Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

” ଠିକ୍ ଶୁଣିଛ । ”

” ଆପଣ ତାଙ୍କୁ ମୁକ୍ତ କରି ସସମ୍ମାନେ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠେଇ ଦିଅନ୍ତୁ। ”

” ଅସମ୍ଭବ । ମୁଁ ଏହା କିପରି କରି ପାରିବି ? ପିତା ତାଙ୍କୁ ଆଣିଛନ୍ତି । ତାଙ୍କର କୌଣସି କାର୍ଯ୍ୟରେ ପୁତ୍ର ହୋଇ ମୁଁ ହସ୍ତକ୍ଷେପ କରିବା ଉଚିତ ନୁହେଁ । ”

” କିନ୍ତୁ.. ଏହା ଯେ ଅନ୍ୟାୟ। ପର ସ୍ତ୍ରୀ ହରଣ ମହାପାପ । ଏହାକୁ ସମର୍ଥନ କରୁଥିବା ବ୍ୟକ୍ତି ମଧ୍ୟ ସେହି ପାପରେ ସମଭାଗୀ ! ”

” ଅନ୍ୟାୟ ?? କିପରି ?? ବନବାସୀ ରାମର ଆଦେଶରେ ତା’ର ଅନୁଜ ଲକ୍ଷ୍ମଣ ଆମ ପିଉସୀମାଆଙ୍କ ନାସିକା ଛେଦନ କଲା। ଏହା କ’ଣ ଅନ୍ୟାୟ ନ ଥିଲା କି? ଭଗିନୀର ଅପମାନର ପ୍ରତିଶୋଧ , ନେବା କ’ଣ ପାପ କି ? ”

” ଆପଣଙ୍କର ଏହିପରି ବିଚାର ? ଦୁଃଖିତା ମୁଁ । ମୋ ସ୍ୱାମୀ ଏପରି ଚିନ୍ତା କରିବେ କିପରି ? ଅଧର୍ମର ସମର୍ଥନ ଆପଣ କରିବେ କିପରି ? ”

” ପିତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା , ତାଙ୍କ ଆଦେଶର ପାଳନ କରିବା ଏକ ପୁତ୍ରର ଧର୍ମ। ଏତଦ୍ଭିନ୍ନ ଅନ୍ୟ କୌଣସି ଦ୍ଵିତୀୟ ଧର୍ମ ମୋର ନାହିଁ। ସ୍ୱାମୀର ବିଚାରଧାରାକୁ ଉପଯୁକ୍ତ ସମ୍ମାନ ଦେବା ଏକ ସ୍ତ୍ରୀର ଧର୍ମ। ଭାବୁଛି ତୁମକୁ ଏହା ଅଜ୍ଞାତ ନୁହେଁ ! ଏହି ପ୍ରସଙ୍ଗ ଉପରେ ଆମର ଆଉ କୌଣସି ଆଲୋଚନା ନ ହେବା ଉଚିତ । ”

ବିରକ୍ତି ପ୍ରକାଶ କରି କକ୍ଷ ପରିତ୍ୟାଗ କଲେ ମେଘନାଦ। ବିସ୍ମୟରେ ବିସ୍ଫାରିତ ନେତ୍ରରେ ତାଙ୍କ ଯିବା ପଥକୁ ଚାହିଁ ରହିଲେ ସୁଲୋଚନା। ସେ ଭାବି ପାରି ନ ଥିଲେ ଇନ୍ଦ୍ରଜିତ ଏହିପରି ଚିନ୍ତା ବି କରି ପାରନ୍ତି ! ସେ ନାଗକନ୍ୟା। ତାଙ୍କର ମଧ୍ୟ ଶକ୍ତି ଅଛି । ସୀତାଙ୍କ ପାଇଁ ନିଶ୍ଚୟ କିଛି କରିବେ ସେ।
ମାତ୍ର ସେ କ’ଣ ବା କରି ପାରିବେ ?

ସରମା କାକୀ କହୁଥିଲେ ତ୍ରିଜଟା ଉପରେ ଲଙ୍କାପତିଙ୍କର ଅଖଣ୍ଡ ବିଶ୍ୱାସ। ତେଣୁ ସୀତାଙ୍କୁ ପହରା ଦେବାର ମୁଖ୍ୟ ଦାୟିତ୍ୱ ତାଙ୍କ ଉପରେ ସେ ନ୍ୟସ୍ତ କରିଛନ୍ତି। ପ୍ରଥମେ ତାଙ୍କ ସହ ଦେଖା କରି ପରେ ସୁଯୋଗ ଦେଖି ସୀତାଙ୍କୁ ସାକ୍ଷାତ କରିବା କଥା ଚିନ୍ତା କଲେ ସୁଲୋଚନା।

ଜଗତ ଜନନୀ ଲକ୍ଷ୍ମୀସ୍ୱରୂପା ସୀତାଙ୍କର ଦିବ୍ୟ ସୌନ୍ଦର୍ଯ୍ୟ ଦେଖି ଅଭିଭୂତା ସୁଲୋଚନା। ମୁଖମଣ୍ଡଳର ଆଭାରେ ଆଲୋକିତ ତାଙ୍କର ଚତୁଃର୍ପାଶ୍ୱ। ଶରୀରରେ ଅମଳିନ ବସ୍ତ୍ର। କିଏ କହେ ଆଭୂଷଣ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରାଏ ? ଏଇ ତ.. ବିନା ଅଳଙ୍କାରରେ ବି ଅପରୂପା ସେ ! ମୁହୂର୍ତ୍ତକ ପାଇଁ ଆତ୍ମବିସ୍ମୃତା ହୋଇଗଲେ ସୁଲୋଚନା। ନତମୁଖରେ ଭୂମି ଉପରେ ଉପବେଶିତା ସୀତା। ଧୀରେ ଧୀରେ ତାଙ୍କ ନିକଟକୁ ଅଗ୍ରସର ହେଲେ ସୁଲୋଚନା।

କ୍ରମଶଃ…..

Comments are closed.