Latest Odisha News

BREAKING NEWS

ସାହିତ୍ୟକୁ ଋଦ୍ଧିମନ୍ତ ଓ ପ୍ରାଣବନ୍ତ କରିବା ପାଇଁ କବିତା ଏକ ବଳିଷ୍ଠ ମାଧ୍ୟମ : ଗୋବିନ୍ଦ ଚନ୍ଦ୍ର ଦାଶ

ବୃତ୍ତିରେ ଅଧ୍ୟାପକ କିନ୍ତୁ ଆଧ୍ୟାତ୍ମକତା ତାଙ୍କ ଚେତନାର କ୍ଷେତ୍ର ଓ ସର୍ଜନାର ପୃଷ୍ଠଭୂମି । ସେ ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ। ସମୟର ସ୍ୱର , ଆହତ ଉପତ୍ୟକା , ବିବର୍ଣ୍ଣ ବସୁଧା , ଜହ୍ନ ଜହ୍ନ ମନ, ସାଇନମ କେବଳମ , ଠକେ ବାସ୍ନା ଜହ୍ନରାତି ପ୍ରଭୃତି କବିତା ସଙ୍କଳନ ସହ ଆହୁରି ଅନେକ ପୁସ୍ତକ ତଥା ଶତାଧିକ କବିତାର ସେ ଜଣେ ନୀରବ ସ୍ରଷ୍ଟା । ଜଣେ ଗୀତିକାର ଭାବରେ ଶ୍ରୋତା ମହଲରେ ସେ ବେଶ ପରିଚିତ। ତାଙ୍କର ଅନବଦ୍ୟ ସାରସ୍ୱତ ସାଧନା ପାଇଁ ସେ ଯୁବ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ।

କବି ଗୋବିନ୍ଦ ଚନ୍ଦ୍ର ଦାଶଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 ସାହିତ୍ୟ ସର୍ଜନା ପ୍ରତି ଆଗ୍ରହୀ କେମିତି ହେଲେ ?

ପିଲାଟି ଦିନରୁ ସାହିତ୍ୟ ପ୍ରତି ମୋର ଅହେତୁକ ଦୁର୍ବଳତା। ଚାଲି ଶିଖିବା ଦିନଠାରୁ ନନା( ବାପା ), ବୋଉଙ୍କଠାରୁ ବର୍ଣ୍ଣବୋଧ ପଢ଼ି ଶିଖିବା ସହିତ ଏଥିରେ ଥିବା ଛୋଟ ଛୋଟ ପଦ୍ୟ ସବୁକୁ ମୁଖସ୍ଥ କରିବାର ପ୍ରଚୁର ଆନ୍ଦନ ପାଉଥିଲି। ସ୍କୁଲ ଓ କଲେଜ ବେଳର ସମୟ ସବୁକୁ ଖେଲକୁଦରେ କଟେଇ ନଦେଇ ପତ୍ର-ପତ୍ରିକା ଆଦି ପଢ଼ିବାକୁ ଭଲ ପାଉଥିଲି। ମନ ଭିତରେ କେଉଁଠି ନା କେଉଁଠି ସାହିତ୍ୟ ସର୍ଜନା ପାଇଁ ଜାଗାଟିଏ ଅଲକ୍ଷ୍ୟରେ ଆପେ ଆପେ ତିଆରି ହୋଇ ଯାଉଥିଲା। ସେତିକିବେଳେ ନନା, ବୋଉ ସାଙ୍ଗ ସାଥିମାନେ ମୋର ଛୋଟଛୋଟ ଲେଖା ପଢ଼ି ଲେଖକଟିଏ ହେବା ପାଇଁ ପ୍ରେରିତ କରିଥିଲେ।

ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

କୋମଳତାର ମଧୁର ସ୍ପର୍ଶରେ କବିତା କଅଁଳି ଉଠେ। କୋମଳତା ଓ ମାଧୁର୍ଯ୍ୟ କବିତାର ଦୁଇଟି ପ୍ରମୁଖ ଅଂଶ। ଯେ କୌଣସି ଗୋଟିକର ଅଭାବରେ କବିତା ପରିପୂର୍ଣ୍ଣତା ଲାଭ କରିପାରେ ନାହିଁ । ଅଙ୍ଗେ ନିଭେଇଥିବା ନିଚ୍ଛକ ଘଟଣା ସବୁକୁ ବାସ୍ତବ ରୂପ ଦେଇ କବିତାକୁ ପ୍ରାଣବନ୍ତ କରିବା ହେଉଛି କବିର ଆଭିମୁଖ୍ୟ । ମୋ କବିତା ସବୁକୁ ଜୀବନଧର୍ମୀ, ବାସ୍ତବଧର୍ମୀ, କରିବାରେ କୋମଳତା ଓ ମାଧୁର୍ଯ୍ୟକୁ ପ୍ରାଧାନ୍ୟ ଦେବାକୁ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରି ଆସିଛି । ମୁଁ ଜାଣେନି ଏଥିରେ ମୁଁ କେତେଦୂର ସଫଳତା ପାଇଛି। ପାଠକମାନେ ହିଁ ଏହାର ନିର୍ଣ୍ଣାୟକ।

ଆପଣ ରସାୟନ ବିଜ୍ଞାନର ପ୍ରାଧ୍ୟାପକ ଥିଲେ । ତେବେ ବିଜ୍ଞାନର ଗୂଢ଼ ତତ୍ତ୍ୱରୁ ସାହିତ୍ୟ ପ୍ରତି କିପରି ଆକୃଷ୍ଟ ହେଲେ ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

ଅସରନ୍ତି ଅନ୍ୱେଷା ଓ ଜୀବନ ଜିଜ୍ଞାସାକୁ ନେଇ ବିଜ୍ଞାନର ଜନ୍ମ। ଅନୁସନ୍ଧିତ୍ସୁ ମନୋଭାବକୁ ନେଇ ବିଜ୍ଞାନର ଗୂଢ଼ ଓ ସାଧାରଣ ତତ୍ତ୍ୱକୁ ବିଶ୍ଳେଷଣ କରିବା ସହିତ ବିଶ୍ୱରେ ବିସ୍ମୟ ସୃଷ୍ଟି କରିବାରେ ବିଜ୍ଞାନ ସବୁ ସମୟରେ ସହାୟକ ଭୂମିକା ନିଭାଇ ଆସିଛି। ସରଳ , ବୋଧଗମ୍ୟ ଭାଷାରେ ବିଜ୍ଞାନର ପରିଭାଷା ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସୃଷ୍ଟି କରି ପାରିଛି। ତେଣୁ ବିଜ୍ଞାନ ଓ ସାହିତ୍ୟ କାହିଁ କେଉଁ କାଳରୁ ପରସ୍ପର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ଶିକ୍ଷାଦାନ କରିବା ସହିତ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ବିଜ୍ଞାନ ଭିତ୍ତିକ କିଛି ଲେଖା ସମ୍ବାଦପତ୍ର, ମାଗାଜିନ ଆଦିରେ ପ୍ରକାଶ କରିବା ମୋର ସଉକ ଥିଲା । ତାହା ପରବର୍ତ୍ତୀ ସମୟରେ ମତେ ପାଠକମାନଙ୍କ ଆଗରେ କବିର ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଥିଲା।

କବିତା ରଚନା ସହ ଆପଣ ଜଣେ ଗୀତିକାର । ତେବେ ବର୍ତ୍ତମାନ ଓଡ଼ିଆ ସଙ୍ଗୀତ ଆଗପରି ଲୋକପ୍ରିୟ ହୋଇପାରୁନାହିଁ କାହଁକି ବୋଲି ଆପଣ ଭାବୁଛନ୍ତି ?

ସାହିତ୍ୟ ସହିତ ସଙ୍ଗୀତର ସମ୍ପର୍କ ଅତି ନିବିଡ଼ ଓ ନିଆରା । ଆଧୁନିକ କବିତା ଲେଖୁଲେଖୁ ଗୀତି କବିତାର ସୁକୁମାର ସୌନ୍ଦର୍ଯ୍ୟରେ ମୁଁ ଅଭିଭୂତ ହେଲି। କବିତାକୁ ସଙ୍ଗୀତରେ ସଜେଇବା ନିଶାରେ ମୁଁ ନିଜକୁ ହଜେଇ ଦେବାରେ ପ୍ରଚୁର ଆନନ୍ଦ ପାଇଲି। ଗୀତି କବିତା ଲେଖିବା ଯଦିଓ କଷ୍ଟ ଓ ସମୟ ସାପେକ୍ଷ ତଥାପି ତାକୁ ମୁଁ ହୃଦୟ ଭରି ଭଲପାଇ ବସିଲି। ଏଯାବତ୍ ମୋର ପଞ୍ଚଗୋଟି ଗୀତି କବିତା ଓ ସାତଟି ଆଧୁନିକ କବିତା ସଙ୍କଳନ ପ୍ରକାଶିତ। କିଏ କହିଲା ବର୍ତ୍ତମାନର ସଙ୍ଗୀତ ବି ଲୋକପ୍ରିୟ ନୁହେଁ ବୋଲି । ଆମ ମନରେ ଏପ୍ରକାର ଭ୍ରାନ୍ତ ଧାରଣା କାହିଁକି ଯେ ସୃଷ୍ଟି ହେଉଛି ମୁଁ ବୁଝି ପାରୁନାହିଁ । ସବୁକିଛି ବଦଳିଲା ପରି ସଙ୍ଗୀତ ବି ତାର ପରିପାଟୀ ଓ ଗତିପଥ ଦିନକୁ ଦିନ ବଦଳେଇ ଚାଲିଛି। ପାଠକ ଓ ଶ୍ରୋତାଙ୍କୁ ନେଇ ଯୁଗପୋଯୋଗୀ ସଙ୍ଗୀତ ସୃଷ୍ଟି କରିବା ହେଉଛି ଏକ କଲା। ମାତ୍ର ଶସ୍ତା ସଙ୍ଗୀତ କରି ଜନମାନସରେ ବିଭ୍ରାନ୍ତି ସୃଷ୍ଟି କରିବା ଓ ଭଜନ ଭିତରେ ଅଶ୍ଳୀଳ ଶବ୍ଦ କେତୋଟି ପ୍ରୟୋଗ କରି ଭକ୍ତି ସଙ୍ଗୀତକୁ ନୂଆ ରୂପରେଖ ଦେବା ନାଁରେ ତା’ ଭିତରେ ଅଶ୍ଳୀଳତା ଭରିଦେବା ନିହାତୀ ନିନ୍ଦନୀୟ ଓ ଆଦୌ ଗ୍ରହଣୀୟ ନୁହେଁ।

ଆପଣ ଅନେକ କବିତା ସଙ୍କଳନର ସ୍ରଷ୍ଟା ତେବେ ଗଳ୍ପ ଲେଖିବାକୁ କାହଁକି ଆଗହୀ ହେଲେ ନାହିଁ ?

ମୁଁ ପ୍ରଥେମ କଲେଜ ଜୀବନରେ କିଛି କିଛି ଗଳ୍ପ ଲେଖିଥିଲି। ପ୍ରତିଯୋଗିତାରେ ପୁରସ୍କୃତ ବି ହୋଇଥିଲି। ସମୟକ୍ରମେ ଗଳ୍ପ ଲେଖିବାର ନିଶାଠାରୁ କାହିଁକି କେଜାଣି ଆପଣ ଛାଏଁ ଦୂରେଇ ଗଲି। ଧୀରେ ଧୀରେ କବିତା ମନସ୍କ ହେବାକୁ ଲାଗିଲି। କବିତା ଭିତରେ ମୁଁ ଉତ୍କୃଷ୍ଟ ମାନର ଜୀବନ ଜୀଇଁବାର ରାସ୍ତାଟିଏ ପରିଷ୍କାର ଦେଖି ପାରିଲି। ଆବେଗ ଓ ଉତ୍କଣ୍ଠାର ପରିପୂର୍ଣ୍ଣ ଜୀବନକୁ ବାସ୍ତବ ରୂପ ଦେଇ ପାରିଲି। ମୋ ଭିତରେ ଜୀବନର ପ୍ରତିଟି ସୋପାନରେ ଭେଟୁଥିବା ପ୍ରଶଂମାନଙ୍କର ସଠିକ ଉତ୍ତର ଖୋଜି ପାଇବାରେ କବିତା ମତେ ସାହାଯ୍ୟ କଲା। ମୋଟ ଉପରେ କବିତା ମତେ ପରିପୂର୍ଣ୍ଣ ଭାବରେ ବ୍ୟକ୍ତ କରିବା ପାଇଁ କବିତା ମାଧ୍ୟମ ହେଲା।

ସମ୍ପ୍ରତି ସାହିତ୍ୟରେ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ହୋଇ ରହି ଯାଉଛି। ଜଣେ କବି ହିସାବରେ ଆପଣ ଏ ବିଷୟରେ କ’ଣ କହିବେ।

ସମାଜ, ସଂସ୍କୃତି ଓ ସାହିତ୍ୟକୁ ନେଇ କବିତାଟିଏ ରଚନା କରାଗଲେ ତାହା ପାଠକାଦୃତି ଲାଭକରେ। କାବ୍ୟଗ୍ରନ୍ଥଟିର ଉଚିତ ମୂଲ୍ୟାୟନ ହୁଏ ଆଲୋଚନା , ସମାଲୋଚନା, ଅନୁଶୀଳନ ଓ ଅଭିମତକୁ ପାଥେୟ କରି। ସାମ୍ପ୍ରତିକ ପରିସ୍ଥିତିସବୁକୁ ଆପଣାର ରଚିତ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ବସ୍ତୁ ହୋଇ ରହିଯାଉନି ବରଂ ପାଠକ ମନରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନବାଚୀର ଉତ୍ତର ଖୋଜି ପାଇବାରେ ସହାୟକ ହେଉଛି।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?

ବର୍ତ୍ତମାନ ଯୁଗ ହେଉଛି ବିଜ୍ଞାପନର ଯୁଗ। ସାହିତ୍ୟ କ୍ଷେତ୍ରରେ ବି ଯିଏ ନିଜକୁ ଯେତେ ବିଜ୍ଞାପିତ କରିପାରିଲା ଅର୍ଥାତ ନିଜ ଢୋଲ ନିଜେ ପିଟି ପାରିଲା ସିଏ ସେତେ ସଫଳ ଓ ଲୋକପ୍ରିୟ ହୋଇ ପାରିଲା । ପୂର୍ବରୁ କବିମାନେ ଆଦୌ ପୁରସ୍କାର ପଛରେ ଧାଉଁ ନଥିଲେ। ସେମାନେ ସେମାନଙ୍କର ବଳିଷ୍ଠ ଲେଖା ମାଧ୍ୟମରେ ସମାଜରେ ପରିଚିତ ହେଉଥିଲେ। କିନ୍ତୁ ବର୍ତ୍ତମାନ ପୁରସ୍କାର କବିମାନଙ୍କୁ ପରିଚିତି ହେଉଛି। ପୁରସ୍କାର ପଛରେ ଗୋଟିଏ ଲମ୍ବା ଧାଡ଼ି କାହିଁ କେଉଁଠାରୁ ଲମ୍ବି ଯାଉଛି। ମୋ ମତରେ ଜଣେ କବି, ଲେଖକ , ସମାଲୋଚକ, ପ୍ରାବନ୍ଧିକ ନାଟ୍ୟକାରକୁ ପରିଚିତି ପାଇବାକୁ ହେଲେ ପୁରସ୍କାର କେବଳ ଏକ ମାପକାଠି ନୁହେଁ । ବରଂ ଲେଖାଟି ପାଠକାଦୃତି ଲାଭ କରିବା ଆବଶ୍ୟକ। ପୁରସ୍କାର ପରିଚିତିର ଗୋଟିଏ ମାଧ୍ୟମ ହୋଇପାରେ ମାତ୍ର ଏକମାତ୍ର ମାଧ୍ୟମ ନୁହେଁ।

 ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ନିଜ ଲେଖା ପାଇଁ ନିଜଠାରୁ ବଡ଼ ସମୀକ୍ଷକ ବୋଧହୁଏ ଆଉ କେହି ନାହିଁ। କବିଟିଏ ଯାହା ଲେଖେ , ଯାହାକୁ ନେଇ ଲେଖେ, ବା ଯାହା ଭାବି ଲେଖେ , ସେ ସର୍ଜନା , ଭାବନା ଓ ଚିନ୍ତନକୁ ଛୁଇଁବା ଏତେ ସହଜ ନୁହେଁ । ସେଇ ସର୍ଜନାର ପରିଧିକୁ ଛୁଇଁବାକୁ ସମୀକ୍ଷକଟିଏ ବେଳେ ବେଳେ ବହୁତ ହଇରାଣ ହୁଏ। ମୁଁ ଜାଣିବାରେ ମୋ ଲେଖାରେ ସେଇ ଅନ୍ତର୍ଦୃଷ୍ଟିରୁ ହିଁ କେବଳ

ପରିପ୍ରକାଶ ଘଟିଛି। ଅନ୍ୟ କିଏ ତାକୁ କି ଦୃଷ୍ଟିରେ ଦେଖନ୍ତି ମୁଁ ତାହା କହିପାରିବି ନାହିଁ। ତଥାପି ପ୍ରତିଟି ପଦକ୍ଷେପରେ ମୁଁ ଚେଷ୍ଟା କରିଛି ମୋ କଳ୍ପନାକୁ ବାସ୍ତବ ରୂପ ଦେଇ ଜୀବନଧର୍ମୀ କରିବାରେ। ସ୍ରଷ୍ଟା ପାଠକମାନଙ୍କ ହାତରେ ତା’ ସୃଷ୍ଟିକୁ ଟେକି ଦିଏ । ପାଠକ ହିଁ ତାର ଉଚିତ ମୂଲ୍ୟାୟନ କରିପାରିବେ।

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କିପରି ?

କବିର ଭୋକ କବିତାରେ ମେଣ୍ଟେ । ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ , ରୁଚିପୁର୍ଣ୍ଣ ଓ ପ୍ରାଣବନ୍ତ କରିବାରେ କବିତା ଏକ ମାଧ୍ୟମ। ଜଣେ କବି ହିସାବରେ ମୁଁ ବା ଅଧିକ ଆଉ କଣ କହିବି। କବିତାର ଅନ୍ତଃସ୍ରୋତ ବହୁ ଭାବନା, ସମ୍ଭାବନାକୁ ଧରି ସବୁ କାଳରେ ସାହିତ୍ୟର ସାଗରରେ ନିଜକୁ ହଜେଇ ଦେଇଥାଏ। କବିର ପ୍ରତିଟି ସ୍ପନ୍ଦନରେ ଯେଉଁ ଆବେଗ , ଅନୁରାଗ, ଉତ୍କଣ୍ଠା ସୃଷ୍ଟିହୁଏ ତାହା ସାହିତ୍ୟକୁ ଏକ ନୂତନ ଦିଗଦର୍ଶନ ଦିଏ, ଏହା ନିଃସନ୍ଦେହ।

ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?

ସାହିତ୍ୟ ଏକ ବିଶାଳ ସାଗର। ଏହି ସାଗରର ବେଳାଭୂମିରେ ଜାଣେନି ତାହା ପୂରଣ ହେବାକୁ ମତେ ଆଉ କେତେ ଜନ୍ମ ଲାଗିବ। ଗୋଟିଏ ଜନ୍ମରେ ତ ଆଦୌ ସମ୍ଭବ ନୁହେଁ। ବଞ୍ଚିଥିବା ପର୍ଯ୍ୟନ୍ତ ସାହିତ୍ୟ ସହିତ ଅଛି ଓ ରହିବି।

Comments are closed.