Latest Odisha News

BREAKING NEWS

ଇସାରା ଦେଇ ମମତାଙ୍କ ଟିଏମସିକୁ ବାଣ ମାରିଲେ ମାର୍ଗେଟ ଆଲଭା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀଙ୍କ ମିଳିତ ପ୍ରାର୍ଥୀ ମାର୍ଗେଟ୍ ଆଲଭା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ଦ୍ୱାରା ପରାଜିତ ହୋଇଛନ୍ତି। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ତାଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। ଧନଖଡ ୫୨୮ ଭୋଟ୍ ପାଇଥିବାବେଳେ ଆଲଭା ୧୮୨ ଭୋଟ୍ ପାଇଛନ୍ତି। ଏଥିସହିତ ୧୫ଟି ଭୋଟ୍ ନାକଚ ହୋଇଥିଲା। ଭୋଟ୍ ଦେବା ପୂର୍ବରୁ ଆଲଭା କହିଥିଲେ ଯେ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ ସେ ରାଜନୀତିକ ଦଳ ମଧ୍ୟରେ ଏକ ସେତୁ ସୃଷ୍ଟି କରିବେ । କିନ୍ତୁ ଏହି ନିର୍ବାଚନରେ ​​ପରାଜୟର ସାମ୍ନା କରିବାକୁ ପଡିଛି।

ପରାଜୟ ପରେ ଆଲଭା ଟ୍ୱିଟ୍ କରି ନିର୍ବାଚିତ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଶୁଭେଛା ଜଣାଇଛନ୍ତି। ହେଲେ ଯେଉଁ ଦଳ ଭୋଟ୍ ନଦେଇ ପରୋକ୍ଷରେ ବିଜେପିକୁ ସମର୍ଥନ କରିଛନ୍ତି ସେ ନେଇ ଅସନ୍ତୋଷ ଜାହିର କରିଛନ୍ତି ୮୧ ବର୍ଷୀୟ ଏହି ବରିଷ୍ଠ କଂଗ୍ରେସ ନେତ୍ରୀ । ଭୋଟ୍ ନଦେଇ ନିବୃତ ରହିବା ସଂପୃକ୍ତ ରାଜନୈତିକ ଦଳ ଏବଂ ନେତାଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ବୋଲି ଆଲଭା କହିଛନ୍ତି। ଏପରି କହି ୪ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମମତା ବାନାର୍ଜୀ ଏବଂ ତାଙ୍କ ଦଳକୁ ପରୋକ୍ଷରେ ବାଣ ମାରିଛନ୍ତି।

ତେବେ ନିର୍ବାଚନରେ ଆଲଭା ପରାଜିତ ହେବେ ବୋଲି ଜଣାପଡୁଥିଲା। କିନ୍ତୁ ବଡ ବ୍ୟବଧାନରେ ହାରିବା ପଛରେ ସବୁଠାରୁ ବଡ କାରଣ ସେ ବିଶ୍ୱାସ କରୁଥିବା ଦଳ। କାରଣ ​​ଅନେକ ବିରୋଧୀ ସାଂସଦ ଭୋଟ୍ ଦେଇନାହାନ୍ତି। ସେମାନେ ମତଦାନରୁ ଦୂରେଇ ରହିଥିଲେ। ଉପରାଷ୍ଟ୍ରପତି ନିର୍ବାଚନରେ ​​ମତଦାନରୁ ବିରତ ରହିବ ବୋଲି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପୂର୍ବରୁ ଘୋଷଣା କରିଥିଲା। ଦୁଇଟି ସଦନରେ ଟିଏମସିର ମୋଟ ୩୯ ସାଂସଦ ଅଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ​​ମମତା ବାନାର୍ଜୀ ଦଳର ୩୪ ସାଂସଦ ଭୋଟ୍ ଦେଇନାହାନ୍ତି। କେବଳ ଦୁଇ ଟିଏମସି ସାଂସଦ ଭୋଟ୍ ଦେଇଛନ୍ତି। ଦଳର ନିଷ୍ପତ୍ତିକୁ ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଏବଂ ଭାଇ ଦୁବେନ୍ଦୁ ଅଧିକାରୀ ଗ୍ରହଣ ନକରି ଭୋଟ୍ ଦେଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ବର୍ଜାନ ନିଷ୍ପତ୍ତିକୁ ଗ୍ରହଣ କରି ନାହାନ୍ତି ଏହି ଦୁଇ ନେତା। ଏହା ବ୍ୟତୀତ ସମାଜବାଦି ପାର୍ଟିର ଦୁଇଜଣ ସାଂସଦ ଏବଂ ଶିବସେନାର ଜଣେ ସାଂସଦ ଭୋଟ୍ ଦେଇନାହାନ୍ତି। ଏଥି ସହ ଜଣେ ବିଏସପି ସାଂସଦ ମଧ୍ୟ ଭୋଟ୍ ଦେଇନାହାନ୍ତି। କୁହାଯାଉଛି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ​​ପ୍ରାୟ ୪୦ ସାଂସଦ ଭୋଟ୍ ଦେଇନାହାନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ​​୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ୍ ଦେଇଛନ୍ତି। ପ୍ରାୟ ୯୩% ସାଂସଦ ଭୋଟ୍ ଦେଇଥିବାବେଳେ ୫୦ ରୁ ଅଧିକ ସାଂସଦ ସେମାନଙ୍କ ମତଦାନ ସାବ୍ୟସ୍ତ କରିନାହାନ୍ତି। ସଂସଦର ଦୁଇଟି ଗୃହର ସମୁଦାୟ ସଦସ୍ୟଙ୍କ ସଂଖ୍ୟା ୭୮୮, ଯେଉଁଥିରୁ ରାଜ୍ୟସଭାରେ  ଆଠଟି ଆସନ ଖାଲି ଅଛି। ଏଭଳି ପରିସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନରେ ​​୭୮୦ ସାଂସଦ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​ଜଗଦୀପ ଧନଖଡ ଜିତିବେ ବୋଲି ପୂର୍ବାନୁମାନ କରାଯାଇଥିଲା। ତାଙ୍କୁ ୫୦୦ ରୁ ଅଧିକ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଥିଲା। ଏଥି ସହିତ, ଆଲଭା ପାଖାପାଖି ୨୦୦ ଭୋଟ୍ ପାଇବେ ବୋଲି ଆକଳନ କରାଯାଇଥିଲା।

Leave A Reply

Your email address will not be published.