Latest Odisha News

BREAKING NEWS

ଭାଷା ଭାଗବତ : ଭାଷାଂତର, ସ୍ତରାଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୦ 

ତତ୍‌ସମ ଶବ୍ଦଭରା ଭାଷା
ଉପରେ ନ କଲେ ଭରସା
କରିପାରିବା ଭାଷାଂତର
ଲାଗିବ ଏକାଂତ ନିଜର

ଗୋଟେ ଭାଷାର ଦୁଇ ସ୍ତର
ମଧ୍ୟରେ ପାତର ଅଂତର
କିପରି ହୁଏ ହାନିକର
ପ୍ରସଂଗ କରିବା ବିଚାର
*

ମସ୍ତକ ମଧ୍ୟସ୍ଥିତ ମନ
ସଂଚୟ କରେ ସର୍ବଜ୍ଞାନ
କି
ମୁଂଡ ଭିତରେ ଥାଇ ମନ
ସାଇତି ରଖେ ସବୁ ଜ୍ଞାନ
*
ଦର୍ଶାଏ ସ୍ପୃହଣୀୟ ମାର୍ଗ
ପ୍ରାପ୍ତି ନିମଂତେ ଶାଂତି ସ୍ବର୍ଗ
କି
ଦେଖାଏ ଠିକ୍‌ ଚଲାବାଟ
ଯିବାକୁ ସ୍ବର୍ଗର ନିକଟ
*
ସୁସ୍ପଷ୍ଟ କେମଂତ ଲିଖନ
ସ୍ଥିର କରଂତୁ ଭାଷୀଗଣ
କି
କେମିତି ଲେଖିବା ସହଜ
ଭାଷୀଏ ଖଟାଂତୁ ମଗଜ
*
ରଚନାକାରୀ ଲୋକଚ୍ୟୁତ
ସାହିତ୍ଯ ହୁଏ ଅଗୃହୀତ
କି
ଲେଖକମାନେ ଲୋକଛଡ଼ା
ହେବା ସାହିତ୍ୟ ନାହିଁ ଲୋଡ଼ା
*
ସ୍ବକୀୟ କୃତିତ୍ୱର ଫଳ
ନିମଂତେ ଦାୟୀ କବିକୁଳ
କି
ନିଜ ଲେଖାଲେଖିର ଫଳ
ପାଇଁ ତ ଦାୟୀ କବିଦଳ
*
ପୁଷ୍ପୋଦ୍ୟାନରେ ପର୍ଯଟନ
ଉତ୍‌ଫୁଲ୍ଲ କରେ ତନୁ, ମନ
କି
ଫୁଲ ବଗିଚା ଯାଇ ବୁଲି
ଶରୀର, ମନ ଖୁସି କଲି
*
ପ୍ରୟାସରତ ନରନାରୀ
ହୁଅଂତି ବିତ୍ତ ଅଧିକାରୀ
କି
ଚେଷ୍ଟିତ ହୋଇ ନରନାରୀ
ପାରଂତି ଉପାର୍ଜନ କରି
*
ଉଚ୍ଛିଷ୍ଟଭୋଜୀ ଦୁଃସ୍ଥ ଜନ
ଭୋଗଂତି ଅଜସ୍ର କଷଣ
କି
ଅଇଁଠା ଖାଇ ବହୁ ଲୋକ
ଆଜୀବନ ପାଆଂତି ଦୁଃଖ
*
ଏକ ଭାଷାର ବହୁ ରୂପ
ଯୋଗୁଁ ଜଟିଳ ଶବ୍ଦ ସ୍ତୂପ
ଦେଖାଇ ଚାଲିଲେ ପ୍ରକୋପ
ଭାଷାଟେ ପାଇଯାଏ ଲୋପ

 

Leave A Reply

Your email address will not be published.