Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଖାନଦାନୀ ପଲଙ୍କ

ପ୍ରସିଦ୍ଧ ବଙ୍ଗଳା କବି ତଥା ଗାଳ୍ପିକ ନରେନ୍ଦ୍ରନାଥ ମିତ୍ର ୧୯୧୬ ମସିହାରେ ଫରିଦପୁର (ବର୍ତ୍ତମାନ ବାଂଲାଦେଶରେ) ଜନ୍ମଗ୍ରହଣ କରିଥିଲେ । ଦେଶ ବିଭାଜନ ପୂର୍ବରୁ ସେ ଲେଖନୀ ଚାଳନା କରି ଅନେକ ଗଳ୍ପ, କବିତା ଓ ଉପନ୍ୟାସ ରଚନା କରି ବେଶ୍‌ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ । ତାଙ୍କ ରଚିତ ଗଳ୍ପ ‘ଅବତରଣିକା’ ଉପରେ ଆଧାର କରି ସତ୍ୟଜିତ୍ ରାୟ ‘ମହାନଗର’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଦେଶ ବିଭାଜନ ଉପରେ ସେ ଅନେକ ଚର୍ଚ୍ଚିତ ଗଳ୍ପ ରଚନା କରିଥିଲେ । ତାଙ୍କର କାଳଜୟୀ ସାହିତ୍ୟକୃତି ନିମନ୍ତେ ସେ ଅନେକ ପୁରସ୍କାର ଲାଭ କରିଥିଲେ । ୧୯୭୫ ମସିହାରେ ଏହି ପ୍ରସିଦ୍ଧ ଲେଖକଙ୍କର ପରଲୋକ ଘଟିଥିଲା ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୫

ମୂଳ ବଙ୍ଗଳା : ନରେନ୍ଦ୍ରନାଥ ମିତ୍ର

ମକବୁଲ ପୋଷ୍ଟ ଅଫିସରୁ ଚିଠିଟି ଆଣି ଆସିଥିଲା । ଚୌଧୁରୀ ଘର ମହଲାରେ କ୍ଷୀର ଦେବାଲାଗି ପ୍ରତିଦିନ ସିଏ କେନାଲରେ ଛୋଟ ଡଙ୍ଗାଟି ଆଣି ଆସିଥାଏ । ସେଇ କୋଠାର ଗୋଟିଏ ପାଖରେ ଗାଁ ଡାକଘର । ମକବୁଲ କ୍ଷୀର ଦେଇସାରି ଫେରିବାବେଳେ ତାଙ୍କ ପୋଷ୍ଟମାଷ୍ଟର ବାବୁ ନିଜେପଛରୁ ଡାକି ଚିଠି ଖଣ୍ଡିକ ରାଜମୋହନ ରାୟଙ୍କ ଘରେ ପହଞ୍ଚେଇ ଦେବାକୁ କହିଲେ । ପ୍ରଶସ୍ତ ଅଗଣା ମଝିରେ ଛକଦିଆ ବାଉଁଶ ତାଟିଟିଏ ଠିଆ ହୋଇଥାଏ । ତା’ରି ଉପରେ ରାଜମୋହନ ଅତି ଯତ୍ନରେ ଓଦା ଝୋଟ ଶୁଖାଉଥାନ୍ତି । ପାଖରେ ଠିଆ ହୋଇଥିବା ଚାକରମାନେ ତାଙ୍କୁ ଏ କାମରେ ସାହାଯ୍ୟ କରୁଥାନ୍ତି । କାରଣ, ଏ କାମ କେବଳ ଯତ୍ନରେ କରିବାକୁ ହୁଏନି, ଏଥିପାଇଁ ବେଶ୍‌ ଧୈର୍ଯ୍ୟ ଲୋଡ଼ା । ଏତିକିବେଳେ ମକବୁଲ ତାଙ୍କୁ ଚିଠିଖଣ୍ଡିକ ଦେଇ ଦେଲା । ଚିଠିର ଅବସ୍ଥା ଦେଖି ରାଜମୋହନ ତାଙ୍କର ସବୁ ଧୈର୍ଯ୍ୟ ହରାଇ ବସି ଚିତ୍କାର ଛାଡ଼ିଲେ – ‘ହାରାମଜାଦା! ତୁ ଏ କ’ଣ କଲୁ?’

ମକବୁଲ ବିଚରା ଆବାକାବା ହୋଇ ବବୋକାଙ୍କ ପରି ପଚାରିଲା, ‘କାଇଁକି? କ’ଣ ଭୁଲ ହେଲା କର୍ତ୍ତା?’ ରାଜମୋହନ ତା’ ଉପରେ ଗାଳି ବର୍ଷିଚଳଶିଲେ, ‘ଦେଖ, ଖାଲି ଏ ଚିଠିର ଅବସ୍ଥା କ’ଣ ହେଇଚି ଦେଖ । ମୁଁ ପଚାରୁଚି, ତୁ କ’ଣ ଚିଠିଟାକୁ ସେ କେନାଲ ପାଣିରେ ଧୋଇଧାଇ ଆଣିଚୁ? ତୁ ଗୋଟାଏ ଅପଦାର୍ଥ । କ୍ଷୀରରେ ପାଣିମିଶେଇ ମିଶେଇ ତୋର ଏମିତି ଅଭ୍ୟାସ ହେଇଗଲାଣି ଯେ ସବୁ ଜିନିଷରେ ପାଣି ମିଶେଇବା ଦସ୍ତୁର ପାଲଟିଗଲାଣି, ନୁହଁ?’

ମକବୁଲ ଗମ୍ଭୀର ଦିଶିଲା । ସେ ଯଥାସମ୍ଭବ ସମ୍ଭ୍ରମ ସ୍ୱରରେ କହିଲା, ‘ମୋତେ ଏମିତି କହିବନି କର୍ତ୍ତା । ମୁଁ କେମେ କ୍ଷୀରେ ପାଣି ମିଶେଇ ବିକେନି । ହଁ, ମାନୁଚି ମୋ ଡଙ୍ଗାରେ ଜିନିଷପତ୍ର ରଖିବାକୁ ଥାକ ନାହିଁ । ଖଣ୍ଡେ ନୂଆ ଡଙ୍ଗା ବନେଇବାକୁ ଆପଣଙ୍କୁ କେତେ ନେହୁରା ନ ହେଇଚି? ଆପଣତ ନିଜେ ଟଙ୍କା କେଇଟା ଦେବାକୁ ରୋକଠୋକ୍ ମନା କରିଦେଲେ । ମୁଁ ଆଉ କ’ଣ କରିଥାନ୍ତି? ତେଣୁ ସେଇ ଆହୁଲା ପାଖକୁ ମୁଁ ଚିଠି ଖଣ୍ଡିକ ରଖିଥିଲ । ଟିକେ ଭିଜି ଯାଇଥିବ ।’

ରାଜମୋହନଙ୍କ ରାଗ ଆହୁରି ବଢ଼ିଗଲା । ସେ ସେମିତି ବଡ଼ପାଟିରେ ଚିତ୍କାର କରିଚାଲିଲେ, ‘ଟିକେ ଓଦା ହେଇଗଲା! ତୁ କ’ଣ ଭାବୁଚି ତୋ ଚାଲାକି ମୁଁ ବୁଝିପାରୁନି? ତୁ ଭାବିଚୁ ଏମିତି କହିଲେ ସେ କାଠବେଞ୍ଚ୍‌ଟା ମୁଁ ତତେ ଦେଇଦେବି? ସତରେ ମକବୁଲ, ମୁଁ ଭାବୁଚି ଏ ଖଣ୍ଡମଣ୍ଡଳରେ ତୋ ଭଳିଆ ଟାଉଟର, ଧପାବାଜ୍ ଆଉ କେହି ନାହାନ୍ତି! ହଇରେ, ତୁ ତଥାପି ଏଠି ଠିଆହେଇ ମୋ ଗାଳି ଶୁଣୁଚୁ? ଏଠୁ ଯାଇନୁ? ହଉ, ଦଣ୍ଡେ ରହ, ହୁକା କଳେ ଟାଣ୍ ।’

ଉତ୍ତରପଟ କୋଠାରୀ ସାମ୍ନା ବାରଣ୍ଡାରେ ହୁକାଟଣା ସାମଗ୍ରୀସବୁ ସଜାହୋଇ ଥୁଆ ହୋଇଥିଲା । ମାଟିର ଛୋଟ ଉହ୍ମେଇଟିଏ ଓ ତା’ ଭିତରେ ଜଳନ୍ତା ଅଙ୍ଗାର ଓ ତମ୍ବାଖୁ । ମୁସଲମାନ ଲୋକଙ୍କ ଟାଣିବା ଲାଗି ଆଉ ଗୋଟିଏ ହୁକା । ହୁକା ଟାଣିବାକୁ ମକବୁଲ ସେଇ ବାରଣ୍ଡା ଉପରେ କାକୁସ୍ଥ ହୋଇ ବସିପଡ଼ିଲା । ରାଜମୋହନ ଓଦା ଝୋଟକୁ ଥୋଇଦେଇ ଚିଠିଟି ଆଡ଼େ ଚାହିଁଲେ । ଗଲା କେଇମାସ ତଳେ ତାଙ୍କ ଆଖିରେ ମୋତିଆବିନ୍ଦୁ ଅପରେସନ୍ ହେବା ଦିନରୁ ଲେଖାପଢ଼ା କଲାବେଳେ ତାଙ୍କୁ ଆଖିରେ ଚଷମା ପିନ୍ଧିବାକୁ ପଡ଼ୁଥିଲା । ତେଣୁ ସେ ଚାକର ଟୋକା କାଳୁକୁ ଡାକଛାଡ଼ିଲେ, ‘କାଳୁ, ମୋ ଚଷମାଟା ଆଣିଲୁ । ଆରେ ଆଣୁଚୁ ନା ନାଇଁ? ଟେବୁଲ ଉପରେ ପାଞ୍ଜି ପାଖରେ ଚଷମାଟା ଅଛି । ଜଲଦି ଆଣ୍ ।’ ତାଙ୍କ ନିକେଲ ଫ୍ରେମବାଲା ଚଷମାରେ ମୋଟା କାଚ ଲାଗିଚି । ଅତି ଯତ୍ନରେ ଚଷମା କାଚକୁ କୋଛି ତାକୁ ସେ ପିନ୍ଧିନେଲେ । ଲଫାପାଟିକୁ ଚାହିଁବା ମାତ୍ରେ ତାଙ୍ମ ମନ ଖୁସିରେ ଭରିଉଠିଲା । ମୁହଁରେ ଗର୍ବର ଏକ ହସ ଖେଳାଇ ସେ ଚାରିଆଡ଼କୁ ଚାହିଁ କହିଲେ, ‘ମୋ
ବୋହୂର ଚିଠି । ଅସୀମା ବି ଚିଠି ଉପରେ ଠିକଣା ଲେଖିଚି । ସତ କଥା, ବାବୁକୁ ସମୟ ନଥିବ । ବାବୁ ଅପେକ୍ଷା ଅସୀମା ଭଲ ଚିଠି ଲେଖେ । କିଏ କହିବ ଭଲା ଏଇଟା ଗୋଟିଏ ଝିଅପିଲାର ହାତଲେଖା? ଦେଖ୍ କାଳୁ, ଚିଠିର ଷ୍ଟାଇଲକୁ ଚାହାଁ- କେଡ଼େ ସୁନ୍ଦର! ଠିକ୍ ଜଣେ ପୁଅ ପିଲାର ହାତଲେଖା ଭଳି ସୁନ୍ଦର । ଚାହାଁ ।’
ଚାକର ଟୋକା କାଳୁର ବୟସ ତେର କି ଚଉଦ ବର୍ଷ ହେବ । ସେ ଲେଖାପଢ଼ା ବିବର୍ଜିତ । କିନ୍ତୁ ମୁନୀବ ତାକୁ ସୁନ୍ଦର ଅକ୍ଷର ଉପରେ ମତମନ୍ତବ୍ୟ ଦେବାକୁ ଚାହୁଁଛନ୍ତି । ତେଣୁ ସେ ଲଫାପା ଉପରେ ଲେଖା ହୋଇଥିବା ଇଂରାଜୀ ଅକ୍ଷର କେଇଧାଡ଼ି ଉପରେ ନଜର ପକେଇ ଗୁଣୁଗୁଣୁ ସ୍ୱରରେ କହିଲା, ‘ଠିକ୍ କଥା କହୁଚନ୍ତି ଧଳ କର୍ତ୍ତା! ବୋହୂ ମା’ କେଡ଼େ ସୁନ୍ଦୁରିଆ ଅକ୍ଷର ଲେଖିଚନ୍ତି! ସିଏ ନିଜେ କେଡ଼େ ସୁନ୍ଦର” ତାଙ୍କ ରଙ୍ଗଢ଼ଙ୍ଗ ସଣ୍ଠଣା ବି କେତେ ମାର୍ଜିତ! ଗଲାଥର ଘରକୁ ଆସିଥିଲାବେଳେ ମତେ ପରା ଦି’ଟଙ୍କା ଦେଇଥିଲେ । ହଁ, ମୁଁ ତ ସେ ଟଙ୍କା ନେବାକୁ କୁନ୍ଥୁକୁନ୍ଥୁ ହେଉଥିଲି । ହେଲେ ସିଏ କି ଶୁଣିବା ଲୋକ?

କର୍ତ୍ତା, ଆପଣଙ୍କ ଜାତିର ଲୋକମାନଙ୍କ ସ୍ୱଭାବ ଏମିତି । ମନ ବଡ଼! ଆମମାନଙ୍କ ଠାରୁ ସମ୍ପୂର୍ଣ୍ଣ ନିଆରା ।’ କାଳୁର ବୟସ କମ୍ କି ପାଠାଶାଠ ଘରେ ସିନା ଶୂନ । ହେଲେ କଥା କହିବାରେ କି ଚାଟୁ କରିବାରେ ସେ ଧୂରନ୍ଧର । ମହା ମହା ଲୋକଙ୍କ ବି ପଛରେ ପକେଇଦେବ । ତେଣୁ କାଳୁ କଥା ଶୁଣି ରାଜମୋହନ ଖୁବ୍ ଖୁସି ହେଲେ । ମୁରୁକିହସା ଦେଇ ସେ କହିଲେ,’ ଆରେ ବୋକା, ଜାତିରେ ସବୁ କିଛି ନଥାଏ । ତା’ ପରିବାର, ତା’ ସଂସ୍କାର କଥା ଟିକେ ଭାବୁନୁ । ଚାନ୍ଦିପୁରର ବିଖ୍ୟାତ ଅମ୍ବିକା ପ୍ରସାଦ ବୋଷଙ୍କର ସିଏ ହେଲା ନାତୁଣୀ । ଅମ୍ବିକା ବାବୁ କେଡ଼େ ବଡ଼ ମଷିଣ! ବିଦ୍ୟା, ବୁଦ୍ଧି ଆଉ ଜ୍ଞାନରେ ତାଙ୍କ ତୁଲ୍ୟ ଆଉ କିଏ ଜଣେ ଅଛି କହିଲୁ? ଆଉ ସେ ପରିବାରର ଝିଅ – ତୁ କ’ଣ ଭାବିଚୁ ମୁଁ ଯାହିତାହି ଘରର ଝିଅକୁ ବୋହୂକରି ଆଣିଚି? ଏତିକି କହି ସେ ଲଫାପାଟିକୁ ଖୋଲିଲେ ଓ ସେମିତି କହିଚାଲିଲେ, ‘ତୁ ଏ ଅକ୍ଷରକୁ ଦେଖୁଚି ଟି କାଳୁ? ଆଉ ତା ଭାଷାକୁ ଦେଖ୍ । ତୁ କ’ଣ ଭାବୁଚୁ ଜଣେ ଓକିଲ ୟା’ଠୁ ଅଧିକ ଭଲ ଭାଷାରେ ଲେଖିପାରିବ? ମକବୁଲ, ଏଠିକି ଆ’, ଶୁଣ!’
ଏଥର ରାଜମୋହନ ଚିଠି ପଢ଼ା ଆରମ୍ଭ କଲେ । ‘ପୂଜ୍ୟସ୍ପଦ ବାପା, ଆପଣଙ୍କ ଠାରୁ କିଛି ଖବର ପାଇବାର ଅନେକ ଦିନ ହେଇଗଲାଣି । ଆପଣଙ୍କ ପାଖରୁ ନିୟମିତ ଚିଠି ନପାଇଲେ ଆମେ ଭାରି ଚିନ୍ତାରେ ପଡ଼ିଯାଉଚୁ । ମାତ୍ର କେଇଜଣ ଚାକର ବାକରଙ୍କ ସାଙ୍ଗରେ ଆପଣ ସେଠାରେ ଏକୁଟିଆ ରହୁଚନ୍ତି ଏଇ ଚିନ୍ତାରେ ଆମେ ସଦାବେଳେ ମନ ଦୁଃଖରେ ଅଛୁ ।

ଆମେ ଆପଣଙ୍କ ପାଖରେ ନାହୁଁ ଓ ଏ ବୁଢ଼ା ବୟସରେ ଆପଣଙ୍କର ଦେଖାଶୁଣା କି ସେବା କରିପାରୁନାହୁଁ, ଏ ଚିନ୍ତା ଆମ ମନର ଦୁଃଖକୁ ଆହୁରି ବମେଇ ଦେଉଛି । ହେଲେ କ’ଣ କରାଯିବ? ଆପଣ ତ ଆମ କଥା ଶୁଣୁନାହାନ୍ତି, ପୂର୍ବ ପାକିସ୍ତାନ ଛାଡ଼ିବାକୁ ନାରାଜ । ସାଇପଡ଼ିଶା ସବୁ ଲୋକ ତ ସେମାନଙ୍କ ଘରଦ୍ୱାର ସମ୍ପତ୍ତିବାଡ଼ି ବିକାବିକି କରି ପଳେଇ ଆସିଲେ । ବାନାର୍ଜୀ ପରିବାର, ମୁଖାର୍ଜୀ ପରିବାର, ରାହା ପରିବାର, ଶାହା ପରିବାର, କୁଣ୍ଡୁ ପରିବାର ଓ ନନ୍ଦୀ ପରିବାର, ସମସ୍ତେ ଆସି ଏଠାରେ ରହୁଛନ୍ତି । ଅଧିକାଂଶ ଲୋକ ତ ଦେଶାନ୍ତରୀ ହୋଇ ସାରିଛନ୍ତି । ଏବେ ତ ଗାଁଟା ପ୍ରାୟ ଖାଲି ହୋଇ ସାରିବଣି! ଆପଣ କିନ୍ତୁ ମାନିବାକୁ କାହା କଥା
ମାନିବାକୁ ନାରାଜ । ଭିଟାମାଟି ଛାଡ଼ି ଆସିବାକୁ ରାଜି ନୁହନ୍ତି । ଏକୁଟିଆ ରହିବାକୁ ଜିଦ୍ ଧରି ବସିଛନ୍ତି । ଆପଣ ଭବିଷ୍ୟତ କଥା ଆଦୌ ଚିନ୍ତା କରୁନାହାନ୍ତି ।

ଆପଣଙ୍କ ସାଙ୍ଗସାଥୀ, ପଡ଼ୋଶୀ, ଆପଣଙ୍କ ବୟସର ଅନ୍ୟ ଲୋକମାନେ କିନ୍ତୁ ବାସ୍ତବତାକୁ ହୃଦୟଙ୍ଗମ କରିଛନ୍ତି । ସେମାନେ ଘରଦ୍ୱାର ବିକିଭାଙ୍ଗି ଭଲ ପଇସା କମେଇ ଏଠାରେ ସୁଖରେ ବସବାସ କରୁଛନ୍ତି । ଏବେ ସେମାନେ ନାମୀଦାମୀ ଲୋକ ପାଲଟି ଗଲେଣି । ଆପଣ କିନ୍ତୁ ଯାହା ଥିଲେ ସେଇଆ ରହିଛନ୍ତି! ଆମେ ତ ଶୁଣୁଛୁ ଯେ ଆପଣ କାଳେ ଲୋକମାନଙ୍କୁ କହୁଛନ୍ତି, ସେ ଘର ଆପଣଙ୍କର, ସବୁ ସମ୍ପତ୍ତି ଆପଣଙ୍କର । ଆପଣ ସେଠାରୁ କୁଟାଖିଏ ସୁଦ୍ଧା ବିକିବେନି କି ଇଞ୍ଚେ ଜମି କାହାକୁ ଦେବେନି । ବରଂ ମୁସଲମାନ ଲୋକମାନେ ସେ ସମ୍ପତ୍ତିକୁ ଜୋର ଜବରଦସ୍ତ ମାଡ଼ି ବସନ୍ତୁ, କିନ୍ତୁ ଆପଣ କାହାକୁ ବିକିବେନି । ଏକଥା ସତ ଯେ ସେସବୁ ସମ୍ପତ୍ତି ଆପଣଙ୍କର । କେହି ସେକଥାକୁ ଅସ୍ୱୀକାର କରିବେନି । ଆନଣ ତାକୁ ଯାହା ଚାହିଁବେ କରିପାରିବେ । ଆମେ ତା’ ଉପରେ କହିବାକୁ କିଏ? କିନ୍ତୁ ଆଜି ମୁଁ ଆପଣଙ୍କ ଠାରୁ ଗୋଟିଏ ସାହାଯ୍ୟ ପାଇଁ ଏ ଚିଠିଟି ଲେଖୁଚି । ଆମେ ବେଲଘାଟସାରେ ଯେଉଁ ଘରେ ଭଡ଼ାରେ ନେଇଥିଲୁ ତାହା ତ ଆପଣ ନିଜ ଆଖିରେ
ଦେଖିଥିଲେ । ସେ ଘର କାନ୍ଥ କେତେ ଓଦା ଓ ଚଟାଣ କେତେ ସନ୍ତସନ୍ତିଆ ଓ ଥଣ୍ଡା! ପିଲାମାନେ ସେଥିରେ ତଳେ ଶୋଉଛନ୍ତି । ସେ ଘରେ ରହି ଆପଣମାନଙ୍କ ଅତି ପ୍ରିୟ ନାତିନାତୁଣୀମାନଙ୍କ ଦେହ ସଦାବେଳେ ଖରାପ ହେଉଛି । କାନୁ, ତେନୁ, ରୀନା, ମୀନା – ସମସ୍ତଙ୍କ ଦେହ କେତେବେଳେ ଭଲ ରହୁନି । ସଦାବେଳେ ଜର ଲାଗିରହିଛି ।

ପ୍ରତି ମାସରେ ଚିକିତ୍ସା ଖର୍ଚ୍ଚ ବଢ଼ି ଚାଲିଛି । ମୁଁ ଯଦି ଆପଣଙ୍କ ପୁଅଙ୍କୁ ଖଟ ଓ ବିଛଣା କଥା କହୁଛି, ସେ ମୋତେ ଗାଳିଗୁଲଜ କରୁଛନ୍ତି । ମୋତେ ପଚାରୁଛନ୍ତି, ଟଙ୍କା ଆସିବ କୁଆଡ଼ୁ? ଆମକୁ ଏତିକି ଦୟ କରନ୍ତୁ ବାପା । ମୋ ଜେଜେବାପା ମୋ ବାହାଘର ବେଳେ ଗୋଟିଏ ପଲଙ୍କ ଯୌତୁକ ଦେଇଥିଲେ ଯେଉଁଥିରେ ମଶାରୀ ଟାଙ୍ଗିବାଲାଗି ଚାରିଟା ସୁନ୍ଦରିଆ କାଠବାଡ଼ି ବି ଖଞ୍ଜା ହୋଇଥିଲା । ସେଇ ପଲଙ୍କଟିକୁ ବିକି ଯଦି କିଛି ଟଙ୍କା ପଠେଇପାରନ୍ତ, ତା’ହେଲେ ମୁଁ ଆପଣଙ୍କ ନାତି ନାତୁଣୀମାନଙ୍କ ପାଇଁ କେଇଟା ଖଟ କିଣିପାରନ୍‌ତି । ମୋ ପିଲାମାନଙ୍କ ଏମିତି ଦୟନୀୟ ଅବସ୍ଥା ଓ ଦେହ ଖରାପ ମୁଁ ଆଉ ଦେଖିପାରୁନି । ମୋର ବିଶ୍ୱାସ, ମୋର ଏ କଥାରେ ଆପଣ ପ୍ରତିବାଦ କରିବେନି । ଆପଣଙ୍କର ନିଶ୍ଚୟ ମନେଥିବ ଯେ ସେ ଚନ୍ଦ୍ରତପବାଲା ପଲଙ୍କଟା ଆପଣଙ୍କ ପରିବାରର ନୁହେଁ । ମୁଁ ତାକୁ ଯୌତୁକ
ଆଣିଥିଲି । ସେ ପଲଙ୍କ ବିକିଲେ ଆପଣଙ୍କ ମାନ ସମ୍ମାନ ଊଣା ହେବନି । ଆପଣ ଅନ୍ୟମାନଙ୍କୁ କହିପାରିବେ ଯେ ମୁଁ ଅଡ଼ି ବସିବାରୁ ଆପଣ ତାକୁ ବିକ୍ରି କରୁଛନ୍ତି । ଏବେ ତ ଝୋଟ ଅମଳ ବେଳ । ମୁସଲମାନ ଲୋକମାନଙ୍କ ହାତରେ ଏବେ କଞ୍ଚା ପଇସା । ଏଇ ସମୟରେ ପଲଙ୍କଟା ବିକିବା ସହଜ ହେବ । ତା’ଛଡ଼ା ସେ ପଲଙ୍କଟା ସେଠାରେ ରହିଲେ ଅବା କି ଲାକ? ସେଇଟା ତ କାହାରି ଦରକାରରେ ଆସୁନି । ଆଉ କେଇଟା ବର୍ଷ ପରେ ପୋକ ଖାଇ ଖତ ହୋଇଯିବ । ଏବେ ବିକିଦେବାଟା ବୁଦ୍ଧିମାନର କାମ ହେବ । ସେ ଟଙ୍କା କିଛି ନହେଲେ ଆପଣଙ୍କ ନାତିନାତୁଣୀଙ୍କର କିଛି ଉପକାରରେ ତ ଆସିବ ।

ଆମେମାନେ ସମସ୍ତେ ଏଠାରେ ଭଲରେ ଅଛୁ । ଆପଣଙ୍କ ପୁଅକୁ ଅଫିସ୍ କାମରେ କେତେବେଳେ ବେଳ ହେଉନି । ତାଙ୍କ ହାତରେ ସମୟ ନାହିଁ । ସିଏ ଆପଣଙ୍କ ପାଖକୁ ଅଲଗା ଚିଠି ଲେଖିବେ । ଦୟାକରି ଯଥାଶୀଘ୍ର ପଲଙ୍କଟାକୁ ବିକିବାର ବନ୍ଦୋବସ୍ତ କରିବେ । ଆମ ପାଖକୁ ନିୟମିତ ଚିଠି ଲେଖୁଥିବେ । ଶେଷରେ ସମସ୍ତଙ୍କ
ପ୍ରଣାମ ନେବେ । ଆପଣଙ୍କର ସ୍ନେହାନୁବଦ୍ଧ, ଅସୀମା ।’ ସୁରେନ୍ ପୃଥକ୍ ଭାବେ ବାପାଙ୍କ ପାଖକୁ ଚିଠି ଲେଖିନଥିଲେ । ସେ କେବଳ ନିଜ ପତ୍ନୀଙ୍କ ସେଇ ଅନୁରୋଧପୂର୍ଣ୍ଣ ଚିଠିର ଶେଷରେ ଗୋଟିଏ ଧାଡ଼ି ଯୋଡ଼ି ଦେଇଥିଲେ – ‘ମୋର ବିଶ୍ୱାସ ଯେ ଅସୀମା ଯେଉଁ ଅନୁରୋଧ କରିଛି ସେଥିରେ ଆପଣ ଦ୍ୱିମତ ହେବେ ନାହିଁ ।’

‘ନାଇ, ନାଇଁ, ମୁଁ କାଇଁକି ବିରୋଧ କରିବି? ବିରୋଧ କରିବାକୁ ମୁଁ କେମିତି ଭଲା ସାହସ କରିପାରିବି? ତୁମର ଯାହା ଇଚ୍ଛା ସେଇଆ କର । ଯାହା ଖୁସି, ତାହା କର!’ ହଠାତ୍‌ ରାଗିପାଚି ରାଜମୋହନ ଚିଟିଟାକୁ ତଳେ ଫିଙ୍ଗିଦେବେଲ ଓ ଚାକରଟୋକାକୁ ବଡ଼ ପାଟିରେ ଚିତ୍କାର କରି ନିର୍ଦ୍ଦେଶ ଦେଲେ, ‘କାଳୁ, ସିଏ ପୂର୍ବପଟ କୋଠରୀକୁ ଯାଇ ସେ ମଶାରୀ ବାଡ଼ିଲଗା ପଲଙ୍କଟାକୁ ବାହାର କର୍ ।’ ଏଥର ଆହୁରି ଚିତ୍କାର ଛାଡ଼ି କହିଚାଲିଲେ, ‘ମୋ ଘରେ ସେ ପଲଙ୍କଟାକୁ ମୁଁ ଜମା ରଖିବିନି । ସେଇଟାକୁ ନେଇ ଅଳିଆ ଗଦାରେ ଫିଙ୍ଗିଦେବି । ତା’ ବାପଘରୁ ଯାହାସବୁ ଯୌତୁକରେ ଆଣିଥିଲା, ସବୁ ଜିନିଷ ତ ରୁଣ୍ଡେଇ କୁଣ୍ଢେଇ ବାନ୍ଧିବୁନ୍ଧୁ ନେଇସାରିଛି । ଖାଲି ଯାହା ଏ ପଲଙ୍କଟା ଥିଲା । ଆଉ ଯଦି ସେଇଟାକୁ ମାଗୁଚି, ନେଇଯାଉ… ମୁଁ ଆଉ ତାକୁ ରଖିବିନି । ଆଉ ତା’ ମେଣ୍ଢା ସ୍ୱାମୀ, ତା କିଣା ଚାକର, କହୁଚି କ’ଣ ନା… ତୁମେ କିଛି
ଦ୍ୱିମତ ହେବନାହିଁ!’ ରାଜମୋହନଙ୍କ ରାଗ ଆହୁରି ବଢ଼ିଗଲା ।

‘ନା,ନା, ମୋର କିଛି ହେଲେ ଉଁ ଚୁଁ ବିରୋଧ କରିବାର ନାହିଁ । ମୋ ଘରୁ ସେ ପଲଙ୍କଟାକୁ ବାହାରକୁ ନ ଫିଙ୍ଗିବା ପର୍ଯ୍ୟନ୍ତ ମୁଁ ଅନ୍ନଜଳ ଛୁଇଁବିନି । ଯା’, ସେ ପଲଙ୍କକୁ ଆଣ୍‌, କାଳୁ । ନା, ମୁଁ ଆଜି କାହାରି କଥା ଶୁଣିବିନି ।’ କାଳୁର ସବୁ ଅନୁରୋଧ ଓ ବିନତିକୁ ରାଜମୋହନ ମୁହେଁ ମୁହେଁ ପ୍ରତ୍ୟାଖ୍ୟାନ କରି କହିଚାଲିଲେ, ‘ଇଏ ମୋର ଶେଷ ଫଇସଲା । ମୁଁ ଯାହା କହିଲି, ତାହା ତୁରନ୍ତ କାର୍ଯ୍ୟକାରୀ କର । ସେ ପଲଙ୍କ ଉପରେ ମୂତ; କ’ଣ ଶୁଣୁଚୁ ନା ନାଇଁ? ସେ ପଲଙ୍କ ଏ ଘରୁ ବିଦା ନହେବା ଯାଏ ଶାନ୍ତି ନାହିଁରେ କାଳୁ । ଏ ନିଆଁ ଲିଭିବନି କି ମୋ ମନ ଆଉ ଅନ୍ତରାତ୍ମାର ଯନ୍ତ୍ରଣା ପ୍ରଶମିତ ହେବନି ।’ ରାଜମୋହନ ବସିବା ଜାଗାରୁ ଉଡି ନିଜେ ସେ ଘର ଆଡ଼କୁ
ଧମସିଗଲେ । କବାଟଟାକୁ ଜୋରରେ ଠେଲିଦେଇ ଭିତରକୁ ପଶିଗଲେ । ଛୁଟିବେଳେ ଯେତେବେଳେ ବି ସୁରେନ ଓ ଅସୀମା ଘରକୁ ବୁଲି ଆସୁଥିଲେ ସେଇ କୋଠରୀରେ ରହୁଥିଲେ । ଗଲ ବର୍ଷ ବି ଆସି ସେଇ ଘରେ ରହିଥିଲେ । ସେମାନଙ୍କର ଦୁହିଁଙ୍କର ଗୋଟିଏ ଫ୍ରେମ୍‌କରା ଫଟେ କାନ୍ଥରେ ଟଙ୍କା ହୋଇଥିଲା । ଦକ୍ଷିଣପଟ କାନ୍ଥକୁ ଲାଗି ସେଇ ବିଶାଳ ପଲଙ୍କଟା ପଡ଼ିଥିଲା । ଠିକ୍‌ ଦିଓଟି ପ୍ରଶସ୍ତ ଝର୍କ ପାଖକୁ । ତା’ ଉପରେ ପଡ଼ିଥିବା ମୋଟା ଗତିରେ ରାଜମୋହନ ଖୁନ୍ଦିଖାନ୍ଦି ତୁଳା ଭରିଥିଲେ । କାଳେ ଉଈ କି ପୋକ ଲାଗିଯିବେ ତେଣୁ ସେ ନିଜେ ରୀତିମତ ସେଇଟିକୁ ଯତ୍ନରେ ରଖିଥିଲେ । ନିଜ କାନ୍ଧର ଗାମୁଛାରେ ତା ଉପରୁ ଧୂଳି
ଝାଡ଼ୁଥିଲେ ।

କୋଠରୀର ଆର କୋଣକୁ ଶୁଖିଲା ଝୋଟ ଗାଣ୍ଠିଲିଟିଏ ଥୁଆ ହୋଇଥିଲା । ଚଟାଣ ଉପରେ କେଇବସ୍ତା ଧାନ ବି ରଖା ହୋଇଥିଲା । ଏଥର ରାଜମୋହନ ମକବୁଲକୁ ଡାକ ପକାଇଲେ । ସଙ୍ଗେସଙ୍ଗେ ମକବୁଲ ଆସି ହାଜର ହୋଇଗଲା ଓ ତାଙ୍କ ପଛେପଛେ କବାଟ ପର୍ଯ୍ୟନ୍ତ ଚାଲିଲା । ‘ତୁ ଭିତରକୁ ଆସି ମକବୁଲ । ପଲଙ୍କଟାକୁ ଖୋଲି ତୋ ଘରକୁ ନେଇଯା’ ।’ ମକବୁଲ ଅତି ସନ୍ତର୍ପଣରେ ଥଙ୍ଗଥଙ୍ଗ ହୋଇ ପଚାରିଲା, ‘ସତେ ନା କ’ଣ?

ଆପଣ ଏ ପଲଙ୍କଟାକୁ ବିପିଦେବେ ଧଳ କର୍ତ୍ତା?’

ରାଜମୋହନଙ୍କର ସେଇ ଏକା ଜିଦ୍ – ‘ହଁ, ତୁ ଯଦି ନଗଦ ଟଙ୍କା ଦେବୁ, ମୁଁ ଆଜି ତାକୁ ବିକିଦେବି ଆଉ ସେମାନଙ୍କ ପାଖକୁ ଟଙ୍କା ପଠେଇବି ।’

ମକବୁଲ ଘର ଭିତରକୁ ପଶିଲା । ସେ କୋଠରୀ ଭିତରେ କୌଣସି ଦିଅ ଦେବତା ନଥିଲେ କି ଠାକୁର ବାସନକୁସନ ବି ନଥିଲା । ଏପରିକି ପିଇବା ପାଣି ସୁରେଇଟିଏ ସୁଦ୍ଧା ରଖା ହୋଇନଥିଲା । ତେଣୁ ସେ କୋଠରୀ ଭିତରକୁ କୋଠିଆ, ଚାକରବାକରଙ୍କର ସହଜରେ ଆତଯାତ ଥିଲା ।

ଏଥର ମକବୁଲ ଅତି ସମ୍ଭ୍ରମର ସହ ସେଇ କାରୁକାର୍ଯ୍ୟକରା ଖାଦନାଦୀ ପଲଙ୍କଟି ଆଡ଼େ ଥରେ ଚାହିଁଲା । ସେଥିରେ ଅତି ସୁନ୍ଦର କାଠକାମସବୁ ହୋଇଥିଲା । ପୂରା ଶାଗୁଆନ କାଠାରେ ତିଆରି । ଚାରିଟିଯାକ ଗୋଡ଼ରେ ବାଘପଞ୍ଝା ଭଳି କାରୁକାର୍ଯ୍ୟ ହୋଇଥିଲା । ମୁଣ୍ଡପଟ ବାଡ଼ାରେ ବିଭିନ୍ନ ପ୍ରକାର ଡିଜାଇନ ଫୁଲମାନ ଖୋଦେଇ କରାଯାଇଥିଲା । ପାନେଲ ଉପରେ ଓ ତେଳେ ସୁନ୍ଦର ସୁନ୍ଦର ଲତାର ଚିତ୍ର । ସେଇ ଲତା ଭିତରେ ମଝିରେ ମଝିରେ ଧାଡ଼ିଏ ଲେଖାଏଁ ଛୋଟ ହାତୀ ଚିତ୍ର ।
ମକବୁଲ ପୁଣିଥରେ ପଚାରିଲ।।, ‘କର୍ତ୍ତା, ସତରେ କ’ଣ ଆପଣ ଏ ପଲଙ୍କଟାକୁ ବିକିଦେବେ? ହଁ, ବୋହୂମା’ ଯେମିତି ଭାଷାରେ ଆପଣଙ୍କୁ ଚିଠି ଲେଖିଚନ୍ତି, , ଆପଣଙ୍କ ଭଳିଆ ସ୍ୱାଭିମାନୀ ଲୋକ ସେକଥା ଜାଣିଲା ପରେ ଭଲା କେମିତି ଏ ପଲଙ୍କଟାକୁ ଘରେ ରଖିପାରିବେ? ହଉ ଧଳକର୍ତ୍ତା, ଆପଣଙ୍କ କଥାକୁ ତ ମୁଁ ଭାଙ୍ଗି
ପାରିବିନି । ଆପଣ ମୋତେ ପଲଙ୍କଟାକୁ ଦେଇଦିଅନ୍ତୁ ।’ ରାଜମୋହନ ମକବୁଲ ମୁହଁକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ପଚାରିଲେ, ‘କ’ଣ ତୋତେ?’

ମକବୁଲ ଉତ୍ତର ଦେଲା, ‘କାହିଁକି ନୁହେଁ, କର୍ତ୍ତା? ମୁଁ କେବେ ମାଗଣାରେ ନେବିନି । ମୁଁ ଖୁବ୍ ଭଲ ଦାମ୍ ଦେବି । ଆପଣ ତ କହୁଥିଲେ ପଲଙ୍କଟାକୁ ନେଇ ଅଳିଆ ଗଦାରେ ଫିଙ୍ଗିଦେବେ । ମୋତେ ଦେଇଦେବାଏକା କଥା, ନା କ’ଣ କହୁଚନ୍ତି? ମୋତେ ପଲଙ୍କଟାକୁ ଦେଇଦିଅନ୍ତୁ ,କର୍ତ୍ତା ।’

ରାଜମୋହନଙ୍କ ରାଗ ଆହୁରି ଚଢ଼ିଗଲା । ସେ ମନେମନେ ଭାବିଲେ, କାହିଁକି ନୁହେଁ? ମକବୁଲ ଠିକ୍ କଥା କହୁଚି । ଏ ପଲଙ୍କଟା ତା’ରି ଭଳି ହୀନ ଲୋକ କୁଡ଼ିଆରେ ରହିବା ଦରକାର । ତାଙ୍କ ବୋହୂଟି ଯେତିକି ନୀଚ,ମକବୁଲକୁ ପଲଙ୍କଟି ଦେଲେ ତାକୁ ଉଚିତ୍ ଶିକ୍ଷା ଦେଇହେବ । ତା’ ବାପଘରୁ ଆଣିଥିବା ଯୌତୁକ ଜଣେ ମାମୁଲି ଦୀନ ମଜୁରିଆର କୁଡ଼ିଆରେ ହିଁ ଶୋଭା ପାଇବ! ରାଜମୋହନ ମକବୁଲ ମୁହଁକୁ ଚାହିଁ କହିଲେ, ‘ହେଲେ ତୁ କ’ଣ ଏ ପଲଙ୍କଟାକୁ ସମ୍ଭାଳି ପାରିବୁ? ତା’ର ଦାମ୍ ଦେଇପାରିବୁ? ନଗଦ ଟଙ୍କା ଦେବାକୁ ହେବ । ଆଉ ତୁରନ୍ତ ଏ ଅଳିଆ ମୋ ଘରୁ ବିଦାହେବା ଦରକାର । ଏଇ ମୁହୂର୍ତ୍ତରେ!’ ମକବୁଲ ମନରେ ସାହସ କୁଳେଇ କହିଲା, ‘ମୁଁ ପାରିବି କର୍ତ୍ତା । ମୁଁ ସାଙ୍ଗେ ସାଙ୍ଗେ ଘରକୁ ଯାଇ ଟଙ୍କା ଆଣି ଆସୁଚି । ତା’ପରେ ପଲଙ୍କଟାକୁ ଖୋଲିଖାଲି ନେଇଯିବି ।’

ମକବୁଲ ଶେଖର ଘର ସେଇ ପାଖରେ । ରାଜମୋହନଙ୍କ ଘରର ଦକ୍ଷିଣପଟକୁ କିଛି ବାଟ ଛାଡ଼ି ଗୋଟିଏ ଭଙ୍ଗା କୋଠାଘର ଦିଶେ । ସେଇ ଘର କାନ୍ଥରେ ଅନାବନା ଗଇଲତାସବୁ ମାଡ଼ି ସେଇଟା ଏକ ପରିତ୍ୟକ୍ତ ସ୍ଥାନ ପରି ଲାଗୁଥିଲା । ସେଠାରୁ ଆଉ କିଛି ବାଟ ପରେ ଗୋଟିଏ ସରୁ ଟୁବ । ଖରାଦିନସାରା ସେଇଟା ଶୁଖିଲା ପଡ଼ିଥାଏ । ଏବେ କିନ୍ତୁ ବର୍ଷା ଦିନେ ସେଥିରେ ପାଣି ଭରପୂର ଥିଲା । ସେଇ ପୋଖରୀର ଗୋଟିଏ ପଟକୁ ମକବୁଲର ଘର । ଗୋଟିଏ ପଟେ ସେଇ ପରିତ୍ୟକ୍ତ ଘର ପାଖକୁ ଲାଗି ଥିବା ବଡ଼ ଆମ୍ବଗଛଟିଏ ଏବଂ ଅନ୍ୟପଟେ ମକବୁଲର କୁଡ଼ିଆ ଘର ନିକଟକୁ ଲାଗି ଥିବା ତେନ୍ତୁଳି ଗଣ୍ଡି ସହିତ ଗୋଟିଏ ଛୋଟ
ବାଉଁଶ ତିଆରି ଚାର । ଚାରଟି ଦିଓଟି ମାତ୍ର ବାଉଁଶରେ ବନ୍ଧା । ଖଣ୍ଡିଏ ବାଉଁଶକୁ ଧରି ଅନୃ ବାଉଁଶ ଉପରେ ଚାଲି ମକବୁଲ ସେଥିରେ ଯା’ଆସ କରେ ।

ପଲଙ୍କଟିକୁ କିଣିବା ଉତ୍କଣ୍ଠାରେ ମକବୁଲ ସେଇ ହଲୁଥିବା ବାଉଁଶ ଚାର ଉପରେ ସତେକି ଦୌଡ଼ି ପାର ହୋଇଗଲା! ତେନ୍ତୁଳି ଗଇ ତଳେ ଛୋଟିଆ କୁଡ଼ିଆଟିଏ । ଘର ଉପରେ ଜଙ୍କ୍‌ଲଗା ଟିଣ ଆସବେଷ୍ଟସ୍ ଚାଦର କେଇଖଣ୍ଡ ପଡ଼ିଥିଲା । ଝାଟିମାଟି କାନ୍ଥର ଅଧା ବାଉଁଶଦିଆ ଓ ଆର ଅଧକ ଖାଡ଼ିରେ ବୁଜା ହୋଇଥିଲା । ଆଉ ଚଟାଣଟା ତ ସଦାବେଳେ ସନ୍ତସନ୍ତିଆ । ସେଥିରେ ସବୁବେଳେ ଜିଆ ଗାଳନ୍ତି । କୁଡ଼ିଆର ସାମ୍ନା ପଟକୁ ଛୋଟ ଅଗଣା, ଶିଉଳି ଲାଗି ସଦାବେଳେ ଖସଡ଼ା । ଚୁଆ ପାଣିର ଛୋଟ ଛୋଟ ଢେଉ ଆସି ସବୁବେଳେ ମକବୁଲର କୁଡ଼ିଆ କାନ୍ଥରେ ମଥାପିଟେ । ସତେ ଯେମିତି ସେ କାନ୍ଥକୁ ଭସେଇନେବ, ଭୁଶୁଡ଼େଇ ପକେଇବ!
ସେଇ ଅଗଣାରେ ଯୁବତୀଟିଏ ବସିଥିଲା । ଦେହର ରଙ୍ଗ ଗୋରା । ବୟସ ଏକୋଇଶ କି ବାଇଶି ସରିକି ହେବ । ଗାଢ଼ ଲାଲ ରଙ୍ଗର ଶାଢ଼ିଖଣ୍ଡିଏ ପିନ୍ଧି ସେ ବସି ପନିକିରେ ପାଣିସିଙ୍ଗଡ଼ା କାଟୁଥିଲା । ଚାରି ପାଞ୍ଚବର୍ଷର ଦିଓଟି ପତଳା ପିଲା କିଛି କଇଁ ଫୁଲ ତୋଳି ଖେଳିବାରେ ବ୍ୟସ୍ତ ଥିଲେ । ସେମାନଙ୍କ ଅଣ୍ଟାରେ କଳାସୂତାରେ ଗୋଟିଏ ଲେଖାଏଁ କଣାପଇସା ବନ୍ଧା ହୋଇଥିଲା । ନଚେତ ସେମାନଙ୍କୁ ନଙ୍ଗଳା ବୋଲି କହିହେବ । ଅଗଣାର ପୂର୍ବପଟକୁ ବାଉଁଶ ତାଟିବାଡ଼ ଉପରେ କାଉଁରିଆ
କାଠିସବୁ ଲମ୍ବା ହୋଇ ଶୁଖୁଥିଲା । ପରେ ସେସବୁକୁ ଜାଳ କି ଭଙ୍ଗା କାନ୍ଥ ମରାମତି କରିବାରେ ବ୍ୟବହାର କରାଯିବ । ସେଇ ଦରଶୁଖିଲା କାଉଁରିଆ କାଠି ଆରପଟକୁ ଗୋଟିଏ ଦୁର୍ବଳ ଗାଈ ବନ୍ଧା ହୋଇଥିଲା ଯାହା ସେଠାରୁ ଅଧା ଦିଶୁଥିଲା । ଚର୍ମକଙ୍କାଳସାର ଗାଈଟା ଶୁଖିଲା ନଡ଼ା ଚୋବାଇ ଚାଲିଥାଏ । ମଝିରେ ମଝିରେ ଦେହରୁ ମାଛି ହୁରୁଡେଇବା ଲାଗି ଲାଞ୍ଜକୁ ଏକଡ଼ ସେକଡ଼ ହଲେଇ ଦେଉଥାଏ । ଅଣନିଃଶ୍ୱାସୀ ଭାବେ ଦୌଡ଼ି ଦୌଡ଼ି ଆସି ମକବୁଲ ଅଗଣାରେ ପାଦ ଦେଉ ଦେଉ ସ୍ତ୍ରୀକୁ ଡାକ ଛାଡ଼ିଲା, ‘ଉଠ୍ ଉଠ୍ । ଜଲଦି ମତେ କିଛି ଟଙ୍କା ଦେ’ ।’

ଫତିମା ତା’ ଶାଢ଼ିଟାକୁ ମୁଣ୍ଡ ଉପରକୁ ଆହୁରି ଟାଣିଦେଇ ତା’ ସ୍ୱାମୀ ଆଡ଼କୁ କିଛି ବୁଝି ନପାରିବା ଭଳି ଚାହିଁଲା । ତା’ ବଡ଼ ବଡ଼ ଆଖିରେ ବିସ୍ମୟର ମୁଦ୍ରା । ଏଥର
ସେ ପଚାରିଲା, ‘କାହା ସାଙ୍ଗରେ କଥା ହଉଚ? ମୋ ପାଖରେ ଟଙ୍କା ଆସିବ କୁଆଡ଼ୁ?’

ମକବୁଲ ମୁହଁରେ ଏକ ବିଚିତ୍ର ହସ ଖେଳାଇ ତା’ ସ୍ତ୍ରୀ ଆଗରେ ନିଜର ଗୁପ୍ତଧନ ସାଇତା ରହସ୍ୟ ବଖାଣି ଚାଳିଲା । ଗଲା କେଇବର୍ଷ ଧରି ସେ କାହାକୁ ନଜଣେଇ କିଛି ଟଙ୍କା ବାଉଁଶ ଖୋଲ ଭିତରେ ଲୁଚେଇ ରଖିଥିଲା । ଝୋଟ ବିକା, କ୍ଷୀର ବିକା ଓ କେତେବେଳେ କେଇଟା ଗଛ ବିକି ସେ ଏମିତି ଅର୍ଥ ସଂଗ୍ରହ କରିଥିଲା ।
ଚାଳରେ ଗୁଞ୍ଜା ହୋଇଥିାବ ସେଇ ବାଉଁଶ ନଳିଟିକୁ ଆଣିବା ଲାଗି ସେ ଫତିମାକୁ କହିଲା । ଫତିମା କିନ୍ତୁ ସେଇ କଷ୍ଟ ଅର୍ଜିତ ଟଙ୍କାକୁ ମକବୁଲକୁ ଦେବାଲାଗି କୁଣ୍ଠା ପ୍ରକାଶ କଲା । କହିଲା, ‘ତୁମେ ତ କହୁଥିଲ ସେ ଟଙ୍କାରେ ତୁମେ ଗାଈଟିଏ କିଣିବ, କୁଡ଼ିଆ ଘର ମରାମତି କରିବ । ଆଉ ମୋ ଲାଗି ସୁନା ଗହଣା ଖଣ୍ଡେ
କିଣିଦେବ ।’ ଏତିକି ମନେ ପକେଇଦେଇ ସେ ପ୍ରତିବାଦ କଲାପରି କହିଲା, ‘ତୁମେ ମତେ ମରିଦେଲେ ବି ମୁଁ ତୁମକୁ ସେ ଟଙ୍କା ଦେବିନି ।’

ମକବୁଲ ଫତିମା ମୁହଁକୁ ଚାହିଁ ମୁରୁକି ହସିଲା ଓ ତାକୁ ବୁଝେଇବା ସ୍ୱରରେ କହିଲା, ‘ମୋତେ ବିଶ୍ୱାସ କର । ମୁଁ ସେ ଟଙ୍କାରେ ଏମିତିକା ଗୋଟିଏ ଜିନିଷ କିଣିବି ଯାହା କେବଳ ତୋର ନୁହେଁ, ମୋର ବି ଦରକାରରେ ଆସିବ । ଆମେ ଦୁହେଁ ସେ ଅଳଙ୍କାରକୁ ପିନ୍ଧି ପାରିବା । ଜାଣିଚୁ ଫତିମା! ସେ ପଲଙ୍କଟା କେଡ଼େ ସୁନ୍ଦର! ଏମିତିକା ପଲଙ୍କ ତୁ କ’ଣ, ମୁଁ ବି ଜୀବନରେ ଦେଖିନି ।’ ଏଥର ଫତିମା ଆଗରେ ସେ ପଲଙ୍କଟାର ସୌନ୍ଦର୍ଯ୍ୟକୁ ବିସ୍ତୃତ ଭାବେ ବକବୁଲ ବଖାଣି ଚାଲିଲା । ତା’
ଚାରିଗୋଡ଼ରେ ମଶାରୀ ବାନ୍ଧିବା ଲାଗି କାଠର କାମକର କେଡ଼େ ସୁନ୍ଦର ଚାରିଟା ବାଡ଼ି ଲାଗିଚି । କେମିତି ଶାଗୁଆନ କାଠରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି । ଧଳ କର୍ତ୍ତା ରାଗିପାଚି କେମିତି ସେ ପଲଙ୍କଟାକୁ ଶାଗମାଛ ଦରରେ ଶସ୍ତାରେ ବିକ୍ରି କରି ଦେଉଛନ୍ତି । ଏଭଳି ସୁଯୋଗକୁ ସେମାନେ ହାତଛଡ଼ା କରିବା ଉଚିତ ବେନି । ଡେରିକଲେ କର୍ତ୍ତାଙ୍କ ରାଗ ଶାନ୍ତ ପଡ଼ିଯିବ । ସିଏ ହୁଏତ ମନ ପରିବର୍ତ୍ତନା କରିନେବେ । ଆଉ କିଏ ମଉକା ମାରିନେବ । ଆମକୁ ମନଦୁଃଖ କରିବାକୁ ପଡ଼ିବ । ପୂର୍ବରୁ ହିନ୍ଦୁ ଲୋକମାନେ ଘରଦ୍ୱାର ଧାଡ଼ି ପଳେଇବା ବେଳେ ସର୍ବସ୍ୱଅ ମିକିଭାଙ୍ଗି ଦେଇଗଲେ । କେତେ ଆସବାବପତ୍ର, କେତେ କ’ଣ ମାଗଣାରେ ଦେଲ ଭଳିଆ ଦେଇଗଲେ!

ମୁନସୀ, କାଜି, ସିକତାରମାନେ ସେସବୁକୁ କିଣି ପକେଇଥିଲେ । ମକବୁଲ କାଗରେ କିଛି ପଡ଼ିନଥିଲା । ସେତେବେଳେ ତା’ ପାଖରେ ପଇସା ବି ନଥିଲା । ଏବେ ଗୋଟିଏ ସୁଯୋଗ ଜୁଟିଛି । ତେଣୁ ତାକୁ ହାତଛଡ଼ା କରିବା ଉଚିତ ହେବନି । ତା’ଘରେ ଅନ୍ତତଃ ଗୋଟିଏ ଭଲ ଜିନିଷ ରହୁ । ଫତିମା ସବୁ କଥା ବୁଝିଲା ଓ ତା’ ଜିଦ୍‌ରୁ ଓହରିଲା । ତଥାପି ସେ ପ୍ରତିବାଦ କଲାଭଳି କହିଲା, ‘ହେଲା, ପଲଙ୍କଟା କିଣିବ ଯେ, ତାକୁ ପକେଇବ କେଉଁଠି? ସେମିତିକା ରାଜକୀୟ ପଲଙ୍କକୁ ଆଣି
କ’ଣ ଏ ସନ୍ତରା କୁଡ଼ିଆରେ ଥୋଇବ?’  ଫାତିମାର ଚିବୁକକୁ ସାମାନ୍ୟ ଟେକିଦେଇ ମକବୁଲ କହିଲା, ‘ମୋର ଏ କୁଡ଼ିଆ ଯଦି ମୋ ସୁନ୍ଦରିଆ ବେଗମ ଲାଗି
ଯଥେଷ୍ଟ, ତା’ହେଲେ ମୋ ମନକୁ ଯଦି ମୋ ବେଗମ୍ ଶାନ୍ତି ଦେଉଛି, ତା’ହେଲେ ସେ ପଲଙ୍କଟାକୁ ଆଣି ଏଠି ପକେଇଲେ କ୍ଷତି କ’ଣ?’ ଏଥର ମକବୁଲ ଘର ଭିତରକୁ ଯାଇ ତା’ ବାଉଁଶ ଖୋପ ଭିତରୁ ଟଙ୍କା ବାହାରକଲା । ବାଉନ ଟଙ୍କାର ନୋଟ ଆଉ କେଇଟା ମୁଦ୍ରା । ସେଥିରୁ ଗଣି ସେ ପଚାଶ ଟଙ୍କା ନିଜ ଅଌକ୍ଷଗ୍ଧ;ାରେ ଗୁଞ୍ଜିଲା ଓ ବାକିତକ ଟଙ୍କା ତା’ ସ୍ତ୍ରୀ ହାତରେ ଧରେଇଦେଲା । ତା’ପରେ ସେତକ ଟଙ୍କ ଧରି ବାଉଁଶ ଚାର ଡେଇଁ ପୁଣି ସେମିତି ତରତର ପାଦରେ ବାହାରିଗଲା ।

ଭଙ୍ଗା କୋଠା ପାଖରେ ମାଛଧରା ବନଶୀ ଖାଡ଼ିଟିଏ ବନେଇବ ବୋଲି ୟାକୁବ୍ ଭଲ କଣିଟିଏ ଖୋଜି ବୁଲୁଥିଲା । ମକବୁଲକୁ ଏମିତି ତରତର ପାଦରେ ଏକମୁହାଁ ଧାଉଁଥିବା ଦେଖି ସେ ପଚାରିଲା, ‘ଆରେ ଘୋଡ଼ାଦଉଡ଼ରେ ଭାଗ ନେବାକୁ ଏମିତି କୁଆଡ଼େ ଧପାଳିଚୁ ମିଆଁ?’ ମକବୁଲ ପାଦ ଅଟକିଗଲା । ସେ କହିଲା, ‘ଆରେ ଚୌକିଦାର ଭାଇଜାନ୍ ନା କିଏ? ଆସ୍‌, ଆସ୍‌, ମୋ ସାଙ୍ଗରେ ଚାଲ୍ ।

ମୁଁ ମନେ ମନେ ତୁମକୁ ଖୋଜୁଥିଲି । ତୁମର ଟିକେ ସାହାଯ୍ୟ ଦରକାର । ତୁମକୁ ସବୁକଥା କହୁଚି । ତୁମକୁ ମୁଁ ଗୋଟିଏ ବନଶୀ ଖାଡ଼ି ବନେଇଦେବି ।’ ମକମୁଲ ୟାକୁବର ହାତକୁ ଧରି ଆଗକୁ ଚାଲୁଚାଲୁ କହିଲା, ‘ଏବେ ଟିକେ ମୋ ସାଥିରେ ଆସ ।’

ରାଜମୋହନ ସେତେବେଳକୁ ପଲଙ୍କଟାକୁ ସଂପୂର୍ଣ୍ଣ ରୂପେ ହୁଗାଳି ଖଣ୍ଡଖଣ୍ଡ କରିସାରିଥାନ୍ତି । ପଲଙ୍କର ପଟା, ବାହି ଓ ଗୋଡ଼ ସବୁକିଛି ଆସି ଅଗଣାରେ ଜମା ହୋଇ ସାରିଥିଲା । ମକବୁଲ ନୋଟ୍‌ତକ ନେଇ ତାଙ୍କ ପାଦତଳେ ରଖିଦେଇ କହିଲା, ‘ଧଳ କର୍ତ୍ତା, ଏଇ ଟଙ୍କାତକ ଆପଣଙ୍କ ପାଦତଳେ ରଖୁଚି ।’

ରାଜମୋହନ ସେମିତି ଫଁ ଫଁ ହୋଇ ପଚାରିଲେ, ‘ଟଙ୍କା କ’ଣ ହେବ? ତୁ ଏ ପଲଙ୍କଟାକୁ ଏଠାରୁ ଜଲଦି ଉଠା । ତାକୁ ନେଇ ସିଧା କେନାଲରେ ଫିଙ୍ଗିଦେ’ । ମୋ ଘରେ ଆଉ ଏ ଜିନିଷଟାକୁ ମୁଁ ମୁହୂର୍ତ୍ତେ ସୁଦ୍ଧା ରଖିବିନି ।’

ମକବୁଲ ହାତଯୋଡ଼ି ଗୁହାରି କଲାପରି କହିଲା, ‘ହଁ, ମୁଁ ଆପଣଙ୍କ କଥା ମାନି ପଲଙ୍କଟାକୁ ନେଇଯାଇଥାନ୍ତି । ଯଦି ଏଇଟା ଆପଣଙ୍କ ମାଲିକାନାରେ ଥାଆନ୍ତା । ଇଏ ପରା ବୋହୂମା’ଙ୍କ ପଲଙ୍କ । ତାଙ୍କ ବାପଘରୁ ଆସିଥିବା ଯୌତୁକ ସାମଗ୍ରୀ । ତେଣୁ ତାଙ୍କର ତରଫରୁ ଏ ଟଙ୍କାତକ ରଖନ୍ତୁ, ଆଉ ତାଙ୍କ ପାଖକୁ ପଠେଇ ଦିଅନ୍ତୁ ।’

ମକବୁଲର ଏଇ କେଇ ପଦ କଥା ରାଜମୋହନଙ୍କ ଛାତିରେ ସତେ ଯେମିତି ବିଷାକ୍ତ ତୀର ବିଦ୍ଧ ହେଲାପରି ଲାଗିଲା । ହେଲେ ମକବୁଲ ଠିକ୍ କଥା କହୁଥିଲା । ଏ ପଲଙ୍କଟା ତାଙ୍କର ନୁହେଁ । ତା’ ଉପରେ ତାଙ୍କର କୌଣସି ଅଧିକାର ନାହିଁ । ଅସୀମା ବି ତା’ ଚିଠିରେ ଏକଥା ସ୍ପଷ୍ଟ କରିଦେଇଥିଲା । ତା’ ମନ ଭିତରେ ଥିବା ବିଷାକ୍ତ
କାଳିରେ ସେ ଏ ଚିଠିର ପ୍ରତିଟି ଶବ୍ଦ ଲେଖିଥିଲା । ରାଜମୋହନ କହିଲେ, ‘ଠିକ୍ ଅଛି, ଠିକ୍ ଅଛି । ଯଦି ସେ ହାରମଜାଦୀର କେବଳ ଟଙ୍କା ଦରକାର, ମୁଁ ତା’ପାଖକୁ ସେ ଟଙ୍କା ପଠେଇଦେବି । ଏଇଟା ପଲଙ୍କ ନୁହେଁ, ମୋ ଚିତା! ମୋ ଆଖି ଆଗରୁ ଜଲଦି ଏଇଟାକୁ ହଟେଇ ନେ’ମକବୁଲ ।’

ଚୋକୀଦାର ୟୁକୁବର ସହାୟତାରେ ମକବୁଲ ପଙ୍କଟିର ଗୋଟି ଗୋଟି ଖଣ୍ଡକୁ ସେଠାରୁ ତୁରନ୍ତ ହଟେଇଦେଲା । କିଛି ସମୟ ପରେ ନାଳ ଆରପଟେ ତା’ କୁଡ଼ିଆ ସାମ୍ନାରେ ସେସବୁ ଜମା ହୋଇଗଲା । ବାଉଁଶ ଚାର ଉପର ଦେଇ ନେବା ପରିବର୍ତ୍ତେ ସେ ତାକୁ ତା’ର ଭଙ୍ଗା ଡଙ୍ଗାଟି ସାହାଯ୍ୟରେ ନାଳ ପାର କରାଇଥିଲା ।
ନାଳିଆର ଆରପଟେ ପଙ୍କୁଆ କୂଳରେ ସେହି ଭାରି ପଶଙ୍କର ପଟା ଓ ବାହିସବୁକୁ ଓହ୍ଲେଇଲାବେଳେ ୟାକୁବ କହିଲା, ‘ଭାଇ, ତତେ ମାନିବାକୁ ପଡ଼ିବ । ଏତେ ଶସ୍ତାରେ ଏମିତିକା ଦାମୀ ପଲଙ୍କଟାକୁ ମାରିନେଲୁ । ସତ କହୁଚି, ଅତି କମ୍‌ରେ ଦି’ଶହ ଟଙ୍କା ତଳକୁ ଏମିମତିକା ପଲଙ୍କ ଖଣ୍ଡେ ଜମାରୁ ମିଳିବନି ।’

ମକବୁଲ ପଲଙ୍କଟାର ଏମିତିକା ମୂଲ କଥାଟିକୁ ଏଡ଼ାଇଯାଇ କହିଲା, ‘ଭାଇ, ତୁମେତ ଜାଣିଚ, ବୁଢ଼ାଟା କେମିତିକିଆ ଜିଦିଆ କଞ୍ଜୁସ୍ । ଲୋକଟା ଅସୁର ଭଳିଆ ତା’ ଧନଦୌଲତକୁ ଜଗି ବସିଚି । ଗାଁ ଛାଡ଼ି ଏତେ ହିନ୍ଦୁ ଲୋକ ପଳେଇ ସାରିଲେଣି । କିନ୍ତୁ ସିଏ ସେମିତି ବସିଚି । ଆଦୌ ଚଙ୍କୁନି । ତା’ ଆଖି ସାମ୍ନାରେ ତା’ ବାଡ଼ିରୁ ପିଜୁଳି କଷିଟିଏ କେହି ତୋଳି ପାରିବେନି କି କୁଟା ଖଣ୍ଡେ ସୁଦ୍ଧା କେହି ଉଠେଇ ପାରିବେନି । ଆଚ୍ଛା ମତେ କହିଲ, ସିଏ ଆଖି ବୁଜିଲାପରେ ଏ ଧନ ସମ୍ପତ୍ତି କିଏ ଭୋଗ କରିବ? ସିଏ ଅପଦାର୍ଥ ସୁରେନ୍ କ’ଣ ଆଉ ଏଠିକି ଫେରିବ?’ ୟାକୁବ ଉତ୍ତର ଦେଲା, ‘ସୁରେନ ଏଠାରୁ ସବୁଦିନ ପାଇଁ
ଯାଇସାରିଛି । ସିଏ ଆଉ ପାକିସ୍ତାନକୁ ଫେରିବାକୁ ସାହସ କରିବନି ।’

ମକବୁଲ ତା’ରି କଥାରେ ସମ୍ମିତି ଜଣେଇ କହିଲା, ‘ତୁମେ ଖାଲି ଅପେକ୍ଷା କର, ଆଉ ଦେଖ । ୟେ ବୁଢ଼ା ଆଖି ବୁଜିବା ମାତ୍ରେ ତା’ ଘରଟାକ ମୁଁ ପୂରା ପାକିସ୍ତାନ ବନେଇଦେବି । ମୋ ପିଲାଛୁଆ, ବନ୍ଧୁବାନ୍ଧବଙ୍କୁ ଧରି ସେ ଘରକୁ ଦଖଲ କରିନେବି । ତୁମେ କହୁଚ ମୁଁ ତା’ ସାଙ୍ଗରେ ମୂଲଚାଲ କରୁଚି ଭାଇ? ମୁଁ ତ କହିବି ମୋର ପୂରା ଘାଟା ହୋଇଗଲା! ମୋତେ ଏ ପଲଙ୍କଟା ମୋଫତ୍‌ରେ ମିଳିବା କଥା – ବୁଢ଼ାଠାରୁ ମୁଁ ମାଗଣାରେ ଖସେଇ ଆଣିଥାନ୍ତି ।’

ମକବୁଲ ଦଣ୍ଡେ ତୁନି ପଡ଼ିଯାଇ କ’ଣ ଭାବିଲା ଓ ପୁଣି କହିଲା, ‘ନାଇଁ ଭାଇ, ମୋ କହିବା ମତଲବ ସେଇଆ ନୁହଁ । ଜୋର ଜବରଦସ୍ତ ଆଣିବାଠୁ ଯେକୌଣସି ଜିନିଷକୁ କିଛି ମୂଲ୍ୟ ଦେଇ କିଣିବା ଭଲ କଥା । ତା’ହେଲେ ସେ ଜିନିଷଟି ନିଜର ବୋଲି ଜଣେ ଦାବି କରିପାରିବ । କେହି ବି ତୁମ ଆଡ଼କୁ ଆଙ୍ଗୁଳି ବଢ଼େଇ ପାରିବେନି । ନା କ’ଣ କହୁଚ ଭାଇ? ମୁଁ ସତ କଥା କହୁଚି ନା ନାଇ?’ ୟାକୁବ ସମ୍ମତିରେ ମୁଣ୍ଡ ହଲାଇ କହିଲା, ‘ପୂରା ଠିକ୍ କଥା କହୁଚ ।’

ମାତ୍ର କେଇଘଣ୍ଟା ଭିତରେ ଖଣ୍ଡ ମଣ୍ଡଳରେ ଖବର ପ୍ରଚାରିତ ହୋଇଗଲା ଯେ ରାଜମୋହନ ତାଙ୍କର ଦାବୀ ପଲଙ୍କଟାକୁ ଶାଗମାଛ ଦରରେ ବିକି ଦେଇଛନ୍ତି । ପଲଙ୍କଟା କାରୁକାର୍ଯ୍ୟଭରା । ସେଇ ରାଜମୋହନ ଯିଏ ନିଜ ଡିହରୁ ଏପର୍ଯ୍ୟନ୍ତ ଗୋଟିଏ ଗଛ କି ଖଣ୍ଡେ ବାଉଁଶ ବି ବିକିନଥିଲେ । ଏପରିକି କୁଟାଖଣ୍ଡେ ସୁଦ୍ଧା ।
ତା’ର କାରଣ ସେସବୁ ବିକିଲେ କାଳେ ତାଙ୍କର ମର୍ଯ୍ୟାଦାହାନି ଘଟିବ । ଆଉ ଆଜି ସେଇ ରାଜମୋହନ ମାତ୍ର ପଚାଶଟା ଟଙ୍କାରେ ଏତେ ସୁନ୍ଦର ଚନ୍ଦ୍ରତପବାଲା ଫଲଙ୍କଟାକୁ ବିକିଦେଲେ! ଏ ଖବର ଶୁଣିଲା ପରେ ଶରତ ଶିଲ୍‌, ମୁରାରୁ ମଣ୍ଡଳ, ଗେଡ଼ୁ ମୁନସୀ, ଚନ୍ଦନ ମିର୍ଦ୍ଧା ଓ ଅନ୍ୟମାନେ ଆଉ ସେମାନଙ୍କ କୌତୁହଳକୁ
ଦବନ କରି ପାରିଲେନି । ସେମାନେ ସମସ୍ତେ ଆସି ରାଜମୋହନଙ୍କ ଦାଣ୍ଡପଟ ଅଗଣାରେ ରୁଣ୍ଡ ହେଲେ । ଶରତ ଶିଲ ସାହସ କୁଳେଇ ପଚାରିଲା, ‘କର୍ତ୍ତା, ଆପଣଙ୍କର କ’ଣ ମୁଣ୍ଡ ବିଗିଡ଼ି ଗଲାଣି ନା କ’ଣ? ପଚାଶଟା ଟଙ୍କାରେ ସେ ଦୁର୍ମୂଲ୍ୟ ପଲଙ୍କଟାକୁ କାଇଁକି ବିକିଦେଲେ? ମତେ କହିଥିଲେ ମୁଁ ଦେଢ଼ଶ’ ଟଙ୍କା ଦେଇଥାନ୍ତି ।’

ଗେଡ଼ୁ ମୁନସୀ ଛିଗୁଲେଇଲା ପରି କହିଲା, ‘ଆରେ ଦେଢ଼ଶ’ ଟଙ୍କା ତ କିଛି ନୁହଁ । ମୁଁ ତ ଅଢ଼େଇଶ’ ଟଙ୍କା ଖୁସିରେ ଗଣି ଦେଇଥାନ୍ତି କର୍ତ୍ତା । ଆପଣ ମତେ କାହିଁକି ଖବର ଦେଲେନି?’ ରାଜମୋହନ ରାଗିଠଉି କହିଲେ, ‘ତୁମେ ସମସ୍ତେ ଏଠାରୁ ଯାଅ । ମୋ ମୁଣ୍ଡ ବିଗାଡ଼ନି କହି ମୋତେ ରଗାଅନି, କହି ଦେଉଚି । ମୁଁ କାହାକୁ କିଛି ବିକିନି । ମୁଁ ସେଇଟାକୁ ସେମିତି ଦେଇଦେଇଚି । ଫିଙ୍ଗି ଦେଇଚି । ଏବେ ବୁଝିଲ? ଏଥର ଯାଅ?’ କିନ୍ତୁ ଯିବା ପୂର୍ବରୁ ଚନ୍ଦନ ମିର୍ଦ୍ଧା ଥଙ୍ଗମଙ୍ଗ ହୋଇ ଅନୁନୟ ହେଲାଭଳି କହିଲା, ‘ଆଲବିରା, ଥାକ, ଚେୟାର, ଟେବୁଲ, ଟ୍ରଙ୍କ୍ – ଯଦି ଆପଣ କିଛି ଆସବାବପତ୍ର ବିକିବାକୁ ଚାହିଁବେ କର୍ତ୍ତା, ପ୍ରଥମେ ମୋଜେ ଜଣେଇବେ । ମୁଁ ନଗଦ ଉଚିତ ଦାମ୍‌ ଦେଇ ସେସବୁ କିଣିନେବି । ମୁଁ ଆପଣଙ୍କ କଦାପି ଠକିବିନି ।’ ଆଖପାଖ ଅଞ୍ଚଳରେ ସବୁଠାରୁ ଧନୀ ଚାଷୀ ହିସାବରେ ଚନ୍ଦନ ମିର୍ଦ୍ଧାର ନାଁ ଡାକ୍ ଥିଲା । ତା’ଛଡ଼ା ଝୋଟ ବେପାରରୁ ସେ ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲା । ତା’ର ଶହେ ଏକରରୁ ଅଧିକ ଚାଷଜମି । ସାରା ମୁସଲମାନ ସମ୍ପ୍ରଦାୟ ଭିତରେ ସେ ହେଲା ସବୁଠୁ ସମ୍ମାନାସ୍ପଦ ଲୋକ ।

ତା’ ତୁଣ୍ଡରୁ ଏଭଳି କଥା ଶୁଣି ରାଜମୋହନ ତା’ ପଛରେ ଧାଇଁଗଲା ପରି ହୋଇ କହିଉଠିଲେ, ‘ମିର୍ଦ୍ଧା, ମୋ ଘରୁ ବାହାରୁଚୁ ନା ନାଇଁ, ଏବେ ଦେଖିବୁ? ମୁଁ ମଲାପରେ ତୁ ମୋ ଘରୁ ଯାହା ଇଚ୍ଛା ତାହା ନେଇଯିବୁ । କିନ୍ତୁ ମୁଁ  ବଞ୍ଚିଥିବା ଯାଏ ମୋ ଘରୁ କୁଟାଖିଏ ସୁଦ୍ଧା ବିକିବିନି । ମୋ ଘର ଜିନିଷକୁ ମୂଲଚାଲ ହେବାକୁ ଦେବିନି ।’ ରାଜମୋହନଙ୍କର ଏଭଳି ରାଗ ଦେଖି ସେଠାରେ ରୁଣ୍ଡ ହୋଇଥିବା ପଡୋଶୀ ଲୋକମାନେ ଯିଏ ଯୁଆଡ଼େ ଚାଲିଗଲେ । ସମସ୍ତେ ମନେ ମନେ ଭାବୁଥିଲେ, ବୁଢ଼ାଟାର ମୁଣ୍ଡ ବିଗିଡ଼ି ଗଲାଣି । ପରସ୍ପର ମଧ୍ୟରେ ଏମିତି ଫୁସୁରୁଫାସୁରୁ ବି ହେଉଥିଲେ ।

କାଇଁକି ଅବା ନହେବେ? ଏତେ ବଡ଼ ଘରଟାରେ ଏବେ ସେ ସମ୍ପୂର୍ଣ୍ଣ ଏକୁଟିଆ । ପୁଣି ନିଜ ପୁଅବୋହୂ ଓ ନାତିନାତୁଣୀଙ୍କ ଠାରୁ ଢ଼େର୍ ଦୂରରେ ରହୁଥିଲେ । କାହାରି
ସାଙ୍ଗରେ ଭଲମନ୍ଦ କଥାପଦେ ସୁଦ୍ଧା ହେବାର ସୁଯୋଗ ନଥିଲା । ଏଥିରେ ଭଲ ମଣିଷ ମୁଣ୍ଡ ବି ବିଗିଡ଼ିଯିବ! ସମସ୍ତେ ଚାଲିଯିବାପରେ ରାଜମୋହନ ଏକୁଟିଆ ବସି ମନକୁ ମନ ଭାବିବାକୁ ଲାଗିଲେ । ସେ ଠକି ଯାଇଛନ୍ତି । ସମସ୍ତେ ମନକୁ ମନ ଭାବିବାକୁ ଲାଗିଲେ । ସମସ୍ତେ ତାଙ୍କୁ ଠକି ଦେଇଛନ୍ତି । ଏଥିରେ ସନ୍ଦେହ ନାହିଁ । ରାଗରେ ଓ ଅତି ମାତ୍ରାରେ ଭାବପ୍ରବଣ ହୋଇ ସେ ବୋକାଭଳି କାଣ୍ଡଟିଏ କରି ବସିଛନ୍ତି । ଚୋର ଉପରେ ମନକରି ଖପରାରେ ଖାଇଲା ଭଳିଆ କଥାଟିଏ କରିଛନ୍ତି ! ସତକୁ ସତ ସେ ଖପରାରେ ଖାଇଛନ୍ତି! ଏଇ କଥାକୁ ସେ ବାରମ୍ବାର ଭାବି ଚାଲିଥିଲେ । ହଠାତ୍ କ’ଣ ଭାବି କେଜାଣି ଡାକ ଛାଡ଼ିଲେ, ‘କାଳୁ, ଡଙ୍ଗା ଫିଟା । ମୁଁ କୁମାରପୁର ଯିବି ।’

ସୋନାରପୁର ଠାରୁ କୁମାରପୁର ପ୍ରାୟ ଦେଢ଼ ମାଇଲ ଦୂର । ରାଜମୋହନ ସେଠାକାର ରେଜେଷ୍ଟ୍ରୀ ଅଫିସରେ କାମ କରୁଥିଲେ । ଜମିବାଡ଼ି କାଗଜାତ ଲେଖାଲେଖି ତାଙ୍କର ପେଶା । ଏବେ କିଛିଦିନ ହେଲା ସେଠାରେ କାମ କରିବା ତାଙ୍କୁ ବେଶ୍ କଷ୍ଟସାଧ୍ୟ ଲାଗୁଥିଲା । ତାଙ୍କ ହାତ ଥରୁଥିଲା । ବେଳେବେଳେ ଅକ୍ଷର ବଙ୍କାତେଢ଼ା ହୋଇଯାଉଥିଲା । ଆଉ କେତେବେଳେ ସଂପୂର୍ଣ୍ଣ ଅସ୍ପଷ୍ଟ । ଆଜିକାଲି ଆଉ ଲୋକେ ତାଙ୍କୁ ଜମିବାଡ଼ି କାଗଜପତ୍ର ଲେଖିବାକୁ ଦେଉନଥିଲେ । ତାଙ୍କ ମୋହରୀର ବେଉସା କମି ଯାଇଥିଲା । ହେଲେ ତାଙ୍କ ପାଖକୁ ନଆସିଲେ କି ତାଙ୍କୁ ନଧରିଲେ କୌଣସି କାମ ହେଉନଥିଲା । ତେଣୁ ସେ ଫି’ଦିନ ରେଜେଷ୍ଟ୍ରୀ ଅଫସିକୁ ଯାଇ ବାରଣ୍ଡାରେ ବସୁଥିଲେ ।

ସମସ୍ତେ ତାଙ୍କୁ ଆଶ୍ୱାସନା ଦେଇ କହୁଥିଲେ, ‘ଆପଣଙ୍କର ଚିନ୍ତା କରିବାର କ’ଣ ଅଛି ଧଳକର୍ତ୍ତା? ଆପଣଙ୍କର ବୟସ ହେଲାଣି । ଏତେ କଷ୍ଟକରି କି ଲାଭ? ଏବେ ବିଶ୍ରାମ ନେବା ଦରକାର । ଏ ସବୁ କାମ ଏବେ ଛାଡ଼ିଦିଅନ୍ତୁ ।’ ରାଜମୋହନ ସେମାନଙ୍କୁ ଉତ୍ତର ଦେଉଥିଲେ, ‘ହଁ, ହରବିଳାଶ । ମୁଁ ସବୁକଥା ବୁଝୁଛି । ଭାବୁଚି ସମୁ କାମଦାମ ଛାଡ଼ିଦେବି । ହେଲେ ଦାନା ଗଣ୍ଡେ ଭଲରେ ଖାଇପାରୁନି । ତୁଣ୍ଡକୁ ଖାଦ୍ୟ ଯାଉନି । ଆଖିରେ ନିଦ ନାହିଁ କି ମନରେ ଶାନ୍ତି ନାହିଁ । ମତେ କେମିତି ଭାରି ଡର ଡର ଲାଗୁଚି ।’ କର୍ତ୍ତାଙ୍କୁ ଡଙ୍ଗାରେ ବସେଇ କୁମାରପୁର ନେବା ପୂର୍ବରୁ କାଳୁ ପଚାରିଲା, ‘କର୍ତ୍ତା, କିଛି ଖାଇବେନି?’ ରାଜମୋନ ତାକୁ କହିଥିଲେ, ‘ନାଇଁରେ, ମୋର ଆଜି କିଛି ଖାଇବାକୁ ଇଚ୍ଛା ହେଉନି । ତୋର ଖାଇବାକୁ ତ ପଖାଳ ଭାତ ଅଛି । ସେଇଥିରେ ଚଳିଯିବ ।’ ତା’ପରେ କେମମିତି ଏକ ଅଭିମାନଭରା କଣ୍ଠରେ ସେ କହିଥିଲେ, ‘କାଳୁରେ, ମୁଁ କ’ଣ କଲି! ନିଜ ହାତରେ ଖପରାରେ ଖାଇଲି! ଧୂଳି ଚାଟିଲି! ନା କ’ଣ କହୁଚୁ କାଳୁ?’

‘ମୁଁ ତ ଆପଣଙ୍କୁ ରୋକିବାକୁ ବହୁତ ଚେଷ୍ଟା କଲି କର୍ତ୍ତା । ହେଲେ ଆପଣ…’ କାଳୁ ଆଉ କିଛି ନକହି ଅଟକିଗଲା ଓ ମୁନୀବଙ୍କ ମୁହଁକୁ ବୋକାଙ୍କ ପରି ଚାହିଁଲା । ତା’ପରେ ପୁଣି ଅତି କୋମଳ ସ୍ୱରରେ କହିଲା, ‘ଆସନ୍ତୁ କର୍ତ୍ତା’ । କର୍ତ୍ତା… ଧଳ କର୍ତ୍ତା… ସତକୁ ସତ । ଯୁବକବେଳେ ରାଜମୋହନ କେବଳ ନିଜ ଗାଁରେ ନୁହେଁ ସମଗ୍ର ଇଲାକାରେ ସବୁଠୁ ସୁନ୍ଦର ଓ ଗୋରା ତକତକ ଚେହେରାର ଅଧିକାରୀ ଥିଲେ । ଯେମିତି ଡେଙ୍ଗା ସେମିତି ସୌମ୍ୟ କାନ୍ତି! ତୋଫା ରଙ୍ଗକୁ ପ୍ରଶସ୍ତ କପାଳ । ଲମ୍ବା ନାକ ତାଙ୍କ ସମ୍ଭ୍ରାନ୍ତପଣକୁ ଯେମିତି ଆହୁରି ପୁଷ୍ଟ କରୁଥିଲା! ତାଙ୍କ ଗୋଲ ଗୋଲ କଳା ଆଖିକୁ ଦେଖିଲେ ରାଜକୁମାର ଭଳି ଦେଖାଯାଆନ୍ତି । ଏବେ ପଞ୍ଚଷଠି ବର୍ଷରେ ତାଙ୍କ ମୁହଁରେ ଆଇ ସେ ତେଜ ନାହିଁ କି ସେ ଦୀପ୍ତି ନାହିଁ । ସେ ଡେଙ୍ଗା ଚେହେରାରେ ଆଉ ସେପରି ଆକର୍ଷଣ ଭାବ ନାହିଁ । ଶରୀର ଟିକେ ନଇଁ ଆସିଲାଣି । ମୁହଁ ଉପରେ କେମିତି ବୟସର ଛାପର ରେଖାସବୁ ଆଙ୍କି ହୋଇଗଲାଣି । ଦେହର ରଙ୍ଗ ମହଳଣ ପଡ଼ିଗଲାଣି । ପାଟିରେ ଦାନ୍ତ କହିଲେ ଆଉ ମାତ୍ର ଦିଓଟି ଥିଲା । କିନ୍ତୁ ଅନ୍ୟ ଦୃଷ୍ଟିରୁ ବିଚାରିଲେ ରାଜମୋହନ ବାସ୍ତବରେ ଧଳ କର୍ତ୍ତା ହିଁ ପାଲଟି ସାରିଥିଲେ । ଗଲା କେଇବର୍ଷ ଭିତରେ  ମୁଣ୍ଡର ବାଳ ପୂରାପୂରି ପାଚି ସାରିଥିଲା । ଏପରିକି ଆଖି ଉପର ଭ୍ରୁଲତା ବି । ନିଶ ଦାଢ଼ି ଅବସ୍ଥା ଏକାପ୍ରକାର । ଛାତିର ଲୋମପୁଳାକ ମଧ୍ୟ ଧଳା । ସତେ ଯେମିତି ପାଚିଲା ଝୋଟ
କେରାଏ!

କାଳୁ ତାଙ୍କୁ ଡାକିଲା, ‘ଆସନ୍ତୁ କର୍ତ୍ତା, ଉଠନ୍ତୁ ।’ ‘ହଁ, ହଁ, ମୁଁ ଯାଉଛି ।’ ରାଜମୋହନ ଉତ୍ତର ଦେଲେ । କାନ୍ଧରେ ଖଣ୍ଡିଏ ମଇଳା କୁର୍ତ୍ତା ପକେଇ, ପାଦରେ ଛିଣ୍ଡା ଚପଲ ହଳେ ହାତରେ ଧରି ଓ ତାଳିପକା ଭଙ୍ଗା ଛତା ଖଣ୍ଡିକୁ କାଖରେ ଜାକିରାଜମୋହନ ଗମ୍ଭୀର ମନରେ ସେଇ ଛୋଟ ଡଙ୍ଗାଟି ଭିତରକୁ ପାଦ ବଢ଼େଇଲେ । କିଛି ସମୟ ପରେ କେନାଲରୁ ଯାଇ ଡଙ୍ଗାଟି କୁମର ନଦୀ ଦେଇ ଆଗକୁ ଚାଲିଲା ।

ସେଦିନ ଉତ୍ତୀର୍ଣ୍ଣ ସନ୍ଧ୍ୟାରେ ରାଜମୋହନ ଆସି ଘରେ ଥିଲେ । ଘରେ ଲଣ୍ଠନଟି ଲଗାଇ ସେ ସିଧା ଚାଲିଲେ ପୂର୍ବପଟ କୋଠରୀକୁ । ସେ କୋଠରୀର ଅଧା ଅଂଶ ଖାଲି ଦିଶୁଥିଲା । କାହିଁକି କେଜାଣି ସେ କୋଠରୀରେ ଅଧିକ ସମୟ ଠିଆହୋଇ ରହିବାକୁ ତାଙ୍କର ଇଚ୍ଛା ହେଲାନାହିଁ । ତରବର ହୋଇ ସେ ସେଠାରୁ ପଦାକୁ ବାହାରି ଆସିଲେ । କିନ୍ତୁ ସେ କୋଠରୀର ଶୂନ୍ୟପଣ  ମନକୁ ସତେକି ଗୋଟାପଣେ ଆଚ୍ଛନ୍ନ କରି ରଖିଥିଲା! ତାଙ୍କୁ ପଛରୁ ଗୋଡ଼ାଉଥିଲା! ତାଙ୍କ ଛାତିରେ ବସି
ଯାଇଥିଲା! ସେ ଶୂନ୍ୟତା ଯେମିତି ତାଙ୍କ ଛାତି ଭିତରେ ଏକ ଅବ୍ୟକ୍ତ ଯନ୍ତ୍ରଣା ସୃଷ୍ଟି କରୁଥିଲା! ଏଥର ରାଜମୋହନ ଉତ୍ତର ପଟ କୋଠରୀକୁ ଗଲେ । ସେଇଟା ତାଙ୍କ
ଶୋଇବା ଘର । ଲୁଗାପଟା ବଦଳାଇ ହାତମୁହଁ ଧୋଇନେଲେ ଓ ସନ୍ଧ୍ୟା ପ୍ରାର୍ଥନାରେ ବସିଲେ । କିନ୍ତୁ ତାଙ୍କର ପ୍ରାର୍ଥନାରେ ମନ ଲାଗୁନଥିଲା । ଛାତି ଭିତରେ ଏକ ବିଚିତ୍ର ଅଶାନ୍ତଭାବ ଓ ଉତ୍ପଣ୍ଠା ସେ ଅନୁଭବ କରୁଥିଲେ । ତାଙ୍କ ଆଖି ଆଗରେ ପୂର୍ବପଟ କୋଠରୀର ଶୂନ୍ୟତା ନାଚି ଉଠୁଥିଲା । ମନ୍ତ୍ର ଜପ କରିବା ପରିବର୍ତ୍ତେ ତାଙ୍କର ସେଇ ପଲଙ୍କଟି କଥା ବାରମ୍ବାର ମନକୁ ଆସୁଥିଲା । ସେଇ ପଲଙ୍କଟାର ଶୂନ୍ୟତା ସତେ ଯେମିତି ସେ କୋଠରୀଟିକୁ ହତଶ୍ରୀ କରିଦେଇଥିଲା! କ’ଣ ହେଲା କେଜାଣି, ହଠାତ୍ ରାଜମୋହନଙ୍କୁ ଏକୁଟିଆପଣ ଗୋଟାପଣେ ଆବୋରି ବସିଲା । ନିଜର ବୋଲି ତାଙ୍କ ପାଖରେ କେହି ନାହାନ୍ତି ଯାହାର ନାଁ ଧରି ସେ ଡାକିପାରିବେ । କେହି ବୋଲି କେହି ନାହାନ୍ତି । ପତ୍ନୀ ସରଳାଙ୍କ କଥା ତାଙ୍କର ବାରମ୍ବାର ମନେପଡ଼ିଲା । କାହିଁ ଦଶବର୍ଷ ତଳେ ତାଙ୍କର ବୃତ୍ୟୁ ଘଟି ସାରିଥିଲା । ତା’ପରେ ମନେ ପଡ଼ିଲା ପୁଅବୋହୂ ଓ ନାତିନାତୁଣୀମାନଙ୍କ କଥା । ସେମାନଙ୍କ ଠାରୁ ବିଚ୍ଛିନ୍ନ ହେବାର ଦୁଃଖ । ସେମାନେ ସମସ୍ତେ ତାଙ୍କର ନିଜର । କିନ୍ତୁ କେହି ସୁଦ୍ଧା ପାଖରେ ନାହାନ୍ତି! ସେ ସମସ୍ତଙ୍କୁ ହରାଇ ବସିଛନ୍ତି । ସମସ୍ତେ ତାଙ୍କ ଠାରୁ ଚିରଦିନ ପାଇଁ ଦୂରେଇ ଯାଇଛନ୍ତି ।

ଏତେ ବଡ଼ ବଖରାଟାରେ ସେ ସଂପୂର୍ଣ୍ଣ ଏକୁଟିଆ । ଏକୁଟିଆ ସେ ଘରଟାକୁ ଜଗି ପଡ଼ିରହିଛନ୍ତି । ହେଲେ କାହା ପାଇଁ? ତାଙ୍କୁ ଲାଗିଲା ତାଙ୍କ ଏକାକୀତ୍ୱରେ ଭାଗ ବସାଇବା ସକାଶେ ସାରା ସଂସାରରେ କେହି ବୋଲି କେହି ନାହାନ୍ତି!

ତା’ପର ଦିନ ସକାଳୁ ସକାଳୁ ସେ କାଳୁ ହାତରେ ମକବୁଲକୁ ଡାକିପଠେଇଲେ । ମକବୁଲ କିନ୍ତୁ ଆସିଲାନି । କାଳୁ ହାତରେ ପାଲଟା ଖବର ପଠେଇଲା ଯେ ସେ କାମରେ ବ୍ୟସ୍ତ ଅଛି । ପରେ ସମୟ ହେଲେ ସେ ଯାଇ ତାଙ୍କୁ ଦେଖା କରିଆସିବ । ରାଜମୋହନ ତାଙ୍କ ପାକୁଆ ପାଟିରେ ଥିବା ଅବଶିଷ୍ଟ ଦାନ୍ତ କେଇଟାକୁ ରାଗରେ କଡ଼ମଡ଼ କଲେ । ଚିତ୍କାର ଛାଡ଼ିଲେ, ‘ଶଳାର ଏତେ ବହପ! ମୁଁ ଡାକି ପଠେଇଲି । କାମ ବାହାନା କରି ଅମା କଥାକୁ ବେଖାତିର କଲା! ଆସିଲାନି! ମୁଁ ଦେଖିବି ସିଏ
କେତେ କାମ ବ୍ୟସ୍ତ!’

କାଳୁ ତାଙ୍କୁ ବୁଝେଇଲା ସ୍ୱରରେ କହିଲା, ‘ତା’ର କ’ଣ କରିବେ କର୍ତ୍ତା? ଏବେ ସେମାନଙ୍କର ପାଳି, ସେମାନଙ୍କର ସମୟ । ସେମାନଙ୍କ ଶାସନ । ବେଳେବେଳେ କଅଁଳ ବାଉଁଶ କରଡ଼ି ମୂଳ ପାକଳ ବାଉଁଶଠାରୁ ବି ରୋଟ ଦିଶେ ।’ ରାଜମୋହନ ‘ହୁଁ’ କହି ଚୁପ୍ ରହିଲେ । କିଛି ସମୟ ପରେ ବସିବା ଜାଗାରୁ ଉଠି ରାଜମୋହନ ମକବୁଲର ଘରଆଡ଼େ ଧୀରେ ଚାଲିଲେ । ଚାଲିବାବେଳେ ଆଜିକାଲି ତାଙ୍କୁ ଭାରି କଷ୍ଟ ଲାଗୁଥିଲା । ଆଣ୍ଠୁଗଣ୍ଠି ବାଦ ତାଙ୍କୁ ଗୋଟାପଣେ ଅଚଳ କରି ପକେଇଲାଣି । ତେଣୁ ସେ ବାଁ ଗୋଡ଼ ଘୋଷାରି ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲେ । ବାଁ ଗୋଡ଼ଟା ବେଶୀ ଜଖମ ଲାଗୁଥିଲା । ଅରମା ଝଟା ଓ ପାଣି କାଦୁଅକୁ ପାର ହୋଇ ରାଜମୋହନ କୌଣସି ମତେ ସେ ବାଉଁଶ ଚାରଟିକୁ ବି ଅତିକ୍ରମ କରିଗଲେ । ମକବୁଲର ଅଗଣା ଆଗରେ ଠିଆହୋଇ ସେ ଡାକ ଛାଡ଼ିଲେ, ‘ଆରେ ମକବୁଲ, କ’ଣ କରୁଚୁ?’ ନିଜ ସ୍ତ୍ରୀ ପାଖରେ ବସି ଖଣ୍ଡେ ଦଉଠା ବଳୁଥିଲା । ରାଜମୋହନଙ୍କ ଡାକ କାନରେ ପଡ଼ିବା ମାତ୍ରେ ଫତିମା ଘର ଭିତରକୁ ଜଲଦି ପଶିଗଲା । ମକବୁଲ କହିଲା, ‘ଆଜ୍ଞା କର୍ତ୍ତା, ଆସନ୍ତୁ,

ଆସନ୍ତୁ ।’ ତେବେ ତା’ର ସେହି ସ୍ୱରରେ ନା ଥିଲା ସମ୍ଭ୍ରମ ପଣ ନା ଥିଲା ସମ୍ମାନବୋଧ । ତଥାପି ସେ ରାଜମୋହନଙ୍କୁ ବସିବାକୁ ପିଢ଼ା ଖଣ୍ଡିଏ ଯାଚିଲା ।

‘ବସନ୍ତୁ କର୍ତ୍ତା, କଥା କ’ଣ କର୍ତ୍ତ? ମୁଁ ତ କହିଥିଲି ଆପଣଙ୍କ ପାଖକୁ ଯିବିବୋଲି । ଆପଣ କାଇଁକି କଷ୍ଟ କରି ଆସିଲେ?’

‘ଆରେ ନା, ମୁଁ ଖାଲି ତୋତେ ଦେଖିବାକୁ ଆସିଥିଲି । ତୁ କେମିତି ଅଛୁ । ଭଲ ଘର ଖଣ୍ଡେ ତ ବନେଇଚୁ, ଦେଖୁଚି । ତୋର ବଢ଼ିଲା ସଂସାରକୁ ଏ ଘର ଖଣ୍ଡିକ ଯଥେଷ୍ଟ ହେବ । ହେଲେ ଏ ପୁରୁଣା ଟିଣ ଚାଦର କାଇଁକି ପକେଇଚୁ? ନୂଆ ଟିଣ ଚାଦର ଆଣି ପକା’ ଏମିତି କହିଲାବେଳେ ରାଜମୋହନ ମକବୁଲର ଘର ଭିତର
ଆଡ଼େ ଭଲକରି ଉଣ୍ଡିନେଲା । ମକବୁଲ ସେତେବେଳକୁ ସେ ପଲଙ୍କଟିକୁ ତା’ର ଗୋଟିଏ କୋଠରୀରେ ପକେଇ ସାରିଥିଲା । ପଲଙ୍କଟି ପଡ଼ି ସାରିବା ପରେ
ସେଥିରେ ଆଉ କ’ ବୁଲେଇବା ଲାଗି ସୁଦ୍ଧା ଟିକିଏ ହେଲେ ଜାଗା ନଥିଲା । ପଲଙ୍କ ତଳେ ଫତିମାର ବାକ୍ସ ଠାରୁ ନେଇ ଅନ୍ୟ ବାସନକୁସନ ସବୁ ଖୁନ୍ଦିଖାନ୍ଦି ରଖା ହୋଇଥିଲା । ପଲଙ୍କ ଉପରେ କୌଣସି ଗଦି ନଥିଲା । ତେଣୁ ସେଇଟା ଫୁଙ୍ଗୁଳା ଦିଶୁଥିଲା । ରାଜମୋହନ କଲଙ୍କ ସିନା ଧଇଥିଲେ କିନ୍ତୁ ଗଦି ଦେଇନଥିଲେ । ତେଣୁ ଫତିମା ତା’ ଉପରେ ଖଣ୍ଡିଏ ସପ ବିଛେଇ ଦେଇଥିଲା ଓ ସପ ଉପରେ ମଇଳା ବେଡସିଟ୍‌ଟିଏ । ପଲଙ୍କର ଗୋଟିଏ କୋଣକୁ କେଇଟା ତେଲଚିକିଟା ମଇଳା ତକିଆ ତା’ ଉପରେ ଖଞ୍ଜା ହୋଇଥିଲା । ପଲଙ୍କଟା ଉପରେ ନଜର ପଡ଼ିମା ମାତ୍ରେ ରାଜମୋହନ ମନେ ମନେ ଦାନ୍ତ ରଗଡ଼ିହେଲେ – ଚଣ୍ଡାଳଟା ମୋ ଖାନଦାନୀ ପଲଙ୍କଟାର କି ଅବସ୍ଥା କରିଛି! କେଉଁ ଅଳିଆଗଦାରେ ଆଣି ପକେଇଚି! ମନ ଦୁଃଖରେ ସେ ଆଉ ପଲଙ୍କଟି ଆଡ଼େ ଚାହିଁ ପାରିଲେନି । ଏଥର ମକବୁଲ ଆଡ଼େ ଚାହିଁ କହିଲେ- ‘ହଁ, ଏ ଟିଣ ଚାଦରଗୁଡ଼ାକ ବଦଳେଇ ନେ’ । ଯଦି ପୁରୁଣା ଟିଣ ଛାତରୁ ପାଣି ଗଳେ, ତା’ହେଲେ ଘର ଭିତରେ ଜିନିଷପତ୍ର ନଷ୍ଟ ହୋଇଯିବ ।’

ମକବୁଲ କହିଲା, ‘ହଁ କର୍ତ୍ତା । ମୁଁ ସେଇକଥା ଭାବୁଚି । ହେଲେ ପଇସା କାଇଁ ଯେ ନୂଆ ଟିଣ ଚାଦର ଆଣି ପକେଇବି? ଅନେକ କଥା ତ କିଣିବାକୁ ଇଚ୍ଛା – ଗାଈଟିଏ, ଭଲ ଡଙ୍ଗାଟିଏ ହେଲେ ମୋ ଫଟା କପାଳକୁ ଟଙ୍କା ଜୁଟିଲେ ସିନା…’ ଏଥର ମଉକା ଦେଖି ରାଜମୋହନ କହିଲେ, ‘ଆରେ ଚିନ୍ତା କରନା, ମୁଁ ତୋ ଟଙ୍କା ଫେରେଇ ଆଣିଚି ।’ ମକବୁଲ ରାଜମୋହନଙ୍କ ମୁହଁକୁ ଚାହିଁ କହିଲା, ‘କ’ଣ କହୁଚନ୍ତ ଧଳ କର୍ତ୍ତା!’

ରାଜମୋହନ ତା’ର ଆହୁରି ପାଖକୁ ଲାଗିଆସି କହିଲେ, ‘ଆ’, ମୋର ତୋ ସାଙ୍ଗରେ ଦି’ପଦ କଥା ହେବାର ଅଛି । ସବୁକଥା ତତେ ବୁଝେଇ କହୁଚି କହି ରାଜମୋହନ ଅଗଣାକୁ ମାହାରି ଆସିଲେ ।

ମକବୁଲ କିନ୍ତୁ ଠିଅ ହୋଇଥିବା ଜାଗାରୁ ଚଙ୍କିଲାନି । ଓଲଟା ସେ ଦୃଢ଼ କଣ୍ଠରେ କହିଲା, ‘ଯାହା କହିବାର ଅଛି ମୋତେ ଏଇଠି କୁହନ୍ତୁ କର୍ତ୍ତା । ଆପଣଙ୍କ ମନରେ ଯାହା କିଛି ଅଛି ଏଇଠି କହନ୍ତୁ । କେହି ନାହାନ୍ତି ।’ ରାଜମୋହନ କିନ୍ତୁ ତା’କଥା ପ୍ରତି କର୍ଣ୍ଣପାତ କଲେନି । ସେ ମକବୁଲର ହାତକୁ ଭିଡ଼ି ତାକୁ କୁଡ଼ିଆ ବାହାରକୁ
ଟାଣି ଟାଣି ନେଇଗଲେ । ବାହାର ଅଗଣା କହିଲେ ଚାରିଆଡ଼ ଘାସଲତାରେ ଭର୍ତ୍ତି । ତିନି ପଟେ କେନାଲ ଓ ଚତୁର୍ଥ ଦିଗକୁ ନଦୀ । ଏଇ ଚକଡ଼ାଟିରେ ଏଣେତେଣେ ବିକ୍ଷିପ୍ତ ଭାବେ କେଇଟି ମୁସଲମାନଙ୍କ କୁଡ଼ିଆ ଘର । ସେଥିରୁ କେତାଟି କେନାଲ ପାଣିରେ ଡୁବି ସାରିଥିଲା । ଆଉ କେତୋଟି ଦରବୁଡ଼ା ହୋଇ ସବୁଦ୍ର ମଝିରେ
ଟାପୁଟିଏ ପରି ଦୃଶ୍ୟ ହେଉଥିଲା । ମକବୁଲର କୁଡ଼ିଆର ଦକ୍ଷିଣ-ପୂର୍ବ ପଟକୁ ଲାଗି କେଇବୁଦା ବାଉଁଶ । ସେଇ ଆଡ଼କୁ ରାଜମୋହନ ଚାଲି ଚାଲି ଗଲେ । ପଛେ ପଛେ ମକବୁଲ ।

ଏବେ ମକବୁଲ ତାଙ୍କୁ ପଚାରିଲା, ‘କଥା କ’ଣ କର୍ତ୍ତା? କ’ଣ କହିବାର ଅଛି କହନ୍ତୁ ।’ ଏଥର  ଗୁଡ଼େଇ ଖୋସିଥିବା କିଛି ଟଙ୍କା କାଢ଼ି ରାଜମୋହନ ହାତରେ ଧରିଲେ । ପୂର୍ବଦିନ ମକବୁଲ ତାଙ୍କୁ ଯେଉଁ ଟଙ୍କା ଦେଇଥିଲା ଇଏ ସେଇ ଟଙ୍କା । ତା’ ସାଙ୍ଗରେ ଆଉ ଖଣ୍ଡି ପାଞ୍ଚଟଙ୍କିଆ ନୋଟ ବି ଥିଲା । ମକବୁଲ ଆଡ଼କୁ ସେ ଟଙ୍କାତକ
ବଢ଼େଇଦେଇ କହିଲେ, ‘ଏ ଟଙ୍କାକୁ ଗଣ । ଏଥିରେ ପଞ୍ଚାବନ ଟଙ୍କା ଅଛି । ତୋ ପିଲାମାନଙ୍କ ଲାଗି ମିଠେଇ କିଣିବା ସକାଶେ ମୁଁ ଅଧିକ ପାଞ୍ଚଟଙ୍କା ଦେଇଚି ।’ ମକବୁଲ କିନ୍ତୁ ତା’ଆଗରୁ ରାଜମୋହନଙ୍କ ମନର ଭାବକୁ ଠଉରାଇ ସାରିଥିଲା । ଏଥର ସେ ତାଙ୍କ ଆଡ଼କୁ କଠୋର ଦୃଷ୍ଟିରେ ଚାହିଁଲା । ରାଜମୋହନଙ୍କୁ ସେ ଦୃଷ୍ଟି ପସନ୍ଦ ହେଲାନି । ମକବୁଲ ଆଖି ବେଳକୁ ବେଳ ଲାଲ ହୋଇ ଉଠୁଥିଲା । ମୁହଁ ଆହୁରି କଠୋର ।

ରାଜମୋହନ ପାଦେ ପଛକୁ ଘୁଞ୍ôଚଗଲେ । ମକବୁଲ ବତିଶ ବର୍ଷର କଳା ମଚମଚ ଯୁଆନ ଟୋକା । ରାଜମୋହନଙ୍କ ଠାରୁ ଆହୁରି ଠେଙ୍ଗା । ପୁରା ନଡ଼ିଆ ଗଛ ପରି ହୃଷ୍ଟପୁଷ୍ଟ । ଶାଳୁଆ ଗଜ ପରି ହାତଗୋଡ଼ ।  ତା’ ସାଙ୍ଗକୁ ମୁହଁର ଘଞ୍ଚ ଦାଢ଼ି ସତେକି ତାକୁ ଗୋଟିଏ ଅରଣା ଜୀବରେ ପରିଣତ କରିଦେଉଥିଲା!

ରାଜମୋହନ ପଛକୁ ପାଦ ଘୁଞ୍ଚାଇ ନେବା ଦେଖି ମକବୁଲ ମୁରୁକି ହସି କହିଲା, ‘ଆପଣ ଡରି ଯାଉଛନ୍ତି କି କର୍ତ୍ତା? ମୋଟେ ଡରନ୍ତୁନି । ଯେତେହେଲେ ଆପଣ ପରା ବୁଢ଼ା ଲୋକ, ଆମ ଇଲାକାର ମୁରବୀ ଓ ମର୍ଯ୍ୟାଦବ୍ନ୍ ଲୋକ । ମୁଁ କ’ଣ କେବେ ଆପଣଙ୍କୁ ଅସମ୍ମାନ କରିପାରିବି? ହେଲେ ଆପଣ ଏ ଟଙ୍କା ଫେରେଇ ନିଅନ୍ତୁ । ମୋ ପିଲାମାନେ ମିଠେଇ ଖାଆନ୍ତିନି ।

ମିଠା ଖାଇଲେ ସେମାନଙ୍କ ପେଟରେ କୃମୀ ହେବ, ପେଟ କାମୁଡ଼ିବ । ଆପଣ ଘରକୁ ଫେରିଯାଆନ୍ତୁ କର୍ତ୍ତା । ସେ ପଲଙ୍କଟା ମୁଁ କୌଣସି ହାଲତରେ ଫେରେଇବିନି ।’ ମକବୁଲର ଏମିତିକା କଥାରେ ରାଜମୋହନଙ୍କ ମୁହଁ ପୂରାପୂରି ଲାଲ ପଡ଼ିଗଲା । ସେ ନିଜକୁ ଅପମାନ ବୋଧ କଲେ । ଲଜ୍ଜା ଓ ପରାଜୟ ଗ୍ଳାନିରେ ତାଙ୍କ କାନମୁଣ୍‌ନା ଗରମ ହୋଇଉଠିବା ପରି ଲାଗିଲା । ସେ ଟଙ୍କାତକ ପୁଣି ଥରେ  ଗୁଞ୍ଜି ମକବୁଲ ଆଡ଼େ ଚାହିଁ କହିଲେ, ‘ହଉ ଠିକ୍ ଅଛି । ହେଲେ ମନେରଖ ମକବୁଲ ଶେଖ୍‌, ଏକା ମାଘକେ ଶୀତ ଯାଏନି । ତୁମକୁ ପାକିସ୍ତାନ ମିଳିଯାଇଛି ସତ, ହେଲେ ତୁମେ ସମସ୍ତେ ଗଭର୍ଣ୍ଣର ବନିଯାଇନ ।’

ରାଜମୋହନ ସେଠାରୁ ଚାଲିଯିବା ମାତ୍ରେ ଘର ଭିତରୁ ଫତିମା ଦୌଡ଼ି ଆସିଲା । ଭୟମିଶା କଣ୍ଠରେ ସେ ମକବୁଲକୁ ପଚାରିଲା, ‘କ’ଣ ହେଲା? କର୍ତ୍ତା ଏମିମତି ରାଗିଲେ କାଇଁକି?’

‘ହବ ଆଉ କ’ଣ? ପଲଙ୍କଟାକୁ ବିକିସାରି ଏବେ ପୁଣି କହୁଚନ୍ତି ଫେରେଇ ନେବେ । ମୋତେ ଟଙ୍କା ଯାଚି ଭୁଲେଇବାକୁ ଚେଷ୍ଟା କରୁଥିଲେ ।’ ମକବୁଲ କହିଲା ।
ଫତିମା କିଛି ବୁଝି ନପାରିବା ଭଳି କହିଲା, ‘କି ଅଜବ କଥା! ତୁମେ ତାଙ୍କ କି ଉତ୍ତର ଦେଲ?’ ମକବୁଲ ହସିହସି ପରିହାସ ଛଳରେ କହିଲା, ‘ମୁଁ ତାଙ୍କ ଗୋଡ଼ ଧରି
ପଡ଼ିଗଲି । କାକୁତି ମିନତି ହୋଇ କହିଲି, ‘କର୍ତ୍ତା, ଆପଣ ଯଦି ଚାହାନ୍ତି ବରଂ ମୁଁ ମୋ ସ୍ତ୍ରୀଭୁ ଦେଇଦେବି । ହେଲେ ସେ ପଲଙ୍କକୁ ଫେରେଇବିନି ।’

ଫତିମା ମୁହଁରେ ଅଭିମାନଭରା ରାଗ ପ୍ରକଟ କଲାଭଳି କହିଲା, ‘କର୍ତ୍ତାଙ୍କ ପରି ଜଣେ ବୁୁଢ଼ା ଲୋକଙ୍କୁ ତୁମେ ଏମିତିକା ଅଲାଜୁକ କଥା କହିପାରିଲ?’ ତୁମ ମୁହଁରେ କ’ଣ ଲାଜ ସରମ ବୋଲି କିଛି ନାହିଁ?’

ମକବୁଲ କିଛି କହିଲାନି । ନିଜ ପରିହାସକୁ ସେ ମନେ ମନେ ଉପଭୋଗ କଲା । ଫତିମା ବି ଠଉରାଇ ନେଲା ଯେ ମକବୁଲ ତା’ ସାଙ୍ଗରେ ବେହେଲ କରୁଚି । କର୍ତ୍ତାଙ୍କ ମୁହଁରେ ଏମିତିକ ବେସରମ କଥା ସେ କଦାପି କହିନଥିବ । ଏଥର ଫତିମା ପାଳି । ସେ ମକବୁଲକୁ ଚିଡ଼େଇବା ଲାଗି କହିଲା, ‘ହଉ ମିଆଁ, ତୁମ ବେଗମକୁ ଯଦି ତୁମେ ଏତେ ଭଲ ପାଉଥାଅ, ଆଉ କାହା କଥାକୁ ଖାତିର ନାହିଁ, ତା’ହେଲେ ଏ ପଲଙ୍କଟାକୁ ତାଙ୍କୁ ଫେରେଇ ଦେଲନି କାଇଁକି? ତୁମେ ତ ଜାଣିଚ ସିଏ
ସାଧାସିଧା ଲୋକ ନୁହନ୍ତି । ମନେ ରଖ, ସିଏ ଏକଥାକୁ ମୋଟେ ଭୁଲିବେନି । କ’ଣ ନାଇଁ କ’ଣ ପେଞ୍ଚକାଞ୍ଚ ବାହାର କରିବେ । ଯଦି ସିଏ କିଛି ଅନିଷ୍ଟ କରିବସିଲେ କିଏ ତୁମ ପିଠିରେ ପଡ଼ିବ? ତୁମେ ଯାହା କୁହ ପଛେ, ଆମ ପିଲାଛୁଆଙ୍କୁ ଧରି ଆମେ ଦୁଃଖେସୁଖେ ଚଳିବା । ଏତେ ଝାମେଲା ଭିତରେ
ପଶିବାନି । ଏସବୁ କଥା ଚିନ୍ତା କଲାବେଳକୁ ମୋ ଛାତି ଥରିଉଠୁଚି ।’

ମକବୁଲ ନିଜ ବେଗମ୍ ଆଡ଼କୁ ଚାହିଁ କହିଲା, ‘ଥରୁଥାଉ ବିବି । ତୋ ଛାତି ଥରିଲେ ତୋ ମୁହଁ ଆହୁରି ସୁନ୍ଦରିଆ ଦିଶେ ।’ ଏକଥା ଶୁଣି ଫତିମା ତା’ ମୁହଁ ଉପରକୁ ଶାଢ଼ୀ ଓଢ଼ଣାଟା ଆହୁରି ଟାଣିନେଲା । ଛାତି ଉପର ଶାଢ଼ୀକୁ ଜଲଦି ସଜାଡ଼ି ନେଉ ନେଉ କହିଲା, ‘ତୁମ ସାଙ୍ଗରେ କଥା ହେବା ଖରାପ । ତୁମ ନଜର ସଦାବେଳେ…’ ଏତିକି କହି ସେ ଅଟକିଗଲା । ସତେକି ମକବୁଲର ରସିକପଣର ଉପମା ଦେବାକୁ ସେ କିଛି ଭାଷା ପାଉନଥିଲା ।

ମକବୁଲ ହୋ ହୋ ହୋଇ ହସିଉଠିଲା । ଏଥର ପ୍ରକୃତିସ୍ଥ ହୋଇ ସେ କହିଲା, ‘ଇଏ ହେଲା ମରଦପଣିଆ ନଜର ବିବି । ଜଣେ ରସିକ ନାଗରର ଦୃଷ୍ଟି । ସିଏ ବୁଢ଼ା ଧଳ କର୍ତ୍ତାଙ୍କ ପରଳଲଗା ଆଖିନୁହଁ । ଏ ଆଖିର ଦୃଷ୍ଟି ନିଆରା । ସଂସାରରେ ଅନ୍ୟାୟ କି ଅସମାନତା ଦେଖିଲେ ଏ ଆଖି ରଙ୍ଗା ପଡ଼ିଯିବ । ଆଉ କିଛି ସୁନ୍ଦର ଜିନିଷ ଦେଖିଲେ ପ୍ରେମ ଆଉ କାମନାରେ ଏ ଆଖି ଜଳି ଉଠିବ!’

ଏଇ ଘଟଣାର କେଇଦିନ ପରେ ମକବୁଲକୁ ରାଜମୋହନଙ୍କ ଘରୁ ଡାକରା ଆସିଲା । ଧଳକର୍ତ୍ତାଙ୍କ ଉତ୍ତର ପଟ ବାରଣ୍ଡାରେ ସେଦିନ ସନ୍ଧ୍ୟାରେ ଦିଓଟି ସତରଞ୍ଜି ବିଛା ହୋଇଥିଲା । ସେଥିରୁ ଗୋଟିଏମୁସଲମାନ ଲୋକଙ୍କ ପାଇଁ ଓ ଅନ୍ୟଟି ହିନ୍ଦୁମାନଙ୍କ ଲାଗି । ଦିଓଟି ସତରଞ୍ଜି ମଝିରେ ପାନବଟା, ତମ୍ବାଖୁ ଡ଼ବା, ଜଳନ୍ତା ଅଙ୍ଗାରଭରା ମାଟି ଉହ୍ମେଇ ଓ ବିଭିନ୍ନ ଆକ୍ୟତିର ତିନୋଟି ହୁକା ସଜା ହୋଇ ଥୁଆଯାଇଥିଲା । ସେଥିରୁ ଦିଓଟି ହିନ୍ଦୁଙ୍କ ପାଇଁ ଓ ଆରଟି ମୁସଲମାନ ଲୋକଙ୍କ ସକାଶେ ।

ଆଖପାଖ ଇଲାକାରେ ଆଉ ସେମିତି କେହି ସବର୍ଣ୍ଣ ହିନ୍ଦୁ ଲୋକ ନଥିଲେ । ଯେଉଁମାନେ ରହିଯାଇଥିଲେ ସେମାନେ ନିମ୍ନ ବର୍ଗର ଓ କୃଷ୍ଣବର୍ଣ୍ଣର । ଶରତ ଶିଲ୍‌, ମୁରାରୀ ମଣ୍ଡଳ, ଫଟିକ କର୍ମାକର, ନିବାରଣ ରଜାକ – ଏମାନେ ସମସ୍ତେ ଥିଲେ ରାଜମୋହନଙ୍କ ଏକାନ୍ତ ଅନୁଗତ । କୌଣସି ନା କୌଣସି ଭାବେ ସେମାନେ ତାଙ୍କ ଦ୍ୱାରା ଅନୁଗୃହୀତ ହୋଇଥିଲେ । ସାହାଯ୍ୟ ପାଇଥିଲେ । ମୁସଲମାନଙ୍କ ଭିତରେ ଥିଲେ ଚନ୍ଦନ ମିର୍ଦ୍ଧା, ବଦନ ସିକଦାର ଓ ଗେଡ଼ୁ ମୁନସୀ । ମକବୁଲ ଆସି ରାଜମୋହନଙ୍କ ପିଣ୍ଡା ପାଖରେ ଗେଡ଼ୁ ମିର୍ଦ୍ଧା ତାକୁ ମାମଲତକାରିଆ ସ୍ୱରରେ ଆକ୍ଷେପ କରିଚାଲିଲା, ‘ଯାହା କହ ମକବୁଲ, ତୁ କର୍ତ୍ତାଙ୍କ ସାଙ୍ଗରେ ଉଚିତ ବ୍ୟବହାର କରିନୁ । ତୁ ତ ନିଜେ ଦେଖୁଚୁ, ଏ ଖଣ୍ଡମଣ୍ଡଳରୁ ବହୁ ହିନ୍ଦୁ ଲୋକ ଘରଦ୍ୱାର ଛାଡ଼ି ଭାରତ ପଳେଇ ସାରିଚନ୍ତି, ହେଲେ କର୍ତ୍ତା ଆମରିମାନଙ୍କ ଭଲ ପାଇଁ ଏଇଠି ଏକୁଟିଆ ପଡ଼ି ରହିଚନ୍ତି । ଆମକୁ ଛାଡ଼ି ଯାଇନାହାନ୍ତି କି ଆମମାନଙ୍କଠାରୁ ସମ୍ପର୍କ ତୁଟେଇ ନାହାନ୍ତି । ତାଙ୍କ ହୃଦୟରେ ଆମମାନଙ୍କ ଲାଗି ସ୍ନେହ ଶ୍ରଦ୍ଧା ଭରି ରହିଚି । ଆମେ ତାଙ୍କରି ଜମି ଚଷୁଚୁ, ତାଙ୍କରି ଘରକୁ ଆସୁଚୁ, ଭଲ ମନ୍ଦରେ ସେଇ ଆମକୁ ସାହାଯ୍ୟ କରୁଚନ୍ତି । ତେଣୁ ତତେ କର୍ତ୍ତାଙ୍କ ଦରବ ତାଙ୍କୁ ଫେରେଇବାକୁ ପଡ଼ିବ । ତାଙ୍କ ସମ୍ପତ୍ତି ତାଙ୍କୁ ଦେବାକୁ ହେବ । ସେଥିରେ ତାଙ୍କ ସମ୍ମାନ ରକ୍ଷା ହେବ ।’

ମକବୁଲ ସବୁ ଶୁଣିସାରି କହିଲା, ‘ମୁନସୀ ସା’ବ୍‌, ଦୟାକରି ଏମିତି ଅନ୍ୟାୟ କଥା କୁହନ୍ତୁନି । ସେ ପଲଙ୍କଟାକୁ କର୍ତ୍ତା ନିଜେ ମୋତେ ଦେଇଚନ୍ତି । ମୁଁ ନିଜେ ପଲଙ୍କଟିକୁ ବିକିବାକୁ କହିଲେ । ମୋ ଠାରୁ ଟଙ୍କା ବି ନେଲେ । ୟାକୁବ୍ ଚୌକିୀଦାର ନିଜେ ସାକ୍ଷୀ ଅଛି । ଆଉ ଏବେ ପଲଙ୍କଟିକୁ ଫେରେଇ ଦେବାକୁ କେମିତି କହୁଚନ୍ତି?’ ରାଜମୋହନ କାଠ ଚୌକିଟିରେ ଗୁମ୍ ହୋଇ ବସି ରହିଥାନ୍ତି । ତାଙ୍କ ଡାହାଣ ପଟକୁ ଜଳନ୍ତା ଲଣ୍ଠନଟିଏ ଥୁଆ ହୋଇଥିଲା । ସେ ଲଣ୍ଠନଟିକୁ ଆହୁରି ତେଜିଦେଇ ବଡ଼ ପାଟିରେ କହିବାକୁ ଆରମ୍ଭ କଲେ, ‘ମୁଁ ତୋ’ଠାରୁ ଟଙ୍କା ନେଇଛି? ସତ କହୁଚୁ? ସେମିତିକା ହାତିଖୋଜିଆ ପଲଲଙ୍କର ଦାମ୍ କ’ଣ ପଚାଶ ଟଙ୍କା?
ତୁ କହିଦେଳେ କ’ଣ ହେଇଗଲା?’ ‘ହେଲେ କର୍ତ୍ତା, ଆପଣ ତ ସେତିକି ଦାମ୍‌ରେ ପଲଙ୍କଟାକୁ ଦେବାକୁ ରାଜି ହେଲେ । ତା’ଛଡ଼ା ପୁଣି କିଣିଲାବାଲାର ସାମର୍ଥ୍ୟକୁ
ଦେଖି ତ ମୂଲ କରାଯିବା କଥା । ମୁଁ ତ ପଚାଶ ଟଙ୍କାରୁ ଅôଧକା ଦେଇ ପାରିବିନି । ସେଇଥିପାଇଁ ପଚାଶଟଙ୍କା ଦେଇ ପଲଙ୍କଟାକୁ ନେଲି ।’ ମକବୁଲ ଯୁକ୍ତି ବାଢ଼ିଲା । ଶରତ ଶିଲ୍ ସବୁ ଶୁଣି କହିଲା, ‘ତୁ କିଛି ଭଲ କଥା କରୁନୁ । ତୋର ସେ ପଲଙ୍କ କିଣିବାର ସାମର୍ଥ୍ୟ ନଥାଇପାରେ । କିନ୍ତୁ ଅନ୍ୟ କାହାର ତ ଅଛି । ତୁ ଆଉ ଶହେ ଟଙ୍କା ଆଣି କର୍ତ୍ତାଙ୍କୁ ଦେ’ । ନ’ହେଲେ ସେ ପଲଙ୍କଟାକୁ ଆଣି ଭଲାରେ ଭଲରେ ଫେରେଇଦେଇ ଯା’ ।’ ଏଭଳି କଥା ହିନ୍ଦୁ ଲୋକମାନଙ୍କ ମନକୁ ବି ପାଇଲା ଓ ସେମାନେ ସମ୍ମତି ଭରିଲେ ଏବଂ ମୁସଲମାନ ଲୋକମାନେ ବି ପ୍ରତିବାଦର ସ୍ୱର ଉଠାଇଲେନାହିଁ । ସେତେବେଳକୁ ଜଣକ ହାତରୁ ଅନ୍ୟ ଜଣକ ହାତକୁ ହୁକା ନାଡ଼ଟା ବୁଲି ଚାଲିଥିଲା । କିନ୍ତୁ ସମସ୍ୟାଟା ଏପର୍ଯ୍ୟନ୍ତ ସୁଦ୍ଧା ସମାଧାନ ହୋଇନଥିଲା ।

ମକବୁଲ ସମସ୍ତଙ୍କ ମୁହଁକୁ ଚାହିଁ ରୋକଠୋକ ଜବାବ ଦେଲା, ‘ଯଦି ଏଇଟା ଆପଣମାନଙ୍କର ସମସ୍ତଙ୍କର ଫଇସଲା ହୋଇଥାଏ ତା’ହେଲେ ଏ ନିଷ୍ପତ୍ତିକୁ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ତୁମେମାନେ ଯାଅ । ମୋ ନାଁରେ କୋର୍ଟରେ ନାଲିିସ୍ କର । ଦେୱାନୀ ଅଦାଲତକୁ ଯାଅ କି ଫୌଜଦାରୀ ଅଦାଲତକୁ ଯାଅ ତୁମ ଇଚ୍ଛା । ମୁଁ କାହାରି କଥାକୁ ପରବାଏ କରିନି ।’ ‘ଚୁପ୍ କର୍‌, ଛୋଟଲୋକ! ଛୋଟ ଲୋକ ତୁଣ୍ଡରେ ବଡ଼ କଥା! ଗେଡ଼ୁ ମୁନସୀ ଚିତ୍କାର ଛାଡ଼ିଲା । ‘ସିଧା ଘରକୁ ଯା’ । ଆଉ ଆମ କଥାକୁ ଆଉ ଥରେ ଭାବ । ତୋ ଭାରିଜା ସାଙ୍ଗରେ ବି ଆଲୋଚନା କର । ଦରକାର ପଡ଼ିଲେ ରାତିସାରା ଚିନ୍ତା କର । ଆସନ୍ତାକାଲି ଆସି ଆମକୁ ତୋ ଫଇସଲା ଜଣା ।’ ମକବୁଲ ହଠାତ୍ ନିଜ ବସିବା ସ୍ଥାନ ଛାଡ଼ି ଉଠି ଚାଲିଗଲା । ମକବୁଲ ଚାଲି ଯିବାପରେ ଗେଡ଼ୁ ମୁନସୀ ଓ ଚନ୍ଦନ ମିର୍ଦ୍ଧା ରାଜମୋହନକୁ ବୁଝାଲୁଝା କଲେ ।

ସେମାନେ କହି ଚାଲିଲେ, ‘ଆପଣ କିଛି ଚିନ୍ତା କରନ୍ତୁନି ଧଳ କର୍ତ୍ତା । ଆମେ ସମସ୍ତେ ଜାଣିଚୁ ସେଇଟା ଭାରି ଜିଦିଆ । ଅତି ଆଣ୍ଡୁ ସ୍ୱଭାବର ଲୋକଟା । ସିଏ କ’ଣ କାହାରି କଥା କେବେ ଶୁଣେ? ତେଦେ ଦେଖାଯାଉ, ଯେକୌଣସି ମତେ ହେଉ ତାକୁ ମନେଇବାକୁ ଆମେ ସବୁପ୍ରକାର ଚେଷ୍ଟା କରିବୁ । ସେମାନେ ସମସ୍ତେ ତାକୁ ଭିତରେ ଭିତରେ ସମର୍ଥନ କରୁଚନ୍ତି । ନହେଲେ ମକବୁଲ ଭଳିଆ ଲୋକ ଆପଣଙ୍କ କଥାକୁ ବେଖାତିର କରିପାରନ୍ତା କେମିତି? ଆପଣଙ୍କ କଥାକୁ ମାନିବନାହିଁ ବୋଲି କହିପାରନ୍ତା କିପରି? ଆପଣ କିଛି ନକହି ସବୁ ସହି ଯାଆନ୍ତୁ ।  ଆମକୁତ ସମୟ ସହିତ ବଦଳିବାକୁ ପଡ଼ିବ । ଆପଣ ତ ମାତ୍ର ପଲଙ୍କଟିଏ ହରାଇଛନ୍ତି । ନିଜେ ଦେଖିଚନ୍ତି କେତେ କେତେ ଲୋକଙ୍କୁ ଅସମାନଙ୍କ ଘରଦ୍ୱାର, ଜମିବାଡ଼ି ଶାଗମାଛ ଦରର କେମିତି ବିକିବାକୁ ପଡ଼ିଲା । ସେଥିରେ କ’ଣ ଅଛି କହନ୍ତୁ ତ? ସେମାନେ କ’ଣ ମରିଗଲେ? ଏଭଳି ଘଟଣାକୁ ସହି ଆମକୁ ଜୀବନ ଧରି ରହିବାକୁ ପନିବ । ସେଇ ପଲଙ୍କଟାକୁ ମୁର୍ଚ୍ଛିଦେଲେ କ’ଣ ଆପଣ ଗରିବ ହୋଇଯିବେ ନା ମରିଯିବେ?
ଆପଣ ଚାହିଁଲେ କ’ଣ ନିଜ ଘରେ ସେଇଭଳିଆ ପାଞ୍ଚ ପାଞ୍ଚଟା ପଲଙ୍କ ପକେଇ ପାରିବେନି? ଆପଣ ଯାଆନ୍ତୁ କର୍ତ୍ତା, ବିଶ୍ରାମ ନିଅନ୍ତୁ । ରାତି ଆସେ ଉଛୁର ହେଲାଣି ।’
ସେଇଠି ବସି କିଛି ସମୟ ପର୍ଯ୍ୟନ୍ତ ହୁକା ଟାଣିବା ପରେ ଶରତ ଶିଲ୍ ବି ତା’ ଘରକୁ ଫେରିଗଲା । ଲଣ୍ଠନ ଆଲୁଅଟା କାହିଁକି କେତାଣି ରାଜମୋନଙ୍କ ଆଖିକୁ ଭାରି ଅଡ଼ୁଆ ଲାଗୁଥିଲା । ତେଣୁ ସେ ବଦୀଟାକୁ ଲିଭେଇଦେଇ ସେଇଠି ଅନ୍ଧାରରେ ବସିରହିଲେ । ସେତେବେଳକୁ ପୂର୍ବପଟ ବାରଣ୍ଡାରେ ସପ ଖଣ୍ଡିଏ ପାରି କାଳୁ ନିଘୋଡ଼ ନିଦରେ ଶୋଇ ସାରିଥିଲା । ରାଜମୋହନଙ୍କ ଘର ଓ ସାଇପଡ଼ିଶା ଚାରିଆଡ଼େ ନିସ୍ତବ୍ଧ ଲାଗୁଥାଏ । କୌଣସି ସ୍ଥାନରୁ କିଛି ହେଲେ ସୋରଶବ୍ଦ
ଶୁଭୁନଥାଏ ।

ରାଜମୋହନଙ୍କ ଆଜି ଭାରି ଏକୁଟିଆ ଲାଗୁଥିଲା । ନିଜକୁ ସେ ଭାରି ଅସହାୟ ମଣୁଥିଲେ । ଭାବୁଥିଲେ, ଏଭଳି ଅପମାନକୁ ତାଙ୍କୁ ଏଣିକି ସହ୍ୟ କରିବାକୁ ପଡ଼ିବ । ଯଦି ସେ ହାରାମଜାଦା ଆଜି ଘରେ ଥାଆନ୍ତା ଓ ତାଙ୍କ ପାଖରେ ଠିଆ ହୋଇଥାନ୍ତା, ତା’ହେଲେ ତାଙ୍କୁ ଏତେ ଅସହାୟବୋଧ ଅନୁଭୂତ ହେଉନଥାନ୍ତା । କିନ୍ତୁ ସେ ଆଉ ଏଠାକୁ ଫେରିବାର ନାହିଁ । ରାଜମୋହନ ବି ତାକୁ ଫେରି ଆସିବାକୁ କହି ପାରିବେନି । ସେ ଭାବିଲେ, ସେ ଯେଉଁଠି ଅଛି ଭଲରେ ଥାଉ, ଖୁସିରେ ରହୁ ।

ରାଜମୋହନ ଅନେକ ଲୋକଙ୍କ ଘରେ ବାପପୁଅଙ୍କ ଭିତରେ କଳିଝଗଡ଼ା ଲାଗିବାର ଦେଖିଥିଲେ, ଶୁଣିଥିଲେ । କିନ୍ତୁ ନିଜ ଘରେ ସୁରେନ ଓ ତାଙ୍କ ଭିତରେ ସେପରି ଘଟଣା କେବେ ଘଟିନଥିଲା । ତଥାପି ସୁରେନ ତାଙ୍କୁ ଛାଡ଼ି ଚାଲିଯାଇଥିଲା । ତା’ର ମନୋଭାବ,  ଓ ପଢ଼ାଶୁଣା ରାଜମୋହନଙ୍କ ହାବଭାବ ସହିତ ଆଦୌ ଖାପ ଖାଉନଥିଲା । ରାଜମୋହନ ଯାହାକୁ ଜୀବନଠାରୁ ବଳି ଅଧିକ ବୋଲି ଭାବୁଥିଲେ ସୁରେନର ସେଥିପ୍ରତି ସାମାନ୍ୟତମ ଶ୍ରଦ୍ଧା ଅବା ଖାତିର ନଥିଲା । ନା ପୂର୍ବପୁରୁଷଙ୍କ ସେଇ ଖାନଦାନୀ ଘର, ନା ଜମିବାଡ଼ି, ନା ଧାନକ୍ଷେତ, ନା ଝୋଟ କିଆରୀ, ନା ଗଛବୃଚ୍ଛ, ନା ନିଜ ଜନ୍ମଭୂଇଁର ନଦୀନାଳ, କାହାରି ପ୍ରତି ମନରେ
ଆକର୍ଷନ ନଥିଲା । ତା’ର କେବଳ ମନ ନିଜ ଚାକିରୀ ଆଉ ଗଦା ଗଦା ବହିରେ । ନିଜ ଦେଶକୁ ଜାଣିବାରେ ନା ଥିଲା ଆଗ୍ରହ ନା ନିଜ ଲୋକଙ୍କ ପାଇଁ ତାଙ୍କ ମନରେ ଥିଲା କୌଣସି ପ୍ରକାର ଶ୍ରଦ୍ଧା । ରକ୍ତମାଂସରେ ଗଢ଼ା ମଣିଷଙ୍କ ପରିବର୍ତ୍ତେ ବହି ପୃଷ୍ଠାରେ ସେ ମାନବିକତାକୁ ଖୋଜୁଥିଲା । ତେଣୁ ବାପ-ପୁଅଙ୍କ ଭିତରେ
କୌଣସି ପ୍ରକାର ଭାବ ବିନିମୟ କି ଭଲମନ୍ଦ କଥାବାର୍ତ୍ତା ନଥିଲା । ଦେଶ ବିଭାଜନ ହୋଇ ପାକିସ୍ତାନ ଗଠନ ହେବାର ଢେର୍ ପୂର୍ବରୁ ସୁରେନ୍ ଗାଁ ଛାଡ଼ି ଯାଇ ଅନ୍ୟତ୍ର ରହିଥିଲା । ଏବେ ରାଜମୋହନ ଓ ତାଙ୍କ ପୁଅ ଦୁଇଟି ପୃଥକ୍ ଦେଶର ନାଗରିକ । ଦୁଇଟି ଭିନ୍ନ ପିଢ଼ିର ମଣିଷ । ରାଜମୋନ ପାକିସ୍ତାନର ଓ ସୁରେନ ଭାରତର ।

ଘରର ଦକ୍ଷିଣ ପଟ ଦିବାଲକୁ ଲାଗିଥିବା ଦେବଦାରୁ ଗଛର ପତ୍ରଗୁଡ଼ିକ ହଠାତ୍ କୋହଲା ପବନରେ ଥରିଉଠି ନିସ୍ତବ୍ଧ ରାତିରେ ଏକ ବିଚିତ୍ର ଶବ୍ଦ ସୃଷ୍ଟି କଲା । ସେ ଗଛଟା କେଡ଼େ ଉଚ୍ଚ ହେଲାଣି! ରାଜମୋହନ ତାକୁ ନିଜେ ଲଗାଇଥିଲେ । ସୁରେନ୍‌ ପରି ସେ ଗଛଟା ତାଙ୍କରି ଆଖି ଆଗରେ ବଢ଼ିଥିଲା । ଗଛ ତ ସେମିତି ଅଛି, କିନ୍ତୁ ସୁରନ୍ ନାହିଁ । ସୁରେନ୍ ପରି ଗଛମାନେ ତାଙ୍କୁ ଛାଡ଼ି କୁଆଡ଼େ ପଳେଇ ଯାଇନାହାନ୍ତି । ରାଜମୋହନ ମନକୁ ମନ କହିହେଲେ, ‘ମୋ ଶତ୍ରୁମାନଙ୍କ ଠାରୁ ସୁଦ୍ଧା
ଗଛଟା ମୋର ପ୍ରିୟ ଓ ଘନିଷ୍ଠ । ତୋ ସକାଶେ ହିନ୍ଦୁସାନ୍ତ- ପାକିସ୍ତାନ ଭିତରେ କିଛି ଫରକ ନାହିଁ । କେଇ ବର୍ଷର ପାଠପଢ଼ା ପରେ ଗୋ ଠାରୁ ରୂରେଇ ଯାଇନୁ । ନିଜ ଭିଟାମାଟିକୁ ଜାବୁଡ଼ି ଧରି ସେମିତି ପଡ଼ିରହିଚୁ । ଜନ୍ମମାଟିକୁ ଭୁଲିଯାଇନୁ । ଠିକ୍ ମୋର ପରି । ଆରେ ଦେବଦାରୁ, ତୋ ଠାରୁ ଆଜି ଆଉ ଅଧିକ ପ୍ରିୟ ବୋଲି
ମୋର କେହି ନାହାନ୍ତି ।’

ଏ ଗଛଟାକୁ କିଣିବା ଲାଗି କେତେଜଣ ତାଙ୍କୁ ଅନେକ ଥର ଅନୁରୋଧ କରିଥିଲେ । ଏପରିକି ଜଣେ ଏକୋଇଶ ଟଙ୍କା ପର୍ଯ୍ୟନ୍ତ ଯାଚିଥିଲା । କିନ୍ତୁ ନିଜ ସମ୍ପତ୍ତିକୁ କାହାକୁ ନବିକିବା ସକାଶେ ରାଜମୋନ ସଦାବେଳେ ଏକା ଜିଦ୍‌ରେ ଥିଲେ । ତାହା ଗଛଟିଏ ହୋଇଥାଉ ନା କାହିଁକି । ଅନ୍ୟମାନଙ୍କୁ ସେ ସବୁବେଳେ ଗର୍ବର ସହ କହନ୍ତି, ‘ରାଜମୋହନ ଅନ୍ୟଠାରୁ ଦରବ କିଣେ, କାହାକୁ କିଛି ବିକେନି ।’ ମାତ୍ର ଥରଟିଏ ଛଡ଼ା ଜୀବନରେ ସେ କାହାକୁ କେବେ କିଛି ଦରବ ବିକ୍ରି କରିନଥିଲେ । ସେଇ ଗୋଟିଏ ଥର କଥା ମନକୁ ଆସିବା ମାତ୍ରେ ଛାତି ଭିତରେ ସେ କେମିତି ଏକ ବିଚିତ୍ର ଯନ୍ତ୍ରଣା ଅନୁଭବ କଲେ । କାହିକି ସେ ଏପରି କଲେ? ତାଙ୍କ ମନକୁ
କିପ୍ରକାର ପାଗଳାମୀ ଗ୍ରାସ କରିଥିଲା! ସତରେ କ’ଣ ସେ ମକବୁଲଠାରୁ ପୁଣି ଥରେ ନିଜ ହରାଇଥିବା ପଲଙ୍କଟା ଫେରିପାଇବେ?

ଅନ୍ୟମାନେ ନିଜ ସମ୍ପତ୍ତି କି ବନ୍ଧକ ଦ୍ରବ୍ୟ ଫେରି ପାଇବା ଲାଗି ସେ କେତେ କେତେ ଲୋକଙ୍କୁ ସାହାଯ୍ୟ କରିନାହାନ୍ତି! କିନ୍ତୁ ଆଜି ନିଜର ଖଣ୍ଡିଏ ପଲଙ୍କ ଫେରସ୍ତ ପାଇଁ ତାଙ୍କୁ ଏପରି ହୀନସ୍ତା ହେବାକୁ ପଡ଼ୁଛି । ସତରେ କ’ଣ ଆଉ ସେ ପଲଙ୍କଟା ତାଙ୍କ ହାତକୁ ଆସିବ? ପୁଣି ନିଜକୁ ନିଜେ ଆଶ୍ୱାସନା ଦେଲେ – ଯେମିତି ହେଲେ ସେ ତାହାକୁ ହାସଲ କରିବେ । ଯାହା ହୋଇଯାଉ ପଛେ… ପଲଙ୍କଟିକୁ ସହଜରେ ଫେରସ୍ତ ପାଇବାର କୌଣସି ପ୍ରକାର ବୁଦ୍ଧିବାଟ ରାଜମୋହନ ଖୋଜି ପାଇଲେନି । ଏମିତିକି ମକବୁଲକୁ ଫନ୍ଦିଫିକର କରି ରାଜି କରାଇବା ସକାଶେ ଚେଷ୍ଟ କରିସୁଦ୍ଧା ସେ ସବୁଥର ବିଫଳ ହେଲେ । ମକବୁଲ ରାଜମୋହନଙ୍କ ଜମିକୁ ଭାଗରେ ନେଇ ଚାଷ କରୁନଥିଲା କି ତାଙ୍କ ଠାରୁ ଟଙ୍କା କରଜ ନେଇନଥିଲା । ତା’ଛଡ଼ା ମିଛରେ ତା’ ନାଁରେ ମାଲିମକଦ୍ଦମା ଯୋଡ଼ ଅଡ଼ୁଆରେ ପକେଇବା ମଧ୍ୟ ସହଜ କାମ ନଥିଲା ।

ସେପରି କଲେ ପୁଣି ତା’ ବିରୁଦ୍ଧରେ ସାକ୍ଷୀ ଓ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ ଯାହା ଆହୁରି କଷ୍ଟକର ବ୍ୟାପାର । ଏବେ ତ ଦେଶ ଭାଗ ଭାଗ ହୋଇ ଏ ଇଲାକାଟା ପାକିସ୍ତାନ ପଟେ ହୋଇ ସାରିଥିଲା । ତେଣୁ ତା’ ସପକ୍ଷରେ ଲୋକ, ତା’ ସପକ୍ଷରେ ଆଇନ ଥିଲା । ରାଜମୋହନଙ୍କୁ କେବଳ ଗୋଟିଏ ବାଟ ଦିଶୁଥିଲା – ତାହା ହେଲା, ମକବୁଲ ତା’ରି ମୁସଲମାନ ସମ୍ପ୍ରଦାୟଙ୍କୁ ଉସୁକେଇବା । ତାହା ବି କିଛି କମ୍ କଷ୍ଟକର ବ୍ୟାପାର ନଥିଲା । ତେଣୁ ମକବୁଲକୁ ଭଲକରି ପାନେ ଚଖେଇବା ଲାଗି ରାଜମୋହନ ଗୋଟିଏ ଅଭିନବ ପନ୍ଥା ପାଞ୍ôଚଲେ । ସେ ମକବୁଲଠାରୁ ଦିନକୁ ଯେଉଁ ଅଧସେରେ ଲେଖାଏଁ କ୍ଷୀର କିଣୁଥିଲେ ତାହା ବନ୍ଦ୍‌
କରିଦେଲେ । ଏଣିକି ତା’ଠାରୁ କ୍ଷୀର ନକିଣି ସେ ୱାହିନ୍‌ ଠାରୁ କ୍ଷୀର କିଣିଲେ । ଆଗରୁ ମୂଲିଆ ମଜୁରିଆ ଦରକାର ହେଲେ ରାଜମୋହନ ପ୍ରଥମେ ମକବୁଲକୁ ଖୋଜୁଥିଲେ । ସେକଥା ବି ରାଜମୋହନ ବନ୍ଦ୍ କରିଦେଲେ । ମକବୁଲ ସେମିତି କିଛି ବଡ଼ ଚାଷୀ ନଥିଲା । ଅନ୍ୟମାନଙ୍କ କ୍ଷେତବାଡ଼ିରେ ଦିନ ମଜୁରିଆ ଭାବେ ସେ ମୂଲ ଲାଗୁଥିଲା । ଝୋଟ ଅମଳ ସମୟରେ ଅନ୍ୟମାନଙ୍କ କ୍ଷେତରୁ ସେ ନଳିତା କାଟେ, ଝୋଟ ଧୁଏ, ଶୁଖାଏ । ଧାନକଟା ବେଳେ ଅନ୍ୟମାନଙ୍କ ଜମିରେ ଧାନ କାଟେ, କଳେଇ ବାନ୍ଧେ । ଯେତେବେଳେ କ୍ଷେତ କାମ ନଥାଏ ସେତେବେଳେ ଘାସବଛା, ଝାଟିକୁଟା ସଫା, ଜାଳେଣି କାଠ ହଣା ଓ ସଂଗ୍ରହ ଆଦି କାମ କରେ । ଅଧିକାଂଶ ସମୟରେ ରାଜମୋନଙ୍କ ଘରେ ହିଁ ମକବୁଲ ଏସବୁ କାମ କରିଆସୁଥିଲା । ଆଜିକାଲି ରାଜମୋହନ ଆଉ ସେମିତିକା କାମକୁ ତାକୁ ଡାକୁନଥିଲେ ।

ଏକପ୍ରକାର ସଂପୂର୍ଣ୍ଣ ବାସନ୍ଦ କରିଥିଲେ କହିଲେ ଚଳେ । ଏ ଇଲାକାରୁ ଅଧିକାଂଶ ହିନ୍ଦୁ ଲୋକ ଚାଲିଯିବା ପରେ, ସେମିତିରେ ମୁକବୁଲକୁ କାମଧନ୍ଦା ମିଳୁନଥିଲା । ଏବେ ରାଜମୋହନ ତା’ପ୍ରତି ବୈରଭାବ ପୋଷଣ କରିବା ପରେ ତାକୁ ଆଉ ପ୍ରାୟ କାମ ମିଳିଲାନ କହିଲେ ଚଳେ । ତା’ ହାତପାଦ ବାନ୍ଧି ହୋଇ ଯାଇଗଲା । ମୁସଲମାନ ଲୋକମାନେ କ୍ୱଚିତ୍ ମୂଲଆ ମଜୁରିଆ ଆବଶ୍ୟକ କରୁଥିଲେ । ସେମାନେ ଯେଝା ଯେଝା କ୍ଷେତ୍ରରେ ନିଜେ ହିଁ କାମଧନ୍ଦା କରୁଥିଲେ । ଏପରିକି ଥିଲାବାଲା ମୁସଲମାନ ଲୋକେ ବି ନିଜ କ୍ଷେତରେ ଖଟୁଥିଲେ । କାମଧନ୍ଦା ନମିଳିବାରୁ ମକବୁଲର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଲା ।
କାଳୁ ନିୟମିତ ଭାବେ ସବୁ ଖବର ଆଣି ରାଜମୋହନଙ୍କ ପାଖରେ ପହଞ୍ଚାଉଥିଲା । ଏମିତି ଦିନେ ତାକୁ କୁମାରପୁରକୁ ଡଙ୍ଗାରେ ବସେଇ ନେଲାବେଳେ କାଳୁ ପରିହାସିଆ କଣ୍ଠରେ କହିଲା, ‘ଶେଖ ପୁଅ ଭଲକରି ପାନେ ପାଇଛି । ଏବେ ପୂରା ଜବତ ହେଇଯାଇଚି ।

ଆପଣ ଭାରି ବୁଦ୍ଧିମାନ କର୍ତ୍ତା । ମକବୁଲକୁ ହାତରେ ନମାରି ଭାତରେ ମାରିବାର ଉଚିତ୍ ବନ୍ଦୋବସ୍ତ କରିଦେଇଚନ୍ତି । ବଦମାସଟାର କେଡ଼େ ବହପ ଦେଖୁନ, ଆପଣଙ୍କୁ ବେଖାତିର କଲା! ଆପଣଙ୍କ ଗୋଟିଏ ଦାନ୍ତରେ ଯେତିକି ବୁଦ୍ଧି, ଶେଖ୍‌ର ପୂରା ମଗଜରେ ଭଲା ସେଥିରୁ କାଣିଚାଏ ଅଛି?’

ରାଜମୋନଙ୍କ ଠାକରା ଗାଲରେ ଏକ କୁଟୀଳ ହସ ଫୁଲିଉଠିଲା । ସେ କହିଲେ, ‘ଆରେ ମୋର ତ ଆଉ ଗୋଟିଏ ବୋଲି ଦାନ୍ତ ନାହିଁ । ସବୁ ପଡ଼ିଗଲାଣିରେ ।’ ‘ଯେତିକି ଅଛି ସେତିକି ଯଥେଷ୍ଟ କର୍ତ୍ତା । ତା’ ଭଳିଆ ଶହେଟାଙ୍କୁ ଚୋବେଇ ଖାଇବା ଲାଗି ଆପଣଙ୍କ ମାଢ଼ି ଯଥେଷ୍ଟ ।’ କାଳୁ କହିଲା । ମକବୁଲ ଦିନକୁ ଦିନ ଅଧିକ ବ୍ୟତିବ୍ୟସ୍ତ ହୋଇପଡ଼ୁଥିଲା । ତାକୁ କିଛି ବୁଦ୍ଧିବାଟ ଦିଶୁନଥିଲା । ଦିନେ ସେ ଦାନ୍ତରଗଡ଼ି ତା’ ସ୍ତ୍ରୀ ଫତିମା ଆଗରେ ହଲପ କରି କହିଲା, ‘ଏମିତି ଆଉ କେଇଟା ଦିନ ଅପେକ୍ଷା କରିବି । ତା’ପରେ ସେ ଶଳା ସଇତାନ ବୁଢ଼ାକୁ ମୁଁ ଜୀବନରେ ମାରିଦେବି । ତା’ରି ଆଖି ସାମ୍ନାରେ ମୁଁ ତା’ର ସବୁ ଜମିବାଡ଼ି, ଘରଦ୍ୱାର, ଧନଦଉଲତ
ଅକ୍ତିଆର କରିବି ।’

ଫତିମା ଭୟରେ ଥରିଉଠି କହିଲା, ‘ସେମିତିକା କଥା ତୁଣ୍ଡରେ ଧରନା । ଏମିତି ଖରାପ କତା ତୁମ ମନକୁ ଭଲା କେମିତି ଆସୁଚି? ଏଭଳିଆ କଥା କ’ଣ କିଏ ଭାବେ?’
ମକବୁଲ ନିଜ ଜିଦ୍‌ରେ ଅଟଳ ରହିଲାପରି କହିଲା, ‘କାଇଁକି ଭାବିବିନି? ସେ ହାରାମଜାଦା ବୁଢ଼ାକୁ ମାରି ମତେ ଜେଲ୍‌ ହେଲେ କି ଫାଶୀ ପାଇଲେ ସୁଦ୍ଧା ମୋର ପରବାୟ ନାହିଁ! ତାକୁ ମାରି ସାରି ମୁଁ ମରିଗଲେ ବି ମୋ ମନ ଦୁଃଖ ହେବନି ।’ ଫତିମା ତାକୁ ବୁଝେଇଲାଭଳି କହିଲା, ‘ତା’ପରେ ଆମମାନଙ୍କ ଅବସ୍ଥା କ’ଣ ହେବ ସେକଥା ଚିନ୍ତା କରିଛ? ଏଭଳିଆ କାଳ କଥା ତୁଣ୍ଡରେ ଧରନା । ରାଗ ମୁଣ୍ଡରେ କିଛି କାମ କରାଯାଏନି । ତୁମ ପିଲାଛୁଆଙ୍କର କ’ଣ ହେବ ସେକଥା ତ ଭାବୁନ? ସେମାନଙ୍କ ତୁଣ୍ଡରେ ଦାନା ଦେବା, ସେମାନଙ୍କ ପିନ୍ଧିବା ପାଇଁ କପଡ଼ା ଯୋଗାଡ଼ କରି ନିଜ ପୁରୁଷାକାର ଦେଖାଅ । ତା’ହେଲେ ତୁମ ଅସଲ ମରଦପଣିଆ ଜଣାପଡ଼ିବ ।’

ମକବୁଲ କିଛି ନକହି ଫଁ ଫଁ ହୋଇ ଅଗଣାରେ ଚାଲବୁଲ କରିଚାଲିଥିଲା । ଫତିମା ତାକୁ ସେମିତି ବୁଝେଇ ଚାଲିଥିଲା, ‘ଏମିତି ରାଗ କଲେ କ’ଣ ଲାଭ ହେବ? ଯେକୌଣସି ଲୋକ ଏମିମତିକା ଧମକଚମକ ଦେଖେଇ ପାରିବ । ରାଗରେ ଗର୍ଜନ ଛାଡ଼ିପାରିବ । ଏଥିରେ ବଡ଼ କଥା କ’ଣ ଅଛି? ପାରିଲାପଣ ହେଲା ନିଜ ପରିବାର ପ୍ରତିପୋଷଣ । ପିଲାଛୁଆଙ୍କ ଭଲମନ୍ଦ ବୁଝିବା । ସେମାନଙ୍କୁ ନିରାପଦ ରଖିବା । ମୋ ସାବଦୁଲ ଆଉ ମଜନୁଙ୍କ ଆଡ଼େ ଦିନେ ଭଲକରି ଅନେଇଚ? ସେମାନେ କେଡ଼ କେଡ଼ ହେଲେଣି ସେକଥା ଭାବିଚ?’ ଏତିକି କହି ନିଜର ସେଇ କଙ୍କାଳସାରଛୁଆ ଦିଓଟିଙ୍କୁ ଫତିମା ନିଜ କୋଳକୁ ଆଉଜେଇନେଲା । ସେମାନଙ୍କୁ
ଗେଲ କରି ଚାଲିଲା । ସତେକି ତା’ର ସେଇ ସ୍ନେହ ଥିଲା ଉପଯୁକ୍ତ ଖାଦ୍ୟପଦାର୍ଥର ବିକଳ୍ପ । ଏଥର ସେ ମକବୁଲ ଆଡ଼େ ଏକ ବିରକ୍ତସୂଚକ ଦୃଷ୍ଟିରେ ଚାହିଁ କହିଲା, ‘ଥରେ ଏମାନଙ୍କ ଆଡ଼କୁ ଚାହିଁ ଦେଖ ।’ ରଙ୍ଗା ଆଖିରେ ମକବୁଲ ଫତିମା ଆଡ଼କୁ ଚାହିଁ ଚିତ୍କାର ଛାଡ଼ିଲା, ‘ମୋତେ ରଗାନା ଫତି… ମୋ ରକ୍ତ ଏମିତିରେ
ଟକମକ ହୋଇ ଫୁଟୁଚି । ମୁଁ କାହାକୁ ଗୋଟାକୁ ମାରିଦେବି ।’

ମକବୁଲର ଦି’ହାତକୁ ଭିଡ଼ିଧରି ଫତିମା ସେମିତି ଆକୁତି କରିଚାଲିଲା, ‘ନାଇଁ, କାହାରିକୁ ମାରିବା ଦରକାର ନାହିଁ । ମୋ କଥା ଦୟାକରି ଶୁଣ । କର୍ତ୍ତାଙ୍କ ସେ ପଲଙ୍କଟା ନେଇ ଫେରେଇଦେଇ ଆସ । ଏମିତିକା ଦାମୀ ପଲଙ୍କ ଆମର କି ଦରକାର ଅଛି କହିଲ? ଦିନକୁ ଦି’ଓଳି ଖାଇବାକୁ ମିଳିଗଲେ, ଆମକୁ ତଳେ ପଟି
ଉପରେ ବି ଆରାମରେ ନିଦ ହୋଇଯିବ । ସେଇଥିରେ ଆମରnଆନନ୍ଦ । ବାସ୍‌, ଆମର ଆଉ କିଛି ଲୋଡ଼ା ନାହିଁ ।’ ମକବୁଲ ବିରକ୍ତିରେ ଫତିମାର ହାତ ଦିଓଟିକୁ ଛାଟିଦେଲା । ତା’ ଆଖି ସେତେବେଳକୁ ରଡ଼ ନିଆଁ ପରି ଲାଲ ଟକଟକ ପାଲଟି ସାରିଥିଲା । ସେ ଆହୁରି ଜୋରରେ ଚିତ୍କାର ଛାଡ଼ିଲା, ‘ତତେ ହୁସିଆର କରିଦେଉଚି ଫତି… । ତୁ ଆଉ ଥରେ ଯଦି ଏମିତି କଥା କହୁ, ତା’ହେଲେ ତୋ ଗାଲ ଫଟେଇଦେବି । ଦାନ୍ତ ଝଡ଼େଇଦେବି । ସବୁବେଳେ ସେ କର୍ତ୍ତାଙ୍କ ପଲଙ୍କ, କର୍ତ୍ତାଙ୍କ ପଲଙ୍କ
ବୋଲି ତ କାଇଁ ମୁଁ କହିହେଉନି? ଏବେ ସେ ପଲଙ୍କଟା ଆଉ ତାଙ୍କ ହୋଇ ନାହିଁ । ମୋ ନିଜ କଷ୍ଟଅର୍ଜିତ ପଇସାରେ ତାକୁ ମୁଁ କିଣିଚି । ତାଙ୍କଠାରୁ ଚୋରେଇ ଆଣିନି କି ମାଗି ଆଣିନି । ଖୋଦ୍ ଟଙ୍କା ଦେଇ ଖର୍ଦ୍ଦି କରିଚି । କଲଙ୍କଟା ମୋର, କ’ଣ ବୁଝିଲୁ?’ ଏତିକି କହି ମକବୁଲ ଘର ଭିତରକୁ ପଶିଗଲା ଓ ସେ ପଲଙ୍କଟାର ଗୋଟିଏ ଗୋଡ଼ ଉପର ଗୋବକୁ ଧରିଲା । ସତେ ଯେପରି କିଏ ତା’ଠାରୁ ସେଇଟିକୁ ଛଡ଼େଇ ନେବାକୁ ବସିଥିଲା!

କିଛି ସମୟ ପରେ ବକବୁଲ ଅଗଣାରେ ବସି ନିଜ ଟାଙ୍ଗିଆଟାକୁ ପଜେଇଲା ଓ ତା’ପରେ କାମ ଖୋଜି ଘରୁ ବାହାରିଗଲା । ହେଲେ ପୂର୍ବ ଅବସ୍ଥାରେ କିଛି ପରିବର୍ତ୍ତନ
ଘଟିନଥିଲା । ଯେଉଁ ନିରାଶକୁ ସେଇ ନିରାଶ । ପାଖଆଖର କୌଣସି ମୁସଲମାନଙ୍କ କ୍ଷେତବାଡ଼ିରେ କିଛି କାମଦାମ ତାକୁ ମିଳିନଥିଲା । କିଏ ଅବା ଏ ଦୁଃସମୟରେ କାହାକୁ ମଜୁରି ଦେଇ କାମ କରେଇବ? ମନ ଦୁଃଖରେ, ନିଜ ରାଗକୁ ସେମିତି ଚାପିରଖି ମକବୁଲ ଏଣେତେଣେ ଲକ୍ଷ୍ୟହୀନ ଭାବେ ଘରୂି ବୁଲିଲା । ମନେମନେ ପ୍ରତିଶୋଧ ନେବା କଥା ଚିନ୍ତା କରିଚାଳିଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ସେ ରାଜମୋହନଙ୍କୁ ହତ୍ୟା କରିବ କି ତାଙ୍କ ଘରୁ ଲୁଟ୍ କରିବ ସେକଥା ନୁହେଁ ।  ରାଜମୋହନଙ୍କ ଘରୁ ନୁହେଁ । ତାଙ୍କ ବଗିଚାରୁ କିଛି ରୋରିକଲେ ବି ଚଳିବ – ଗୁଆ କାନ୍ଦିଏ ହେଉ କି ପୁଞ୍ଜାଏ ପାଞ୍ଚଟା ନଡ଼ିଆ, ନହେଲେ କିଛି ପଳ ଆଉ ପନିପରିବା ।

ରାଜମୋହନଙ୍କ କାନରେ ଯେତେବେଳେ ତାଙ୍କ ବଗିଚାରୁ ଚୋରୀ ହୋଇଥିବା ଖବର ପଡ଼ିଲା, ସେ ଚୋର ଉଦ୍ଦେଶ୍ୟରେ ଗାଳିଗୁଲଜ ବର୍ଷଣ କଲେ, ତାକୁ ଅଭିସମ୍ପାତ ଦେଲେ । ଥାନାରେ ଏତଲା ଦେବେ ବୋଲି ଧମକ ଦେଲେ । ଏଥର ସେ ତାଙ୍କ ବଗିଚା ଓ ଘରଦ୍ୱାର ଜଗିବାଲାଗି ଜଣେ ସ୍ଥାନୀୟ ପିଲା ରଖିଲେ । ତାକୁ ଉପଯୁକ୍ତ ମଜୁରି ଦେବେ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ଗୁଆ ହେଉ କି ନଡ଼ିଆ, ସେଥିରେ କ’ଣ ଗୁଜରାଣ ମେଣ୍ଟିବ  ? ଭୋକ ମେଣ୍ଟିବ  ? ମକବୁଲର ସମସ୍ୟା ଦିନକୁ ଦିନ ଆହୁରି ଉତ୍କଟ ହେବାରେ ଲାଗିଥିଲା । ଅଭାବ ତା’ ସଂସାରକୁ ଗୋଟାପଣେ ଗ୍ରାସ କରି ଚାଲିଥିଲା । ଘରେ ଚାଉଳ କହିଲେ ମୁଠାଏ ସୁଦ୍ଧା ନଥିଲା । ତା’ସାଙ୍ଗକୁ ବର୍ଷାଦିନ ଆହୁରି କାଳ ସାଜିଥିଲା । ହାତରେ କାମଧନ୍ଦା ନାହିଁ କି ଘରେ ଖାଇବାକୁ ଦାନା ନାହିଁ । କେବଳ ଚାଉଳ ନୁହେଁ,  ବଞ୍ଚି ରହିବା ସକାଶେ ପନିପରିବା, ତେଲଲୁଣ ବି ଲୋଡ଼ା । ସେସବୁ ଜିନିଷର ଦରଦାମ ୟା’ଭିତରେ ଆକାଶଛୁଆଁ ହୋଇ ସାରିଥାଏ । ଝୋଟ ଅମଳ ତ ସରି ସାରିଥିଲା । ଧାନକଟା ସେ ଯାଏ ଆରମ୍ଭ ହୋଇନଥିଲା । ଚାଷବାସ କାମ ବନ୍ଦ୍ ମାନେ ସବୁ କାମ ପଡ଼ିଆ । ଅନ୍ୟ ସାଧାରଣ କାମ ଥମିଯିବା ସ୍ୱାଭାବିକ । ଏ ସନ ସବୁଠୁ ଅଧିକ କଷ୍ଟ । କେବଳ
ଅଭାବ ନୁହେଁ, ସବୁକିଛି । ପୁଣି ଗଲା ବର୍ଷାଦିନେ ଏତେ ବର୍ଷା ହେଲା ଯେ ସେଥିରେ ତା’ କୁଡ଼ିଆ ଘରଟା ବି ଜଳବନ୍ଦୀ ହୋଇଯାଇଥିଲା । ଅନ୍ୟମାନଙ୍କ ପାଇଁ ବର୍ଷ ଯେତିକି କଷ୍ଟସାଧ୍ୟ ଥିଲା, ମକବୁଲ ଲାଗି ତା’ଠାରୁ କେଇଗୁଣ ଅଧିକ ଲାଗୁଥିଲା ।

ଯେଉଁ କେତୋଟି ଟଙ୍କା ସେ ସଞ୍ଚୟ କରି ରଖିଥିଲା, ସେଇଟା ପଲଙ୍କର ମଶାରୀ ବାଡ଼ା ଲଗେଇବାରେ ଖର୍ଚ୍ଚ ହୋଇସାରିଥିଲା । ତେଣୁ କେବଳ ତା’ ନୁହେଁ, ତା’ପେଟ ଭଳି ଏବେ ତା’ ଗାଞ୍ଜିଆ ବି ଶୂନ୍ୟ! ପିଲାମାନଙ୍କୁ ତ ଏମିତିରେ ସମ୍ଭାଳିବା କାଠିକର ପାଠ । ତା’ ସାଙ୍ଗକୁ ଫତିମା ସାଙ୍ଗରେ ନିୟମିତ ଝଗଡ଼ା ଜୀବନକୁ ଆହୁରି ଦୁର୍ବିସହ କରି ପକାଇଥିଲା । ପିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା ସକାଶେ ଫତିମା ସଦାବେଳେ ମକବୁଲ ସାଥିରେ ପାଟିତୁଣ୍ଡ କରୁଥିଲା । କେତେବେଳେ ମୁଠାଏ ଚାଉଳ ସାଙ୍ଗରେ ପେଜ କି କନ୍ଦା ମିଶେଇ ସେ ଅଟକାଳି ପିଲାଙ୍କୁ ଖାଇବାକୁ ଦେଉଥିଲା ତ ଆଉ କେତେବେଳେ ତା’ ହାତରେ କିଛି ବୋଲି କିଛି ରହୁନଥିଲା । ପାଣିସିଙ୍ଗଡ଼ା ଠାରୁ ଆତ, ଜେଉଟ ପର୍ଯ୍ୟନ୍ତ ଯାହା ପାଇଲା ତାକୁ ରାନ୍ଧି ପିଲାଙ୍କୁ ଦେବାଛଡ଼ା ଫତିମାର କିଛି ଉପାୟ ନଥିଲା । ପୁଣି ବେଳେବେଳେ ନିଜ ଶାଢ଼ି କାନିରେ କେନାଲରୁ ଛୋଟ ଛୋଟ ଚିଙ୍ଗୁଡ଼ି କି ମୀନ ଧରି ତାକୁ ଭାଜି ସେ ପିଲାଙ୍କୁ ଖୁଆଉଥିଲା ।

ତା’ରି ଭିତରେ ଦିନେ ଧଳ କର୍ତ୍ତାଙ୍କ ଚାକର ଟୋକା କାଳୁ ମକବୁଲର ଘରଆଡ଼େ ବୁଲି ଆସିଲା । ମକବୁଲର ଅବସ୍ଥା ଦେଖିବା ତା’ର ଆଗମନର ଅସଲ ଉଦ୍ଦେଶ୍ୟ ଥିଲା । କାଳୁ ମକବୁଲକୁ ପଚାରିଲା, ‘ଆଉ ମିଆଁ, କେମିତି ଅଛ? ତୁମର ହାଲଚାଲ କ’ଣ?’ ମକବୁଲ ତାକୁ ଦେଖି ରାଗରେ ଫଁ ଫଁ ହୋଇ ରୋକଠୋକ ଜବାବ
ଦେଲା, ‘ମୁଁ ବଢ଼ିଆ ଅଛି । ଆଉ ଧନୀ ସୌଦାଗରର ଧନୀ ଚାକର, ତୁ କେମିତି ଅଛୁ?’ ଏମିତି ହସ ପରିହାସ, ଗୋଡ଼ ଟଣାଟଣି କଥାବାର୍ତ୍ତା ଭିତରେ କାଳୁ ତା’ର ଆସିବାର ଅସଲ ଉଦ୍ଦେଶ୍ୟଟି ପ୍ରକାଶ କରି କହିଲା,

‘ଦେଖ୍ ମକବୁଲ, କର୍ତ୍ତା ତୋତେ ପଚାଶ ଟଙ୍କା ସାଙ୍ଗରେ ଆଉ ଦଶଟଙ୍କା ଅଧିକ ଦେବାକୁ ରାଜି ଅଛନ୍ତି । ଆଉ ଏମିତି ଅଡ଼ି ନବସି ତାଙ୍କ ପଲଙ୍କଟା ତାଙ୍କୁ ଫେରେଇ ଦେ’ । କଥା ତୁଟିଯିବ । ଏତେ ଜିଦ୍ କରି ବସିଲେ କ’ଣ ଫାଇଦା ହେବ କହିଲୁ?’

ମକବୁଲ ଏକଥା ଶୁଣି ହଠାତ୍ ଏତେ ରାଗିଗଲା ଯେ ସିଏ କାଳୁ ଉପରେ ଏକପ୍ରକାର ହାତ ଉଠେଇବାକୁ ବସିଲା । ବଡ଼ ପାଟିରେ ଚିତ୍କାର ଛାଡ଼ି ତାକୁ ଧମକ ଦେଲା, ‘ମୁଁ ଭଲ କରି ଚାଣିଚି… ଏତେ ମୁଁ ତତେ ଭଲକରି ବୁଝେଇବି ଯାହା ତୁ ସବୁଦିନ ଲାଗି ମନେରଖିବୁ । ମୋ ଘରୁ ସଙ୍ଗେ ସଙ୍ଗେ ବାହାର୍ । ଆଉ ଥରେ ଯଦି ମୋ ଦୁଆରେ ପାଦ ପକେଇଥିବୁ ଓ ଏମିତିକା ପ୍ରସ୍ତାବ ଆଣିଥିବୁ, ତା’ହେଲେ ତୋ ଗୋଡ଼ ଭାଙ୍ଗିଦେବି । ହୁସିଆର କରିଦେଉଚି!’

ଏକଥା ଲୁଣି କାଳୁ ଡରିହରି ସେଠାରୁ ତୁରନ୍ତ ପଳେଇଗଲା । କିନ୍ତୁ ତା’ପରେ ଜଣ ଜଣ କରି ଆହୁରି କେତେଜଣ ମକବୁଲ ପାଖକୁ ସେମିତିକିଆ ପ୍ରସ୍ତାବ ଧରି ଆସିଲେ । ସମସ୍ତଙ୍କୁ ମକବୁଲ ସେମିତି ରାଗିପାଚି ଗାଳିଗୁଲଜ କଲା । ଚନ୍ଦନ ମିର୍ଦ୍ଧା ଓ ଗେଡ଼ୁ ମୁନସୀ ମକବୁଲକୁ ଉହାଡ଼କୁ ଡାକିନେଇ ବୁଝେଇବାକୁ ଚେଷ୍ଟା କଲେ । ସେମାନେ ତାକୁ କହିଲେ, ତୁ ପଲଙ୍କଟାକୁ ଯେମିତି ହେଲେ ବିକ୍ରି କରିଦେ’ । ତୋ ମୁଣ୍ଡରୁ ସବୁ ବିପଦ ଟଳିଯିବ । ଆମକୁ ବିକ୍ରି କରିଦେ’ । କର୍ତ୍ତା ସେକଥାର
ଟେର ପାଇବେନି । ଜାଣିଲେ ବି ସେଥିରେ କିଛି ଯାଏ ଆସେ ନାହିଁ । ମକବୁଲ ତ ପଚାଶ ଟଙ୍କାରେ ପଲଙ୍କଟାକୁ କିଣିଛି । ଚନ୍ଦନ ମିର୍ଦ୍ଧା ପଞ୍ଚଷଠି ଟଙ୍କା ଦେଇ ସେଇଟିକୁ କିଣିନେବାକୁ ଚାହୁଥିଲା । ଗେଡ଼ୁ ମୁନସୀ ତାକୁ ପଞ୍ଚସ୍ତରୀ ଟଙ୍କାର ଲୋକ ଦେଖେଇଲା । କିନ୍ତୁ ମକବୁଲ ମୁଣ୍ଡ ହଲେଇ ସମସ୍ତଙ୍କୁ ମନାକଲା । କଲଙ୍କଟାକୁ ବିକିବ ବୋଲି ତ ସେ କିଣିନଥିଲା । ସେ ନିଜେ ଘରେ ପକେଇବ ବୋଲି କିଣିଥିଲା । ଏମିତି କଥାବାର୍ତ୍ତା ଭିତରେ ସେ ଖାନଦାନୀ ପଲଙ୍କଟିର ଦାମ୍ ବଢ଼ି ବଢ଼ି ଶହେଟଙ୍କା ଛୁଇଁଲା । ମକବୁଲ କିନ୍ତୁ ନଛୋନବନ୍ଦା । କାହାରି ଟଙ୍କା ବଢ଼ା ତାକୁ ପ୍ରଲୋଭିତ କରିନଥିଲା । କାହାକୁ ହେଲେ ସେ ଏ ପଲଙ୍କଟାକୁ ଦେବନି । ନିଜେ ପକେଇ ଶୋଇବ । ତା’ ସ୍ତ୍ରୀ ଫତିମା ଓ ପିଲାମାନେ ଶୋଇବେ । ମକବୁଲକୁ କୌଣସି ପ୍ରକାରେ ବୁଝେଇ ନପାରି ଗେଡ଼ୁମୁନସୀ ଓ ଚନ୍ଦନ ମିର୍ଦ୍ଧା ଦାନ୍ତ ରଗଡ଼ିହେଲେ ଓ ତାକୁ ଗାଳି ଦେଇଚାଲିଲେ, ‘ତୁ ଶଳା ବୋକା ଭୋକ ଉପାସରେ ମର୍ ।

ଏଇ ପଲଙ୍କ ଉପରେ ଶୋଇ କବରଖାନାକୁ ବୁହାହୋଇ ଯା’ ।’ ଏପରିକି ଫତିମା ବି ସେଦିନ ବିରକ୍ତ ହୋଇ ମକବୁଲକୁ ଗାଳିଗୁଲଜ କଲା । ‘ହଇହେ, ତୁମେ କେମିତିକିଆ ଲୋକ ମୁଁ ତ ଜମା ବୁଝିପାରୁନି! ହଁ, ଯଦି ଏକରେ ଚାଷଜମି ହେଇଥାନ୍ତା ଆଉ ସେଥିରୁ ବର୍ଷତମାମ ଫସଲ ଉପୁଜୁଥାନ୍ତା, ସେକଥା ମୁଁ ବୁଝି ପାରନ୍ତି । ଦୁହାଁଳିଆ ଗାଈଟିଏ ହେଇଥିଲେ ସେକଥା ବି ମୋ ମୁଣ୍ଡରେ ଢୁକିଥାନ୍ତା । ବର୍ଷସାରା ଫଳନ୍ତା ଗଛଟିଏ ହେଇଥିଲେ ବି ମୁଁ ଠଉରାଇ ପାରିଥାନ୍ତି । ଇଏ ଶୁଖିଲା ପୁରୁଣା ପଲଙ୍କଟାକୁ କୁଡ଼ିଆ ଘରଟା ଭିତରେ ପକେଇ ପେଟରେ ଓଦାକନା ଦେଇ କିଏ ଶୁଏ? ନିଜ ପିଲାଛୁଆଙ୍କୁ ଠିଆ ଉପାସ ରଖେ ସେକଥା ମୁଁ ଜମ୍ମା ବୁଝିପାରୁନି!’

ସବୁ ଶୁଣି ମକବୁଲ ଫତିମା ଆଡ଼େ କିଛି ସମୟ ଗାରଡ଼େଇଚାହିଁଲା । କିନ୍ତୁ ଚିତ୍କାର ଛାଡ଼ି ତାକୁ ଗାଳିଫଜିତ କରିବା ପରିବର୍ତ୍ତେ ବେଶ୍ ଧୈର୍ଯ୍ୟ ଓ ସ୍ନେହର ସହ ବୁଝେଇବା ପରି କହିଲା, ‘ମୁଁ କାଇଁକି ଏ ପଲଙ୍କଟାକୁ ରଖିଚି? ସେକଥା ତୁ କଦାପି ବୁଝିପାରିବୁନି ଲୋ… । ତୁ ଜନ୍ମରୁ ମାଇପି ଲୋକ । ତେଣୁ ଏଭଳି ଶେଯରେ ଶୋଇବାର ମଜା ତୁ କୁଆଡ଼ୁ ବୁଝିବୁ? ଫତି, ଏ ପଲଙ୍କ ମୋ ଲାଗି ଦି’ଖଣ୍ଡ ନିର୍ଜୀବ କାଠ ନୁହଁ । ୟା’ର ଜୀବନ ଅଛି । ଏ ପଲଙ୍କର ଜୀବନ ଜଣେ ପୁରୁଷ ହିସାବରେ ମୋର ଆତ୍ମସମ୍ମାନକୁ ବଢ଼ଉଚି ।’ ଫତିମା କେମିତି ଏକ ଘୃଣାପୂର୍ଣ୍ଣ କଣ୍ଠରେ କହିଲା, ‘ତୁମକୁ ଯଦି ତୁମ ଆତ୍ମସମ୍ମାନ ପ୍ରତି ଏତେ ଗରଜ ପଡ଼ିଚି, ତା’ହେଲେ ଘରୁ ଯାଇ କିଛି କାମଧନ୍ଦା ଯୋଗାଡ଼ କରୁନ? ବାହାରେ ଏତେ ଲୋକଙ୍କୁ କାମ ମିଳୁଚି । ମୁଁ ତ ଶୁଣୁଚି, ଆମ ଗାଁ ଏବେ ପାକିସ୍ତାନରେ । ଆଉ ଏଠି ପରା ମୁସଲମାନ ସରକାର ଚାଲିଲାଣି!

ତା’ହେଲେ ଆମେ କାଇଁକି ଭୋକ ଉପାସରେ ମରିବା?’ ମକବୁଲ ସେତେବେଳକୁ ସବୁଆଡ଼େ ବୁଝାବୁଝି କରି ସାରିଥିଲା । ହେଲେ କିଏ ଭଲା ତା’ଭଳିଆ ମୂର୍ଖକୁ ଚାକିରୀ ଦେବ? ତେଣୁ ନିଜ ବେଗମ କଥାରେ ମୁର୍ଡରେ ଶୁଖିଲା ହସ ଫୁଟେଇ ସେ କହିଲା, ‘ଆମ ଭଳିଆ ଗରିବ ଲୋକଙ୍କର ସ୍ଥାନ ହିନ୍ଦୁସ୍ତାନରେ ନାହିଁ କି ପାକିସ୍ତାନରେ ନାହିଁ । ଫତି, ଆମଲାଗି କେବଳ ଗୋରେସ୍ତାନ – କବରଖାନା ହିଁ ନିରାପଦ ସ୍ଥାନ!’

ଏମିତି କିଛିଦିନ ଗଲାପରେ ମକବୁଲ ଗାଈଟିଏ ବିକ୍ରି କରିଦେଲା । ବିକିଲା ନାହିଁ ତ ବିକିବାକୁ ବାଧ୍ୟ ହେଲା । ତିନି ଫଳର ଗାଈଟା । ଆଉ ସେମିତି ଅଧିକ କ୍ଷୀର ଦେଉନଥିଲା । ଖାଦ୍ୟ ଅଭାବରୁ ବି କେମିତି କଙ୍କାଳସାର ପାଲଟି ସାରିଥିଲା । ତେଣୁ କଂସେଇଖାନାରେ ବିକ୍ରି କରିବା ପରିବର୍ତ୍ତେ ପାଖ ଗାଁର ଜଣେ ଲୋକକୁ ସେ ଗାଈଟିକୁ ବିକିଦେଲା । ତା’ପରେ ପାଳି ପଡ଼ିଲା ଡଙ୍ଗାଟିର । ତାକୁ ବି ସେ ବିକିଲା । ବିକା ଟଙ୍କାରୁ ଚାଉଳ,ଡାଲି ଓ ପନିପରିବା କିଣିବା ଲାଗି ସେ ଫତିମାକୁ କିଛି ଟଙ୍କା ଦେଲା । ଅବଶିଷ୍ଟ ଟଙ୍କାରେ ସେ ପୁରୁଣା ଫେରି ଡଙ୍ଗାଟିଏ କିଣିଲା । ଏଣିକି ସବୁଦିନ ସକାଳେ ସେଇ ଡଙ୍ଗାଟିକୁ ବାହି ସେ କୁମାରପୁର ଘାଟ ପର୍ଯ୍ୟନ୍ତ
ଯାଏ ଓ ଯାତ୍ରୀମାନଙ୍କୁ ଅପେକ୍ଷା କରେ । କିନ୍ତୁ ସେଭଳି ଅସମୟରେ ଘାଟରେ ଯାତ୍ରୀଙ୍କ ସଂଖ୍ୟା ବି କମି ସାରିଥିଲା । ତେଣୁ ଦିନେ ଦିନେ ରାତିରେ ତାକୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ୁଥିଲା । ଆଉ କେତେବେଳେ ଦୂର ଗାଁକୁ ଯାତ୍ରୀଙ୍କୁ ଡଙ୍ଗାରେ ନେଇ ଯିବାକୁ ପଡ଼ୁଥିଲା । ସେପରି ଦିନରେ ସେ ଆଉ
ରାତିରେ ଘରକୁ ଫେରିପାରେନି । ତେଣୁ କୂଳରେ ଡଙ୍ଗାଟିକୁ ଖଟେଇଦେଇ ସେଇ ଡଙ୍ଗାରେ ଶୋଇପଡ଼ୁଥିଲା । ମକବୁଲ ପାଇଁ ଏବେ ଭାରି ଖରାପ ସମୟ ଚାଲିଥିଲା ।

ସେମିତି ଦିନେ ମକବୁଲ ଦୂର ଜାଗାକୁ ଯାଇଥିଲା । ସନ୍ଧ୍ୟାବେଳେ ଫତିମା କାଉଁରିଆ କାଠି ଜଳେଇ ଚୂଲି ଲଗାଇ ରୋଷେଇ କରିବାକୁ ଯାଉଥିଲା । ସେତିକିବେଳେ ରାଜମୋହନ ଆସି ତାଙ୍କ କୁଡ଼ିଆ ଦୁଆର ମୁହଁରେ  ‘ଆରେ ମକବୁଲ, ଘରେ ଅଛୁକିରେ?’ ରାଜମୋହନ ଡାକ
ଛାଡ଼ିଲେ ।

ଫତିମା କର୍ତ୍ତାଙ୍କ ଡାକ ଶୁଣି ଝାଟିବାଡ଼ ପଛପଟକୁ ଘଯାଇ ତା’ ପୁଅକୁ ଆଗକୁ ଠେଲିଦେଲା ଓ କହିଲା, ‘ପୁଅ, ଯାଇ କର୍ତ୍ତାଙ୍କୁ କହ, ବାପା ଘରେ ନାହାନ୍ତି । ଡଙ୍ଗା ନେଇ ଦୂରକୁ ଯାଇଚନ୍ତି । କର୍ତ୍ତାଙ୍କୁ ପଚାର ପୁଅ, କାଇଁକି ବାପାଙ୍କୁ ଖୋଜୁଚନ୍ତି? କି କାମ ଥିଲା?’ ଫତିମା ପୁଅକୁ ପଛପଟୁ ଏମିତି କହିଚାଲିଥିଲା ।

ପାଞ୍ଚବର୍ଷର ପିଲାଟିଏ ହୋଇଥିଲେ ସୁଦ୍ଧା ମକବୁଲର ପୁଅଟା ସେମିତି ଚାଲାକଚତୁର ନୁହେଁ । ନିଜ ବାପାମାଆଙ୍କ ସାଙ୍ଗରେ ବି ସେ ସେମିତି ବେଶୀ କଥାବାର୍ତ୍ତା କରେନି । ଆଉ ବାହାର ଅଚିହ୍ନା ଲୋକଙ୍କ ଆଗରେ ସେ ଅବା କି କଥା କହନ୍ତା? ତେଣୁ ସେ ତୁଣ୍ଡ ନଖୋଲି ସେମିତି ଠିଆ ହୋଇରହିଲା । ବାଡ଼ ଆରପଟେ ଠିଆହୋଇ ଫତିମା ପୁଅକୁ ସେମିତି କହିଚାଲିଥିଲା ।

ରାଜମୋହନ କହିଲେ, ‘ମତେ ଭାରି ଜୋର କାଶ ହଉଚି । ତୁମ ବାଡ଼ିରେ ପରା ବାସଙ୍ଗ ଗଛଟିଏ ଅଛି? ଆଲୋ ବୋହୂ, ସେଇ ପତ୍ର ଦି’ଟା ନେଇଥାନ୍ତି, ଦେବୁ?’
ଫତିମା ମୁରୁକି ହସି କହିଲା, ‘କାଇଁକି ଦେବିନି କର୍ତ୍ତା? ଆପଣ ଏଇଠି ବାରଣ୍ଡାରେ ଥାଆନ୍ତୁ । ମୁଁ ଏଇଲାଗେ ଆଣି ଦଉଚି ।’

‘ନାଇଁ, ନାଇଁ ମା । ତୁ ବ୍ୟସ୍ତ ହ’ନା’ । ମୁଁ ନିଜେ ଯାଇ ତୋଳି ନେବି ।’ ଏତିକି କହି ରାଜମୋହନ ବାରଣ୍ଡ।। ଉପରକୁ ଉଠି ଘର ଭିତରକୁ ଉଣ୍ଡିନେଲେ । ହଠାତ୍ ଯେମିତି ତାଙ୍କ ଛାତିରେ କିଏ ଛୁରୀଟିଏ ଭୁଷିଦେଲା! ତାଙ୍କର ମନେ ପଡ଼ିଗଲା ଚଉଛକଦିଆ ପଲଙ୍କଟା କଥା । କେଡ଼େ ଦୟନୀୟ ଅବସ୍ଥାରେ ଚଣ୍ଡାଳଟା ଆଣି
ତାକୁ ପକେଇଚି! ଏତେ ସୁନଦର କାରୁକାର୍ଯ୍ୟକରା ଗୋଡ଼ଗୁଡ଼ାକରେ ଠାଏ ଠାଏ ତେଲ ଆଉ ଚୂନ ବେଳଳିଚି । ଆଉ ତା’ ଉପରେ ପଡ଼ିଥିବା ମଇଳା ବେଡସିଟ୍‌
ସାଙ୍ଗକୁ ତେଲଚିକିଟା ଲଗା ତକିଆ । ଓଃ, ରାଜମୋହନ ଭିତରେ ଭିତରେ ବିରକ୍ତ ହୋଇଉଠିଲେ । ଏଭଳି ଏକ ଅମୂଲ୍ୟ ପଦାର୍ଥ କ’ଣ ଏମିତିକା ଭଙ୍ଗା କୁଡ଼ିଆ ଭିତରେ ପଡ଼ିବା ଶୋଭା ପାଉଛି? ଏଭଳି ଦାମୀ ପଲଙ୍କର ମହତ୍ତ୍ୱ ଭଲା ଏ ପାଷାଣ୍ଡଟା କ’ଣ ବୁଝିବ?

ଏଣୁ ତେଣୁ କିଛି ସମୟ କଥାବାର୍ତ୍ତା ହେବାପରେ ରାଜମୋହନ ତାଙ୍କ ଆଗମନର ଅସଲ ଉଦ୍ଦେଶ୍ୟ ଫିଟେଇ କହିଲେ, ‘ଆଲୋ ବୋହୂ, ତୁ ଯଦି କିଛ ନଭାବୁ, ମୁଁ ତତେ ଗୋଟିଏ କଥା କହିବି ।

ମକବୁଲକୁ ତୁ କୌଣସି ମତେ ରାଜି କରା । ଏ ପଲଙ୍କଟା ସେ ମୋତେ ଫେରେଇ ଦଉ । ସିଏ ଯାହା ଟଙ୍କା ମାଗିବ ମୁଁ ଦେବାକୁ ରାଜି ଅଛି ।’

ରାଜମୋହନଙ୍କ ତୁଣ୍ଡରୁ ଏଭଳି କଥା ଶୁଣି ଫତିମା ଆବାକାବା ହୋିଗଲା । ତଥାପି ସେ ବାଡ଼ ପଛକଡ଼େ ସେମିତି ଠିଆ ହୋଇଥାଏ । ଏଥର ଧୀରେ ଅଥଚ ଦୃଢ଼ ଗଳାରେ ସେ କହିଲା, ‘ନାଇଁ କର୍ତ୍ତା । ମୁଁ ତାଙ୍କୁ ସେ କଥା ମୋଟେ କହିପାରିବିନି । ଆପଣ ବାସଙ୍ଗ ପତ୍ର ଦେବାକୁ ଆସିଥିଲେ । ସେ ପତ୍ର ନିଅନ୍ତୁ । ସେକଥା
ଆଲୋଚନା କରନ୍ତୁନି ।’ ଏତିକି କହି ଫତିମା ସେଠାରୁ ଦୂରେଇଗଲା ।

ଫତିମାଠାରୁ ଏଭଳି ଜବାବ ଶୁଣିବା ପରେ ତାଙ୍କ ଗାଲରେ ଶକ୍ତ ଚାପୁଟାଟିଏ ଖାଇଲା ପରି ରାଜମୋହନ ଅନୁଭବ କଲେ । ଏଥର ସେ ପଲଙ୍କଟାକୁ ଚାହିଁ ସେଇଠି ଦଣ୍ଡେ ଠିଆହୋଇ ରହିଲେ ଓ ତା’ପରେ ସିଧା ସେଠାରୁ ଲେଉଟିଗଲେ । ବାସଙ୍ଗ ପତ୍ର ତୋଳି ନେବାରେ ଆଉ ତାଙ୍କର ମୋଟେ ଆଗ୍ରହ ନ ଥିଲା । ଯାହା କେଇଟା ପତ୍ର ତୋଳିଥିଲେ ସେଇଆକୁ ଧରି ଏକମୁହାଁ ଘରଆଡ଼େ ଚାଲିଲେ ।

ରାଜମୋହନଙ୍କ ଡିହରେ ଛୋଟ ମନ୍ଦିରଟିଏ ଥିଲା । ସେଠାରେ ରାଧା ଗୋବିନ୍ଦ ବିଗ୍ରହ ପ୍ରତିଷ୍ଠା ହୋଇଥିଲେ । ଗୋବିନ୍ଦଙ୍କ ପ୍ରତିମା ମସ୍ତକରେ ମୟୂର ପୁଚ୍ଛ ଆଉ ହାତରେ ବାଶୀ । ତାଙ୍କ ବାମପାଶ୍ୱର୍କୁ ରାଧାରାଣୀଙ୍କ ପ୍ରତିମା । ବ୍ରଜମୋହନ ରସରାଜ ଶ୍ରୀଗୋବିନ୍ଦଙ୍କ ମୁଖମଣ୍ଡଳରେ କିପରି ଏକ ପ୍ରଶାନ୍ତ ଭାବ । ଅପଲକ ନେତ୍ରରେ ସେଇ କରୁଣାର ଦୃଷ୍ଟି । ଓଠରେ ଶାଶ୍ୱତ ହସର ରେଖା । ଗାଧୁଆପାଧୁଆ ଶେଷ କରି ରାଜମୋହନ ସିଧା ଯାଇ ମନ୍ଦିର ମଣ୍ଡପ ଉପରେ ସେହି ଯୁଗଳ ମୂର୍ତ୍ତି ସାମ୍ନାରେ ଧ୍ୟାନରେ ବସିପଡ଼ିଲେ । ମନେ ମନେ ମନ୍ତ୍ର ଉଚ୍ଚାରଣ କଲେ । ତା’ପରେ ଚଟାଣର ମୁଣ୍ଡିଆ ମାରି ପ୍ରାର୍ଥନା କରିଚାଲିଲେ, ‘ହେ କରୁଣାସାଗର, ହେ ମୋର ପ୍ରଭୁ! ମୋତେ ଏ ସାଂସାରିକ ମାୟା ବନ୍ଧନରୁ ମୁକ୍ତ କର । ଆପଣଙ୍କ ବୃଦ୍ଦାବନ ମାର୍ଗରେ ମୋତେ ପଥିକ କର ପ୍ରଭୁ । ମୋର ସବୁ ଲୋଭ ମୋହ, ମୋର ଯନ୍ତ୍ରଣା ଓ ଅପମାନ ଆପଙ୍କ ବ୍ରଜଧୂଳିରେ ଲୀନ କର ପ୍ରଭୁ । ଆପଣଙ୍କ ଲୀଳାଭୂମିର ଲୋହିତ କଣିକାରେ ତାହା ମିଶିଯାଉ ।’

ଏଭଳି ପ୍ରାର୍ଥନା କରିସାରିବା ପରେ ନିଜ ମନରୁ ସେଭଳି କ୍ଷୁଦ୍ର ଭାବନା ଓ ଲୋଭ ପରିଷ୍କାର ହୋଇଯିବା ପରି ରାଜମୋହନ ଅନୁଭବ କଲେ । କିନ୍ତୁ ଅଧିକ ସମୟ ନୁହେଁ । ତା’ପର ଦିନ ପୁଣି ତାଙ୍କର ସେଇ ବାସଙ୍ଗ ପତ୍ର ଲୋଡ଼ା ପଡ଼ିଲା । ନିଜ ଚାକର ଟୋକା କାଳୁ ଆଗରେ ସେ ଆହୁରି ଜୋରରେ କାଶି  ଚାଲିଲେ । ତାଙ୍କର ତୁରନ୍ତ ବାସଙ୍ଗ ପତ୍ରର ବାଟଣ ଦରକାର । ସେଦିନ ବାସଙ୍ଗ ପତ୍ର ନେବାକୁ ଆସିଲାବେଳେ ଫତିମା ଆଉ ରାଜମୋହନଙ୍କୁ ଦେଖି ମୁଣ୍ଡରେ ହାତେ ଲମ୍ବର ଓଢ଼ଣା ଟାଣିଲାନାହିଁ କି ବାଡ଼ ଆଢ଼ୁଆଳକୁ ଯାଇ ଲୁଚିଗଲା ନାହିଁ । ଏପରିକି ତାଙ୍କୁ ଉଁ ଚୁଁ କିଛି ହେଲେ ପଚାରିଲା ନାହିଁ । ବରଂ ନିଜ କୁଡ଼ିଆର କୋଣମୁଣ୍ଡକୁ ଯାଇ ଚୁପ୍‌ଚାପ୍ ଠିଆ ହୋଇରହିଲା । କାଳେ କର୍ତ୍ତା ପୁଣି ଥରେ ସେଇ ପଲଙ୍କ କଥା ଉଠେଇବେ ସେଇ ଆଶଙ୍କାରେ ତା’ ଛାତି ଧଡ଼ଧଡ଼ ହୋଇ ଉଠୁଥିଲା । ଫତିମାର ଏଭଳି ହାବଭାବକୁ ରାଜମୋହନ ଠିକ୍‌ ଠଉରାଇ ପାରୁଥିଲେ । ସେ ବାସଙ୍ଗ ପତ୍ର କେଇଟା ତୋଳିସାରିବା ପରେ କିନ୍ତୁ ସେଠାରୁ ତୁରନ୍ତ ଫେରି ଯାଇନଥିଲେ । ସେ ମକବୁଲର ପିଣ୍ଡା ଉପରେ ବସି ତା’ର ସେଇ ଗୁମସୁମିଆ ପୁଅ ସାବଦୁଲ ସାଙ୍ଗରେ ଏଣୁ ତେଣୁ କଥାବାର୍ତ୍ତା ହୋଇଥିଲେ । ତେବେ ସେ ନିଜ ଆଖିକୁ ନିଜ ଆୟତ୍ତରେ ରଖିପାରୁନଥିଲେ । ମଝିରେ ମଝିରେ ତାଙ୍କ ନଜର ସେଇ ପଲଙ୍କ ପଡ଼ିଥିବା କୋଠରୀ ଆଡ଼କୁ ଆପେ ଚାଲିଯାଉଥିଲା । ଇତି ମଧ୍ୟରେ ବାସଙ୍ଗ ଗଛଟା ନଣ୍ଡା ହୋଇ ସାରିଥିଲା । ହେଲେ ରାଜମୋହନଙ୍କୁ କାଶକଫରୁ ଉପଶମ ମିଳିନଥିଲା । ସେ ସେମିତି ମକବୁଲର ଘର ଆଡ଼େ ପ୍ରତିଦିନ ବାସଙ୍ଗ ପତ୍ର ନେବାକୁ
ଆସୁଥିଲେ ।

ଏମିତି ଦିନେ ରାତିରେ ମକବୁଲ ଫତିମାକୁ ପଚାରିଲା, ‘ମୁଁ ଶୁଣୁଚି, କର୍ତ୍ତା କାଳେ ସବୁଦିନ ଆମ ଘରଆଡ଼େ ଆସୁଚନ୍ତି? ସିଏ ଆସି ଆମ ବାରଣ୍ଡାରେ ବସୁଚନ୍ତି?’
ଫତିମା କହିଲା, ‘ହଁ, ସିଏ ବାସଙ୍ଗ ପତ୍ର ନେବାଲାଗି ଆସୁଚନ୍ତି ।’ ମକବୁଲ ହସିଉଠି କହିଲା, ‘ବାଜେ କଥା । ସିଏ ତୋତେ ଦେଖିବା ଲାଗି ଆସୁଚନ୍ତି । ତୋ ସୁନ୍ଦରିଆ ମୁହଁ ଦେଖି ବୁଢ଼ା ଲୋଭେଇଲାଣି ।’

ଫତିମା ହଠାତ୍ ବିଗିଡ଼ିଯାଇ କହିଉଠିଲା, ‘ଏମିମତିକା ଅଲାଜୁକ କଥା କହିବାକୁ ତୁମକୁ ଟିକେ ସରମ ମାଡ଼ୁନି?’

‘ମକବୁଲ ଦାବି କଲାଭଳି ପଚାରିଲା, ‘ତା’ହେଲେ ସିଏ କାଇଁକି ସବୁଦିନ ଆମ ଘରଆଡ଼େ ଆସୁଚନ୍ତି? ଅସଲ କଥା ମୋତେ ଖୋଲି କହ ।’

ଫତିମା ଆଶ୍ଚର୍ଯ୍ୟ ହେଲାଭଳି ପଚାରିଲା, ‘ଏଥିରେ ଅସଲ କଥା କ’ଣ ରହିଲା? ତୁମେ ବି ସେକଥା ଜାଣିଚ ।’

ମକବୁଲ କହିଲା, ‘ହଁ, ମୁଁ ଜାଣିଚି । ହେଲେ ତତେ ହୁସିଆର କରିଦେଉଚି ଫତି । ତୁ ଯଦି ଟଙ୍କା ଲୋଭରେ ପଡ଼ି ପଲଙ୍କଟାକୁ ବିକିଦେବାକୁ ରାଜି ହେଲୁ, ତତେ ଜୀବନରେ ମାରିଦେବି ।’

ଫତିମା ଆଶ୍ଚର୍ଯ୍ୟ ହେଲାଭଳି କହିଲା, ‘ତୁମେ କ’ଣ ବାଇଆ ହେଇଗଲଣି? ମୁଁ ଭଲକରି ଜାଣିଥିଲି କର୍ତ୍ତା ଉଠେଇବେ । ସେଇଥିଲାଗି ପରା ମୁଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା ନହୋଇ ବାଆଁରେଇ ଦେଇଥିଲି । ହେଲେ ତୁମେ ତ ଜାଣିଚ, ବୁଢ଼ାଟାର କି ଅଶୁଭ ନଜର । ଯେତେବେଳେ ବି ବାସଙ୍ଗ ପତ୍ର ନେବାକୁ ସେ ଆସନ୍ତ, ସେଇ ଘରଟା ଭିତରକୁ ଉଣ୍ଡନ୍ତି । ପଲଙ୍କ ଆଡ଼େ ଚାହାନ୍ତି । ମତେ ତାଙ୍କର ଏମିତିକା ହାବଭାବ ଜମ୍ମାରୁ ଭଲ ଲାଗେନି । ତୁମେ ଯାହା କହ, ତାଙ୍କୁ ଦେଖିଲେ ମୋ ଛାତି
ଥରିଉଠେ । ଆମେ ତ ଆମ ପିଲାଛୁଆଙ୍କୁ ନେଇ ଦୁଃଖେକଷ୍ଟେ ଜୀବନ ବଞ୍ଚୁଛୁ । କେତେବେଳେ କାହାର କ’ଣ ହେଇଯିବ । ଲୋକଙ୍କ ନଜର ସବୁଠୁ ଭୟଙ୍କର । ଆଉ ଅଶୁଭ ନଜର ପଡ଼ିଲେ ତ କେହି ଉଧେଇବେନି ।’

ମକବୁଲ ପୁଣି ହୋ ହୋ ହୋଇ ହସିଉଠିଲେ । ଏଥର ସେ ହସରେ କିଛିଟା ଘୃଣା ଓ ତାଚ୍ଛଲ୍ୟ ଭାବ ପରି ଲାଗୁଥିଲା । ସେ କହିଲା, ସେସବୁ କିଛି ନୁହେଁ । ବାଜେ କଥା! ସିଏ ବୁଢ଼ା ଆଖିରେ ଆଉ ଖରାପ ନଜର ବୋଲି କିଛି ନାହିଁ । ଏବେ ତା’ର ସବୁ ବିଷ ଧଣ୍ଡସାପର ବିଷ ସାଙେ୍‌୍ ସମାନ । ଆଲୋ ଫତି, ଧଣ୍ଡସାପ
କାମୁଠାରେ କାହାର ଜୀବନ ଗଲାଣି? ତୁ ଆରାମରେ ଶୋଇଯା’ । ମୁଁ ସେ ବୁଢ଼ାକୁ ହୁସିଆର କରିଦେବି । ଆଉ ଥରେ ମୋ ଘରଆଡ଼େ ଆସିଲେ ତା’ ଗୋଡ଼ ଭାଙ୍ଗିଦେବି ।’

ରାଜମୋହନଙ୍କୁ ଏମିତି ଧମକ ଦେବାକୁ ମକପୁଲକୁ ପଡ଼ିଲାନି । ତା’ପର ଦିନଠାରୁ ତାଙ୍କୁ ସାତତାଳ ଜର ହୋଇ ଦେହ ଖଇ ଫୁଟିଲା । ଆଉ ତା’ସାଙ୍ଗକୁ ନାଳରକ୍ତ ଝାଡ଼ା । ସେ ଶେଯରୁ ସୁଦ୍ଧା ଉଠି ପାରିଲେନି । ଶେଷରେ ଗାଁ ବଇଦକୁ ଡକା ପଡ଼ିଲା । ବଇଦ କହିଲେ, ‘ରାୟ ସାହେବ, ଆପଣ ନିଜ ପୁଅବୋହୂଙ୍କୁ ଖବର
ଦିଅନ୍ତୁ । ଆପଣଙ୍କ ବୟସର ଲୋକଙ୍କୁ ଏ ରୋଗ ପୂରା ନୟାନ୍ତ କରିସାରିଲାଣି । ଆପଣ ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଚନ୍ତି ।’

ରାଜମୋହନ ମୁଣ୍ଡ ହଲେଇ ମନାକଲେ । କହିଲେ, ‘ନାଇଁ ବଇଦେ, ଏବେ  ନୁହେଁ । ସେମାନଙ୍କୁ କେତେବେଳେ ଖବର ଦିଆଯିବ,ସେକଥା ମୁଁ କହିବି । ବୋଧହୁଏ ତାଙ୍କ ଅଫିସରେ ପଦୋନ୍ନତି କଥା ଚାଲିଚି । ଏତେବେଳେ ଯଦି ପୁଅ ମୋର ଛୁଟି ନିଏ, ତା’ ହାତରୁ  ସୁଯୋଗଟା ଚାଲିଯିବ । ଏ ସମୟଟା ଗତ ହୋଇଯାଉ ।’ଏଇ
ଘଟଣା ପରେ ରାଜମୋହନ ତାଙ୍କ ଜମାଖାତାରୁ ଦୁଇଶହ ଟଙ୍କା ଉଠେଇ ଅସୀମା ପାଖକୁ ପଠେଇଦେଲେ । ଅସୀମା କ’ଣ କେବେ ବିଶ୍ୱାସ କରିଥାନ୍ତା ଯେ ପଲଙ୍କଟା ମାତ୍ର ପଚାଶ ଟଙ୍କାରେ ବିକ୍ରି ହୋଇଛି ବୋଲି? ସିଏ ଅବିଶ୍ୱାସ କରିଥାନ୍ତା ଯେ ଶ୍ୱଶୁର ତା’ର ପଇସା ହଡ଼ପ କରିଦେଲେ କି କ’ଣ! ପ୍ରତିଦିନ ଡାକ୍ତରଙ୍କୁ ଡକା ପଡ଼ିଲା । ସେ ଆସି ରାଜମୋହନଙ୍କ ଦେହ ପରୀକ୍ଷା କରି ଯାଉଥିଲେ । କିନ୍ତୁ ରୋଗ କମିବାର ନାଁ ଧରୁନଥିଲା ।

ତା’ରି ଭିତରେ ମକବୁଲର ଦୁର୍ଯୋଗ ମଧ୍ୟ ବଢ଼ି ଯାଇଥିଲା । ନୂଆପଡ଼ାରେ ହାଟଦିନ ମକବୁଲ ନଈଘାଟରେ ଗୋଟିଏ ଗଛରେ ତା’ ଡଙ୍ଗାଟିକୁ ବୁନ୍ଧି ପନିପରିବା କିଣିବାକୁ ଯାଇଥିଲା । ହାଟସଉଦା ସାରି ଘାଟକୁ ଫେରିଲା ବେଳକୁ ଡଙ୍ଗା ଉଭାନ୍‌! ତାଲା ଭାଙ୍ଗି କେହି ଜଣେ ଡଙ୍ଗାଟିକୁ ଚୋରି କରି ନେଇଥିଲା । ସେ ଗାାଁଟା ଚୋର ତସ୍କରଙ୍କ ଖଣି ବୋଲି ସମସ୍ତଙ୍କୁ ଜଣା । ସେଇ ଗାଁରେ ଗେଡ଼ୁ ମୁନସୀର ଶ୍ୱଶୁର ରହୁଥିଲେ । ଚୋରମାନଙ୍କ ସାଥିରେ ତାଙ୍କ ଭିତିରିଆ ଯୋଗସୂତ୍ର ଥିଲା ।
ତା’ ପଛପଟେ କିପ୍ରକାର ଷଡ଼ଯନ୍ତ୍ର ଚାଲିଥିଲା ସେକଥା ମକବୁଲ ଭଲଭାବେ ଠଉରେଇ ପାରୁଥିଲା । ତେବେ କାନମୁଣ୍ଡା ଆଉଁଷି ହୋଇ ସେ କୌଣସି ପ୍ରକାରେ ଘରକୁ ଲେଉଟିଥିଲା । ଠିକ୍ ତା’ପର ଦିନ, ତା ଦୁର୍ଦ୍ଦଶା ଆହୁରି ବଢ଼ିଗଲା । ହଇରାଣ ତା’ପିଛା ଛାଡ଼ୁନଥିଲା । ଏବେ ତା’ ପାଖରେ ନା ଥିଲା ଗାଈ ନା ଥିଲା ଡଙ୍ଗା । ରୋଜଗାରର ସବୁ ବାଟ ତା’ପାଇଁ ବନ୍ଦ୍‌ ହୋଇସାରିଥିଲା । ତେଣୁ କାହାକୁ କିଛି ନକହି ନିଜ ପଲାଟା ଭିତରେ ମକବୁଲ ସେମିତି ଶୋଇ ରହିଲା । ପଲଙ୍କ ଉପରେ
ଗଡ଼ପଡ଼ ହେଲାମାତ୍ରେ ତା’ ଆଖିକୁ ନିଜ ଆସି ଯାଇଥିଲା । ବେମାର ପଡ଼ି କତରାଲଗା ହୋଇ ସାରିଥିଲେ ବି ରାଜମୋହନ ମକବୁଲର ଟିକିନିଖି ସବୁ ଖବର ରଖୁଥିଲେ । ସେଦିନ ଶରତ ଶିଲ ଭାରି ଖୁସି ମନରେ ଆସି  ବେଶ୍ ଗର୍ବ ଓ ଦମ୍ଭର ସହ କହିଚାଲିଲା, ‘ଏ ଘଟଣା ଘଟିବାର ହିଁ ଥିଲା । ଅବଶ୍ୟ ଘଟିବାର ଥିଲା । ଆପଣଙ୍କ ଭଳିଆ ଲୋକଙ୍କୁ ସିଏ ପରା ବେଖାତିର କରିଚି । ଭଗବାନ କ’ଣ ସେଥିପାଇଁ ତାକୁ ଛାଡ଼ିଦେବେ? ଅବଶ୍ୟ ଦଣ୍ଡ ଦଉଚନ୍ତି!’

ଏହାର କିଛିଦିନ ପରେ କାଳୁ ଆସି କର୍ତ୍ତାଙ୍କ କାନ ପାଖରେ ଚୁପିଚୁପି କହିଲା, ‘ଶୁଣିଲେଣି ନା ନାଇଁ କର୍ତ୍ତା? ମକବୁଲ ସେ ପଲଙ୍କଟାକୁ ତାଳକନ୍ଦାର ଅଟାଜାଦୀ ସିକଦାରକୁ ବିକ୍ରି କରିଦେବ ବୋଲି ବସିଚି । ଅଟାଜାଦୀ ନୂଆ କୋଠାଘର ତୋଳୁଚି । ତା’ ନୂଆ ଘରକୁ ସଜେଇବ । ସେଇ ଘରେ ସେ ଏ ଖାନଦାନୀ ପଲଙ୍କଟାକୁ ପକେଇବ । ଆପଣଙ୍କ ଚାନ୍ଦୁଆଲଗା ପଲଙ୍କକୁ ।’

ରାଜମୋହନ ମନଦୁଃଖରେ କହିଲେ, ‘ଯାହାର ଯାଇ ଇଚ୍ଛା, ସିଏ ସେଇଆ କରୁ ।’

କାଳୁ କହିଲା, ‘ମୁଁ ତ ଶୁଣୁଚି ପଲଙ୍କଟାକୁ ସିଏ ଦେଢ଼ଶହ ଟଙ୍କାରେ ବିକ୍ରି କରିବାକୁ ବସିଚି ।’

ରାଜମୋହନ ପୁଣି ଉତ୍ତର ଦେଲେ, ‘ହଁ, ହେଇଥିବ । ତା’ ଇଚ୍ଛା ଯେମିତି ହେବ, ସେ ସେତିକିରେ ବିକିବ ।’’ ‘ଅଟାଜାଦୀ ନିଜେ ବ୍ୟାଗରେ ଟଙ୍କା ଧରି ଅସ ପଲଙ୍କଟାକୁ ନେବାକୁ ଆଜି ସନ୍ଧ୍ୟାରେ ଆସିବେ ବୋଲି ସମସ୍ତେ କଥାବାର୍ତ୍ତା ହେଉଚନ୍ତି ।’ କାଳୁ ନିଜ କଥା ସହ ପୁଣି ଏତକ ଖବର ଯୋଡ଼ିଲା । ରାଜମୋହନ ଖଟ ଉପରେ ପଡ଼ି ସେମିତି କଡ଼ ଓଲଟାଇନେଇ କହିଲେ, ‘ସିଏ ଆସୁ ।’

ସନ୍ଧ୍ୟାବେଳେ ପାଖ ଗାଁରେ ହେଉଥିବା ନାଟକ ଦେଖିବାକୁ କର୍ତ୍ତାଙ୍କଠାରୁ ଅନୁମତି ନେଇ କାଳୁ ଚାଲିଗଲା । ପାଖ ଗାଁ ମୁଲ୍ଲାଙ୍କ ଘର ଆଗରେ ସେଇ ନାଟକ ମଞ୍ଚସ୍ଥ ହେଉଥିଲା । ନାଟକଟିର ନାଁ ‘ମୀର କାଶିମ’ । ସେ ନାଟକକୁ ଦେଖିବା ସକାଶେ ପାଖଆଖ ଗାଁର ସବୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ଭଲ ଜାଗାଟିଏ ପାଇବା ଆଶାରେ କାଳୁ ସହଳ ସହଳ ଘରୁ ବାହାରି ଯାଇଥିଲା ।

ସନ୍ଧ୍ୟାବେଳେ ଚାକରାଣୀ ବୁବି ଆସି ରାଜମୋହନଙ୍କ ଲାଗି କଂସାଏ ଅଟକାଳି ରାନ୍ଧି ତାଙ୍କର ପାଖରେ ରଖିଦେଇ ଯାଇଥିଲା । ରାଜମୋହନ କିନ୍ତୁ ତାକୁ ଛୁଇଁ ନଥିଲେ । ଅସଲାକଥା, ତାଙ୍କର କିଛି ହେଲେ ଖାଇବାକୁ ରୁଚୁନଥିଲା । ସନ୍ଧ୍ୟାବେଳ ଗତ ହୋଇ ରାତି ବେଳକୁ ବେଳ ବଢ଼ୁଥିଲା । ରାଜମୋହନ ଶେଯଟା ଉପରେ
ପଡ଼ି ଏକଡ଼ ସେକଡ଼ ହେଉଥିଲେ । ଆଖିକୁ ନିଦ ଆସୁନଥିଲା । ମନ ଭାରି ଅଶାନ୍ତ ଲାଗୁଥିଲା । ହଠାତ୍ ସେ ଶେଯରୁ ଉଠିବସିଲେ । ଦୁର୍ବଳତା ଯୋଗୁ ତାଙ୍କ ଗୋଡ଼ ଥରି ଉଠିଲା । ସେଇ ଅନ୍ଧାରରେ ସେ ତାଙ୍କ ବେତବାଡ଼ିଟା ଅଣ୍ଡାଳିଲେ ।  ଚାବିପେନ୍ଥାଟା ସେମିତି ଖୋସା ହୋଇଥିଲା । କବାଟରେ ତାଲା ପକେଇ ସେ ସେଇ ଅବସ୍ଥାରେ ପଦାକୁ ବାହାରି ଆସିଲେ । ଆକାଶରେ ମେଘ ଭର୍ତ୍ତି । ସେତେବେଳକୁ ଝିପିଝିପି ବର୍ଷା ପକେଇବା ମଧ୍ୟ ଆରମ୍ଭ ହୋଇସାରିଥିଲା । କିନ୍ତୁ ଏମିତି ଅବସ୍ଥାରେ ରାଜମୋହନ ଲଣ୍ଠନ ଲଗେଇବାକୁ କି ଛତା ଖଣ୍ଡିଏ ଧରିବାକୁ ସୁଦ୍ଧା ଚାହିଁନଥିଲେ । ସେଇ ବଙ୍କୁଲିବାଡ଼ି ଖଣ୍ଡିକୁ ଆଶ୍ରାକରି ସେ ଧୀରେ ଧୀରେ ଆଗକୁ ପାଦ ବଢ଼େଇଲେ । କେତେବେଳେ ସେ ଆସି ମକବୁଲର ଘର ସାମ୍ନାରେ ଠିଆ ହୋଇ ସାରିଥିଲେ ସେକଥା ତାଙ୍କୁ ସୁଦ୍ଧା ଜଣା ପଡ଼ିନଥିଲା । ମକବୁଲର ଅଗଣାର ସେଇ ଅନ୍ଧାରରେ ଠିଆହୋଇ ସେ କେମିତି ଏକ ବିଚିତ୍ର ସ୍ୱରରେ ଡାକଛାଡ଼ିଲେ, ‘ମକବୁଲ, ହାରାମଜାଦା… ଘରୁ ବାହାର୍‌… ଜଲଦି ଘରୁ ବାହାର!’

ମକମୁଲ ତା’ କୁଡ଼ିଆ କବାଟ ଖୋଲି ନିଦ ମଳମଳ ଆଖିରେ ପଚାରିଲା, କିଏ? କର୍ତ୍ତା ନା କ’ଣ? ଇଏ ତ କର୍ତ୍ତାଙ୍କ କଣ୍ଠସ୍ୱର! ଆପଣ କର୍ତ୍ତା? ଏତେ ରାତିରେ…?’

ରାଜମୋହନଙ୍କ ସର୍ବାଙ୍ଗ ଶରୀର କମ୍ପିଉଠୁଥିଲା । କଣ୍ଠସ୍ୱର ବି ଥରି ଯାଉଥିଲା । ସେ ସେମିତି କହିଚାଲିଲେ, ହଁ, ମୁଁ ଆସିଚି । ଶଳା ପାଷାଣ୍ଡ! ଶେଷରେ ମୋ ଏଡ଼େ ସୁନ୍ଦରିଆ ଚାନ୍ଦୁଆଲଗା ପଲଙ୍କଟାକୁ ବିକିଦେଲୁ! ମୋତେ ନ ଜଣେଇ ବିକ୍ରି କରିଦେଲୁ?’

ମକବୁଲ ଆବାକାବା ହୋଇ ସେଇଠି ଠିଆହୋଇ କର୍ତ୍ତାଙ୍କ କଥା ଶୁଣି ଚାଲିଥିଲା । ଶେଷରେ ସେ ତୁଣ୍ଡ ଲୋଲିଲା: ‘ଆପଣଙ୍କୁ ସେ କଥା କିଏ କହିଲା?’

ରାଜମୋହନ ସେମିତି କହିଚାଲିଲେ, ‘ଆରେ ମୁଁ ଖାତିର କରିନି । ତୁ କ’ଣ ଭାବିଚୁ ମୋ’ଠୁ କଥା ଲୁଚି ରହିବ? ମୁଁ ଜାଣିପାରିବିନି? ଆରେ, ମାଛି ବି ଖବର ନେଇ ମୋ ପାଖରେ ପହଞ୍ଚେଇଦେବେ ।’

‘ହେଲେ କର୍ତ୍ତା, ଆପଣଙ୍କ ଦେହ ଏତେ ଖରାପ । ଏ ଅନ୍ଧାର ରାତିରେ, ବର୍ଷାରେ ଆପଣ ଏଠିକି ଆସିଲେ କେମିତି? ସେ କେନାଲକୁ ପାର ହେଲେ କେମିତି?’

ମକବୁଲ ମନେମନେ ଡରିଗଲାପରି ହୋଇ ପଚାରିଲା ।

‘ ମୁଁ କେନାଲ କୂଳେ କୂଳେ ସେଇ ପାଣିକାଦୁଅ ଭିତରେ ହେଇ ଆସିଲି ।’ ରାଜମୋହନ ଉତ୍ତର ଦେଲେ ।

ମକବୁଲ ଏଥର ଆହୁରି ଡରିଯାଇ କହିଲା, ‘କେଡ଼େ ଭୟଙ୍କର କଥା! ଆପଣ ଆଗ ଘର ଭିତରକୁ ଆସିଲେ କର୍ତ୍ତା… ପଛରେ ଯାହା କହିବେ ।’

‘ଏବେ ଆଉ କୁଡ଼ିଆକୁ କାଇଁକି ଡାକୁଚୁ? ତୁ ତ ସର୍ବନାଶ ଘଟେଇ ସାରିଲୁଣି ।’ ରାଜମୋହନ ତୀରସ୍କାର କଲାଭଳି ସ୍ୱରରେ କହିଲେ ।

‘ନା କର୍ତ୍ତା । ମୁଁ ସେମିତି କିଛି ବି ପରିନି । ଆପଣ ନିଜେ ଆସି ଦେଖନ୍ତୁ ।’ ଏଥର ସେ ରାଜମୋହନଙ୍କ ହାତ ଧରି ଧୀରେ ଘର ଭିତରକୁ ନେଇଗଲା । ରାଜମୋହନଙ୍କ ଦେ ଜରରେ କମ୍ପୁଥିଲା । ତାଙ୍କ ଦେହରେ ସାର୍ଟ ଖଣ୍ଡିଏ ନଥିଲା କି ପାଦରେ ଜୋତା ନଥିଲା । କେବଳ ଯାହା ଚାରିକଡ଼େ ଗୁଡ଼େଇ ହୋଇଥିବା ଧୋତି ଖଣ୍ଡିକ ସଂପୂର୍ଣ୍ଣ ଓଦା । ଯିଏ ନିଜ ଆଖିରେ ଚଷମା ନପିନ୍ଧିଲେ ଆଗକୁ ପାହୁଣ୍ଡେ ଚାଲିପାରନ୍ତିନି,  ଚଷମା ବି ତାଙ୍କ ଆଖିରେ ନଥିଲା । ମକବୁଲ ଡରିହରି ତା’ ସ୍ତ୍ରୀକୁ ଡାକ ଛାଡ଼ିଲା, ‘ଫତି, ଆଲୋ ଜଲଦି ଉଠ୍ । ଜଲଦି ବତୀ ଜଳା । କର୍ତ୍ତାଙ୍କୁ ମୁଁ ତାଙ୍କ ପଲଙ୍କ ଦେଖେଇବି । ତାଙ୍କ ମନରେ ବିଶ୍ୱାସ ହେବ… ।’

ପେଟ ଭୋକରେ ଫତିମା ତଳେ କତରା ଖଣ୍ଡିକ ଉପରେ ନିର୍ଜୀବଙ୍କ ପରି ପଡ଼ିଥିଲା । ମକବୁଲର ଡାକ ଶୁଣି ସେ ଧଡ଼ପଡ଼ ହୋଇ ଉଠିପଡ଼ିଲା । ମୁଣ୍ଡ ଉପରକୁ ବାଁ ହାତରେ ଶାଢ଼ି କାନିଟା ଟାଣିଦେଲା । ହେଲେ ଫଟା ଶାଢ଼ିଟା ତା’ ମୁଣ୍ଡକୁ ସମ୍ପୂଣ୍ଣ ରୂପେ ଆଚ୍ଛାଦନ କରୁନଥିଲା । ଶେଯ ଉପରେ ଦି’ଟାଯାକ ପିଲା ଦିଓଟି କଙ୍କାଳ ପରି ସେଇ ବିଛଣାରେ ଆରପଟକୁ ପଡ଼ିଥିଲେ । ରାଜମୋହନ ଆବାକାବା ହେଲାପରି ପଚାରିଲେ, ‘ତୁ ସତ କହୁଚୁ… ତା’ହେଲେ ତୁ ମୋ ପଲଙ୍କଟାକୁ ବିକି ଦେଇନୁ?’ତାଙ୍କ ମୁହଁରୁୁ ଏକ ଦୀର୍ଘଶ୍ୱାସ ବାହରିଆସିଲା ।

‘ନାଇଁ କର୍ତ୍ତା, ପଲଙ୍କଟା ମୋରି ଘରେ ଅଛି । ମୁଁ ତାକୁ ବିକିନି ।’

‘ଆଜି ଅଟଦାତି ସେ ପଲଙ୍କଟାକୁ ନେବାକୁ ତୋ ଘରକୁ ଆସିନଥିଲା?’ ରାଜମୋହନ ଧମକ ଦେଲାପରି ପଚାରିଲେ ।

ମକବୁଲ ସେମିତି ଧୀର ସ୍ୱରରେ ତାଙ୍କର ବିଶ୍ୱାସ ଦେବାକୁ କହିଲା, ‘ହଁ ସେ ଆସିଥିଲା । ପୂର୍ବରୁ ସେ ମତେ ଦେଢ଼ଶ’ ଟଙ୍କା ଯାଚିଥିଲା । ତା’ ଉପରେ ଆହୁରି ଦଶଟଙ୍କା ଦେବ ବେଳଲି ବି କହୁଥିଲା । ମୁଁ କିନ୍ତୁ ତାକୁ ରୋକଠୋକ ମନା କରିଦେଲି, କର୍ତ୍ତା । ଦି’ଦିନ ହେଲା ମୋ ପିଲା ଖାଡ଼ା ଉପାସରେ ଅଛନ୍ତି । ତଥାପି ତା’ଟଙ୍କା
ଲୋଭକୁ ମୁଁ ଟାଳିଦେଲି । ମୁଁ ଉପାସ ରହିଲେ ସହ୍ୟ କରିପାରିବି । ମୋ ସ୍ତ୍ରୀ କାନ୍ଦିବୋବେଇ ମୋତେ କେତେ ନେହୁରା ନହେଇଚି! ଚାଣିଚ କର୍ତ୍ତା, ମୁଁ ତାକୁ କ’ଣ କହିଲି: ତୋ ପେଟ ଭୋକକୁ ସମ୍ଭାଳି ନେ’ । ଆଉ ଗୋଟିଏ ଦିନ ଲାଗି  ଏ ପଲଙ୍କଟା ମୋ ଘରେ ପଡ଼ିରହୁ ।’

ରାଜମୋହନ ବିସ୍ମିତ ହେଲାପରି କହିଉଠିଲେ, ‘ମକବୁଲ!’ ମକବୁଲ ବି ସେ ଡାକର ଉତ୍ତର ଦେଲା, ‘କର୍ତ୍ତ!’ ଦିହିଁଙ୍କ ତୁଣ୍ଡରୁ ଆଉ କିଛି ବାକ୍ୟ ସ୍ଫୂରିଲାନି ।
ଫତିମା କିରାସିନି ବତୀଟା ଆଣି ଦୁହିଁଙ୍କ ଆଗରେ ଧରି ଠିଆ ହୋଇଥିଲା । କିରାସିନି ବତୀର ସେଇ କ୍ଷୀଣ ଧୂଆଁଳିଆ ଆଲୋକ ଭିତରେ କେଇଟି ମହାର୍ଘ୍ୟ ମୁହୂର୍ତ୍ତ ଲାଗି ଚନ୍ଦ୍ରାତକଯୁକ୍ତ ପଲଙ୍କଟିର ସେଇ ଦୁଇ ମୁଗ୍ଧ ପ୍ରେମିକ ସେମିତି ଠିଆହୋଇ ରହିଥିଲେ -ଦୁଇଟି ବ୍ୟକ୍ତି, ଦୁଇଟି ସମ୍ପ୍ରଦାୟ, ଦିଓଟି ମଣିଷ- ଜଣେ ଗୋରା, ଆଉ ଜଣେ କଳା,ଗୋଟିଏ ପଲଙ୍କ, ଦି’ଜଣ ପ୍ରତ୍ୟାଶୀ । ପରସ୍ପର ମୁହଁକୁ ଅପଲକ ନୟନରେ ଚାହିଁ ରହିଥିଲେ ।

ସେଇ ନୀରବତା ଭଙ୍ଗକରି ମକବୁଲ ତା’ ସ୍ତ୍ରୀ ଫତିମା ଆଡ଼କୁଚାହିଁ କହିଲା, “ଫତି, ପିଲାଙ୍କୁ ଉଠା, ସେମାନଙ୍କୁ ନେଇ ତଳେ ଶୁଆଇ ଦେ’ । ମୁଁ ପଲଙ୍କଟାକୁ ଖୋଲିଦିଏ । କର୍ତ୍ତା ତାଙ୍କ ପଲଙ୍କ ଫେରେଇ ନିଅନ୍ତୁ ।’

ରାଜମୋହନ ବିସ୍ମିତ ହେଲାପରି କହିଉଠିଲେ, ‘ଏ ତୁ କ’ଣ କହୁଚୁ ମକବୁଲ?’

‘ହଁ, କର୍ତ୍ତା । ଆପଣ ଆପଣଙ୍କ ପଲଙ୍କ ନେଇଯାଆନ୍ତୁ । ଆଜି ସିନା ପଲଙ୍କଟାକୁ ରଖିପାରିଲି । କିଏ ଜାଣେ ପେଟ ଜ୍ୱାଳାରେ ଆସନ୍ତା କାଳି ତାକୁ ରଖିପାରିବି କି ନାହିଁ!’
ନିଜ ପିଲାଙ୍କୁ ଖଟରୁ ଆଣି ତଳେ ଶୁଆଇବା ଲାଗି ମକବୁଲ ହାତ ବଢ଼େଇଲା । ରାଜମୋହନ କିନ୍ତା ତା ହାତକୁ ଧରି ପକେଇଲେ । ଆଦେଶ ଦେବାଭଳି କଣ୍ଠରେ କହିଲେ, ‘ରହିଯା’ ମକବୁଲ!’ ଏଥର ରାଜମୋହନ ନିଜକୁ ନିଜେ ବୁଛେଇବା ଭଳି ସ୍ୱତତୋକ୍ତି କରିଚାଲିଲେ, ‘ମକବୁଲ, ଏତେଦିନ ଧରି ତୋ କୁଡ଼ିଆକୁ ମୁଁ ଦାଉଡ଼ି ଦେଉଥିଲି, କେବଳ ସେ ପଲଙ୍କଟାର ଭଲମନ୍ଦ ବୁଝିବା ଲାଗି । ସବୁଦିନ ସେ ପଲଙ୍କଟା ଶୂନ୍ୟ ପଡ଼ିଥିବା ମୁଁ ଦେଖୁଥିଲି ।

ଏବେ ଆଉ ମୋ ପଲଙ୍କଟା ଖାଲି ନାହିଁ, ଶୂନ୍ୟ ଦିଶୁନାହିଁ । ଆଜି ମୁଁ ଦେଖୁଚି, ମୋ ଆରାଧ୍ୟ ଦେବତା ରାଧା- ଗୋବିନ୍ଦ ସେଇ ଆସ୍ଥାନ ଉପରେ ବିରାଜମାନ କରିଛନ୍ତି । ସେ ଆସ୍ଥାନ ଆଉ ଆଜି ଖାଲି ଦିଶୁନି । ଚାଲ୍ ମକବୁଲ, ମତେ ଟିକେ ଘରେ ଛାଡ଼ିଦେଇ ଆସିବୁ ।’

ମକବୁଲ ଫତିମା ହାତରୁ ବତୀଟା ଆଣି କର୍ତ୍ତାଙ୍କୁ ବାଟ କଢ଼େଇବା ଲାଗି ଦେଖେଇଲା । ସେ କହିଚାଲିଥିଲା, ‘ଆସନ୍ତୁ କର୍ତ୍ତା, ମୋରି ହାତ ଧରି ଆଗକୁ ଧୀରେ ପାଦ ପକାନ୍ତୁ ।’

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.