Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

” ଆଜି ସେହି ସେତୁବନ୍ଧ ପ୍ରତିଷ୍ଠା କରିଛନ୍ତି ପ୍ରଭୁ। ମୁଁ ଏଇଥିପାଇଁ ହସୁଛି ମୋର ଆରାଧ୍ୟ ମୋତେ ସ୍ଥାପନା କରିଛନ୍ତି।

ଏଇ ଦେଖ ଦେବୀ ! ରାମଚନ୍ଦ୍ର ସେନା ସହିତ ଲଙ୍କାରେ ପହଞ୍ଚିବା ପୂର୍ବରୁ ସେମାନଙ୍କର କ୍ଷୁଧା ନିବାରଣ ନିମିତ୍ତ ଲଙ୍କାର ବୃକ୍ଷଗୁଡିକ କିପରି ବିନା ଋତୁରେ ଫଳବତୀ ହୋଇଛନ୍ତି ! ”

” ମୁଁ ଏବେ ଅପେକ୍ଷା କରିଛି , ରାବଣ ଯେତେବେଳେ ଜାଣିବ ରାମଚନ୍ଦ୍ର ସେନା ସହ ଲଙ୍କାରେ ପହଞ୍ଚି ଗଲେଣି ସେ କିପରି ପ୍ରତିକ୍ରିୟା ପ୍ରକାଶ କରିବ ! ”

ରାବଣର ସଭାରେ ସମସ୍ତ ସଭାସଦ ଉପସ୍ଥିତ। ଗୁପ୍ତଚର ସମ୍ବାଦ ଦେଲା ରାମ ଲଙ୍କାରେ ପହଞ୍ଚି ସାରିଲେଣି। ସୁବେଳ ପର୍ବତ ଉପରେ ଅବସ୍ଥାନ କରୁଛନ୍ତି ସେମାନେ। ରାବଣ ଦଶମୁଖରେ କହି ଉଠିଲା, ” ସତରେ କ’ଣ ଶତଯୋଜନର ସାଗର ଉପରେ ସେମାନେ ସେତୁ ବାନ୍ଧିଦେଲେ !! ”

କିଛିକ୍ଷଣ ନିରବ ରହି ସେ ରହି ଅଟ୍ଟହାସ୍ୟ କରି କହିଲା, ” ବରୁଣ, କୁବେର, ଯମ ଓ ପବନ ଏହି ଚାରି ଦିଗପାଳଙ୍କୁ ମୁଁ ମୋ ବାହୁବଳରେ ପରାଜିତ କରିଛି। ଦେବତା,ଦାନବ ଓ ମନୁଷ୍ୟ ସମସ୍ତେ ମୋ ବଶରେ ଅଛନ୍ତି। ତେବେ ଭୟ କାହାକୁ ତୁମମାନଙ୍କର ?? ”

ରାବଣର କଥା ଶୁଣି କିଛି ମନ୍ତ୍ରୀ କହିଲେ, ” ମନୁଷ୍ୟ, ବାନର ଓ ଭଲ୍ଲୁକ, ଏମାନେ ସମସ୍ତେ ଆମ ଅସୁରଙ୍କର ଭୋଜନ । ତେଣୁ ସେମାନଙ୍କ ପ୍ରତି ଆମର କୌଣସି ଭୟ ନ ରହିବା ଉଚିତ। ଲଙ୍କେଶ୍ୱର ଉଚିତ କଥା କହୁଛନ୍ତି । ”

ରାବଣର ପୁତ୍ର ପ୍ରହସ୍ତ ଅତ୍ୟନ୍ତ ବୁଦ୍ଧିମାନ ଓ ନୀତିବାନ ଥିଲା। ସେ କହିଲା, ” ପିତା ! ଏହି ମନ୍ତ୍ରୀମାନେ ବୁଦ୍ଧିହୀନ । ନୀତି ବିରୁଦ୍ଧରେ ଆମର କୌଣସି ପଦକ୍ଷେପ ନେବା ଉଚିତ ହେବନାହିଁ।

 

କ୍ରମଶଃ…

Leave A Reply

Your email address will not be published.