Latest Odisha News

BREAKING NEWS

ତିନି ବର୍ଷର ଶିଶୁ ଉପରେ ଅଧିକାର ପାଇଁ ଜନ୍ମ କଲା ମା’-ପାଳିତ ମା’ ଭିତରେ ବିବାଦ

ବ୍ରହ୍ମପୁର: ୩ ବର୍ଷର ଶିଶୁକୁ ନିଜ ପାଖରେ ରଖିବା ପାଇଁ ଜନ୍ମିତ ମା’ ଏବଂ ପାଳିତ ମା’ ମଧ୍ୟରେ କିଛି ଦିନ ଧରି କଳହ ଆରମ୍ଭ ହୋଇଛି । ଗୋଟିଏ ପଟେ ଜନ୍ମ କଲା ମାଆ ତାର ଅଧିକାର ସାବ୍ୟସ୍ଥ କରିବା ପାଇଁ ପିଲାକୁ ନେବା ପାଇଁ ଚାହୁଁଥିବା ବେଳେ ଅନ୍ୟପଟେ ୩ବର୍ଷ ଧରି ବହୁ କଷ୍ଟରେ ଲାଳନ ପାଳନ କରିଥିବା ପାଳିତ ମାଆ ରେଣୁବାଳା ମହାରଣା ଛୁଆକୁ ଦେବା ପାଇଁ ନାରାଜ ଅଛନ୍ତି ।

ଏ ନେଇ ଦୁଇ ପରିବାର ମଧ୍ୟରେ କଳହ ଆରମ୍ଭ ହୋଇଯାଇଥିବା ବେଳେ ଜନ୍ମିତ ମା’ ବ୍ରହ୍ମପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମମତା ବେହେରାଙ୍କ ଘର କଟକ। ତାଙ୍କର ଦୁଇଟି ପୁଅ, ଗୋଟିଏ ଝିଅ ଅଛନ୍ତି । ମମତାଙ୍କ ସ୍ୱାମୀ ସାରଦା ବେହେରା ଓ ରେଣୁବାଳାଙ୍କ ସ୍ୱାମୀ ବ୍ରହ୍ମାନନ୍ଦ ମହାରଣା ଦୁଇ ବନ୍ଧୁ। ତେବେ ଉଭୟ ବନ୍ଧୁ ଗତ କିଛି ବର୍ଷ ହେଲା ବିଶାଖାପାଟଣାରେ ରହି ଆସୁଛନ୍ତି ।

ସାନ ପୁଅ ଜନ୍ମ ହେବାର ମାତ୍ର ୬ ଦିନ ପରେ ମମତା ଅସୁସ୍ଥ ହୋଇପଡ଼ିଥିଲେ । ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସେଥିପାଇଁ ନବଜାତ ଶିଶୁଙ୍କୁ ପରିବାର ଲୋକେ ରେଣୁବାଳାଙ୍କୁ ଦେଇଥିଲେ । ମମତା ସୁସ୍ଥ ହେବା ପରେ ଶିଶୁଟିକୁ ଫେରାଇ ଦେବାକୁ ରେଣୁବାଳା ପ୍ରତିଶ୍ରୁତି ଦେଇଥିଲେ ।

ନିଜର କୌଣସି ଛୁଆ ଜନ୍ମଥିବା ଯୋଗୁ ନବଜାତ ଶିଶୁକୁ ପାଇ ଭାବବିହ୍ବଳ ହୋଇପଡ଼ିଥିଲେ ରେଣୁବାଳା । ସୁସ୍ଥ ହେବା ପରେ ପୁଅକୁ ଫେରାଇ ଦେବାକୁ ରେଣୁବାଳାଙ୍କୁ ମମତା ଅନୁରୋଧ କରିଥିଲେ । କରୋନାର ଆଳ ଦେଖାଇ ରେଣୁବାଳା ଶିଶୁଟିକୁ ଫେରାଇ ନଥିଲେ । କରୋନା ସମ୍ପୂର୍ଣ୍ଣ ଯିବା ପରେ ଶିଶୁକୁ ଦେବି ବୋଲି ମମତାଙ୍କୁ କହିଥିଲେ ।

ଇତି ମଧ୍ୟରେ ଛୁଆ ଜନ୍ମ ହୋଇ ୩ ବର୍ଷ ହୋଇଗଲାଣି । କିନ୍ତୁ ରେଣୁବାଳା ଶିଶୁକୁ ନ ଫେରାଇ ବ୍ରହ୍ମପୁରସ୍ଥିତ ତାଙ୍କ ମାଆ ଘରକୁ ଆସିଯାଇଥିଲେ । ସ୍ବାମୀ ବ୍ରହ୍ମାନନ୍ଦଙ୍କ କହିବା ସତ୍ତ୍ବେ ରେଣୁବାଳା ପୁଅକୁ ଫେରାଇ ନଥିଲେ । ଏହି କଥାକୁ ନେଇ ବିିଭିନ୍ନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ।

ଏପରିକି ରେଣୁବାଳାଙ୍କ ଦୁଇ ଭାଉଜ ମଧ୍ୟ ଶିଶୁକୁ ଫେରାଇବାକୁ ନିବେଦନ କରିଥିଲେ । କିନ୍ତୁ କୌଣସ ସୁଫଳ ମିଳିଲାନି ।

ଅନ୍ୟପଟେ ନିଜ ପୁଅକୁ ନ ପାଇ ମମତା ଶେଷରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି । ଶିଶୁଟିକୁ ମାଗିବା ବେଳେ ସେଠାରେ ଉଭୟ ମମତା ଏବଂ ରେଣୁବାଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ଫଳରେ ସବୁ ଦିଗରୁ ନିରାଶ ହୋଇ ଶନିବାର ମମତା ତାଙ୍କ ସ୍ୱାମୀ ଶିବ ପ୍ରସାଦ ବେହେରା ଏବଂ ରେଣୁବାଳାଙ୍କ ସ୍ବାମୀ ବ୍ରହ୍ମାନନ୍ଦଙ୍କ ସହ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ତେବେ ଏସ୍‌ପିଙ୍କ ଅନୁପସ୍ଥିତିରେ ଡିଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.