Latest Odisha News

BREAKING NEWS

ଭାଷା ଭାଗବତ : ବଚନ ଉଚ୍ଚାରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୩

ପ୍ରଥମେ ତୁଂଡର ବଚନ
ତା ପରେ ଲିପିରେ ଲିଖନ
ପ୍ରକାର ହେଲେ ସୁଦ୍ଧା ଭିନ୍ନ
ବଦଳେନାହିଁ ଉଚ୍ଚାରଣ

ଗୁନ୍‌ଜନ, ଗୁଞ୍ଜନ, ଗୁଂଜନ
ଯେମିତି କଲେ ବି ଲିଖନ
କହିଲେ ଶୁଭିବ ଗୁନ୍‌ଜନ
ନିଜେ ପରଖି ଥରେ ଶୁଣ

ଞ ବର୍ଣ ସତେ ଅଟେ କ’ଣ
କିପରି କରୁଁ ଉଚ୍ଚାରଣ
ନିଜେ କହି ଓ ନିଜେ ଶୁଣି
ପାରିବା ଧ୍ବନିତତ୍ତ୍ବ ଜାଣି

ଯାହା ବି ଭଲଭାବେ ଜାଣ
ତା ପାଇଁ ଖୋଜିଲେ ପ୍ରମାଣ
କେବେ କେଉଁଠି ମିଳେନାହିଁ
ଅଯଥା ଖୋଜିବ କିପାଇଁ ?

ସ୍ବାନୁଭୂତି ହିଁ ଶୁଦ୍ଧ ଜ୍ଞାନ
ଅମିଶ୍ରିତ ଓ ଅର୍ଥପୂର୍ଣ
ନିଜକୁ କରିଲେ ଭରସା
ପୂରଣ ହୁଏ ଯେତେ ଆଶା

ଦଶ ଜଣଂକ ଶହେ କଥା
ଶୁଣିଲେ ଯଦି ଘୂରେ ମଥା
ନିଜକୁ ନିଜେ ନେଲେ ମାନି
ପାରିବା ବାସ୍ତବତା ଚିହ୍ନି

ବାସ୍ତବତା ସହିତ ଯୁକ୍ତ
ହୋଇ, କଲେ ମନକୁ ମୁକ୍ତ
ମନରେ ଜନ୍ମ ନେବ ଜ୍ଞାନ
କରିବା ତାହାକୁ ଗ୍ରହଣ

 

Leave A Reply

Your email address will not be published.