Latest Odisha News

BREAKING NEWS

ଅଧିକ ସମୟ କାମ କଲେ ହାତରୁ ଖସିଯିବ ମାଉସ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ଦେବ ନାହିଁ ମାଉସ। ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ନସାରନ୍ତି ତେବେ ହାତରୁ ଖସି ପଳାଇ ପାରେ ମାଉସ। ଏପରି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ହଁ, ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏକ ନୂତନ କମ୍ପ୍ୟୁଟର ମାଉସ୍ ଆଣିଛି ଯାହା ସାଧାରଣ ମାଉସ୍ ନୁହେଁ। ଲୋକଙ୍କୁ ଅଧିକ ପରିଶ୍ରମରୁ ନିବୃତ୍ତ କରିବା ପାଇଁ ଏହି ମାଉସକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଯାହା ସାମସଙ୍ଗ ବାଲାନ୍ସ ମାଉସ୍ ଭାବରେ ପରିଚିତ।

ଆଜିର ଜୀବନଶୈଳୀ ଯେପରି ହେଲାଣି ଲୋକେ ନିଜ କର୍ମକ୍ଷେତ୍ରରେ ଅଧିକ ସମୟ ଅତିବାହିତ କରନ୍ତି। ଟଙ୍କା ରୋଜଗାର ଆଳରେ ଓଭର ଡ୍ୟୁଟି ମଧ୍ୟ କରନ୍ତି। ଅଧିକ ପରିଶ୍ରମ ଦ୍ୱାରା ନିଜର ସ୍ୱସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତି ନାହିଁ। ଏପରି କ୍ଷେତ୍ରରେ ଏହି କମ୍ପ୍ୟୁଟର ମାଉସ ଆପଣଙ୍କୁ ଆଲର୍ଟ କରିବ। ଅଧିକ ପରିଶ୍ରମରୁ ନିବୃତ୍ତ କରିବା ପାଇଁ ଏହାକୁ ବ୍ୟବହାର କରାଯିବ।

ସାମସଙ୍ଗ ବାଲାନ୍ସ ମାଉସ୍ ସମ୍ବନ୍ଧୀୟ ଏକ ଭିଡିଓ ସାମସଙ୍ଗ କୋରିଆନ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ ହୋଇଛି। ଏହାର ମୂଳ କାରଣ ହେଉଛି କୋରିଆରେ ଲୋକଙ୍କ ଅଫିସ କାମକୁ ବାଲାନ୍ସ କରିବା ଏବଂ କାମରେ ଉନ୍ନତି ଆଣିବା। ସାମସଙ୍ଗ ଜାରି କରିଥିବା ଭିଡିଓରେ ଦର୍ଶାଇଛି ଯେ ଅଧିକାଂଶ ଅଫିସ୍ କର୍ମଚାରୀ ଠିକ୍ ସମୟରେ କାମ ଛାଡିବାକୁ ଦ୍ୱିଧା କରନ୍ତି। ଅଫିସ୍ ଛାଡିବା ପୂର୍ବରୁ ସେମାନଙ୍କର ବିଚାରାଧୀନ କାର୍ଯ୍ୟ ସମାପ୍ତ କରିବାକୁ ଲୋକମାନେ ସର୍ବଦା ପ୍ରବଳ ଚାପରେ ଥାଆନ୍ତି। ବେଳେବେଳେ ସେମାନେ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ନିଅନ୍ତି।

ଜାରି ହୋଇଥିବା ଭିଡିଓରେ ସାମସଙ୍ଗ କହିଛି ଯେ ଏହା ଏକ ଏଭଳି ଡିଭାଇସ୍ ଯାହା ଲୋକଙ୍କ ଅତ୍ୟଧିକ କାର୍ଯ୍ୟଭାର ସମସ୍ୟାର ସମାଧାନ କରିବ। କମ୍ପାନୀ କହିଛି ଯେ ଏହା ଏକ ସାଧାରଣ ମାଉସ୍ ନୁହେଁ କିନ୍ତୁ ଆବଶ୍ୟକତାଠାରୁ ଅଧିକ କାମ କରୁଥିବା ଲୋକଙ୍କୁ ଅଟକାଇବାର କ୍ଷମତା ରହିଛି। ଭିଡିଓରେ ସାମସଙ୍ଗ କହିଛି, “ଓଭରଟାଇମ୍ କାମ କରିବା ବେଳେ ଏହି ଅଭିନବ ପ୍ରଡକ୍ଟ ନିଜର ପ୍ରକୃତ ବୈଶିଷ୍ଟ୍ୟ ଦେଖାଇବ। ଏହି ମାଉସ ହାତର ଗତିବିଧିକୁ ଚିହ୍ନଟ କରିବ। ଯେତେବେଳେ ଓଭର ୱାର୍କ ହେବ ସେତେବେଳେ ମାଉସଟି ହାତରୁ ଖସିଯିବ।”

ଭିଡିଓରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ ଯଦି ମାଉସଟି ଦୌଡ଼ି ପଳାଇବାକୁ ଚେଷ୍ଟା କରେ ତେବେ ଆପଣ ଧରି ପାରିବେ ନାହିଁ। ଯଦିଓ ଆପଣ ଡିଭାଇସ୍ ଧରି ପରିଚାଳନା କରନ୍ତି, ତେବେ ମାଉସର କିଛି ଅଂଶ ଇଜେକ୍ଟ ହୋଇଯିବ ଏବଂ କାମ କରିବା ବନ୍ଦ କରିଦେବ। ସାମସଙ୍ଗ ଚାହୁଁଛି ଯେ ଲୋକେ ନିଜ କର୍ମଜୀବନକୁ ଏହି ବାଲାନ୍ସ ମାଉସ୍ ଦ୍ୱାର ବାଲାଲ୍ସ କରନ୍ତୁ ଏବଂ ନିଜ କାମକୁ ସଠିକ ଭାବେ ଉପଭୋଗ କରନ୍ତୁ।

Leave A Reply

Your email address will not be published.