Latest Odisha News

ଏନଏଫଏସଏ ରାଜ୍ୟ ମାନ୍ୟତାରେ ୧ ନମ୍ବର ଓଡ଼ିଶା

ଓଡ଼ିଶା ଇନସାଇଡ ବ୍ୟୁରୋ:  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ । ଏହି ମାନ୍ୟତାର ସାଧାରଣ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ।

BjdElectrycity

ଉତ୍ତର ପ୍ରଦେଶକୁ ଦ୍ବିତୀୟ ଏବଂ ଆନ୍ଧ୍ର ପ୍ରଦେଶକୁ ତୃତୀୟ ସ୍ଥାନ ମିଳିଛି । ସ୍ବତନ୍ତ୍ର ବର୍ଗର ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ୟରେ ତ୍ରିପୁରା ପ୍ରଥମ ସ୍ଥାନରେ ରହିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ସିକ୍କିମ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଆହୁରି ଯେଉଁ ତିନୋଟି କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)-କ୍ୟାଶ୍‌ କାର୍ଯ୍ୟକାରୀ ହୋଇଛି ସେମାନଙ୍କ ମଧ୍ୟରେ ଦାଦ୍ରା ଓ ନଗର ହାଭେଳୀ ଏବଂ ଡାମନ ଡିଉ ଶୀର୍ଷ ସ୍ଥାନରେ ରହିଛନ୍ତି ।

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନଶିଳ୍ପ ଓ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ  ପୀୟୂଷ ଗୋୟଲ,  ନୂଆଦିଲ୍ଲୀ ଠାରେ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ଖାଦ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ର ପ୍ରଥମ ସଂସ୍କରଣ ଫଳାଫଳ ପ୍ରକାଶ କରିଥିଲେ । ‘ ଭାରତରେ ଖାଦ୍ୟ ପୋଷଣ ଏବଂ ସୁରକ୍ଷା’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ  ସାଧ୍ବୀ ନିରଞ୍ଜନ ଜ୍ୟୋତି, ଡିଏଫପିଡି ସଚିବ  ସୁଧାଂଶୁ ପାଣ୍ଡେଙ୍କ ସମେତ ୮ଟି ରାଜ୍ୟର ଖାଦ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ରେ ଏନଏଫଏସଏର କାର୍ଯ୍ୟକାରିତା ସ୍ଥିତି ଏବଂ ଅଗ୍ରଗତିକୁ ନେଇ ତଥ୍ୟ ରହିଛି । ଦେଶର ବିଭିନ୍ନ ରାଜ୍ୟମାନଙ୍କ ସହିତ ପରାମର୍ଶ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଏଥିରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନର ସୂଚକାଙ୍କରେ ଏନଏଫଏସଏ ବିତରଣକୁ ସାମିଲ କରାଯାଇଥିବା ବେଳେ ଆଗାମୀ ଦିନରେ ଖାଦ୍ୟଶସ୍ୟ କ୍ରୟ ଏବଂ ପିଏମଜିକେଏୱାଇ ବିତରଣକୁ ଏଥିରେ ସାମିଲ କରାଯିବ । ଏନଏଫଏସଏ-କଭରେଜ, ଟାର୍ଗେଟିଂ ଏବଂ ଆଇନର ବ୍ୟବସ୍ଥା, ବିତରଣ ପ୍ଲାଟଫର୍ମ ଏବଂ ପୋଷଣ ପଦକ୍ଷେପ ଆଦି ତିନୋଟି ସ୍ତମ୍ଭକୁ ନେଇ ଏହି ମାନ୍ୟତା ପ୍ରସ୍ତୁତ କରାଯାଇଛି ।

ଜୁଲାଇ ୫, ୨୦୧୩ରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଥିଲା। ଏହି ଦିନକୁ ପାଳନ କରିବା ସହିତ ପୋଷଣ ସୁରକ୍ଷା, ଖାଦ୍ୟ ସୁରକ୍ଷା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶ୍ରେଷ୍ଠ ପଦ୍ଧତି, ଫସଲ ବିବିଧକରଣ, ପିଡିଏସ ବ୍ୟବସ୍ଥାରେ ସଂସ୍କାର ଏବଂ ସଂରକ୍ଷଣ କ୍ଷେତ୍ର ଉପରେ ଆଲୋଚନା ଏବଂ ବିଚାରବିମର୍ଶ କରିବା ଲାଗି ସମ୍ମିଳନୀ ଆୟୋଜନ କରାଯାଇଛି ।

Leave A Reply

Your email address will not be published.