ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”
ଶ୍ରୀମନ୍ଦିର ସ୍ଥାପତ୍ୟରେ ଅଳଙ୍କରଣ ପର୍ଯ୍ୟାଲୋଚନାରେ ଏକ ମହତ୍ୱପୂର୍ଣ୍ଣ ଉପାଦାନ ହେଉଛି ଚୈତ୍ୟ-ଗବାକ୍ଷ । ଦେଉଳର ଗଣ୍ଡିରେ ଅଙ୍ଗଶିଖର ଭଳି ଏହି ଚୈତ୍ୟ-ଗବାକ୍ଷଗୁଡ଼ିକ ବିଭିନ୍ନ ଆକୃତିରେ ଆମୂଳାନ୍ତ ବହୁଳ ଭାବେ ସଜ୍ଜିତ ହୋଇଅଛି । କଳିଙ୍ଗ ଶିଳ୍ପୀମାନେ ଏହାର ରୂପ ବା ନକ୍ସା ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ ଅତିକ୍ଷୁଦ୍ର, ମଧ୍ୟମ ତଥା ଅତି ବୃହତ ଆକାରରେ ଏହାର ପ୍ରତିଫଳନ ବାରମ୍ବାର କରିଛନ୍ତି । ସାମାନ୍ୟ ପୀଢ଼ମୁଣ୍ଡି ଓ ଖାକରାମୁଣ୍ଡିର ମସ୍ତକଠାରୁ ଆରମ୍ଭ କରି ବରଣ୍ଡଗୁଡ଼ିକର ମଧ୍ୟଭାଗରେ ବା ବନ୍ଧନାର ନିମ୍ନଦେଶରେ ମଧ୍ୟ କ୍ଷୁଦ୍ର ଚୈତ୍ୟ-ଗବାକ୍ଷମାନ ସଂଯୋଜିତ କରାଯାଇଛି । ଯେକୌଣସି ଦର୍ଶକ ସାମାନ୍ୟ ନିରେଖି ଦେଖିଲେ ଏଗୁଡ଼ିକୁ ଚିହ୍ନିବାରେ ଅସୁବିଧା ହୁଏ ନାହିଁ ।
ଶିଳ୍ପୀ ଭାଷାରେ ଏଗୁଡ଼ିକୁ ବଜ୍ର ମସ୍ତକ ବା ବଜ୍ରମୁଣ୍ଡି କୁହାଯାଏ । ଦେଉଳର ବିଭିନ୍ନ ଅଂଶରେ ରହିଥିବା ଅସଂଖ୍ୟ ଚୈତ୍ୟ ଗବାକ୍ଷ ମଧ୍ୟରୁ ବିମାନର ଗଣ୍ଡିରେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ପାଶ୍ୱର୍ ରାହାପଗର ନିମ୍ନଦେଶରେ ଥିବା ପ୍ରାୟ ଦଶଗୋଟି ଥାକ ସୁବିଭାଜିତ ବରଣ୍ଡ ଉପରେ ଅତିକାୟ ଚୈତ୍ୟ ଗବାକ୍ଷମାନ ଉତ୍କୀର୍ଣ୍ଣ ହୋଇ ଶ୍ରୀବୃଦ୍ଧି କରୁଛନ୍ତି । ତିନି ପାଶ୍ୱର୍ରେ ଥିବା ଉକ୍ତ ବୃହତମାକୃତି ଚୈତ୍ୟ ଗବାକ୍ଷର ନିମ୍ନ ଓ ଶୀର୍ଷରେ ଦୁଇଗୋଟି ଉଦ୍ଗତ ପ୍ରକାଣ୍ଡ ଗଜସିଂହ ମୂର୍ତ୍ତି ସ୍ଥାପନା ହେବା ସହିତ ସର୍ବନିମ୍ନରେ ଉଦ୍ଗତ ସିଂହ-ମସ୍ତକ-ଯୁକ୍ତ କୀର୍ତ୍ତିମୁଖର ସଂଯୋଜନା ସାମଗ୍ରିକ ଭାବରେ ଏହାର ଶୈଳ୍ପିକ ଗୁରୁତ୍ୱକୁ ମହିମାବନ୍ତ କରିଛି । ଏହି ଚୈତ୍ୟ ଗବାକ୍ଷର ଆକାର ବଡ଼ ହୋଇଥିବାରୁ ଏହାର ନକ୍ସାର ବିନ୍ୟାସରେ ଭିନ୍ନ ଭିନ୍ନ ସ୍ଥାପତ୍ୟଗୁଡ଼ିକ ପ୍ରାଞ୍ଜଳ ତଥା ଅନୁପମ ହୋଇପାରିଛି । କଳିଙ୍ଗ ଶୈଳୀର ସ୍ଥାପତ୍ୟରେ ଚୈତ୍ୟ-ଗବାକ୍ଷର ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କଲେ ଆମକୁ ବୌଦ୍ଧ ଯୁଗର ସ୍ଥାପତ୍ୟ କଳାର ଅନୁଶୀଳନ କରିବାକୁ ହୁଏ ।
ଅନେକଙ୍କ ମତରେ ବୈଦିକ ଯୁଗୀୟ କୁଟୀର ଓ ପ୍ରାସାଦମାନଙ୍କ ଉର୍ଦ୍ଧ୍ୱରେ ନିିର୍ମିିତ ଗବାକ୍ଷର ଆଧାରରେ ବୌଦ୍ଧ ଯୁଗରେ ଏହାର ରୂପକାନ୍ତି ବିବର୍ତ୍ତିିତ ହୋଇ ସ୍ତୁପ, ଚୈତ୍ୟ ଓ ବିହାରମାନଙ୍କର ସ୍ଥାପତ୍ୟରେ ବିକଶିତ ହେଲା । ପ୍ରଥମେ ଧନୁ ଆକୃତିର ହୋଇ ପରେ ଅର୍ଦ୍ଧବୃତ୍ତାକାର ଓ ଶେଷରେ ବୃତ୍ତାକାରରେ ବୃହତ୍କାୟ ଗବାକ୍ଷ ବୌଦ୍ଧ ଚୈତ୍ୟର ପ୍ରବେଶ ପଥର ଉପରିଭାଗରେ ସ୍ଥାନ ପାଇଲା । ଅନ୍ଧକାରାଚ୍ଛନ୍ନ ଚୈତ୍ୟ କକ୍ଷର ଆଭ୍ୟନ୍ତରକୁ ସୂର୍ଯ୍ୟାଲୋକର ପ୍ରବେଶ ପୂର୍ବକ ଆଲୋକିତ କରିବା ପାଇଁ ଏହା ଥିଲା ପ୍ରମୁଖ ଆଳଙ୍କରିକ ନିବେଦନ । ଏହି କାରଣରୁ ଏହାର ନାମକରଣ ଚୈତ୍ୟ-ଗବାକ୍ଷ କରାଯାଇଛି । ଏହି ଶୈଳ୍ପିକ ସଂରଚନାରେ ବିଭିନ୍ନ ରୂପାଙ୍କନ ମଧ୍ୟରେ ରହିଥିବା ଫାଙ୍କ ଦ୍ୱାରା ଆଲୋକ ପ୍ରବେଶ ସହିତ ବାୟୂ ସଞ୍ଚାଳନ ସମ୍ଭବ ହୋଇଥାଏ । ସାରା ଭାରତ ଭୂଖଣ୍ଡରେ ଦୃଶୀଭୂତ ବିଭିନ୍ନ ବୌଦ୍ଧ କୀର୍ତ୍ତିରେଏବେ ମଧ୍ୟ ଏହି ଚୈତ୍ୟ-ଗବାକ୍ଷଗୁଡ଼ିକ ଦୃଷ୍ଟିଗୋଚର ହୋଇଥାଏ । ପରବର୍ତ୍ତିୀ କାଳରେ ସର୍ବଭାରତୀୟ ସ୍ତରରେ ସୃଷ୍ଟ ଅନେକ ସ୍ଥାପତ୍ୟରେ ବୌଦ୍ଧ ଯୁଗର ଅଳଙ୍କରଣ ତଥା ନିର୍ମାଣ କୌଶଳ ଅନୁସୃତ ହୋଇଥିବାର ଜଣାଯାଏ । ବିଶେଷ କରି ଦାକ୍ଷିଣାତ୍ୟରେ ଅନେକ କୀର୍ତ୍ତିରାଜିରେ ଏହାର ଅନୁକରଣ ସୁସ୍ପଷ୍ଟ । ଗୁପ୍ତଯୁଗରୁ ଆରମ୍ଭ କରି ପ୍ରାଚୀନ କଳିଙ୍ଗର ଗଙ୍ଗବଂଶ ପର୍ଯ୍ୟନ୍ତ ବିଭିନ୍ନ କାଳଖଣ୍ଡରେ ଗଢ଼ି ଉଠିଥିବା ସ୍ଥାପତ୍ୟ କୀର୍ତ୍ତିରେ ଚୈତ୍ୟ- ଗବାକ୍ଷର ବିଭିନ୍ନ ବିକଶିତ ରୂପର ପରିପ୍ରକାଶ ଘଟିଛି । ଦେଉଳ ଗଣ୍ଡିରେ ଗବାକ୍ଷର ମୌଳିକ ଆବଶ୍ୟକତା ନରହିବାରୁ କାଳକ୍ରମେ ଚୈତ୍ୟ-ଗବାକ୍ଷର ଅଙ୍ଗସୌଷ୍ଠବ ବା ମୋଟିଫ୍ରେ ବିଶେଷ ପରିବର୍ତ୍ତନ ନହୋଇ କେବଳ ମନ୍ଦିର ଦେହରେ ଅଳଙ୍କରଣର ମୁଖ୍ୟ ଉପାଦାନ ରୂପେ ବହୁଳ ଭାବେ ଉତ୍କୀର୍ଣ୍ଣ ହେଲା । ବୌଦ୍ଧ ଓ ଗୁପ୍ତଯୁଗର ଚୈତ୍ୟ-ଗବାକ୍ଷ ରୂପାନ୍ତରିତ ହୋଇ ବଜ୍ର-ମସ୍ତକ ଭାବରେ କଳିଙ୍ଗଶିଳ୍ପୀର ନିହଣ ମୁନରେ ପ୍ରକାଶ ପାଇଲା । ଦେଉଳ ଦେହରେ ଦୃଶ୍ୟମାନ ବିଭିନ୍ନ ମୁଣ୍ଡ ତଥା ବଜ୍ରମୁଣ୍ଡିର ଉପରିଭାଗରେ ଏହି ମୋଟିଫ୍ର ସଫଳ
ଉପସ୍ଥାପନ ସହିତ ବିଭିନ୍ନ ଅଙ୍ଗରେ ଏହି ନକ୍ସାର କ୍ଷୁଦ୍ରତମ ସଂସ୍କରଣ ମଧ୍ୟ ଦେଖିବାକୁ ମିଳେ । କଳିଙ୍ଗ ଶିଳ୍ପୀମାନେ ପ୍ରଥମେ ଅପେକ୍ଷାକୃତ କ୍ଷୁଦ୍ର ସ୍ଥାପତ୍ୟ ଯଥା ଖାଖରାମୁଣ୍ଡି, ପିଢ଼-ମୁଣ୍ଡି ଓ ରେଖ-ମୁଣ୍ଡି ଇତ୍ୟାଦିରେ ପ୍ରୟୋଗ କରିବା ସହିତ ଏହାକୁ ଶ୍ରୀଜଗନ୍ନାଥ ମନ୍ଦିର ଭଳି ବୃହତ କୀର୍ତ୍ତିର ଗଣ୍ଡିରେ ଭୀମକାୟ ଆକୃତିରେ ଉତ୍କୀର୍ଣ୍ଣ କରିବା ପାଇଁ ସକ୍ଷମ ହେଲେ । ସୌନ୍ଦର୍ଯ୍ୟ ଦୃଷ୍ଟିରୁ ମଧ୍ୟ ଏଗୁଡ଼ିକ କଳା ପିପାସୁମାନଙ୍କୁ ଆମୋଦିତ କଲା ।
ଏହି ବଜ୍ରମସ୍ତକ ବୋଲାଉଥିବା ମଣ୍ଡନ କୃତିଗୁଡ଼ିକର ରଚନା ମୁଖ୍ୟତଃ ଚକ୍ରାକାର, ଅର୍ଦ୍ଧଚକ୍ରାକାର କିମ୍ବା ବର୍ତ୍ତୁଳାକାର, ଏକ କିମ୍ବା ଏକାଧିକ ମୌଳିକ ନକ୍ସା ଉପରେ ଆଧାରିତ । ପୁରାଣ ମତରେ ‘ବଜ୍ର’ ଇନ୍ଦ୍ରଙ୍କର ମୁଖ୍ୟ ଆୟୁଧ । ଅନ୍ୟ ଭାବରେ ଏହା ଶକ୍ତିଶାଳୀ ଓ କଠିନତାର ପ୍ରତୀକ । ବଜ୍ରସମ କଠିନ ଉର୍ଦ୍ଧ୍ୱଭାଗର ଅର୍ଥ ବୁଝାଇବାକୁ ଯାଇ ଏହାର ନାମ ‘ବଜ୍ରମସ୍ତକ’ । ଏଣୁ ଏହି ମଣ୍ଡନକୃତିକୁ ମନ୍ଦିରର ସୁରକ୍ଷା କବଚ ଭାବେ ଗ୍ରହଣ କରାଯାଏ । ଏହା ମନ୍ଦିରକୁ ଦୁଷ୍ଟ ଓ ଅନିଷ୍ଟକାରୀ ଶକ୍ତି ତଥା ବଜ୍ରପାତରୁ ରକ୍ଷା କରିଥାଏ ବୋଲି ଶିଳ୍ପଶାସ୍ତ୍ରରେ ଉଲ୍ଲେଖ ଅଛି । କେବଳ ମନ୍ଦିର କାହିଁକି, ପ୍ରାଚୀନ ଭାରତର ପ୍ରାସାଦ ତଥା ନଗର ମଧ୍ୟକୁ ପ୍ରବେଶ କରିବାର ମୁଖ୍ୟ ତୋରଣମାନଙ୍କ ଉପର ଭାଗରେ ମଧ୍ୟ ତାତ୍ପର୍ଯ୍ୟପୂଣ୍ଣ କୀର୍ତ୍ତିମୁଖଯୁକ୍ତ ସୁଦୃଶ୍ୟ ବଜ୍ରମସ୍ତକମାନ ନିର୍ମାଣ କରାଯାଉଥିଲା । ରାମାୟଣରେ ବର୍ଣ୍ଣନାରୁ ଜଣାଯାଏ ଯେ, ଶ୍ରୀରାମ ରାବଣର ଲଙ୍କାପୁରୀ ଧ୍ୱଂସ କରିବା ବେଳେ ନଗରୀର ମୁଖ୍ୟ ତୋରଣରେ ଥିବା କୀର୍ତ୍ତିମୁଖ ଯୁକ୍ତ ବଜ୍ରମସ୍ତକକୁ ପ୍ରଥମେ ଭାଙ୍ଗିବା ନିମନ୍ତେ ନିଜ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାରଣ ଏହା ଭଗ୍ନ ହେଲେ ଲଙ୍କାପୁରୀର ପତନ ସହଜସାଧ୍ୟ ଓ ସୁନିଶ୍ଚିତ ବୋଲି ସେ ଜାଣିଥିଲେ ।
କ୍ରମଶଃ…
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.