ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ନନ୍ଦନକାନନ ଯାଇଥିଲେ ସେମାନେ ସେଦିନ। ନବବିବାହିତ ଦମ୍ପତି। ବାହାଘର ପରେ ପ୍ରଥମ ଥର ପାଇଁ ଗାଁରୁ ଆସିଛନ୍ତି ସେମାନେ ଏକାଠି ରହିବା ପାଇଁ ଭୁବନେଶ୍ୱରରେ। ଆଉ ସପ୍ତାହାନ୍ତ ଥିବାରୁ ବୁଲି ଆସିଛନ୍ତି ନନ୍ଦନକାନନ। ନବଦମ୍ପତିଙ୍କ ପାଇଁ ହୁଏତ ଏଇଟା ପ୍ରକୃଷ୍ଠ ସ୍ଥାନ ନହୋଇପାରେ, କିନ୍ତୁ ପାଖରେ ଥିବା ବଟାନିକାଲ ଗାର୍ଡେନ କିଛି ମାତ୍ରାରେ ନିରୋଳାରେ ସମୟ ଅତିବାହିତ ପାଇଁ ସୁଯୋଗ ଦିଏ। ତେବେ ସେଦିନ ଅଶୋକ ଓ ଅନନ୍ୟା ବଟାନିକାଲ ଗାର୍ଡେନ ଯାଇନଥିଲେ। ଏମିତି ହିଁ ହାତରେ ହାତ ଛନ୍ଦି ବୁଲୁଥିଲେ ଗୋଟିଏ ପରେ ଗୋଟିଏ ଖୁଆଡ଼। କେଉଁଠି ଚିତାବାଘ ତ ଆଉ କେଉଁଠି ଥିଲା ବଣଭୁଆ। କେଉଁଠି ହରିଣ ପୁଣି କେଉଁଠି ଜଙ୍ଘିଭାଲୁ, ଭାଲୁ ଆଉ କୁଟୁରା। ସେମାନେ ହାତୀ ବି ଦେଖିଲେ ନନ୍ଦନକାନନରେ। କିନ୍ତୁ ଯେତେବେଳେ ସେମାନେ ମହାବଳ ବାଘର ଖୁଆଡ଼ ପାଖରେ ପହଞ୍ଚିଲେ ହଠାତ୍ ଗମ୍ଭୀର ହୋଇଗଲା ଅଶୋକର ମୁହଁ। ସେ କିଛି କହିଲା ନାହିଁ। ବିଲକୁଲ୍ ଚୁପଚାପ୍। ଏତିକି ବେଳେ ଅଶୋକର ଚେହେରା ଦେଖି ଠୋ ଠୋ ହୋଇ ହସିଉଠିଲା ଅନନ୍ୟା। ଏତେ ଜୋରରେ ହସିଲା ଯେ, ଆଖ ପାଖରେ ବୁଲୁଥିବା ପର୍ଯ୍ୟଟକମାନେ ବି ସେମାନଙ୍କ ଆଡ଼କୁ ବଲ ବଲ ହୋଇ ଅନାଇଥାନ୍ତି। ଅଶୋକ ଚାରିଆଡ଼କୁ ନଜର ବୁଲାଇ ଆଣିଲା। ତା ପରେ ଅନନ୍ୟାକୁ ଦେଖି କହିଲା, ଏମିତି କଣ ହୋଇଗଲା ଯେ, ତମେ ଏତେ ଜୋରରେ ହସୁଛ? ଅନନ୍ୟା କହିଲା, ଜାଣିଛ .. ଯେଉଁଦିନ ତମେ ବରଯାତ୍ରୀ ନେଇ ଆମ ଘରକୁ ଆସିଥିଲ ଆମ ବାହାଘର ପାଇଁ, ସେଦିନ ବି ତମ ସମସ୍ତଙ୍କ ଚେହେରା ଏମିତି ହିଁ ଥିଲା। ମତେ ଲାଗୁଥିଲା ଯେମିତି ତମେ ବରଯାତ୍ରୀରେ ନୁହଁ, ବରଂ ଡରି ଡରି କେଉଁ ବାଘ କିମ୍ବା ସିଂହର ଗୁମ୍ଫା ଭିତରେ ପଶୁଥିଲ। ଏଇତକ କଥା ଶୁଣିଲା ପରେ ଉଭୟେ ଜୋରରେ ହସି ଉଠିଲେ।
ଏଇ ପନ୍ଦର ଦିନ ତଳେ ହୋଇଥିବା ବାହାଘର ଦିନର କଥା ମନେ ପଡ଼ିଗଲା ଅଶୋକର। ତା ବାହାଘର ବି ଥିଲା ଏକ ଅଷ୍ଟମାଶ୍ଚର୍ଯ୍ୟ। କାରଣ ଭୁବନେଶ୍ୱରର ଏକ ସଫ୍ଟୱେୟାର କମ୍ପାନିରେ କାମ କଲାବେଳେ ଅନନ୍ୟା ସହିତ ତା ପରିଚୟ ହୋଇଥିଲା। ସହକର୍ମୀରୁ ସମ୍ପର୍କ ଧୀରେ ଧୀରେ ଏତେ ନିବିଡ଼ ହେଲା ଯେ, ଶେଷରେ ଅନନ୍ୟାକୁ ସହଧର୍ମିଣୀ କରିବାକୁ ସ୍ଥିର କରିନେଲା ଅଶୋକ। ପରସ୍ପର ପ୍ରେମ ବନ୍ଧନରେ ଆବଦ୍ଧ। ନିବିଡ଼ ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ଯେତେବେଳେ ସେମାନେ ସ୍ଥିର କଲେ, ସେତେବେଳେ ଚିନ୍ତା ପଡ଼ିଲା ବାହାଘର କେଉଁଠି ହେବ। କାରଣ ଅଶୋକର ଘର ଜଗତସିଂହପୁର ଜିଲ୍ଲାର ଗୋଟିଏ ମଫସଲ ଗାଁରେ। ଆଉ ଅନନ୍ୟା ଅଣଓଡ଼ିଆ ଝିଅ। ଘର ହରିୟାଣାର ରୋହତକ ଉପକଣ୍ଠରେ ଥିବା ଏକ ଗାଁ କିଷନପୁରରେ। ଯେଉଁଠି ଖାପ୍ ପଞ୍ଚାୟତ। ହରିୟାଣାର ଗାଁ ଲୋକେ ଯାହା ଥରେ ସ୍ଥିର କରିବେ, ସେଇଆ ହିଁ ହେବ। ସ୍ୱୟଂ ଭଗବାନ ବି ସେମାନଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇପାରିବେ ନାହିଁ। ସମ୍ପୂର୍ଣ୍ଣ କଟ୍ଟରପନ୍ଥୀ ସେମାନେ। କଥା କଥାରେ ଗୁଳି ଫୁଟେ। ଠେଙ୍ଗାମାଡ଼ ହୁଏ। ତା ସାଙ୍ଗକୁ ହୁଏ ଅନର କିଲିଂ (ସମ୍ମାନ ପାଇଁ ହତ୍ୟା)। ବିଶେଷକରି ହରିୟାଣାର ଗ୍ରାମାଞ୍ଚଳରେ ଲୋକମାନେ ଏତେ ଜିଦ୍ ଖୋର ଏବଂ ରୁଢ଼ିବାଦୀ ଯେ, ସେଇଠି ବାହାର ରାଜ୍ୟ ବା ଅନ୍ୟ ଭାଷାଭାଷୀ ତ ଦୂରର କଥା, ଝିଅଟିଏ ଅନ୍ୟ ଜାତିରେ ଯଦି ବାହା ହୋଇଗଲା, ତାହେଲେ କଥା ସରିଲା। ସେଭଳି ସ୍ଥଳେ କାହିଁ ଜଗତସିଂହପୁରର ପୁଅ, ଆଉ କାହିଁ ହରିୟାଣାର ଝିଅ। ସତେ ଯେମିତି ପୂର୍ବ ପଶ୍ଚିମକୁ ହାତ ଧରି କିଏ ଟାଣି ଆଣିଛି ଗୋଟିଏ ଜାଗାରେ ଏକାଠି କରିବା ପାଇଁ।
ତଥାପି ଅନନ୍ୟାର ଜିଦ୍, ଅଶୋକର ଦୃଢ଼ତା ଉଭୟଙ୍କୁ ଏମିତି ଏକ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଛି। ସେଦିନ ଅଶୋକ ସାଙ୍ଗରେ ତା ଗାଁରୁ ଜଣେ ଦୁଇ ଜଣ ବୟସ୍କ ଲୋକଙ୍କ ସହିତ ଦିଲ୍ଲୀରୁ ସମ୍ବିତ୍, ଶଶାଙ୍କ ଏବଂ ତା ଅଫିସରୁ ଆଉ ଚାରି ପାଞ୍ଚ ଜଣ ସହକର୍ମୀ ବରଯାତ୍ରୀ ଭାବରେ ଯାଇଥିଲେ ହରିୟାଣା। ମାତ୍ର ବାର ଜଣ ବରଯାତ୍ରୀ ବୋଧହୁଏ କରୋନା କାଳରେ ବି କେଉଁଠିକୁ ଯାଇନଥିବେ। ଏମାନେ ଯାଇ କିଷନପୁରରେ ପହଞ୍ଚିବା ପୂର୍ବରୁ ଲାଗୁଥିଲା ଯେମିତି ଏକ ବିରାଟ କଳାହାଣ୍ଡିଆ ମେଘ ଏ ସମସ୍ତଙ୍କ ମୁହଁକୁ ଢାଙ୍କି ଦେଇଛି। ଅଶୋକ ସମେତ ସମସ୍ତଙ୍କ ଚେହେରା ଗମ୍ଭୀର। ସମସ୍ତଙ୍କ ଛାତି ଧଡ଼ ଧଡ଼। ମନରେ କେବଳ ଗୋଟିଏ ଚିନ୍ତା, କେହି କିଛି କରିବେନି ତ? ଯଦି ଏମାନଙ୍କ ଉପରେ ଆକ୍ରମଣ ହୁଏ, ତାହେଲେ କଣ ହେବ? ଏମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ମିଳିବ ତ? ବରଯାତ୍ରୀ ଭାବେ ଓଡ଼ିଶାରୁ ଆସିଥିବା ଏହି ଲୋକମାନଙ୍କୁ ସେମାନେ ଗ୍ରହଣ କରିବେ ତ? ଯଦି ଖାପ୍ ପଞ୍ଚାୟତ ବସି ଏମିତି କିଛି ଜଟିଳ ନିଷ୍ପତ୍ତି ନିଅନ୍ତି, ତାହେଲେ ଏମାନଙ୍କ ଅବସ୍ଥା କଣ ହେବ? ଏମିତି ଅନେକ କଥା ଭାବି ଭାବି ସେମାନେ ଯେତେବେଳେ କିଷନପୁରରେ ପହଞ୍ଚିଲେ, ଚିତ୍ର ଥିଲା କିଛି ଓଲଟା। ଏମାନଙ୍କ ସ୍ୱାଗତ ପାଇଁ ଅପେକ୍ଷା କରି ରହିଥିଲା ପୂରା ଗାଁ। ବୟସ୍କଲୋକମାନେ ବସିଥିଲେ ପଙ୍ଗତରେ। ସାଙ୍ଗରେ ଥିଲା ହୁକ୍କା। ଯଦିଓ ଏହି ଆନ୍ତଃସଂସ୍କୃତି ବାହାଘରରେ ଦିଲ୍ଲୀରୁ ଆସିଥିବା ସମ୍ବିତ୍ ଏକପ୍ରକାର ମଧ୍ୟସ୍ଥତା କରୁଥିଲେ, କିନ୍ତୁ ସେ ବି ଏହି ହରିୟାଣା ଚାଲିଚଳନ ଏବଂ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଏତେ ଅଭିଜ୍ଞ ନଥିଲେ। ଏମାନଙ୍କ ଗମ୍ଭୀର ମୁହଁଟିମାନ ଦେଖି ସେହି ଗାଁ ଲୋକଙ୍କ ଭିତରୁ କେହି ଜଣେ ଟୋକାପିଲା କହି ପକାଇଲା, ଆରେ ଭାଇ .. ୟେ ବାରାତିୟୋଁ କେ ଚେହେରେ ପେ ବାରା କ୍ୟୋଁ ବଜା ହୁଆ ହେ … ଏତିକି ବେଳେ ଜଣେ ବୟସ୍କ ଲୋକ ଭିଡ଼ ଭିତରୁ ଆସି କହିଲେ, ଆଇଏ .. ଆଇଏ .. ଆପ୍ ସବକା ସ୍ୱାଗତ ହୈ .. । ତା ପରେ ଏଇ ମୁଷ୍ଟିମେୟ ବରଯାତ୍ରୀ ସେଦିନ ମଜ୍ଜି ଯାଇଥିଲେ କିଷନପୁର ଗାଁର ଆତିଥେୟତାରେ।
ରଙ୍ଗ ବେରଙ୍ଗ ଶାଢ଼ୀ ସାଙ୍ଗକୁ ମୁଣ୍ଡରେ ହାତେ ଲମ୍ବର ଓଢ଼ଣା ପକାଇ ହରିୟାଣାର ସେହି ଖଡିବଲୀ ହିନ୍ଦୀର ଭିନ୍ନ ଭିନ୍ନ ଗୀତରେ ନାଚୁଥିଲେ କିଷନପୁରର ବିଭିନ୍ନ ବୟସ ବର୍ଗର ମହିଳାମାନେ। ଆଲୋକମାଳାରେ ଝଲମଲ ହୋଇଉଠିଥିଲା ଗାଁ। ତାରି ଭିତରେ ପରସ୍ପରକୁ ଥଟା ତାମସା, ପରିବେଶକୁ ଅଧିକ ସ୍ମରଣୀୟ କରି ଦେଉଥିଲା। ଗାଁ ଲୋକମାନେ ଭୋଜି ଭାତରେ ବଡ଼ ଆତ୍ମୀୟତାର ସହ ସାମିଲ ହୋଇଥିଲେ। ଭଳିକି ଭଳି ଖାଦ୍ୟ, ପାନୀୟର ବ୍ୟବସ୍ଥା।
ଏ ସବୁ ଭିତରେ ଆରମ୍ଭ ହେଲା ବାହାଘର। ବେଦୀ ଉପରେ ବର କନ୍ୟା ଯେତେବେଳେ ବସିଲେ, ଜଣେ ଖଗୁଲି ଗୋସେଇଁ (ବାଁ ହାତିଆ) ଆରମ୍ଭ କରିଦେଲେ କର୍ମକାଣ୍ଡ। ଓଡ଼ିଆ ବାହାଘର ଦେଖିଥିବା ଏହି ବରଯାତ୍ରୀଙ୍କ ପାଇଁ ସେ ଉତ୍ତରଭାରତୀୟ ହରିୟାଣୱୀ ବାହାଘର ଥିଲା ଆଉ ଏକ ମନଲୋଭା ଘଟଣା। ଜ୍ୱାଇଁପୁଅକୁ ରାଜା ଭଳି ଚର୍ଚ୍ଚା କରୁଥିଲେ କିଷନପୁର ଗାଁ ଲୋକେ। ଲାଗୁଥିଲା ଯେମିତି ଅଶୋକ କେବଳ ଅନନ୍ୟାର ପରିବାରର ଜ୍ୱାଇଁ ନୁହେଁ ବରଂ ପୂରା ଗାଁର ଜ୍ୱାଇଁପୁଅ। ଝିଅ ବିଦାବେଳେ ଆସିଲା ଯେତେବେଳେ, ଗାଁର ଅଧିକାଂଶ ବୟସ୍କ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ସେଇଠି। ଜଣେ ଜେଜେମା ବୟସର ମହିଳା ସେଇ ଗହଳି ଭିତରେ ଥାଇ ହିଁ କହିଲେ, ସମଝେ ଜମାଇଁ ବାବୁ .. ହମ୍ ଜୋ ଭି କରତେ ହେଁ, ତସଲ୍ଲୀ ସେ କରତେ ହେଁ .. ଆଜ ହମାରେ ଛୋରୀ କୋ ଆପ କେ ହୱାଲେ କରତେ ହେଁ .. ଉସକା ଖୟାଲ ରଖନା। … କିଛି ସମୟର କନ୍ଦାକଟା ପରେ ଅନନ୍ୟାକୁ ନେଇ କିଷନପୁର ଛାଡ଼ିଥିଲା ଅଶୋକ। ଉଭୟେ ଫେରିଥିଲେ ଓଡ଼ିଶା। ଦୁଇଟି ଭିନ୍ନ ଭିନ୍ନ ସଂସ୍କୃତି, ଭାଷା, ପରିବେଶ, ଚାଲିଚଳଣୀ ସତ୍ତ୍ୱେ ସେମାନେ ଏକାଠି ହୋଇଥିଲେ। ସେମାନେ ତ ନୁହେଁ ବରଂ ଏହି ଭାଷା, ସଂସ୍କୃତି, ଚଳଣୀ ସବୁକିଛି ପରସ୍ପର ସହିତ ବାନ୍ଧି ହୋଇଥିଲେ ବିବାହ ବନ୍ଧନରେ। ତେବେ ଯେତେବେଳେ ଜଗତସିଂହପୁରର ନିଜ ଗାଁରେ ପହଞ୍ଚିଲା ଅଶୋକ, ସେତେବେଳେ ଅନନ୍ୟାକୁ ଦେଖି, ସାହି ପଡ଼ିଶା ଲୋକେ କହିଲେ .. ବାହାରର ଝିଅ ..। କେମିତି ଚଳିବ ଏଇଠି? ଦେଖାଯାଉ .. ସମୟ କହିବ। ଏଇ କଥା ଭାବୁ ଭାବୁ ପୁଣି ଥରେ ହସିଉଠିଲା ଅଶୋକ। ଅନନ୍ୟା ତା କାନ୍ଧଟାକୁ ହଲାଇ ଦେଇ କହିଲା, କଣ.. କୋଉ ଭାବନା ରାଜ୍ୟରେ ହଜି ଯାଇଛ ତମେ? ହୋ ମିଷ୍ଟର … ଅନନ୍ୟାର କଥା ଶୁଣି ପ୍ରକୃତିସ୍ଥ ହେଲା ଅଶୋକ। ଅନନ୍ୟା କହିଲା, କଣ .. ଆମ ବାହାଘର କଥା ଭାବୁଥିଲ ନା? ସତ କୁହ? କହିଲ ଦେଖି, ତମେ ଯେଉଁ ଏତେ ବଡ଼ ମୁହଁ କରି ଯାଇଥିଲ, ଆମ ଗାଁ ଲୋକେ କଣ ତମକୁ ଗିଳିଗଲେ ନା କିଛି କରିଦେଲେ? ଅନନ୍ୟାର କଥା ଶୁଣି ପୁଣି ଥରେ ଉଚ୍ଚ ସ୍ୱରରେ ଠୋ ଠୋ ହୋଇ ହସି ଉଠିଲା ଅଶୋକ। …
ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.