Latest Odisha News

BREAKING NEWS

ରଣବୀରଙ୍କ ୧୧ ବର୍ଷ ପୁରୁଣା ମନ୍ତବ୍ୟ ଲାଗି ବୟକଟ୍‌ ହେବ କି ‘ବ୍ରହ୍ମାସ୍ତ୍ର’ !

ମୁମ୍ବାଇ: ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଲାଲ୍ ସିଂହ ଚଡ୍ଡା ଓ ରକ୍ଷାବନ୍ଧନ ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହେବା ପରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ସମସ୍ତେ ବ୍ରହ୍ମାସ୍ତ୍ର ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ଆଉ ସେପଟେ ଫିଲ୍ମ ରିଲିଜ ହେବାର ଦୁଇଦିନ ପୂର୍ବେ ରଣବୀର ଓ ଆଲିଆଙ୍କୁ ମଧ୍ୟପ୍ରଦେଶରେ ବିରୋଧର ସମ୍ମୁଖିନ ହେବାକୁ ପଡିଥିଲା ।

ଏହି ଫିଲ୍ମର ପ୍ରମୋସନାଲ ଟୁର ବେଳେ ଏକ ମନ୍ଦିର ପରିଦର୍ଶନ ସମୟରେ କିଛି ବିକ୍ଷୋଭକାରୀମାନେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ କଳା ପତାକା ଦେଖାଇଥିଲେ । ଏହାସହ ଫିଲ୍ମ ବନ୍ଦ କରାଯାଉ ବୋଲି ସ୍ଲୋଗାନ ଦେଇଥିଲେ । ଏହାପରେ ଦମ୍ପତିଙ୍କୁ ମହାକାଳେଶ୍ୱରଙ୍କ ଦର୍ଶନ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା । ଚଳଚ୍ଚିତ୍ର “ବ୍ରହ୍ମାସ୍ତ୍ର ଭାଗ -୧: ଶିବା” କୁ ପ୍ରମୋଟ୍ କରିବା ପାଇଁ ଉଜ୍ଜୟିନୀର ଏହି ମହାକାଳେଶ୍ୱର ମନ୍ଦିର ଯାଇ ଆଶୀର୍ବାଦ ନେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବିବାଦ ପାଇଁ ଉଭୟେ ବିନା ଦର୍ଶନରେ ବାହୁଡିବାକୁ ବାଧ୍ୟ ହୋଇଥିଲେ ।

ଅପରପକ୍ଷରେ ଆଲିଆ ଭଟ୍ଟ ଗର୍ଭବତୀ ଥିବାରୁ ଉତ୍ତେଜନା ମଧ୍ୟରେ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ରଣବୀର ଏବଂ ଆଲିଆ ମନ୍ଦିର ପରିଦର୍ଶନ ନକରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ଦର୍ଶନ ନକରି ଇନ୍ଦୋରକୁ ଫେରିଗଲେ । ପରେ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ “ବ୍ରହ୍ମାସ୍ତ୍ର” ର ଟିମ ସହ ମନ୍ଦିର ପହଞ୍ଚିଥିଲେ।

ଏଠାରେ ଆମେ ଜଣେଇଦେବାକୁ ଚାହୁଁଛୁ ଯେ ରଣବୀରଙ୍କ ୧୧ ବର୍ଷ ପୁରୁଣା ଏକ ମନ୍ତବ୍ୟକୁ ନେଇ ବର୍ତ୍ତମାନ ଏହି ବିରୋଧ ପ୍ରଦର୍ଶନ କରାଯାଉଛି । ସେହି ସମୟରେ ସେ କହିଥିଲେ ଯେ “ମୁଁ ମଟନ୍, ପାୟା, ଗୋମାଂସ ଏବଂ ମାଂସାହାରୀ ପ୍ରାଣୀ । ମୁଁ ଗୋମାଂସ ଭୋଜନକାରୀ ।” ଏହି ମନ୍ତବ୍ୟଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫିଲ୍ମଟିକୁ ଲୋକେ ବୟକଟ୍‌ କରିବାରେ ଲାଗିଛନ୍ତି। ସୋସିଆଲ୍‌ ମିଡିଆରେ ଏବେ ‘ବୟକଟ୍‌ ବ୍ରହ୍ମାସ୍ତ୍ର’ ଟ୍ରେଣ୍ଡ୍‌ କରିବାରେ ଲାଗିଛି ।

ଆଲିଆ ଓ ରଣବୀର ପ୍ରଥମଥର ପାଇଁ ଏହି ଫିଲ୍ମରେ ଏକାଠି କାମ କରୁଛନ୍ତି । ଉଭୟଙ୍କ କେମିଷ୍ଟ୍ରି କିପରି ରହିଛି ତାହା ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ତେବେ ଚଳିତ ବର୍ଷ ବକ୍ସ ଅଫିସରେ ବ୍ରହ୍ମାସ୍ତ୍ର ଫିଲ୍ମଟି ହିଟ୍ ହେବ ନା ନାହିଁ ତା’ଉପରେ ସମସ୍ତଙ୍କ ନଜର ।

Comments are closed.