Latest Odisha News

ମହାସଙ୍କଟରେ ‘ଅଘାଡ଼ି’ ସରକାର, ରାଜ୍ୟପାଳଙ୍କ ଭୂମିକା କ’ଣ ରହିବ ?

ମୁମ୍ବାଇ: ମହାବିକାଶ ଅଘାଡି ସରକାରର ନେତୃତ୍ୱ ନେଉଥିବା ଶିବସେନାରେ ବିଦ୍ରୋହ ପରେ ଏବେ ସମସ୍ତଙ୍କ ନଜର ରହିଛି ରାଜ୍ୟପାଳଙ୍କ ଭୂମିକା ଉପରେ । କାରଣ ଦଳର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ପାଖରେ ଅଳ୍ପ ସଂଖ୍ୟକ ବିଧାୟକ ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ପାଖରେ ରହିଛି ସର୍ବାଧିକ ବିଧାୟକଙ୍କ ସମର୍ଥନ । ଅନ୍ୟପଟେ ଉଦ୍ଧବ ଦଳୀୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି। ଜବାବରେ ଏକନାଥ ସିନ୍ଦେ କହିଛନ୍ତି ତାଙ୍କ ପାଖରେ ସର୍ବାଧିକ ବିଧାୟକଙ୍କ ସମର୍ଥନ ରହିଛି ତେଣୁ ଉଦ୍ଧବ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ । ଏକନାଥ ସିନ୍ଦେ ଏନସିପି ଏବଂ କଂଗ୍ରେସକୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି । ତେଣୁ ମହାବିକାଶ ଅଘାଡି ସରକାର ଭାଙ୍ଗିବା ଆଶଙ୍କାରେ ରହିଛି। ଏପରି ସ୍ଥିତିରେ ରାଜ୍ୟର ସାମ୍ବିଧାନିକ ପଦରେ ବସିଥିବା ରାଜ୍ୟପାଳ ଗୋଟିଏ ବଡ ଭୂମିକା ଗ୍ରହଣ କରନ୍ତି । ଆଉ ରାଜ୍ୟପାଳଙ୍କ ନିଷ୍ପତ୍ତି ଅଡୁଆ ଲାଗିଲେ କୋର୍ଟକୁ ମାମଲା ଯାଇଥାଏ।

ପ୍ରାଥମିକ ଭାବେ ଏବେ ରାଜ୍ୟପାଳଙ୍କ ନିକଟରେ ବିକଳ୍ପ କ’ଣ ରହିଛି ନଜର ପକାନ୍ତୁ; ଯଦି ବିଦ୍ରୋହୀ ବିଧାୟକମାନେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଚିଠି ଲେଖନ୍ତି ତେବେ ରାଜ୍ୟପାଳଙ୍କ ଭୂମିକା ଆସିବ। ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ରାଜ୍ୟପାଳଙ୍କ ନିକଟକୁ ଯାଇ ବିଜେପିର ସମର୍ଥନ ଦାବି କରିପାରନ୍ତି। ଏପରି ସ୍ଥିତିରେ ଦଳବଦଳ କରିଥିବା ପ୍ରତ୍ୟେକ ବିଧାୟକଙ୍କୁ ରାଜ୍ୟପାଳ ବି.ଏସ କୋଶିୟାରୀଙ୍କୁ ବ୍ୟକ୍ତିଗତ ଭାବେ ସମର୍ଥନ ପତ୍ର ଦେବାକୁ ପଡ଼ିବ ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ବିକାଶ ଆଘାଡି ସରକାର କ୍ଷମତାରେ ରହିବା ପାଇଁ ସଂଖ୍ୟା ରହିଛି କି ନାହିଁ ତାହା ଦେଖିବେ ରାଜ୍ୟପାଳ । ଏମିତିକି ଆବଶ୍ୟକ ପଡ଼ିଲେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିପାରିବେ।

ରାଜ୍ୟପାଳ ବିଧାନସଭାକୁ ଭାଙ୍ଗି ପାରିବେ କି?

ତେବେ ଶାସକ ଦଳ ବା ସରକାରଙ୍କ କ୍ୟାବିନେଟ ଗୃହ ଭଙ୍ଗ କରିବାକୁ ସୁପାରିଶ କରିପାରିବ ନାହିଁ। ସଂଖ୍ୟାଗରିଷ୍ଠତା ପରୀକ୍ଷା କରିବା ପାଇଁ ଫ୍ଲୋର ଟେଷ୍ଟ ହେଉଛି ସର୍ବୋତ୍ତମ ଉପାୟ ବୋଲି ସୁପ୍ରିମକୋର୍ଟ ଏହି ସବୁ ପ୍ରସଙ୍ଗରେ ପୂର୍ବରୁ ରାୟ ଦେଇଛନ୍ତି। ଏପରି ସ୍ଥିତିରେ ରାଜ୍ୟପାଳ ନିଜ ବିବେକ ବା ଇଚ୍ଛାଧୀନ କ୍ଷମତା ବ୍ୟବହାର କରିପାରିବେ । ଆବଶ୍ୟକ ପଡ଼ିଲେ ବିଧାନସଭାକୁ ଭଙ୍ଗ ନକରିବା ପାଇଁ ଉପାୟ ଆପଣାଇପାରନ୍ତି ।

ଉଲ୍ଲେଖଯୋଗ୍ୟ, ଦୁଇ ବର୍ଷ ତଳେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାରେ ଥିଲା । କମଲନାଥ ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସମେତ ଅନେକ ବିଧାୟକ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଧାନସଭା ଭଙ୍ଗ କରିଥଲେ । କିନ୍ତୁ ରାଜ୍ୟପାଳ ଏହାକୁ ଖାରଜ କରି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବିଧାନର ନିୟମ ଅନୁଯାୟୀ ରାଜ୍ୟପାଳ ରାଜ୍ୟର ସମ୍ବିଧାନ ମୁଖ୍ୟ । ତେଣୁ ସମ୍ବିଧାନର ସୁରକ୍ଷା ପାଇଁ ସେ ନିୟମ ଅନୁଯାୟୀ ତାଙ୍କର ବିବେକ ପ୍ରୟୋଗ କରିବେ। ଏପରି ସ୍ଥିତିରେ ରାଜ୍ୟପାଳ ଧାରା ୧୭୫(୨) ଅନୁଯାୟୀ ଗୃହକୁ ଡକାଇ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ସରକାରରେ କେତେ ଜଣ ବିଧାୟକ ରହିଛନ୍ତି ଜାଣିବାକୁ ଗୃହରେ ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ। ଯଦି ବିଧାନସଭା ଅଧିବେଶନ ଚାଲୁଥାଏ ତେବେ ବାଚସ୍ପତି ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ।  ଯଦି ବିଧାନସଭା ଅଧିବେଶନ ଚାଲୁନଥିବ ତେବେ ରାଜ୍ୟପାଳ ବାଚସ୍ପତିଙ୍କୁ ଧାରା ୧୬୩ ଅନୁଯାୟୀ ସ୍ୱତନ୍ତ୍ର ଅଧିବେଶନ ଡାକି ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେଇପାରିବେ ।

ଏବେ ଶିବସେନା ଯଦି ଦୁଇଟି ଗୋଷ୍ଠୀରେ ହୋଇଯିବ ଏବଂ ସଂଖ୍ୟାଗରିଷ୍ଠତା ଥିବା ବିଧାୟକ ଯଦି ମେଣ୍ଟ ସରକାରକୁ ସମର୍ଥନ କରିବେ ନାହିଁ ବୋଲି ଲିଖିତ ଆକାରରେ ରାଜ୍ୟପାଳଙ୍କୁ ଜଣାଇବେ ତାହେଲେ ରାଜ୍ୟପାଳ ଗୃହରେ ଶକ୍ତି ପ୍ରଦର୍ଶନ କରିବା ପାଇଁ ଡାକି ପାରନ୍ତି।

ଯଦି ଗୃହରେ ଫ୍ଲୋର ଟେଷ୍ଟରେ ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତା ହରାଏ ଏବଂ ବିଦ୍ରୋହୀ ଗୋଷ୍ଠୀ ପରବର୍ତ୍ତୀ ସମୟରେ ବିଜେପି ସହିତ ସରକାର ଗଢ଼ିବାକୁ ଦାବି କରନ୍ତି ତେବେ ରାଜ୍ୟପାଳ ସେମାନଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିପାରିବେ । ଏବଂ ପରେ ବହୁମତ ସାବ୍ୟସ୍ତ କରିବା ପାଇଁ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇପାରିବେ।

ଅନ୍ୟପଟେ ରାଜ୍ୟପାଳ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି ତେଣୁ ଫ୍ଲୋର ଟେଷ୍ଟ ପ୍ରକ୍ରିୟା ବିଳମ୍ବ ହୋଇପାରେ । କାରଣ କୋଭିଡରୁ ସୁସ୍ଥ ହୋଇ ଆସିବାକୁ ରାଜ୍ୟପାଳଙ୍କୁ ସମୟ ଲାଗିବ। ସେହିପରି ବାଚସ୍ପତି ପଦ ଖାଲି ରହିଛି । କଂଗ୍ରେସର ବରିଷ୍ଠ ନେତା ନାନା ପାଟୋଲେ ବାଚସ୍ପତି ପଦରୁ ଇସ୍ତଫା ଦେଇ ରାଜ୍ୟ କଂଗ୍ରେସର ନେତୃତ୍ୱ ନେଉଛନ୍ତି। ସେବେଠାରୁ ବାଚସ୍ପତି ପଦ ଖାଲି ରହିଛି। ଏବେ ଉପବାଚସ୍ପତି ନରହରି ଜିରଓ୍ୱାଲ ହିଁ ଗୃହ କାର୍ଯ୍ୟ ଚଳାଉଛନ୍ତି। ଏହି ଉପବାଚସ୍ପତି ପଦ ଏବେ ଏନସିପି ପାଖରେ ରହିଛି । ତେଣୁ ରାଜ୍ୟପାଳ ଚାହିଁଲେ ଉପବାଚସ୍ପତିଙ୍କ ଜରିଆରେ ସ୍ୱତନ୍ତ୍ର ଅଧିବେଶନ ଡାକିପାରିବେ।

ଏହି ସମୟରେ ଯଦି ବିଦ୍ରୋହୀ ବିଧାୟକମାନେ ଇସ୍ତଫା ନ ଦିଅନ୍ତି କିନ୍ତୁ ଦଳୀୟ ହ୍ୱିପ୍ (ଉଦ୍ଧବଙ୍କ ନିଷ୍ପତ୍ତି) ବିରୋଧରେ ଭୋଟ୍ ଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ ଯାହା ନିୟମ ରହିଛି। କାରଣ ଶିବସେନାର ମୋଟ୍ ୫୬ ବିଧାୟକଙ୍କ ମଧ୍ୟରୁ ଏକନାଥଙ୍କ ସମର୍ଥନରେ ୩୭ (ପରିବର୍ତ୍ତନଶୀଳ) ବିଧାୟକ ରହିଛି। ଯେହେତୁ ଦୁଇ ତୃତୀୟାଂଶ ବିଧାୟକଙ୍କ ସମର୍ଥନ ରହିଛି ଏପରି ସ୍ଥିତିରେ ଦଳ ଅଦଳ ବଦଳ ଆଇନ୍ ଲାଗୁ ହୋଇପାରିବ ନାହିଁ। କିନ୍ତୁ ଅଯୋଗ୍ୟ ହେବେ କି ନାହିଁ ତାହା ଉପବାଚସ୍ପତି ହିଁ ନିଷ୍ପତ୍ତି ନେବେ ।

Comments are closed.