Latest Odisha News

BREAKING NEWS

ପୁଟିନଙ୍କ ଚେତାବନୀ: ପାଶ୍ଚାତ୍ୟ ଦେଶକୁ ମିଳିବନି ତେଲ କି ଗ୍ୟାସ

ମସ୍କୋ: ଋଷ ତେଲର ମୂଲ୍ୟ ନିର୍ଦ୍ଧାରଣ (ପ୍ରାଇସ କ୍ୟାପିଂ) ହେବ। ଅର୍ଥାତ ଗୋଟିଏ ନିର୍ଦ୍ଦିଷ୍ଟ ଦାମରେ ବିକ୍ରି ହେବ। ଏପରି ଯୋଜନା କରୁଛି ଆମେରିକା ସମେତ ଆଉ କିଛି ଦେଶ। ଏପରି ଯୋଜନାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ଚେତବନୀ ଦେବାକୁ ଯାଇ କହିଛନ୍ତି, ଏପରି ପ୍ରାଇସ କ୍ୟାପିଂ କଲେ ଆଗାମୀ ଦିନରେ ତେଲ କିମ୍ବା ଗ୍ୟାସ ଯୋଗାଣ ବନ୍ଦ କରିଦେବେ। ପ୍ରାଇସ କ୍ୟାପିଂ ବାବଦରେ ନିଷ୍ପତ୍ତି ନେବା ମୂର୍ଖଙ୍କ ନିଷ୍ପତ୍ତି ସହ ସମାନ ବୋଲି ପୁଟିନ କହିଛନ୍ତି।

ବୁଧବାର ଭ୍ଲାଡିଭୋଷ୍ଟୋକରେ ଆୟୋଜିତ ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମକୁ ପୁଟିନ ଉଦବୋଧନ ଦେଇ କହିଛନ୍ତି ଯେ କେତେକ ପାଶ୍ଚାତ୍ୟ ଦେଶ ମସ୍କୋର ତେଲକୁ ନେଇ ଯେପରି ବିଚାର କରୁଛନ୍ତି ତାହା ମସ୍କୋ ବିରୋଧୀ। “ଯଦି ଏହା ଆମର ସ୍ୱାର୍ଥ ବିରୁଦ୍ଧ, ତେବେ ଆମର ଅର୍ଥନୀତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ କିଛି ଯୋଗାଇବୁ ନାହିଁ। ନା ଗ୍ୟାସ, ନା ତେଲ, ନା କୋଇଲା, ନା ଇନ୍ଧନ ତେଲ, କିଛି ନାହିଁ।”

ବିଶ୍ୱରେ ତେଲ ରପ୍ତାନୀରେ ସାଉଦି ଆରବ ପରେ ଦ୍ବିତୀୟରେ ଋଷ ରହିଛି। ଏପରି ସ୍ଥିତିରେ ଋଷ ଯଦି ତେଲ ଯୋଗାଣ ଉପରେ ରୋକ୍ ଲଗାଏ ତାହେଲେ ଅନେକ ଦେଶର ଆର୍ଥିକ ସ୍ଥିତି ଖରାପ ହେବା ସହ ବିଭିନ୍ନ ସମସ୍ୟାର ସାମ୍ନା କରିବା ସୁନିଶ୍ଚିତ ହୋଇଯିବ।

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ୨୦୦ ଦିନ ପୂରଣ ହୋଇସାରିଛି। ଯାହାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ବିରୋଧ କରୁଛନ୍ତି। ଋଷ ଉପରେ ଅନେକ ପ୍ରତିବନ୍ଧକ ମଧ୍ୟ ଲଗାଇଛି ଆମେରିକା। ଏହାଦ୍ୱାରା ଋଷ ଆର୍ଥିକ ଭାବେ ଦୁର୍ବଳ ହୋଇଯିବ ବୋଲି କୁହାଯାଉଛି। କିନ୍ତୁ ଋଷ ଏଯାବତ ଠିକଠାକ ଥିବା କୁହାଯାଉଛି। ଏହାରି ଭିତରେ ଜି-୭ ଦେଶ ଋଷର ତେଲ ଗୋଟିଏ ନିର୍ଦ୍ଦିଷ୍ଟ ଦରରେ ବିକ୍ରି ହେବା ଦରକାର ବୋଲି ନିଷ୍ପତ୍ତି ନେଇଛନ୍ତି।

ଜି୭ ହେଉଛି ପ୍ରମୁଖ ଶିଳ୍ପଦ୍ୟୋଗୀ ଦେଶମାନଙ୍କର ଏକ ଗୋଷ୍ଠୀ । ଯେଉଁଥିରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ରହିଛନ୍ତି। ଚଳିତ ବର୍ଷ ଜର୍ମାନୀ ଜି୭ ର ଅଧ୍ୟକ୍ଷତା କରୁଛି। ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବା ପରେ ଦେଶଗୁଡିକ ଋଷର ତେଲ ମୂଲ୍ୟ ଉପରେ କ୍ୟାପ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଏହି ଦେଶଗୁଡିକ ମଧ୍ୟ ଶୀଘ୍ର ଏକ ଚୁକ୍ତିନାମା ଘୋଷଣା କରିବାକୁ ଯାଉଛନ୍ତି।

ଉଲ୍ଲେଖଯୋଗ୍ୟ, ପାଶ୍ଚାତ୍ୟଦେଶ ତେଲ ଉପରେ କଟକଣା ଲଗାଇଲେ ମଧ୍ୟ ଭାରତ ଋଷ ପାଖରୁ ଏକ ନିର୍ଦ୍ଦାରିତ ଦରରେ ଅଶୋଧିତ ତେଲ କିଣୁଛି। ଏହି ଦର ଦୁଇ ଦେଶ ମଧ୍ୟରେ ହୋଇଛି। ଭାରତର ଏହି ପଦକ୍ଷେପକୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ବିରୋଧ କରୁଛନ୍ତି। ଯଦି ଜି୭ ଭଳି ଅନ୍ୟ ଦେଶ ପ୍ରାଇସ କ୍ୟାପିଂରେ ସାମିଲ ହେବେ ତାହେଲେ ଭାରତ ମଧ୍ୟ ଆଉ ଶସ୍ତାରେ ଋଷଠାରୁ ତେଲ ପାଇପାରିବେ ନାହିଁ।

Leave A Reply

Your email address will not be published.