Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ରମ୍ଭା ଦୁଇ ହାତ ଯୋଡ଼ି ଅତ୍ୟନ୍ତ କରୁଣ ଭାବରେ କହିଲେ, ” ଆପଣ ମୋର ପିତୃତୁଲ୍ୟ। ଆପଣଙ୍କ ଭ୍ରାତୃପୁତ୍ର ନଳକୁବେରଙ୍କ ନିକଟରେ ମୁଁ ସମର୍ପିତା। ସେହି ଦୃଷ୍ଟିରୁ ବିଚାର କଲେ ମୁଁ ଆପଣଙ୍କର ପୁତ୍ରବଧୂ। ଦୟାପୂର୍ବକ ମୋତେ ତାଙ୍କ ନିକଟକୁ ଯିବାକୁ ଦିଅନ୍ତୁ। ”

” ପରନ୍ତୁ ଅଳକାପୁରୀରେ ତ ସେହିପରି କୌଣସି ନିୟମ ନାହିଁ! ଅପ୍ସରାମାନେ କାହାରି ଜଣଙ୍କର ପତ୍ନୀ ନୁହଁନ୍ତି। ତାଙ୍କର କେହି ପତି ନ ଥାଆନ୍ତି। ”

ଏହିପରି କହି ଲଙ୍କେଶ୍ୱର ସେହିଠାରେ ଏକ ଶୀଳା ଉପରେ ରମ୍ଭାଙ୍କ ସହ ବଳପୂର୍ବକ ସମ୍ଭୋଗ କଲେ।

ରମ୍ଭା କାନ୍ଦି କାନ୍ଦି ନଳକୁବେରଙ୍କୁ ରାବଣର ଅତ୍ୟାଚାରର ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ। କ୍ରୋଧିତ ନଳକୁବେର ରାବଣଙ୍କୁ ଅଭିଶାପ ଦେଇ କହିଲେ, କୌଣସି ନାରୀର ଇଚ୍ଛା ବିରୁଦ୍ଧରେ ଯଦି ତା’ ସହ ବଳପୂର୍ବକ ସେ ସମ୍ଭୋଗ କରନ୍ତି ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ଏହି କାରଣରୁ ସୀତାଙ୍କ ସହ ସେ ବଳପ୍ରୟୋଗ କରି ପାରୁନାହାଁନ୍ତି। ”

କିଛି କ୍ଷଣର ନୀରବତା ପରେ ସରମା କହିଲେ, ” ପିତାଙ୍କ ଆଶ୍ରମରେ ରହି ବିଦୁଷୀ ବେଦବତୀ ଶ୍ରୀବିଷ୍ଣୁଙ୍କୁ ପତି ରୂପରେ ପାଇବା ପାଇଁ ତପସ୍ୟାରେ ମଗ୍ନା ରହିଲେ। ତପସ୍ୟାର ଶକ୍ତି ବଳରେ ତାଙ୍କ ଶରୀରରେ ଏକ ଅଦ୍ଭୁତ ତେଜ ସୃଷ୍ଟି ହେଲା। ମୁଖର ଆଭା , ସୌନ୍ଦର୍ଯ୍ୟକୁ ତାଙ୍କର ଶତଗୁଣରେ ବୃଦ୍ଧି କଲା। ”

ସୁଲୋଚନା ପଚାରିଲେ, ” ତାଙ୍କୁ ତେବେ ଶ୍ରୀବିଷ୍ଣୁ ପ୍ରାପ୍ତ ହେଲେ କି ? ”

” କହୁଛି ଶୁଣ ! ଦଶାନନ ଥରେ ବେଦବତୀଙ୍କ ଆଶ୍ରମ ଦେଇ ଯାଉଥିଲେ। ଘୋର ଅରଣ୍ୟ ମଧ୍ୟରେ ନାରୀ କଣ୍ଠର ଓଁକାର ନାଦ ତାଙ୍କୁ ବିସ୍ମିତ କରେଇଲା। କୁଟୀର ମଧ୍ୟରେ ସୁନ୍ଦରୀ ବେଦବତୀଙ୍କୁ ଏକୁଟିଆ ତପସ୍ୟା କରୁଥିବାର ଦେଖି ତାଙ୍କ ମନରେ କାମ ଭାବନା ଜାଗ୍ରତ ହେଲା।

ବେଦମତୀଙ୍କର ଐଶ୍ୱରୀୟ ସୌନ୍ଦର୍ଯ୍ୟରେ ମୋହିତ ଲଙ୍କେଶ୍ୱର ତାଙ୍କର ଧ୍ୟାନଭଗ୍ନ କରି କହିଲେ, ” ସୁନ୍ଦରୀ ! ତୁମେ କିଏ ? ଏପରି ଘୋର ନିକାଞ୍ଚନ ଅରଣ୍ୟ ମଧ୍ୟରେ ଏକାକିନୀ କ’ଣ କରୁଛ ? ”

କ୍ରମଶଃ….

Leave A Reply

Your email address will not be published.