Latest Odisha News

BREAKING NEWS

କାଶିପୁର : ବିକାଶକୁ ହଇଜା

  • ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ଦୀର୍ଘ ଦଶ ବର୍ଷ ପରେ ପୁଣି ଥରେ ହଇଜା ଓ ମୃତ୍ୟୁ ପାଇଁ ଚର୍ଚ୍ଚାକୁ ଫେରିଛି କାଶିପୁର । ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ଥିବା ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ୍ କାଶିପୁର ପୂର୍ବରୁ ଅନେକ ଥର ଚର୍ଚ୍ଚିତ ହୋଇଛି ଆମ୍ବ ଟାକୁଆ ପାଇଁ, ପିଲା ବିକ୍ରି ପାଇଁ, ଦାରିଦ୍ର‌୍ୟ ପାଇଁ ଓ ହଇଜା ଜନିତ ମୃତ୍ୟୃୁ ପାଇଁ । କିନ୍ତୁ ସେତେବେଳେ ଆମ ରାଜ୍ୟ ଓଡ଼ିଶା ଦେଶର ବିକାଶର ମାନକରେ ଅନେକ ପଛରେ ପଡ଼ିଥିଲା । ଏବେ ଆମ ରାଜ୍ୟ ବିକାଶର ମାନକରେ ବହୁତ ଆଗରେ । ଗୋଟିଏ ପରେ ଗୋଟିଏ ପୁରସ୍କାର ଓ ପ୍ରଶଂସା ପତ୍ର ସାଉଁଟୁଛନ୍ତି ଆମ ରାଜ୍ୟର ମୂଖିଆ ଓ ଅଫିସରମାନେ । ନିକଟ ଅତୀତରେ ଆମ ରାଜ୍ୟର ମୂଖ୍ୟମନ୍ତ୍ରୀ ରୋମ୍ ଗ୍ରସ୍ତ କରି ସଫଳ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛନ୍ତି ଓ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

ଏତେ ସବୁ ସଫଳତା ସତ୍ୱେ ବି ଆଜି ଆମ ରାଜ୍ୟରେ ଲୋକମାନେ ଝାଡ଼ାବାନ୍ତି ଓ ହଇଜାରେ ରୋଗରେ ପ୍ରାଣ ହରାଉଛନ୍ତି । ସମ୍ପ୍ରତି ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍‌ର ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ମାଡ଼ି ଚାଲୁଛି ହଇଜା ଓ ମୃତ୍ୟୁବରଣ କରୁଛନ୍ତି ମଣିଷମାନେ । ହଇଜା ମୃତ୍ୟୁର ଏହି ଖବର ଆମ ରାଜ୍ୟକୁ ନବେ ଦଶକର ସେହି ଦୁର୍ଦ୍ଦିନ ଆଡ଼କୁ ଫେରେଇ ନେଉଥିବା ପରି ମନେହେଉଛି ।

ଗତ ଜୁଲାଇ ବାର ତାରିଖରେ କାଶିପୁରରେ ପ୍ରଥମେ କିଛି ଲୋକ ଝାଡ଼ାବାନ୍ତିର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିବା ପରେ ସବୁଥର ପରି ଏଥର ବି ଆଲୋଚନା ସିଧା ଆମ୍ବ ଟାକୁଆ ଆଡ଼କୁ ଚାଲିଗଲା । ବାହାରର ଲୋକମାନେ ଅତ୍ୟନ୍ତ ସମ୍ବେଦନଶୁନ୍ୟ ହୋଇ ଆଲୋଚନା କରିବାକୁ ଲାଗିଲେ ଯେ, ମୂର୍ଖ ଆଦିବାସୀ ମାନେ ଆମ୍ବ ଟାକୁଆ ଖାଇ ଝାଡ଼ା ବାନ୍ତିରେ ମୃତ୍ୟୁବରଣ କରୁଛନ୍ତି । ଆଦିବାସୀଙ୍କ ଜୀବନ ଜୀବିକା, ସଭ୍ୟତା, ସଂସ୍କୃତି ନଜାଣି ସେମାନଙ୍କ ବିଷୟରେ ଏପରି ମତ ଦେବା ଠିକ୍ କି? ଏଠାରେ ସୂଚନା ଯୋଗ୍ୟ ଯେ, ଆଦିବାସୀମାନେ ପରମ୍ପରାଗତ ଭାବେ ବିଭିନ୍ନ ପ୍ରକାର ଅଣଚାଷ ଖାଦ୍ୟ ଖାଇ ଆସୁଛନ୍ତି ଓ ତାହା ସେମାନଙ୍କର ଖାଦ୍ୟ ବ୍ୟବସ୍ଥାର ଏକ ପ୍ରମୂଖ ଅଂଶ ।

ଯେତେବେଳେ ବି କାଶିପୁର ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ହଇଜା ଓ ଝାଡ଼ାବାନ୍ତିର କଥା ଆସେ ସେତେବେଳେ ଆଦିବାସୀମାନଙ୍କର ଖାଦ୍ୟ ଅଭ୍ୟାସ କଥା ହିଁ ଚର୍ଚ୍ଚାକୁ ଆସିଥାଏ । କିନ୍ତୁ ଅତ୍ୟନ୍ତ ଚତୁରତାର ସହିତ ମୌଳିକ ସୁବିଧା ସୁଯୋଗର ଆଲୋଚନାକୁ ଏଡ଼ାଇ ଦିଆଯାଏ । ଆଜି ଯେତେବେଳେ କାଶିପୁର ହଇଜା ପାଇଁ ସାରା ରାଜ୍ୟରେ ଚର୍ଚ୍ଚିତ ହେଉଛି, ସେତେବେଳେ ଦେଖିବାକୁ ମିଳୁଛି ଯେ କାଶିପୁରର ଏକାଧିକ ଗାଁ’ରେ ଏବେ ବି ସ୍ୱଚ୍ଛ ପାନୀୟ ଜଳର ସୁବିଧା ନାହିଁ । ସେହି
ଅଞ୍ଚଳର ଡାକ୍ତରଖାନା ମାନଙ୍କରେ ସ୍ୱାସ୍ଥ୍ୟ ସେବାର ମୌଳିକ ସୁବିଧା ବି ନାହିଁ । ଡାକ୍ତରଖାନାର କୋଠା ତ ଅଛି, କିନ୍ତୁ ସେଠାରେ ଡାକ୍ତର ନାହାଁନ୍ତି । ରୋଗୀଙ୍କ ପାଇଁ ଶଯ୍ୟା ନାହିଁ । ଡାକ୍ତରଖାନାର ପରିସର ପରିଷ୍କାର ପରିଚ୍ଛନ୍ନତା ଦୃଷ୍ଟିରୁ ଅତ୍ୟନ୍ତ ଖରାପ ପରିସ୍ଥିତିରେ ଅଛି । ଫଳରେ ଲୋକମାନେ ଝାଡ଼ା ବାନ୍ତିର ଶିକାର ହେବା ପରେ ଡାକ୍ତରଖାନାକୁ ଯିବା ପରେ ଉପଯୁକ୍ତ ଚିକିତ୍ସା ପାଉନାହାନ୍ତି ।

one-more-death-in-diarrhoea-in-kashipur

କାଶିପୁର ବ୍ଲକର ଟିକିରି ଗାଁ’ର ଗୋଟେ ପଡ଼ା ଟିକିରି ଝୋଡ଼ିଆ ସାହିରେ ଅଞ୍ଜା ଝୋଡ଼ିଆ ଜୁଲାଇ ପନ୍ଦର ତାରିଖରେ ଝାଡ଼ା ବାନ୍ତିର ଶିକାର ହୋଇ ମୃତ୍ୟୁବରଣ କଲେ । ମୃତ୍ୟୁର ପୂର୍ବ ଦିନ ତାଙ୍କୁ ଉଷାପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା ଓ ସେହି ଦିନ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ପର ଦିନ ତାଙ୍କର ଝାଡ଼ା ବାନ୍ତି ଲାଗିରହିଲା ଓ ସେ ମୃତ୍ୟୁବରଣ କଲେ । ଯଦିଓ ସେହି ଗାଁ’କୁ ଏକ ନଳକୂପରୁ ପାଇପ ମାଧ୍ୟମରେ ପାଣି ଯୋଗାଇବାର ବ୍ୟବସ୍ଥା ଅଛି, କିନ୍ତୁ ବର୍ଷା ଦିନେ ଅଧିକାଂଶ ସମୟ ସୋଲାର କାମ କରୁନଥିବାରୁ ପାଇପ୍‌ରେ ପାଣି ଆସିନଥାଏ । ଟିକିରି କଲୋନୀ ସାହିର ସରୋଜିନୀ ଝୋଡ଼ିଆ ଓ ରଜନୀ ଝୋଡ଼ିଆ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଜୁଲାଇ ପନ୍ଦର ତାରିଖରେ ମୃତ୍ୟୁବରଣ କଲେ । ଟିକିରି କୋରାପୁଟ ସାହିର ଧୋବା ମାଝି ଜୁଲାଇ ୧୨ ତାରିଖରେ ଝାଡ଼ାବାନ୍ତିର ଶିକାର ହୋଇ ଉଷାପଡ଼ା ଡାକ୍ତରଖାନାକୁ ଗଲେ ଓ ୧୩ ତାରିଖରେ ଘରକୁ ଫେରିଲେ । କିନ୍ତୁ ତାଙ୍କର ଝାଡ଼ା ବାନ୍ତି କମିଲା ନାହିଁ ଓ ସେ ଜୁଲାଇ ୧୪ ତାରିଖରେ ମୃତ୍ୟୁବରଣ କଲେ । ଯଦିଓ ଗାଁ’କୁ ପାନୀୟ ଜଳର ଯୋଗାଣ ବ୍ୟବସ୍ଥା ଅଛି କିନ୍ତୁ ସେହି ପାନୀୟ ଜଳର ଉତ୍ସ ପ୍ରଦ୍ୟୁଷିତ ବୋଲି ଗାଁ’ର ଲୋକମାନେ ଅଭିଯୋଗ କରନ୍ତି ।

ଡୁଡୁକାବାହାଲ ଗ୍ରାମର ସବିତା ମାଝି ବି ସେହିପରି ଝାଡ଼ା ବାନ୍ତିର ଶିକାର ହୋଇ ଡାକ୍ତରଖାନାକୁ ଯିବା ପରେ ସେଠାରୁ ଚିକିତ୍ସା ପାଇ ଫେରିବା ପରେ ମୃତ୍ୟୁବରଣ
କରିଥିଲେ । ଡୁଡୁକାବାହାଲ ଗାଁ’ରେ ଉଭୟ ପାଇପ୍ ପାଣି ଯୋଗାଣ ଓ ନଳକୂପ ଥିଲେ ମଧ୍ୟ, ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ଉତ୍ସରୁ ପାଇପ୍ ପାଣି ଯୋଗାଣ ହେଉଛି, ସେଠାରେ ବିଭି୍‌ନ୍ନ ପ୍ରକାର ଆବର୍ଜ୍ଜନା ମିଶି ତାହା ପ୍ରଦ୍ୟୁଷିତ ହେଉଛି । ଅନେକ ସ୍ଥାନରେ ପାଇପ୍ ଫାଟି ମଧ୍ୟ ପାଣି ପ୍ରଦ୍ୟୁଷିତ ହେଉଛି ଓ ଲୋକମାନେ ସେହି ପ୍ରଦ୍ୟୁଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ସବୁ ଗାଁ ଗୁଡ଼ିକ ହେଉଛି ଟିକିରିରେ ଥିବା ଉତ୍କଳ ଆଲୁମିନା କଂପାନୀର ପାଖାପାଖି ଗାଁ । ନିକଟସ୍ଥ ଉଷାପଡ଼ା ଡାକ୍ତରଖାନାଟି ବି ହେଉଛି କଂପାନୀର ଡାକ୍ତରଖାନା । ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ପ୍ରଥମେ ଡାକ୍ତରଖାନାକୁ ଯାଇ ସେଠୁ ଫେରିବା ପରେ ହିଁ ମୃତ୍ୟୁବରଣ କରିଛନ୍ତି । ତାହେଲେ ପ୍ରଶ୍ନ ଉଠୁଛି, କଂପାନୀ ତିଆରି କରିଥିବା ଉଷାପଡ଼ା ଡାକ୍ତରଖାନା ଝାଡ଼ା ବାନ୍ତି ପରି ରୋଗକୁ ଚିକିତ୍ସା କରିବା ପାଇଁ କଣ ଯଥେଷ୍ଟ ସକ୍ଷମ ନୁହେଁ । ଯଦି ଲୋକମାନଙ୍କର ଝାଡ଼ା ବାନ୍ତି ଭଲ ହୋଇନଥିଲା ତାହେଲେ ସେମାନଙ୍କୁ ଡାକ୍ତରଖାନାରୁ ଘରକୁ ପଠାଇ ଦିଆଗଲା କାହିଁକି? ସେଠାରେ ଥିବା ଡାକ୍ତରମାନେ କଣ ଲୋକମାନଙ୍କର ରୋଗର ପରିସ୍ଥିତିକୁ ଠିକ୍ ଭାବେ ଆକଳନ କରିପାରିଲେ ନାହିଁ?

ସରକାରଙ୍କ ତରଫରୁ କୁହାଯାଉଛି ଉଷାପଡ଼ା ଡାକ୍ତରଖାନା ଏକ ପଚାଶ ଶଯ୍ୟା ବିଶିଷ୍ଟ ଉନ୍ନତ ମାନର ଡାକ୍ତରଖାନା । ତାହେଲେ ବିପଦରେ ଥିବା ରୋଗୀମାନଙ୍କୁ ସେଠାରେ ନରଖି ଘରକୁ ପଠାଇ ଦିଆଯାଉଥିଲା କାହିଁକି? ସେମାନଙ୍କ ଚିକିତ୍ସା ପୂର୍ଣ୍ଣ ହେବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଥିଲା ନା କେବଳ ଦେବତା ଋଣ ସୁଝିବା ଲାଗି ରୋଗୀମାନଙ୍କୁ ସମାନ୍ୟ ଟିକିଏ ଚିକିତ୍ସା ଯୋଗାଇ ଡାକ୍ତରଖାନା ନିଜ ଦାୟିତ୍ୱ ସାରି ଦେଉଥିଲା! ଆଜି ଯେତେବେଳେ କୁହାଯାଉଛି, କଂପାନୀ ହେଲେ ଲୋକମାନଙ୍କର ବିକାଶ ହେବ ଓ କଂପାନୀ ନିଜ ପାରିପାଶ୍ୱର୍ିକ ଗାଁ’ ମାନଙ୍କର ବିକାଶର ଦାୟିତ୍ୱ ନେଉଛି ଓ ନେବ, ସେତେବେଳେ ଟିକିରିର ହଇଜା ମୃତ୍ୟୁ ଆମ ଆଗରେ ଏକ ନଗ୍ନ ସତ୍ୟକୁ ତୋଳି ଧରୁଛି । ପାରିପାଶ୍ୱିର୍କ ବିକାଶ ନାଁ’ରେ କଂପାନୀ କିପରି ସ୍ୱାସ୍ଥ୍ୟ ସେବା ଯୋଗାଉଛି ତାହା ଆମେ ଏକାଧିକ ହଇଜା ମୃତ୍ୟୁରୁ ସୂଚନା ପାଉଛେ । ଏହି ଘଟଣା ପରେ ଆମ ସରକାର ଓ କଂପାନୀ ସପକ୍ଷବାଦୀ ବୁଦ୍ଧିଜୀବିମାନଙ୍କର ଚେତା ପଶିବ କି? ଲୋକମାନଙ୍କୁ ନିଜ ଭିଟାମାଟିରୁ ଉଚ୍ଛେଦ କରି ଥରେ କଂପାନୀ ପ୍ରତିଷ୍ଠିତ ହୋଇଗଲେ, ତା’ପରେ କଂପାନୀର ଲୋକମାନଙ୍କ ପ୍ରତି ବ୍ୟବହାର “କାଶିଆ କିଏ ନା କପିଳା କିଏ” ପରି ହୋଇଯାଉଛି ବୋଲି ଆଉ ବୁଝିବାରେ ବାକି ନାହିଁ ।

Rain Water Enters In Sonepur District Head Quarters Hospital

ଏତଦ୍‌ବ୍ୟତୀତ ଆମେ ଦେଖୁଛେ ଯେ, ହଇଜା ବ୍ୟାପିଥିବା କାଶିପୁରର ଗାଁ’ ଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳର ଘୋର ଅଭାବ ରହିଛି । ଯଦି ବି ପାଇପ୍ ପାଣି ଯୋଗାଣ ବ୍ୟବସ୍ଥା ଅଛି, ତାହା ପ୍ରଦ୍ୟୁଷଣ ମୁକ୍ତ ନୁହେଁ । ଯେଉଁଠି ନଳକୂପ ଅଛି, ତାହାର ଚାରିପଟ ଭୀଷଣ ଆବର୍ଜ୍ଜନା ଜମା ହୋଇ ଭୂତଳ ଜଳ ପ୍ରଦ୍ୟୁଷିତ ହେଉଛି । ଫଳରେ ଗୋଟିଏ ପରେ ଗୋଟିଏ ଗାଁ’କୁ ହଇଜା ବ୍ୟାପିବାରେ ଲାଗୁଛି । ତୃଣମୂଳ ସ୍ତରରୁ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ଶଙ୍କରଡ଼ା ପଞ୍ଚାୟତର
ଗୋବରଘାଟି ଗାଁ’ରେ ଥିବା ନଳକୂପର ଚାରିପଟେ ପଟେ ପ୍ରଚୁର ଆବର୍ଜ୍ଜନା ଥାଇ ପାଣି ଜମା ହୋଇରହିଛି । ସେହି ନଳକୂପରୁ ପାଣି ପିଇଲେ ସେଥିରୁ ଗନ୍ଧ ବାହାରୁଛି । ସେହି ପଞ୍ଚାୟତର ମିନାଦୁର୍ଗା ଗାଁ’ରେ ଆଦୌ ବି ନଳକୂପ ନାହିଁ । ଲୋକମାନେ ଝରଣାର ଗୋଳିଆ ପାଣି ପିଉଛନ୍ତି ।

କାରିଣୀପାଈ ଗାଁ’ରେ ଥିବା ଏକମାତ୍ର ନଳକୂପ ଚାରିପଟେ ଏବେ ବି ଅପରିଷ୍କାର ପାଣି ଜମି ରହିଛି । ସେଠାରେ ଡ୍ରେନ୍‌ର କୌଣସି ସୁବିଧା ନାହିଁ । ସିରିପାଇ ପଞ୍ଚାୟତର କଳାକାନି ଗାଁ’ରେ ନଳକୂପ ନାହିଁ । ସେଠାକୁ ସ୍ୱଜଳ ଧାରା ଯୋଜନାରେ ପାନୀୟ ଜଳ ଯୋଗେଇ ଦିଆଯାଉଛି । କିନ୍ତୁ ପାଣିର ଉତ୍ସଟି ଖୋଲା ଅଛି । ତା ଉପରେ ଢ଼ାଙ୍କୁଣୀ ନାହିଁ । ଫଳରେ ବିଭିନ୍ନ ପ୍ରକାର ଅଳିଆ ଆବର୍ଜ୍ଜନା ପଡ଼ି ତାହା ପାଣିକୁ ପ୍ରଦ୍ୟୁଷିତ କରୁଛି । ସୁଙ୍ଗେର ପଞ୍ଚାୟତର ଧାମଣଘାଟି ଗାଁ’ର ଗୋଟିଏ ନଳକୂପ ଅଛି ଓ ସେଇଟି ଅଚଳ ଅବସ୍ଥାରେ ଅଛି । ଲୋକମାନେ ବ୍ଲକ୍ ପ୍ରଶାସନକୁ ଏକାଧିକ ଥର ଅଭିଯୋଗ କରିଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ । ବାଧ୍ୟ ହୋଇ ଲୋକମାନେ ନଦୀ ଓ ଝରଣାର ପାଣି ପିଉଛନ୍ତି ।

ସମ୍ପ୍ରତି କାଶିପୁରର ହଇଜା ମୃତ୍ୟୁ ପୁଣି ଥରେ ପ୍ରମାଣ କରିଦେଲା, ଗୋଟିଏ ପଟେ ଆମେ ବିକାଶର ବାହାସ୍ଫୋଟ ମାରୁଥିବା ବେଳେ ଏବେ ବି ସାଧାରଣ ଲୋକଙ୍କ ପାଖରେ ସ୍ୱଚ୍ଛ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ପରି ମୌଳିକ ସୁବିଧା ଉପଲବ୍‌ଧ ନାହିଁ । ସରକାର ପ୍ରଥମେ ଏହି ସବୁ ମୌଳିକ ସୁବିଧା ସୁଯୋଗକୁ ଲୋକଙ୍କ ପାଖରେ ପହଞ୍ଚେଇବାର ସଫଳ ବ୍ୟବସ୍ଥା କରିବା ପାଇଁ ଦାୟିତ୍ୱବାନ ହେବେ କି?

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

ମୋ- ୯୪୩୮୪୬୮୪୭୪

Comments are closed.