Latest Odisha News

BREAKING NEWS

ହାତ ମିଳାଇଲେ ନବୀନ-ଧର୍ମେନ୍ଦ୍ର, ଓଡ଼ିଶାର ସାମାଜିକ ଓ ଆର୍ଥିକ ପ୍ରଗତି ଲାଗି ହେଲେ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଅଦିଲ୍ଲୀଠାରେ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ସାକ୍ଷାତ ସମୟରେ ଉଭୟ ନେତା ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଲାଗି ବିଶଦ ଆଲୋଚନା କରିଛନ୍ତି ।

ଏସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନାଦେଇ ନବୀନ ପଟ୍ଟନାୟକ କହିଛନ୍ତି, “ଏହି ବୈଠକର ଫଳ ସ୍ୱରୂପ ଉତ୍ତମ ଫଳାଫଳ ମିଳିବା ନେଇ ମୁଁ ବେଶ୍ ଆଶାବାଦୀ ଅଛି ।”

“ଏନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିଶଦ ଆଲୋଚନା କରିଛି । ଆମେ ଅଗାମୀ ଦିନମାନଙ୍କରେ କିପରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବୁ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର କିପରି ପ୍ରଗତିର ଧାରା ତ୍ୱରାନ୍ୱିତ ହୋଇପାରିବ ସେନେଇ ଆମେ ଆଲୋଚନା କରିଛୁ ।” ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଦେଶରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଏହା ହେଉଛି ଏହି ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ବୈଠକ ଆଲୋଚନା । ଏହି ବୈଠକର କୌଣସି ରାଜନୈତିକ ଅଭିସନ୍ଧି ନାହିଁ ବରଂ ରାଜ୍ୟର ପ୍ରଗତି ତଥା ସ୍ୱାର୍ଥ ଦୃଷ୍ଟିରୁ ଏହି ଆଲୋଚନା ବେଶ୍ ଫଳପ୍ରଦ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

“ଓଡ଼ିଶାର ସାଢେ ୪ କୋଟି ଜନସାଧାରଣଙ୍କ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନେଇ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ରାଜ୍ୟରେ ପଯ୍ୟାପ୍ତ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆମେ ଦୁହେଁ ଚେଷ୍ଟା କରିବୁ,” ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନବୀନ ପ୍ରାୟ ଏକ ସପ୍ତାହ ବ୍ୟାପୀ ଦିଲ୍ଲୀଗସ୍ତରେ ରହିଛନ୍ତି । ଇତିମଧ୍ୟରେ ଓଡ଼ିଶାର ବିଭିନ୍ନ ଦାବି ଉପସ୍ଥାପନ କରିବା ସହିତ ରାଜ୍ୟର ସ୍ୱାର୍ଥଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ଆଲୋଚନା କରିସାରିଛନ୍ତି ।

ରାଜ୍ୟକୁ ଭାରତର ‘ଷ୍ଟିଲ୍ କ୍ୟାପିଟାଲ୍’ ବା ଇସ୍ପାତ ରାଜଧାନୀ ଭାବେ ଗଢି ତୋଳିବାକୁ ଏହି ଦୁଇ ନେତା ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରଚେଷ୍ଟା କରୁଛନ୍ତି । ଓଡ଼ିଶାର ପ୍ରଗତି ଲାଗି ଏହି ଦୁଇ ନେତା ନୂଆଦିଲ୍ଲୀରେ ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.