Latest Odisha News

BREAKING NEWS

ବ୍ରହ୍ମପୁରକୁ କରାଯିବ ସ୍ମାର୍ଟ ସିଟି: ମନ୍ତ୍ରୀ ଉଷା ଦେବୀ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଶନିବାର ଅପରାହ୍ନରେ ନିଗମ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ତରରେ ମନ୍ତ୍ରୀ ଉଷା ଦେବୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଅନୁଦାନରେ ରେଶମ ସହର ଏବେ ସାରା ବିଶ୍ୱରେ ପରିଚିତ ହାସଲ କରିଛି।

ଆଗାମୀ ଦିନରେ ସ୍ମାର୍ଟ ସିଟି କରିବା ପାଇଁ ଚେଷ୍ଟା ଜାରି ରହିବ। ତେଣୁ କର୍ପୋରେଟରଙ୍କ ସହ ସହରବାସୀ ମଧ୍ୟ ନିଜ ନିଜ ଅଞ୍ଚଳକୁ ପରିମଳ ପ୍ରତି ଧ୍ୟାନ ଦେବାକୁ ସେ ଆହ୍ବାନ ଦେଇଥିଲେ ।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଥିଲେ ଯେ, ବ୍ରହ୍ମପୁର ସହର ସହ ଉଷା ଦେବୀଙ୍କ ଦୀର୍ଘ ଦିନର ସଂପର୍କ ରହିଛି । ସହରର ବିକାଶ ଦିଗରେ ମଧ୍ୟ ତାଙ୍କର ଅବଦାନ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ତାଙ୍କୁ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ବ ପାଇବା ଆମ ସମସ୍ତଙ୍କ ଗର୍ବର ବିଷୟ ବୋଲି କହିଥିଲେ ।

ଉଷା ଦେବୀ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି । ବର୍ତ୍ତମାନ ସେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ହୋଇଥିବାରୁ ବ୍ରହ୍ମପୁର ମହାନଗର ନିଗମକୁ ସ୍ମାର୍ଟ ସିଟି ରୂପେ କିପରି ପରିଣତ କରାଯିବ ସେ ଉପରେ ସ୍ୱତନ୍ତ୍ର ଧ୍ୟାନଦେବା ସହ ସହର ଉନ୍ନତିରେ ସେ ଭାଗୀଦାରି ହେବାକୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଥିଲେ ।

ମେୟର ସଂଘମିତ୍ରା ଦଳେଇ ସହରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣରେ ମନ୍ତ୍ରୀଙ୍କ ଭୂମିକା ରହିବ ବୋଲି କହିଥିଲେ । ଏହି ଅବସରରେ ନିଗମ ପକ୍ଷରୁ ମେୟର ଦଳେଇ ଓ ଡେପୁଟି ମେୟର ଇ.ବିବେକ ରେଡ୍ଡିଙ୍କ ସମେତ କର୍ପୋରେଟରମାନେ ମନ୍ତ୍ରୀ ଉଷା ଦେବୀଙ୍କ ଏକ ଫଟୋ ଥିବା ପଟଚିତ୍ର ଓ ଉପଢ଼ୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ ।

ନିଗମର ଆୟୁକ୍ତ ଜେ.ସୋନାଲ୍‍, ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇଙ୍କ ସମେତ ନିଗମର ସମସ୍ତ କର୍ପୋରେଟର, ବିଜେଡ଼ି କର୍ମକର୍ତା ଏବଂ ନିଗମର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଡେପୁଟି ମେୟର ଇ.ବିବେକ ରେଡ୍ଡି ଧନ୍ୟବାଦ ଦେଇଥିଲେ ।

ସମ୍ବର୍ଦ୍ଧନା ସଭା ପରେ ମନ୍ତ୍ରୀ ଉଷା ଦେବୀ ୬ଟି ପ୍ରକଳ୍ପକୁ ବୁଲି ଦେଖିଥିଲେ । ପ୍ରଥମେ ସେ ଗାନ୍ଧୀନଗର ମୁଖ୍ୟରାସ୍ତାରେ ହେଉଥିବା ସ୍ମାର୍ଟ ରୋଡ୍‍ ବୁଲି ଦେଖିବା ସହ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ବର୍ଷାଦିନ ପୂର୍ବରୁ ଏହି ରାସ୍ତା କାମ ସାରିବାକୁ ନିର୍ଦେଶ ଦେଇଥିଲେ ।

ଇଞ୍ଜିନିୟରିଂ ସ୍କୁଲ ଖେଳ ପଡ଼ିଆ ଠାରେ ଚାଲିଥିବା ଇଣ୍ଡୋର ବ୍ୟାଡମିଣ୍ଟନ କୋର୍ଟ ଏବଂ ଆମ୍ବପୁଆ ଠାରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ ନିର୍ମାଣାଧୀନ ରକ୍‍ ଗାର୍ଡେନ ଦେଖିଥିଲେ । ସେଠାରୁ ଗୁଡିବନ୍ଧ ପୋଖରୀର ଉନ୍ନତିକରଣ, ପାଟଶାଢ଼ୀ ବୁଣାକେନ୍ଦ୍ର ଏବଂ ଆଚାର ଉତ୍ପାଦନ କେନ୍ଦ୍ରକୁ ଯାଇଥିଲେ

Leave A Reply

Your email address will not be published.