ବାତ୍ୟା ଓଡ଼ିଶା ଆଡକୁ ମୁହାଁଇବ ତେବେ ସରକାର ଏହାର ସାମ୍ନା କରିବାକୁ ପ୍ରସ୍ତୁତ। ହେଲେ ଦୁଇ ଦିନ ହେବ ଯେଉଁ ବର୍ଷା ଏବଂ ବଜ୍ରପାତ ଦେଖିବାକୁ ମିଳିଛି ତାହା ବାତ୍ୟାର ପ୍ରଭାବ ନୁହେଁ ବରଂ ଏହା କାଳବୈଶାଖୀର ପ୍ରଭାବ।

ସେହିପରି ସାଧାରଣ ଲୋକଙ୍କୁ ନିବେଦନ କରି ସେ କହିଛନ୍ତି, ମେ ମାସରେ ବାତ୍ୟା ଆସିଲେ ବି ବନ୍ୟା ହେବାର ସମ୍ବାବନା ବହୁତ କମ୍ । କାରଣ ବାତ୍ୟା ଆସିଲେ ଏହା ଗ୍ରୀଷ୍ମକାଳୀନ ବାତ୍ୟା ରହିବ । ତେଣୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀକୁ ଠୁଳ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଯଦି କୌଣସି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀ ଦର କୃତ୍ରିମ ଅଭାବ ସୃଷ୍ଟି କରି ଚଢା ଦରରେ ବିକ୍ରି କରୁଥିବେ ତାହେଲେ ସଂପୃକ୍ତ ବିଭାଗ ଚଢାଉ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସେହିପରି ଗଣମାଧ୍ୟମକୁ ଏ ସଂପର୍କିତ ଖବର ପ୍ରସାରଣ କରିବା ବେଳେ ଲୋକଙ୍କୁ ଭୟଭୀତ ନକରାଇ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରି ଖବର ପ୍ରସାରଣ କରିବାକୁ ନିବେଦନ କରିଛନ୍ତି ଏସଆରସି।

Comments are closed.