Latest Odisha News

୨୦୧୯ରେ ହାରିଥିବା ୧୪୪ ଆସନରେ ଟକ୍କର ଦେବାକୁ ରୋଡମ୍ୟାପ ପ୍ରସ୍ତୁତ କଲା ବିଜେପି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୧୪୪ ଆସନରେ ପରାଜିତ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନ ବେଳେ ଏହି ସବୁ ଆସନରେ କିଭଳି ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେଇ ହେବ ସେ ନେଇ ବିଜେପି ପ୍ରସ୍ତୁତ କରିଛି ରୋଡମ୍ୟାପ । ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ଦୁର୍ବଳ ଥିବା ସ୍ଥାନରେ ବିଜେପି କିଭଳି ମଜବୁତ ହେବ ସେ ନେଇ ଦିଲ୍ଲୀରେ ଚାଲିଥିବା ବୈଠକରେ ଗୁରୁତ୍ୱ ଦେଇଛି। ଏହି ବୈଠକରେ ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ।

ବୈଠକରେ ବିଜେପି ୧୪୪ଟି ଆସନକୁ ଦୁର୍ବଳ ବୋଲି ଚିହ୍ନଟ କରିଛି । ଯେଉଁଠି ବିଜେପି ନିର୍ବାଚନ ଫଳାଫଳରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ରହିଛି। ଆଉ ଅଧିକ ପରିଶ୍ରମ କଲେ ଏଠାରେ ବିଜୟୀ ହୋଇପାରିବ ବୋଲି ଏକ ସମ୍ଭାବନା ଦେଖିଛି। ଏବେ ଏହି ସବୁ ଆସନ ପାଇଁ ରଣନୀତି ତିଆରି କରିବାକୁ ଜଣେ କେନ୍ଦ୍ରମନ୍ତ୍ରୀମାନଙ୍କୁ ତିନୋଟି ଲୋକସଭା ଆସନର ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଏହି ସ୍ଥାନକୁ ଯାଇ ଲୋକଙ୍କ ସହ ‘ସମ୍ବାଦ’ କରିବେ । ଦୁଃଖ ସୁଖରେ ସାମିଲ ହେବା ସହିତ ମୋଦୀ ସରକାରଙ୍କ ଲୋକାଭିମୁଖୀ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରାଇବେ ।

ସେହିଭଳି ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦାୟିତ୍ୱ ଦିଆଯାଇଛି, ଯେଉଁଠି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିଜେପି ପାଇଁ ସବୁଠାରୁ ଚ୍ୟାଲେଞ୍ଜ।

ଉଲ୍ଲେଖଯୋଗ୍ୟ, ଦୁଇଟି ଲୋକସଭା ଆସନରୁ ୩୦୩ ଆସନରେ ବିଜୟୀ ହୋଇଥିବା ବିଜେପି ସହଯୋଗୀ ଦଳ ସହ ମିଶି ଏବେ ଦେଶର ୧୮ଟି ରାଜ୍ୟରେ ସରକାରରେ ରହିଛି। ଭାରତୀୟ ଜନତା ପାର୍ଟି ଏବେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଉଭା ହୋଇଛି। ୨୦୨୪ରେ କ୍ଷମତାରେ ଥିବା ବିଜେପିକୁ ଚେକ୍ ଦେବା ପାଇଁ ବିରୋଧୀ ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ଚିନ୍ତନ ଶିବିର ଜରିଆରେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆଞ୍ଚଳିକ ଦଳ ଗୁଡିକ ଏକ ହୋଇ ତୃତୀୟ ସାମ୍ମୁଖ୍ୟ ଗଢିବାକୁ ଚିନ୍ତା କରୁଛନ୍ତି।

Comments are closed.