ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଅତ୍ୟନ୍ତ ବିନୟ ସହକାରେ ସେ ରାବଣକୁ କହିଲେ , ” ହେ ଉତ୍ତମ କୁଳଜ , ପୁଲସ୍ତ୍ୟ ଋଷିଙ୍କର ପୌତ୍ର ,ଵିଶ୍ରବାନନ୍ଦନ ଲଙ୍କେଶ୍ୱର ରାବଣ ! ମୋହବଶତଃ ଜଗତଜନନୀ ସୀତାଙ୍କୁ ତୁମେ ହରଣ କରି ନେଇ ଆସିଛ। ତାଙ୍କୁ ଫେରାଇ ଦିଆ। ପରମ କୃପାଳୁ ଶ୍ରୀରାମଚନ୍ଦ୍ର ନିଶ୍ଚୟ ତୁମର ଅପରାଧ କ୍ଷମା କରିଦେବେ। ନଚେତ୍ …”
ତାତ୍ସଲ୍ୟର ହସ ହସି ରାବଣ କହିଲା,” ପିତାର ହତ୍ୟାକାରୀ ସହ ମିତ୍ରତା କରିଥିବା , ରେ ମନ୍ଦବୁଦ୍ଧି ବାନର ! ଯୁଦ୍ଧର ଭୟ ଦେଖାଉଛୁ ତ୍ରିପୁରବିଜେତା ରାବଣକୁ !! ପ୍ରଭୁ ତୋର ସ୍ତ୍ରୀ ବିୟୋଗରେ ବଳହୀନ ଆଉ ତା’ର ଅନୁଜ..! ହେଃ.. ସେମାନେ ପୁଣି ମୋ ସହ ଯୁଦ୍ଧ କରିବେ !”
ଉଭୟ ପକ୍ଷ ମଧ୍ୟରେ ଅନେକ ତର୍କ ବିତର୍କ ପରେ ଅଙ୍ଗଦ କ୍ରୋଧରେ ଭୂମି ଉପରେ ଏପରି ଏକ ମୁଷ୍ଟି ପ୍ରହାର କଲେ ଯେଉଁଥିରେ କି ସମସ୍ତଙ୍କୁ ଭୂମିକମ୍ପ ସଦୃଶ ଅନୁଭବ ହେଲା। ରାବଣର ମୁକୁଟ ଭୂପତିତ ହେଲା। ଅଙ୍ଗଦ ମୁକୁଟଟିକୁ ଶ୍ରୀରାମଙ୍କ ନିକଟକୁ ଉଡ଼ାଇଦେଲେ ଏବଂ ଗମ୍ବୁଜଟିକୁ ଭାଙ୍ଗିଦେଇ ସମସ୍ତଙ୍କୁ ହତଚକିତ କରି ଚାଲିଗଲେ।
ଅଙ୍ଗଦ ରାବଣ ସଭାରୁ ଫେରିବା ପରେ ବାନରରାଜ ସୁଗ୍ରୀବ, ଭଲ୍ଲୁକବୀର ଜାମ୍ବବାନ, ବିଭୀଷଣଙ୍କର ସହ ସୂର୍ଯ୍ୟବଂଶୀ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କ ସହିତ ଯୁଦ୍ଧନୀତି ନିର୍ଦ୍ଧାରଣ କରିବା ପାଇଁ ବୈଠକ କଲେ। ଲଙ୍କାର ଚାରି ଦରଜା ପାଇଁ ବାନର ଓ ଭଲ୍ଲୁକ ସେନାଙ୍କୁ ଚାରି ଦଳରେ ବିଭକ୍ତ କରି ପ୍ରତି ଦଳ ନିମିତ୍ତ ସେନାପତି ଚୟନ କଲେ।
ରାକ୍ଷସରାଜ ରାବଣର ଅପରିମିତ ଶକ୍ତି ସମ୍ବନ୍ଧରେ ଅବଗତ ଥାଇ ମଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରତାପରେ ବାନର ଓ ଭଲ୍ଲୁକସେନା , ସିଂହ ସଦୃଶ ଗର୍ଜ୍ଜନ କରି ରଣଭେରୀ ଉଚ୍ଚ ଶବ୍ଦରେ ବଜାଇବାକୁ ଲାଗିଲେ। ରାମ,ଲକ୍ଷ୍ମଣଙ୍କର ଜୟ ଜୟକାରରେ ଲଙ୍କାର କୋଣ ଅନୁକୋଣ ପ୍ରକମ୍ପିତ ହେବାକୁ ଲାଗିଲା।
ସେ ସମୟରେ ସୁଲୋଚନା ସୀତାଙ୍କ ନିକଟରେ ବସିଥିଲେ। ରାମଙ୍କର ଜୟକାର ଶୁଣି ଦେବୀ ସୀତାଙ୍କର ମନରେ ହର୍ଷ ଉତ୍ପନ୍ନ ହେଲା। ଶରୀର ରୋମାଞ୍ଚିତ ହେଲା। ନୟନରୁ ପ୍ରେମାଶ୍ରୁ ଝରିବାରେ ଲାଗିଲା।
ରାବଣର ଅଟ୍ଟହାସ୍ୟ ଅଶୋକ ବାଟିକା ପର୍ଯ୍ୟନ୍ତ ଶୁଣାଗଲା। ଅତ୍ୟନ୍ତ ଅହଂକାର ଭରା କଣ୍ଠରେ ସେ କହୁଥାଏ, ” ବିଧାତା ବାନର,ଭଲ୍ଲୁକଙ୍କୁ ଲଙ୍କା ପ୍ରେରଣ କରି ଖୁବ ଭଲ କାର୍ଯ୍ୟ କରିଛି। ଚଉଦିଗକୁ କ୍ଷେପିଯାଅ ଲଙ୍କାର ବୀର ରାକ୍ଷସଗଣ! ସେମାନଙ୍କୁ ଭୋଜନ କରି ନିଜର କ୍ଷୁଧା ନିବାରଣ କର।
ବିକଟାଳ ଚିତ୍କାର କରି ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ସହ ରାକ୍ଷସସେନା ଅନେକ ସଂଖ୍ୟାରେ ରାମଙ୍କ ସେନା ଥିବା ଦିଗକୁ ଅଗ୍ରସର ହେଲେ।
କ୍ରମଶଃ..
Comments are closed.