Latest Odisha News

ଅନୁବାଦ କବିତା : ଅସହାୟ କବି

ମୂଳ ରଚନା : ଚେଜଲୋ ମିଲସ୍ 

ଗୀତ ଗାଇବା ହିଁ ଗତିର ପ୍ରଥମ ଚିହ୍ନ
ଯେଉଁ ମୁକ୍ତ କଣ୍ଠ ପାହାଡ଼ ଓ ଉପତ୍ୟକା ଭରିଦିଏ,
ଆନନ୍ଦ ଓ ଉଲ୍ଲାସ ହିଁ ପ୍ରଥମ ସ୍ପନ୍ଦନ
କିନ୍ତୁ, ତାହା ଅକସ୍ମାତ କାଢ଼ି ନିଆ ହୁଏ।

ଏବେ କିନ୍ତୁ ଏତେ ବର୍ଷ ପରେ
ରୂପାନ୍ତର ହୋଇ ସାରିଛି ରକ୍ତରେ ମୋର
ଶତ ସହସ୍ର ଗ୍ରହ ମଣ୍ଡଳର ଜନମ ମରଣ
ହୋଇଅଛି ମୋ ହାଡ଼ ମାଂସରେ।

ଧୁର୍ତ୍ତ ଏବଂ କ୍ରୁଦ୍ଧ କବି ଏକ
ମୁଁ ବସିଛି ଭରି ଦ୍ଵେଷ
ମୋ ବକ୍ର ଦୃଷ୍ଟିରେ
ମାପି ଚୁପି ମୋ ହାତରେ ତରାଜୁରେ
କଲମକୁ ମୋର
ପରିଶୋଧ ନେବା ପାଇଁ
କରୁଛି ଚକ୍ରାନ୍ତ।

କଲମ ଚାଲିବା ମାତ୍ରେ
ଭରିଉଠେ ଶାଖାମାନ
ପତ୍ରର ଛବିରେ ଏବଂ ପୁଷ୍ପ ମୁକୁଳରେ
ଆଉ ସେ ଗଛର ବାସ୍ନାଟି କେତେ ନିର୍ଲଜ ସତରେ
ଯେହେତୁ ବାସ୍ତବ ଓ ସତ ପୃଥିବୀରେ
ହୁଏ ନାହିଁ ଏପରି ଗଛ।

ତେଣୁ ଏ ଯନ୍ତ୍ରଣାଗ୍ରସ୍ତ ମାନବ ଜାତି ପାଇଁ
ସେ ଗଛ ବାସ୍ନାଟି
ଗଭୀର ଏକ ଅପମାନ ସଦୃଶ।

କିଛି ଲୋକ ନୈରାଶ୍ୟର ନିଅନ୍ତି ଆଶ୍ରୟ
ଯାହା ଏକ ଉଗ୍ର ନିଶା ପରି
ଅଥବା ବିନାଶ କାଳେ ପିଉଥିବା
ଏକ ଗ୍ଲାସ ଭୋଡ଼କା ପରି ମଧୁର
କିଛି ଆଶାବାଦୀ କିନ୍ତୁ ଗଜମୁର୍ଖ ସମ
ଯୌନ ଉତ୍ତେଜକ ସ୍ୱପ୍ନ ପରି
ସୁନେଲି ସୁନ୍ଦର।

କିଛି ଅନ୍ୟ ଦେଶ ପିତୁଳା ପୂଜାରେ
ଶାନ୍ତି ଲାଗି କରନ୍ତି ସନ୍ଧାନ
ଲାଗେ ଯାହା ହେବ ସ୍ଥାୟୀ ବହୁଦିନ
ଯଦିଓ ତା ଉନବିଂଶ ଶତାବ୍ଦୀରୁ
ଚାଲିପାରେ ଅଳ୍ପକିଛି ଦିନ।

କିନ୍ତୁ ମତେ ଦିଆହୁଏ ଅନ୍ୟ ଏକ ଆଶା
ଯଦିଚ ମୁଁ ଆଖି ଖୋଲିବା ଦିନରୁ ଦେଖିଅଛି ଖାଲି
ନରହତ୍ୟା , ଅନ୍ୟାୟ ଓ ଅଗ୍ନିର ଜ୍ବଳନ,
ଅବମାନନା ତଥା ଦାମ୍ଭିକଙ୍କ
ହାସ୍ୟକର ଲଜ୍ଜା ଅପମାନ
ମତେ ଖାଲି ଦିଆଯାଏ ଆଶା
ନିଜ ପରେ ଅନ୍ୟଙ୍କ ଉପରେ
ପ୍ରତିଶୋଧ ନେବାର ଭରସା।

କାରଣ ମୁଁ ସେଇ ଲୋକ
ଯିଏ ସବୁ ଜାଣିଥିଲା
ଏବଂ ନିଜ ପାଇଁ କିଛି ବି
ସେଥିରୁ ଫାଇଦା
ଉଠାଇ ନଥିଲା।

ଅନୁବାଦ : ମନୋରଞ୍ଜନ ହୋତା 

 

Comments are closed.