Latest Odisha News

ନିଶା କାରବାରୁ ରକ୍ତ ରଞ୍ଜିତ ହେଲା ନାରାୟଣ ବସ୍ତି, ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର: ରାଜଧାନୀରେ ହତ୍ୟା । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଳି, ଝଗଡା ପରେ ହତ୍ୟା। ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ହତ୍ୟାକାଣ୍ଡ। ଆଉ ଏହି ହତ୍ୟାକାଣ୍ଡରେ ସାମିଲ ରହିଛନ୍ତି ଜଣେ ମହିଳା। ମୃତକଙ୍କ ନାଁ ସୁବ୍ରତ ରାଓ ବୋଲି ଜଣାପଡ଼ିଛି। ଦୁଇ ଆହତ ହୋଇଛନ୍ତି। ୟୁନିଟ ୮ ନାରାୟଣ ବସ୍ତିରେ ବିଚ ରାସ୍ତାରେ ଏହି ହତ୍ୟାକାଣ୍ଡ ଘଟିଛି।

ନାରାୟଣ ବସ୍ତିରେ ଏକ ଦମ୍ପତ୍ତି ସୁବ୍ରତଙ୍କ ନାଁ ନେଇ ବ୍ରାଉନ ସୁଗାର ବିକ୍ରି କରୁଥିଲେ । ଏହି କାରଣରୁ ଉକ୍ତ ଦମ୍ପତିଙ୍କୁ କାହିଁକି ଏପରି କରୁଛନ୍ତି ବୋଲି ପଚାରିଥିଲେ ସୁବ୍ରତ। ଏହାକୁ ନେଇ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ କଳି ଆରମ୍ଭ ହୋଇଥିଲା। ପରେ ଏହା ଯୁକ୍ତିତର୍କ ଆଡୁକୁ ଅଗ୍ରସର ହୋଇଥିଲା। ଆଉ ଶେଷରେ କ୍ଷୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଉକ୍ତ ଦମ୍ପତି ଗୋଡେଇ ଗୋଡେଇ ହାଣିଥିବା ଅଭିଯୋଗ ରହିଛି। ଏପରି ଅଭିଯୋଗ ଆଣିଛନ୍ତି ମୃତ ସୁବ୍ରତଙ୍କ ପରିବାର ଲୋକେ।

ପି. ସୁବ୍ରତ ରାଓ ଓରଫ ଚନ୍ଦୁଙ୍କ ପଛପଟ ମୁଣ୍ଡକୁ ଏକ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଯୋଗୁଁ ସୁବ୍ରତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସହଯୋଗୀ ମିଠଲ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ଏବେ ପୋଲିସ ତଦନ୍ତ କରୁଥିବା ବେଳେ ଉପସ୍ଥିତ ଥିବା ଲୋକଙ୍କୁ ପଚରାଉଚରା ପାଇଁ ପୋଲିସ ନେଇଛି।

ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ନାରାୟଣ ବସ୍ତିରେ ନିଶାକାରବାର ବେଧଡକ ଚାଲିଛି। ଏହାକୁ ରୋକିବାକୁ ଚାହୁଁଥିଲେ ସୁବ୍ରତ। ଦୁଇ ଦିନ ତଳେ ଏହି ବସ୍ତିରେ ନିଶା କାରବାର ନକରିବାକୁ ନିବେଦନ କରିଥିଲେ ସଂପୃକ୍ତ ନିଶା ବେପାରୀଙ୍କୁ। ଏହାକୁ ନେଇ ସେଦିନ ମଧ୍ୟ ଯୁକ୍ତିତର୍କ ହୋଇଥିଲେ। ପରେ ତାଙ୍କ ନାଁ ନେଇ ବ୍ରାଉନ ସୁଗାର ବେପାର ନକରିବାକୁ ସୁବ୍ରତ ସେମାନଙ୍କୁ ତାଗିଦ କରିଥିଲେ । ପରେ ସେମାନେ ଏପରି କାଣ୍ଡ ଭିଆଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ମୃତ ସୁବ୍ରତଙ୍କ ଉଉଣୀ କହିଛନ୍ତି ଘରେ ସୁବ୍ରତ କହିଥିଲେ ଯେ ରଞ୍ଜୁ ଏବଂ ତାଙ୍କ ସ୍ୱାମୀ ତାଙ୍କୁ ଆକ୍ରମଣ କରିପାରନ୍ତି। ଆଉ ସେ ଘରୁ ଯିବାର ୧୦ ମିନିଟ୍ ପରେ ତାଙ୍କୁ ଆକ୍ରମଣ କରାଯାଇଥିବା ସୁବ୍ରତଙ୍କ ଉଭଣୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପାର୍ବଣ ଋତୁ ଆସିଗଲାଣି। ଏପରି ସ୍ଥିତିରେ ଚୋରି, ଡାକୟତି ଆଦିଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ବଢୁଥିବା ନିଶା କାରବାର କମିଶନରେଟ ପୋଲିସ ପାଇଁ ପୂର୍ବ ଦୁଇ ବର୍ଷ ଅପେକ୍ଷା ଅଧିକ ଚ୍ୟାଲେଞ୍ଜ ରହିବ। ସେପଟେ ଅପରାଧକୁ ନିୟନ୍ତ୍ରଣ କରିବାକୁ କମିଶନରେଟ ପୋଲିସ ସଂଧ୍ୟାରେ ବିଭିନ୍ନ ସ୍ଥାନରେ କଡା ଚେକିଂ କରିଛି। ଗାଡି କାଗଜପତ୍ର ଚେକିଂ କରିବା ସହିତ କିଛି ବ୍ୟକ୍ତିଙ୍କର ଆଲକହଲ ଟେଷ୍ଟ କରାଯାଇଛି।

Comments are closed.