ସୁବ୍ରତ ଜେନା
ଯେତେ ଯେତେ ଲୁହ ଲହୁ ଢାଳି,
ଦିଅଁ ପୂଜିବାର ଏକି ପ୍ରସାଦ !
ଜୀବନ ତମାମ ମାନସିକ ଓ
ଏକବ୍ରତୀ ବ୍ରତ ନିଷ୍ଠାର,
କେବେପୁଣି ନିରଟା ନିଶ୍ଚଳା ଉପବାସ,
ନିଜ ଲାଗି ନୁହଁମ ! ନିଜର ନିଜରଙ୍କ ଲାଗି,
ଖାଲି ଟିକେ ସୁଖ ଓ ସମୃଦ୍ଧି ଆଉବା କଣ ?
ନା ଜୀବନର ଶେଷେ ମୋକ୍ଷ ପ୍ରାପ୍ତିର ମୋହ ।
ହେଲେ କିଏ ଜାଣିଥିଲା,
ଭାଗ୍ୟର ମାୟାବୀ ଖେଳକୁ ପୂର୍ଣ୍ଣମୋଚି ଅରଣ୍ୟରେ,
ମୁହୂର୍ତ୍ତକରେ କାମନାର ମଣୋହୀ ସବୁ,
ଏମିତି ଦେଖାଦେଲେ ଚୋଉଷଠି ଯୋଗିନୀ ହୋଇ,
ନିଶ୍ୱାସର ବିଶ୍ୱାସକୁ ହତ୍ୟା କରିବାକୁ,
ଥରେବି ବୁଝିଲେନି ଆତ୍ମ ପକ୍ଷୀର ଆକୁଳ ଡାକକୁ,
ମୁହୂର୍ତ୍ତରେ ବଦଳିଗଲା ଦୃଶ୍ୟରାଜି,
କାଲିର ବର୍ଷା ପରେ,
ଅଚାନକ ଭରିଥିଲା ସବୁଜିମା ଅନେକ ସମୟାନ୍ତରରେ,
ସମୟଥିଲା ଆତ୍ମା ସହ ଆତ୍ମାର
ନୈସର୍ଗିକ ସମ୍ବନ୍ଧ ଓ ସମ୍ଭାବନାର , ସମ୍ଭୋଗର,
ବର୍ଷାରେ ଭିଜିବା ଆଗରୁ,
ଛିଡି ପଡୁଥିଲା ସାଇତା ଗୁନ୍ଥା ମାଳରୁ ମାଳିସବୁ,
ଖାଁ ଖାଁ ଶ୍ରୀହୀନ କରିବାକୁ ସଧବାରୁ ବିଧବାର ଭାଗ୍ୟର ଭୋଗରେ,
ଯଦିଓ ଏଯାଏ ଲିଭିନଥିଲା
ସଧବା ପାଦରୁ ଅଳତାର ଗାର ।
ପ୍ରଶ୍ନ ପରେ ପ୍ରଶ୍ନ କାଠଗଡ଼ାରେ ଈଶ୍ୱରଙ୍କୁ,
ଥରେ ହେଲେ କୁହ,
ଏତେ ଲମ୍ବା ପ୍ରତିକ୍ଷାର ମୌନତା,
କଲବଲ ଅସ୍ତବ୍ୟସ୍ତ ରେ ଭରିଛି ନିରାଶ୍ରୀର ପ୍ରାନ୍ତର,
ତେବେ ଏଥିଲାଗି ଦୋଷୀ କିଏ ?
ତଥାପି ମନ ବୁଝେନି ଅଭାଗିନୀର,
ସଫା ଧଳାର ବସ୍ତ୍ରତଳେ ଯେତେ ଜଳିଲେ ବି !
ଧାଇଁ ଯାଇ ଜାଳିଦିଏ ସଞ୍ଜ ଦୀପ,
ତେଣିକି ତାକୁ ଯେତେ ଶୁଣିବାର ହେଉ ଅବା ସହିବାର,
ଆଶିଣିର କାଶତଣ୍ଡି ଅବା ପୂର୍ଣ୍ଣମୀର ଚାନ୍ଦ ବୋଲି,
ଲୋକମୁଖରେ ନଦୀ ଆଉ ନାରୀ ସର୍ବସ୍ୱହା ବୋଲି ।।
ଶୂରଡିହ,ନନ୍ଦିପୁର,ଯାଜପୁର
Comments are closed.