Latest Odisha News

ଶିଶୁ କବିତା : ଗୁଡ଼ିଆଣୀ ଅପା ଲଡ଼ୁ

ସଚ୍ଚିଦାନନ୍ଦ କର 

ଗୁଡ଼ିଆଣୀ ଅପା ଗୁଡ଼ିଆଣୀ ଅପା
ଭଲ ଦୋକାନଟି ତୋର
ସଜେଇ ରଖିଛୁ ଲଡୁ ସବୁ ଦେଖି
ଲାଖିଯାଏ ଆଖି ମୋର ।।

ବାପା ଅଜା ମାମୁଁ ପୀଉସୀ ମାଉସୀ
ମୋ ପାଇଁ ଆଣନ୍ତି କେତେ
ଗୋଟି ଗୋଟି ଧରି ଖୁସିରେ ଖାଏ ମୁଁ
ମନ ମୋର ଚାହେଁ ଯେତେ ।।

ଆହା କେଡ଼େ ମିଠା ଭଲଲାଗେ ଭାରି
ସୁଆଦିଆଟି ତ ସେଇ
ଆଶା ଥାଏ ମୋର ଗଣ୍ଡାଏ ଦି’ଗଣ୍ଡା
ଖାଏ ଏକା ବେଳେ ନେଇ ।।

ଦେବୁକି ଦୁଇଟା ଖାଇବା ପାଇଁକି
ବଳିଲାଣି ମନ ମୋର
ଶୁଖିଲା ପାଟିରୁ ଗଡିଲାଣି ଲାଳ
ଦେଖି ଦୋକାନରେ ତୋର ।।

କଥା ମୋର ଶୁଣି ଗୁଡ଼ିଆଣୀ ଅପା
ଚାହିଁଲା ମୋ ଆଡ଼େ ଧୀରେ
କହିଲା ତୁ କିଆଁ ଯିବୁ ନାହିଁ ସ୍କୁଲ
ବେଳ ହୋଇନାହିଁ କିରେ ।।

ତୋ ପାଇଁ ସେସବୁ କରିନି ତିଆରି
ଜାଣିଥା’ରେ ବାବୁ ତୁହି
ଛୋଟ ପିଲାଟା ତୁ ଭଲ ନୁହେଁ ତେଣୁ
ମାଗିଲେ ଦେବିନି ମୁହିଁ ।।

ହଉ ହେଲା ମୋତେ ନ ଦେଲୁ ନାହିଁ ତୁ
ଜାଣିଗଲି ଇଚ୍ଛା ତୋର
ଥାଆ ତୁ ଯାଏ ମୁଁ ମୋ ବାଟରେ ବେଳ
ଉଛୁର ହେଲାଣି ମୋର ।।

କହିଦେଲି ସିନା ହେଲେ ହେଲି ଦୁଃଖୀ
ବୁଲାଇ ଆଣିଲି ମୁହଁ
ବାଟସାରା ଖାଲି ଭାବିହେଲି ସତେ
ମୋ ପାଇଁ ତାହା କି ନୁହଁ ।।

” ନିର୍ମାଲ୍ୟ “
ନୂଆପଡା, ନୟାବଜାର, କଟକ – ୦୪
ମୋ . – ୯୮୬୧୨୧୧୦୫୧

Leave A Reply

Your email address will not be published.