ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ରାମ , ଲକ୍ଷ୍ମଣଙ୍କୁ ମୂର୍ଚ୍ଛିତ ଦେଖି କ୍ରୋଧରେ ଜର୍ଜରିତ ଜାମ୍ବବାନ ମେଘନାଦକୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ। ମେଘନାଦ, ଜାମ୍ବବାନଙ୍କୁ ତ୍ରିଶୂଳରେ ଆଘାତ କରିବାକୁ ଆସିଲା। ବଳବାନ ଜାମ୍ବବାନ ତା’ ହାତରୁ ତ୍ରିଶୂଳ ଛଡ଼ାଇ ନେଇ ତା’ ଛାତିକୁ ଏକ ଶକ୍ତ ଆଘାତ ଦେଲେ। ଭୂମିରେ ପଡ଼ି ଯାଇଥିବା ମେଘନାଦକୁ ଉଠାଇ ବୁଲାଇ ବୁଲାଇ ରାବଣର ପ୍ରାସାଦ ମଧ୍ୟକୁ ନିକ୍ଷେପ କଲେ।
ଦେବର୍ଷି ନାରଦ ନାଗଫାଶର ଖଣ୍ଡନ ପାଇଁ ପକ୍ଷୀରାଜ ଗରୁଡ଼ଙ୍କୁ ଆବାହନ କଲେ। ତୀକ୍ଷ୍ଣ ଚଂଚୁ ଦ୍ୱାରା ସେ ଅଚିରେ ନାଗଫାଶ କାଟିଦେଲେ। ରାମ ଓ ଲକ୍ଷ୍ମଣଙ୍କୁ ସୁରକ୍ଷିତ ଦେଖି ରାମଙ୍କର ସେନା ଅପୂର୍ବ ଉତ୍ସାହର ସହିତ ପୁନଶ୍ଚ ରଣଭୂମିରେ ଉପସ୍ଥିତ ହେଲେ।
ସୁଲୋଚନା ଏକନିଷ୍ଠା ଭାବରେ ସ୍ୱାମୀଙ୍କର ବିଜୟ ନିମିତ୍ତ ବିଷ୍ଣୁଙ୍କର ଉପାସନା କରୁଥାଆନ୍ତି। ମନ୍ଦୋଦରୀ ସ୍ଵୟଂ ସୁଲୋଚନାଙ୍କର ଵ୍ରତର ସୁରକ୍ଷା ଦାୟିତ୍ବ ନିଜେ ନେଇଥାନ୍ତି।
ବ୍ୟସ୍ତ ଓ ବିବ୍ରତ ଭାବରେ ବିଭୀଷଣ ଶ୍ରୀରାମଙ୍କୁ କହିଲେ, ” ପ୍ରଭୁ ! ଇନ୍ଦ୍ରଜିତ ଅନୁଭବ କରି ସାରିଛି ଆପଣଙ୍କୁ ଯୁଦ୍ଧରେ ପରାଜିତ କରିବା ଏତେ ସହଜ ନୁହେଁ। ନିକୁମ୍ଭିଳା ଦେବୀଙ୍କ ନିକଟରେ ସେ ଯଜ୍ଞ ଆରମ୍ଭ କରିସାରିଛି। ସେଥିରେ ଯଦି ସଫଳ ହୁଏ ତେବେ ସେ ଅମର ହୋଇଯିବ।”
ସ୍ମିତହାସ୍ୟ ଦେଇ ଶ୍ରୀରାମ କହିଲେ, ” ଅମର କିପରି ! ”
“ସେହି ଯଜ୍ଞରୁ ଏକ ଦିବ୍ୟ ରଥ ପ୍ରକଟ ହେବ ଏବଂ ସେହି ରଥ ଉପରେ ବସି ଯୁଦ୍ଧ କଲେ ମେଘନାଦ ଅଜେୟ ହୋଇଯିବ। ତେଣୁ ତୁରନ୍ତ ଯଜ୍ଞକୁ ନଷ୍ଟ କରିବାକୁ ହେବ। ”
ଶ୍ରୀରାମ କହିଲେ, ” ଅନୁଜ ଲକ୍ଷ୍ମଣଙ୍କ ସହିତ ସମସ୍ତେ ଯାଆନ୍ତୁ ଓ ଯଜ୍ଞ ନଷ୍ଟ କରନ୍ତୁ। ହଁ , ଲକ୍ଷ୍ମଣ ତୁମେ ଆଜି ମେଘନାଦ ସହ ଯୁଦ୍ଧ କରିବ। ”
ବିଭୀଷଣ ଚିନ୍ତା ପ୍ରକାଶ କରି କହିଲେ, ” ଯଜ୍ଞ ଯଦିଓ ନଷ୍ଟ ହୋଇଯିବ କିନ୍ତୁ ମେଘନାଦର ବଧ!!! କିପରି ଓ କାହା ଦ୍ୱାରା ସମ୍ଭବ ହେବ !!”
ହନୁମାନ କହିଲେ, ” କାହିଁକି ? ଭ୍ରାତା ଲକ୍ଷ୍ମଣଙ୍କ ହସ୍ତରେ ମେଘନାଦ ବଧ ହେବ । ତାଙ୍କ ବୀରତ୍ୱ ଉପରେ ଆପଣଙ୍କର ସଂଶୟ ଅଛି କି ? ”
କ୍ରମଶଃ…..
Comments are closed.