Latest Odisha News

‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ଅବଦ୍ଦୁଲା କହିଲେ ‘ଆପଣଙ୍କ ଘରେ ଏହାକୁ ରଖନ୍ତୁ’

ଶ୍ରୀନଗର: କେନ୍ଦ୍ରର ନୂଆ ଅଭିଯାନ ‘ହର ଘର ତ୍ରିରଙ୍ଗା’ । ଏହାକୁ ନେଇ ପଚରାଯିବାରୁ ଚିହିଁକି ଉଠିଛନ୍ତି ଅବିଭାଜିତ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ସେ ଜବାବ ଦେଇ କହିଛନ୍ତି ‘ଆପଣଙ୍କ ଘରେ ଏହାକୁ ରଖନ୍ତୁ’ ।

ସାଂସଦ ଅବଦୁଲ୍ଲାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀନଗର ମାର୍କେଟରେ କୌଣସି ଆଡେ ଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିଷୟରେ । ଯାହାର ଜବାବରେ ସେ କହିଥିଲେ ଯେ ଜୁଲାଇ ୯ରେ ସିହ୍ନା କଶ୍ମୀରରେ ପହଞ୍ଚିବା ପରେ ସାମ୍ବାଦିକ ସମ୍ମିଳନୀ କରାଯିବ। ଏଥିସହ ଆଗାମୀ ବକ୍ରି ଇଦ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ତ୍ରିରଙ୍ଗା ଅଭିଯାନକୁ ନେଇ ଉଠିଥିବା ଏକ ପ୍ରଶ୍ନ ବରିଷ୍ଠ ରାଜନେତାଙ୍କୁ କ୍ଷୁବ୍ଧ କରିଥିଲା, ଏହାପରେ ସେ ନିଜ ଗାଡ଼ିରେ ବସି ସେଠାରୁ ଚାଲିଯାଇଥିଲେ।

କୁହାଯାଉଛି କେନ୍ଦ୍ରର ଶାସକ ଦଳ ବିଜେପି ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର ଏଠାରେ ଅନେକ ନୂଆ କାର୍ଯ୍ୟକ୍ରମ ଘୋଷଣା କରିଛି। ଦେଶବାସୀଙ୍କୁ ଏକଜୁଟ କରିବା ପାଇଁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ସରକାରୀ ଯୋଜନାର ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୧ରୁ ୧୭ ତାରିଖ ଯାଏ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ କେନ୍ଦ୍ର ସରକାରଙ୍କ ଏକ ଅଭିଯାନ ଜରିଆରେ ଆହ୍ୱାନ କରିଛନ୍ତି।

Comments are closed.