Latest Odisha News

BREAKING NEWS

ନବମ ପରୀକ୍ଷାରେ ବିଦ୍ୟାର୍ଥୀ ଅନୁପସ୍ଥିତ ରହିବା ପଛର କାରଣ ଖୋଜାଯିବ: ମନ୍ତ୍ରୀ

ଭୁବନେଶ୍ୱର: ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ରିପୋର୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ବୁଧବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ରିପୋର୍ଟ ଅନୁଯାୟୀ ମୋଟ ୧୪ ହଜାର ୯୩୫ ଶ୍ରେଣୀର ଛାତ୍ର ଛାତ୍ରୀ ବାର୍ଷିକ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଏହା ପଛରେ ମୂଳ କାରଣ ଖୋଜିବା ପାଇଁ ସରକାର ଚିନ୍ତାପ୍ରକଟ କରିବା ଆରମ୍ଭ କରିଛନ୍ତି। ନବମ ଶ୍ରେଣୀର ଅନେକ ଛାତ୍ର ବାର୍ଷିକ ପରୀକ୍ଷାକୁ କାହିଁକି ଛାଡିଲେ ତାହାର କାରଣଗୁଡିକ ସମୀକ୍ଷା କରାଯିବ ଏବଂ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ସେମାନେ କିଭଳି ସ୍କୁଲକୁ ଫେରାଇ ଅଣାଯିବ ସେପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି । ବୁଧବାର ସମ୍ବଲପୁରରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଆସିଥିବା ବେଳେ ସେ ଏପରି କହିଛନ୍ତି।

ଅନ୍ୟପଟେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ତାଙ୍କ ବିଭାଗ ପାଖକୁ ସେମିତି କୌଣସି ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିଲେ ତର୍ଜମା ହେବ। ଡ୍ରପଆଉଟ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି । ନିଶ୍ଚିତ ଭାବରେ ସେମାନଙ୍କୁ ଫେରାଇ ଆଣି ପୁଣି ଥରେ ବହି ଖାତା ଧରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତଥର ୪୩ ହଜାର ପିଲା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଏବେ ନବମ ଶ୍ରେଣୀରେ ପ୍ରାୟ ୧୫ ପିଲା ଅନୁପସ୍ଥିତ ରହିବା ପରେ ପିଲାମାନେ କାହିଁକି ପରୀକ୍ଷା ଦେଉନାହାନ୍ତି ସେ ନେଇ ଅନେକ ପ୍ରଶ୍ନ ଉଠିଛି।

Comments are closed.