Latest Odisha News

BREAKING NEWS

ସ୍କୁଲରେ ପଢ଼ା ସମୟରେ ସାମ୍ବାଦିକତା ଜରୁରୀ କି ?

ସରକାର ଗଣମାଧ୍ୟମ ପାଇଁ ଏସଓପି ଜାରି କରିବା ଆବଶ୍ୟକ

 

ଭୁବନେଶ୍ବର: ଟୁଙ୍ଗୁରୁ ଭୋଳ ଖବରକୁ ନେଇ ସାମ୍ବାଦିକମାନେ ପ୍ରବଳ ଗାଳି ଖାଇବା ପରେ ଆଉ ଏକ ପ୍ରସଙ୍ଗ ଏବେ ଚର୍ଚା ଚାଲିଛି । ତାହା ହେଉଛି ସ୍କୁଲ ଭିତରକୁ ସାମ୍ବାଦିକମାନେ ବିନା ଅନୁମତିରେ ପ୍ରବେଶ କରିପାରିବେ କି ନାହିଁ । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିପାରିବେ କି ନାହିଁ । ଶିକ୍ଷକଙ୍କୁ ମିଶାଣ, ଗୁଣନ, ପଣକିଆ ପଚାରିପାରିବେ କି ନାହିଁ । ଏସବୁ ପ୍ରଶ୍ନକୁ ନେଇ ଏବେ ସାଧାରଣରେ ଭିନ୍ନ ମତ ପ୍ରକାଶ ପାଉଛି ।

ଯଦି ସାମ୍ବାଦିକଙ୍କ ଅଫିସ ଭିତରେ ପଶି ମାଷ୍ଟରମାନେ ପ୍ରଶ୍ନ ପଚାରିବେ ସବୁ ଉତ୍ତର କଣା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଦେଇପାରିବେ କି? ଉତ୍ତର ହେଉଛି ନା । ତେବେ କଥା ହେଉଛି ପଢ଼ା ସମୟରେ ବା ସ୍କୁଲ ଚାଲିଥିବା ସମୟରେ ଏଭଳି ଆଚରଣ ମଧ୍ୟ ସାମ୍ବାଦିକ ଭାଇ ଭଉଣୀଙ୍କ ପାଇଁ  କେତେଦୂର ଠିକ ତାହା ମଧ୍ୟ ଆଲୋଚନା କରିବାର ସମୟ ଆସିଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଆଜିକାଲି ଯିଏ ନାହିଁ ସିଏ ରାତି ପାଇଲେ ନିଜକୁ ସାମ୍ବାଦିକ କହୁଛନ୍ତି । କିଏ ଫେସବୁକ ଚାନେଲ ଏଡିଟର ତ କିଏ ୟୁ ଟ୍ୟୁବ୍ ଚାନେଲ ଏଡିଟର, ପୁଣି କିଏ ଓ୍ବେବ ଚାନେଲ ଏଡିଟର କହି ପ୍ରଶ୍ନ ପଚାରିବାରେ ଲାଗିଲେଣି । କିଛି ନକହିଲେ ଦେଖିନେବୁ ବୋଲି ଧମକ ବି ଦେଉଛନ୍ତି ।   ଡିଜିଟାଲର ଯୁଗ ଆସିବା ପରେ କାହାକୁ ବି ଏସବୁ କରିବା ପାଇଁ ବାରଣ କରିହେବନାହିଁ । ତେବେ ସରକାରଙ୍କ ଆଗରେ ବଡ଼ ପ୍ରଶ୍ନ ଯେ ତଥାକଥିତ ଗଣମାଧ୍ୟମ ପାଇଁ କଣ କରାଯିବା ଉଚିତ କଣ କରାଯିବା ଉଚିତ ନୁହେଁ ସେନେଇ ଏସଓପି ଜାରି କରୁନାହାଁନ୍ତି କାହିଁକି? ଗଣମାଧ୍ୟମର ବି କଣ କରିବା ଉଚିତ କଣ କରିବା ଉଚିତ ନୁହେଁ ସମସ୍ତେ ଜାଣିବା ଦରକାର । ତେବେ ଆଉ କେହି ଏକଚାଟିଆ ନିର୍ଦେଶ ଦେବାକୁ ପଡ଼ିବ ନାହିଁ ଆମ ପରିସରକୁ ଆସନାହିଁ ।  କେଉଁଠି ଅନୁମତି ଦରକାର କେଉଁଠି ଦରକାର ନାହିଁ ତାହା ବି ସମସ୍ତ ଗଣମାଧ୍ୟମର ଜାଣିବା ଅଧିକାର ରହିଛି । ସରକାର ନିଦା ବିଷ୍ଣୁ ପରି ଶୋଇ ରହି ଶେଷକୁ ବାଡି ଧରି ଗୋଡେଇଲେ ଅବସ୍ଥା ଅସମ୍ଭାଳ ହେବା ହିଁ ସାର ।

ତେବେ ଏହା ଆଜି କାଲିର ପ୍ରଶ୍ନ ନୁହେଁ  ଯାହାର ସମାଜରେ ଦାୟିତ୍ବ ଯାହା ସିଏ ତାହା କରିବା ଉଚିତ । ନିଜ କ୍ଷମତା ବାହାରକୁ ଯାଇ କାର୍ଯ୍ୟ କଲେ ନିନ୍ଦା ପାଇବା ସ୍ବାଭାବିକ । ସେପରି କାହା ପରିସର ଭିତରେ ପଶି ଅନାଧିକାର ଚର୍ଚା କରିବା, ବିନା ଅନୁମତିରେ ପ୍ରଶ୍ନ କରିବା ମଧ୍ୟ ଅପମାନ ଦେବା ସହ ସମାନ । ଏପରିକି ଅନ୍ୟ କାହା ବିନା ଅନୁମତିରେ କାହା ଫଟୋ କି ଭିଡିଓ ପ୍ରକାଶ କରିବା ଏହା ବି ନ୍ୟାୟ ସଂଗତ ନୁହେଁ । ଏବେ ଦେଖିବାକୁ ମିଳୁଛି ପୋଲିସ, ଭିଜିଲାନସ ବି କେଉଁଠି ଚଢ଼ାଉ କଲେ ସାମ୍ବାଦିକ ଭାଇ ଆସ ହୋ ଆମେ ଏଇଠି ଅଛୁ ଭଲ ଭିଜୁଆଲ ମିଳିବ ,ଆଉ ଆମକୁ ଟିକେ ବି ଦେଖେଇବ କହି ଆଗୁଆ ଫୋନ କରୁଛନ୍ତି । ତେଣୁ ମିଡିଆରେ ଦେଖାଇହେବା ପଣିଆ ଏବେ ଏକ ରୋଗ ହୋଇଗଲାଣି । ଏହା ଏପରି ବ୍ୟାପିବାରେ ଲାଗିଛି ଯେ ବ୍ୟକ୍ତିଗତ ବୋଲି କିଛି ରହୁନାହିଁ । ଘର ବାହାର ସବୁ  ଖୋଲା ମେଲା  କରିଦିଆଯାଉଛି ଆଜିର ସୋସିଆଲ ମିଡିଆ ଯଗୁରେ । ତେବେ ଏହାକୁ ମଧ୍ୟ କେହି ବାରଣ କରାଯାଇପାରିବ ନାହିଁ । କିନ୍ତୁ ଅନ୍ୟର ଦୋଷ ଦେଖାଇବା ବେଳେ ନିଜ ଆଡ଼କୁ ବି ଦେଖିବା ଦରକାର  ।

ଏହା ସତ୍ୟ ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣମାଧ୍ୟମ  ପ୍ରଶ୍ନ ଉଠାଇବା ହେଉଛି ତାହାର କର୍ତ୍ତବ୍ୟ । ସରକାରୀ ବ୍ୟବସ୍ଥାର ତ୍ରୁଟି ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆଣି ଜନଚେତନା ସୃଷ୍ଟି କରିବା ମଧ୍ୟ ଭଲ କଥା ।  ତେବେ ଗଣମାଧ୍ୟମର ଦାୟିତ୍ବ ଯାହା ଗଣମାଧ୍ୟମ ତାହା କରୁଛି ତ ? ପାଶ୍ଚାତ୍ୟ ଦେଶମାନଙ୍କରେ ଏପରି ଖବର କରିବା କୋଚିତ ଦେଖାଯାଏ । ବିନା ଅନୁମତିରେ କାହାର ଫଟୋ ଉଠାଇବା କାହାର ଇଣ୍ଟରଭ୍ୟୁ କରିବା, କାହା ବିଷୟରେ ଏଣୁତେଣୁ ଲେଖିବା ପଶ୍ଚିମ ଦେଶରେ ବେଆଇନ ହୋଇଥିବା ବେଳେ ଭାରତରେ ଓଡ଼ିଶାରେ ଏଭଳି ଖବର ଘାଣ୍ଟି ଚକଟି ଲେଖିବାକୁ  ପ୍ରୋତ୍ସାହନ ଦିଆଯାଉଛି । କାହାକୁ , କେଉଁଠି, କଣ ପ୍ରଶ୍ନ କରାଯିବ ତାହା ଆମର ଏଠି ଦେଖାଯାଉନାହିଁ । ସ୍ଥାନ, କାଳ, ପାତ୍ର  ବାହାରେ ସାମ୍ବାଦିକତା ହେଉଥିବାରୁ ସାଧାରଣରେ ଗଣମାଧ୍ୟମ ପ୍ରତି ଯେ କେହି ଅଙ୍ଗୁଳି ଉଠାଇବାକୁ ପଛାଉନାହାଁନ୍ତି ।

ଯଦିଓ ସରକାର ଗଣମାଧ୍ୟମ ଉପରେ କଟକଣା ଲଗାଇବାକୁ ଠିକ୍ କୁହାଯାଇପାରିବ ନାହିଁ । ସେହିପରି କାହା ବିନାଅନୁମତିରେ ତାଙ୍କ ମୁହଁରେ ବୁମ ରଖି କହ କହ କହିବାକୁ ଠିକ ବୋଲି ଧରାଯାଇପାରିବ ନାହିଁ ।

ଗଣଶିକ୍ଷା ମନ୍ତ୍ରୀ କହୁଛନ୍ତି କି ଗଣମାଧ୍ୟମ ମାତ୍ରାଧିକ ଭ୍ରମାନ୍ତକ ଖବର ପରିବେଷଣ କରୁଛି । ଏକଥା କିଏ ଗ୍ରହଣ କରିପାରେ କିଏ ନକରି ପାରେ ।   ହୋଇପାରେ କେଉଁଠି କେଉଁଠି ଗଣମାଧ୍ୟମ ସୀମାରେଖା ବାହାରକୁ ଯାଇ ଖବର ପରିବେଷଣ କରିଥାଇପାରେ । ତା ମାନେ ନୁହେଁ ଯେ ସବୁ ଗଣମାଧ୍ୟମ ସୀମାରେଖା ଡେଇଁ ଖବର ପରିବେଷଣ କରୁଛନ୍ତି । ଗଣମାଧ୍ୟମ ତାର ଦାୟିତ୍ବ ଠିକ୍ ଭାବେ ତୁଲାଉଛି । ଯଦି ବ୍ୟବସ୍ଥାରେ କିଛି ତ୍ରୁଟି ବିଚ୍ୟୁତି  ରହୁଛି ତାହା ମଧ୍ୟ ଦେଖାଇବାରେ କାହାକୁ ରୋକାଯିବା ଠିକ୍ ନୁହେଁ ।

ଏଠାରେ ଆଉ ଗୋଟିଏ କୁହାଯାଇପାରେ ଜଣେ ଡାକ୍ତର ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ମାପକାଠି, ଇଂଜିନିୟର ପାଇଁ ବି ସମାନ ନିୟମ, ସରକାରୀ ଅଫିସର ପାଇଁ ଗ୍ରାଜୁଏଟ ହେବା ଜରୁରୀ । କିନ୍ତୁ ଏବେ ସାମ୍ବାଦିକତା ନାମରେ ଯିଏ ନାହିଁ ସିଏ ଯଦି କହିବ ଶିକ୍ଷକ, ଡାକ୍ତର, କଲେକ୍ଟରଙ୍କୁ ଯାହା ନାଇଁ ତାହା ପ୍ରଶ୍ନ କରିବ ତାକୁ ମଧ୍ୟ ଗ୍ରହଣ କରିହେବ ନାହିଁ । ଏବେ ଶହ ଶହ ୟୁଟ୍ୟୁବ୍ ଚ୍ୟାେନେଲ, ଓ୍ବେବ ପୋର୍ଟାଲ ନାମରେ ଗଦା ଗଦା ସାମ୍ବାଦିକ ଯେଉଁ ପ୍ରକାର ସାମ୍ବାଦିକତା କରି ଶସ୍ତା ଖବରକୁ ଭାଇରାଲ କରିବାରେ ଲାଗିଛନ୍ତି ତାହାକୁ ମଧ୍ୟ ବଡ଼ ବଡ଼ ଚ୍ୟାନେଲମାନେ ଅନୁସରଣ କରୁଛନ୍ତି । ଯାହା କରିବା କଥା ନୁହେଁ । ବଡ଼ ବଡ଼ ଟିଭି ଚ୍ୟାନେଲ ହୁଅନ୍ତି ବା ସମ୍ବାଦ ପତ୍ର ସେମାନଙ୍କର ସମାଜ ପ୍ରତି ଦାୟିତ୍ବ ରହିଛି । ଖବର ପରିବେଷଣରେ କେଉଁ ସ୍ତର ପର୍ଯ୍ୟନ୍ତ ଯାଇ ଖବର କରିହେବ ତାହାର ମଧ୍ୟ ସୀମାରେଖା ଅଛି । କିନ୍ତୁ ବର୍ତ୍ତମାନ ସେହି ସୀମାରେଖା କେଉଁଠି ତାହା ନିର୍ଣ୍ଣୟ କରିବାର ଦାୟିତ୍ବରେ ଥିବା ବ୍ୟକ୍ତିର ନିଷ୍ପତ୍ତି ଠିକ୍ ହୋଇପାରୁନାହିଁ । ଯାହା ଫଳରେ ଯାହା ଖବର ସ୍ଥାନରେ ପ୍ରକାଶ ଯୋଗ୍ୟ ନୁହଁ ସେପରି ଖବର ମୁଖ୍ୟ ଖବର ହୋଇ ଭାଇରାଲ ହେଉଛି ।

ଏହା ସମସ୍ତେ ଅନୁଭବ କରିଛନ୍ତି ଯେ ଓଡ଼ିଶାରେ  ବର୍ଷ ବର୍ଷ ଧରି  ଶିକ୍ଷାବ୍ୟବସ୍ଥା କିପରି ଚାଲିଛି । ତେଣୁ ଏସବୁ ଉପରେ ଏତେ ଆଲୋଚନା ନକରି ଏହା କୁହାଯାଇପାରେ ଯେ  ଶିକ୍ଷା ବ୍ୟବସ୍ଥାର ନିହାତି ସଂସ୍କାର ଜରୁରୀ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କୁହାଯିବା, ଲେଖାଯିବା, ଆଲୋଚନା କରିବା ନୂଆ ନୁହେଁ । ଏହା ପ୍ରତିବର୍ଷ ମଧ୍ୟ ଲେଖାଯାଉଛି । ଏହା ମଧ୍ୟ ସତ୍ୟ ଯେ ଶିକ୍ଷାର ମାନ ନିମ୍ନଗାମୀ ହେବାପାଇଁ କେବଳ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଦୋଷ ଦେଲେ ଏହା ସୁଧୁରିବ ନାହିଁ । ଏଥିପ୍ରତି ସରକାର ମଧ୍ୟ ଦୃଷ୍ଟି ଦେବା ଦରକାର  ଏବଂ ଜନସାଧାରଣଙ୍କର ବି  କିଛି ଦାୟିତ୍ବ ରହିଛି ।

ନିଜର ଅପାରଗତା ଲୁଚେଇବା ପାଇଁ ଗଣମାଧ୍ୟମ ଉପରେ କଟକଣା ଲଗାଇ ସରକାର ଖସିଯିବାକୁ ଚାହିଁବା ବି  ଉଚିତ ନୁହେଁ ।  ଗତ 75 ବର୍ଷ ମଧ୍ୟରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଯେଉଁଭଳି ସଫଳତା ମିଳିବା କଥା ତାହା ମିଳିନାହିଁ । ଏ କଥା ସତଯେ ଅନେକ ଥର ନିଜମୁଣ୍ଡାରୁ ସରକାର ଦୋଷା ଖସାଇ ଦେବାକୁ ଚାହିଁଛନ୍ତି । ଯାହା କି ଠିକ୍ ନୁହେଁ ।

ଏହା ମଧ୍ୟ କୁହାଯାଇପାରେ ଯେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚତୁର୍ଥ ଶ୍ରଣୀର ପାଠ ଆସୁନାହିଁ । ଏଥପାଇଁ ଶିକ୍ଷକ ଯେତିକି ଦାୟୀ ପରିବାର ଲୋକ ମଧ୍ୟ ସେତିକି ଦାୟୀ ।  ତେବେ ରାଜ୍ୟର ଶିକ୍ଷାବ୍ୟବସ୍ଥାରେ ଯେ ଆମୂଳ ଚୁଳ ପରିବର୍ତ୍ତନ ଜରୁରୀ ଏହା ସମସ୍ତେ ହୃଦୟଙ୍ଗମ କରିବା ଦରକାର । ସରକାର ଗଣମାଧ୍ୟମ ପ୍ରତି ଏପରି ମନୋଭାବ ପ୍ରକାଶ ନକରି ଶିକ୍ଷାର ଭିତ୍ତିଭୂମି ସହ ପାଠପଢ଼ା କିପରି ଭଲ ହେବ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି କିପରି ହେବ ତାହା ଉପରେ ଫୋକସ କଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ନିଶ୍ଚୟ ହେବ । ସେପରି ଗଣମାଧ୍ୟମ ମଧ୍ୟ ତାହାର ସୀମା ବାହାରକୁ ଯାଇ ଖବର ପରିବେଷଣ କଲେ ଏପରି ସମାଲୋଚନା  ଶୁଣିବାକୁ ପଡିବ ।   ଆଉ ସରକାରଙ୍କ ଦାୟିତ୍ବ ଶିକ୍ଷାବ୍ୟବସ୍ଥା ପ୍ରତି କିଭଳି ହେବା ଆବଶ୍ୟକ ଶିକ୍ଷା ବିଭାଗ ମଧ୍ୟ ଚିନ୍ତା କରିବା ଉଚିତ ।

 

Comments are closed.