Latest Odisha News

BREAKING NEWS

ଭୟ ଦେଖାଇ ବିରୋଧୀ ଦମନ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ବଏକଟ୍ ‘ଲାଲ୍ ସିଂହ ଚଢା’ । ସଦ୍ୟ ଟୁଇଟର ଓ ଅନ୍ୟାନ୍ୟ ସୋସିଆଲ ମେଡ଼ିଆରେ ଟ୍ରେଣ୍ଡ ହୋଇଥିବା ଏହା ଏକ କ୍ୟାମ୍ପେନ୍ । ଏହି କ୍ୟାମ୍ପେନ୍‌ର ଉଦ୍ଦେଶ୍ୟ ଥିଲା ବଲିଉଡ଼୍ ଅଭିନେତା ଅମୀର ଖାନ୍‌ଙ୍କ ଅଭିନୀତ ହିନ୍ଦି ଚଳଚ୍ଚିତ୍ର ଲାଲ୍ ସିଂହ ଚଢାକୁ ଯେପରି ଲୋକମାନେ ନଦେଖିବେ ବା ବର୍ଜ୍ଜନ କରିବେ । ଏହାର ଅନୁରୂପ ଫଳ ମଧ୍ୟ ମିଳିଲା, ଯାହା ଚଳଚ୍ଚିତ୍ରର ପ୍ରାରମ୍ଭ ରିପୋର୍ଟରୁ ଜଣାଯାଉଛି । ୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ମାତ୍ର ୧୪ କୋଟି ଟଙ୍କା ରୋଜଗାର କରିପାରିବାକୁ ସକ୍ଷମ ହେଲା । ସାଧାରଣତଃ ଅମୀର୍ ଖାନ୍ ଦୀର୍ଘ ବ୍ୟବଧାନରେ ଗୋଟିଏ ଗୋଟିଏ ଭଲ ଚଳଚ୍ଚିତ୍ର କରିଥାନ୍ତି ଓ ତାହା ସୁପରହିଟ୍ ହୋଇଥାଏ । ଏହି ଚଳଚ୍ଚିତ୍ର କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖାଯାଇଛି । ଏହା ପଛର ମୂଖ୍ୟ କାରଣ ହେଉଛି, ନିର୍ଦ୍ଦିଷ୍ଟ ବିଚାରଧାରାରେ ବିଶ୍ୱାସ କରୁଥିବା
ଗୋଟିଏ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଅଭିଯାନ । ଚଳଚ୍ଚିତ୍ର ବିରୁଦ୍ଧରେ ଅଭିଯାନର କାରଣ ଚଳଚ୍ଚିତ୍ରର ବିଷୟବସ୍ତୁ କିମ୍ବା ଦୃଶ୍ୟାୟନ ନୁହେଁ । ଅଭିଯାନ ଚଳେଇଥିବା ସେହି ଗୋଷ୍ଠୀର କହିବା କଥା, ଅମୀର୍ ଖାନ୍ ଦେଶଦ୍ରୋହୀ । କାରଣ ସେ ଚାରି ପାଞ୍ଚ ବର୍ଷ ତଳେ ଆମ ଦେଶରେ ଅସହିଷ୍ଣୁତାକୁ ନେଇ ମନ୍ତବ୍ୟ ଦେଇ ଚଳନ୍ତି ସରକାର ବିରୋଧି ମତ ପୋଷଣ କରିଥିଲେ । ତାଙ୍କର ସେହି କଥା ପାଇଁ ଉପରୋକ୍ତ ଗୋଷ୍ଠୀ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଚଳଚ୍ଚିତ୍ରକୁ ବର୍ଜ୍ଜନ କରିବାକୁ ଡାକରା ଦେଇଥିଲେ । ସେହି ଗୋଷ୍ଠୀ ଏଭଳି କଳ ବଳ କୌଶଳ ଲଗାଇ ଲାଗିପଡ଼ିଲେ ଓ ଏହା ସମାଜିକ ଗଣମାଧ୍ୟମରେ ଏପରି ଟ୍ରେଣ୍ଡ ହେଲା ଯେ, ଅମୀର୍ ଖାନ୍ ଭୟ ପାଇ ଲୋକମାନଙ୍କୁ ଭାବପ୍ରବଣ ହୋଇ ଚଳଚ୍ଚିତ୍ରଟିକୁ ଦେଖିବାକୁ ନିବେଦନ କଲେ ।

ଅମୀର୍ ଖାନ୍ କହିଲେ ମୁଁ ଭାରତକୁ ଭଲପାଏ ଓ ଏହା ମୋ ଦେଶ । ଅମୀର୍ ଖାନଙ୍କ ଭାରତ ବିରୋଧୀ ମାନସିକତାର ପ୍ରମାଣ କେବେ ବି ଦେଖାଯାଇନାହିଁ । ସରକାରଙ୍କୁ ବିରୋଧ କରିବା ଅର୍ଥ ଦେଶକୁ ବିରୋଧ କରିବା ନୁହେଁ । କାରଣ ସରକାର ଦେଶ ନୁହେଁ । ସରକାରଙ୍କୁ ବିରୋଧ କରିବା ନାଗରିକମାନଙ୍କର ଅଧିକାର । ସରକାର ଆଜି ଅଛି କାଲି ବଦଳିବ, କିନ୍ତୁ ଦେଶ ଯୁଗ ଯୁଗ ଯାଏ ରହିଥିବ । ବରଂ ନାଗରିକମାନେ ସରକାରଙ୍କୁ ବିରୋଧ କରିବା ଦ୍ୱାରା ଗଣତନ୍ତ୍ର ମଜବୁତ୍ ହୋଇଥାଏ ଓ ସରକାର ସଚେତନ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ସରକାରଙ୍କୁ ବିରୋଧ କଲେ ତାହାକୁ ଦେଶଦ୍ରୋହ ସହିତ ଯୋଡ଼ି ଦିଆଯାଉଛି । ସରକାରରେ ଥିବା ଦଳ ଓ ତାଙ୍କ ସମର୍ଥକମାନେ ଏପରି କରି ବିରୋଧୀ ତଥା ଭିନ୍ନ ମତକୁ ଦମନ କିରବାକୁ ଚାହୁଁଛନ୍ତି । ସରକାରଙ୍କ କାର୍ଯ୍ୟ ବିଷୟରେ ଅମୀର୍ ଖାନ୍ ପୋଷଣ କରିଥିବା ଭିନ୍ନମତକୁ ଦବେଇବା ପାଇଁ ଏହା ଏକ ସୁଚିନ୍ତିତ ପଦକ୍ଷେପ । ସରକାରୀ ଦଳର ଆଇ.ଟି. ସେଲ୍ ଭିନ୍ନ ଭିନ୍ନ ମୂଖା ପିନ୍ଧି ଏହି କ୍ୟାମ୍ପେନ୍‌କୁ ଚଳେଇଥିଲା । ଉଦ୍ଦେଶ୍ୟ ଥିଲା ୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଫିଲ୍‌ମ ବକ୍ସ ଅଫିସ୍‌ରେ ମାଡ଼ ଖାଇଗଲେ ଅମୀର୍ ଖାନ୍ ଓ ତାଙ୍କ ଟିମ୍‌ର ବହୁତ କ୍ଷତି ହେବ । ଫଳରେ ଭବିଷ୍ୟତରେ ଆଉ କୌଣସି ବି କଳାକାର ସରକାରଙ୍କ ବିରୋଧରେ ମତ ପୋଷଣ କରିବାକୁ ସାହସ କରିବେ ନାହିଁ । ଏହି କ୍ୟାମ୍ପେନ୍‌ର ଏଜେଣ୍ଡା ସ୍ପଷ୍ଟ, ଭୟ ଦେଖାଇ ଭିନ୍ନ ମତକୁ ଦମନ କର । ଏପରିକି ବଲିଉଡ଼୍‌ର ଅନ୍ୟ ଜଣେ କଳାକାର ହ୍ରିତିକ୍ ରୋଶନ୍ ଲାଲ୍ ସିଂହ ଚଢା ଚଳଚ୍ଚିତ୍ରକୁ ସମର୍ଥନ କରିବାରୁ ତାଙ୍କୁ ବି ଧମକ ଦିଆଗଲା, ତୁମର ଆଗାମୀ ଚଳଚ୍ଚିତ୍ର ‘ବିକ୍ରମ ବେଧା’କୁ ବି ସମାନ୍ ଢ଼ଙ୍ଗରେ ବର୍ଜ୍ଜନ କରାଯିବ ।

ସରକାରୀ ଦଳର ‘ଭୟ ଫର୍ମୁଲା’ ଏଥିରୁ ସ୍ୱଷ୍ଟ ରୁପେ ବୁଝିହେଉଛି । କଳାକାରମାନଙ୍କୁ ଆଇ.ଟି. ସେଲ୍‌ ମାଧ୍ୟମରେ ଧମକେଇ, ଭୟ ଦେଖାଇ ଦମନ କରିବାର ଏକ ନୂଆ ସୂତ୍ର ସରକାରୀ ଦଳ ଆପଣେଇଛି । କେବଳ କଳାକାର ନୁହଁନ୍ତି, ବିପକ୍ଷ ରାଜନେତାମାନଙ୍କୁ ମଧ୍ୟ ଅନୁରୂପ ଢଙ୍ଗରେ ସି.ବି.ଆଇ. ଓ ଇ.ଡି. ମାଧ୍ୟମରେ ଭୟ
ଦେଖାଯାଉଛି । ମହାରାଷ୍ଟ୍ର ସରକାରକୁ ଭାଙ୍ଗିବା ପାଇଁ ସୁଚିନ୍ତିତ ଭାବେ ଏନ୍‌.ସି.ପି., ଶିବସେନା ଓ କଂଗ୍ରେସ୍ ନେତାମାନଙ୍କ ବିରୁଦ୍ଧରେ ସି.ବି.ଆଇ. ଓ ଇ.ଡି.କୁ ଉପଯୋଗ କରାଗଲା । ମହାରାଷ୍ଟ୍ରରେ କ୍ଷମତାରେ ଥିବା ମହାବିକାଶ ଆଘାଡ଼ି ମେଣ୍ଟ ର ଅନିଲ୍ ଦେଶମୂଖ୍‌, ଅନିଲ ପରବ୍‌, ବର୍ଷା ରାଉତ, ସଞ୍ଜୟ ରାଉତ, ଅଜିତ୍ ପାୱାର, ଶରଦ୍ ପାୱାର, ପ୍ରଫୁଲ୍ ପଟେଲ୍‌, ଭାବନା ଗୱାଲି, ୟଶୱନ୍ତ ଯାଦବ, ଯାମିନୀ ଯାଦବ, ଅଶୋକ ଚଭନ୍‌, ହାସନ ମୁସ୍‌ରିଫ୍‌, ନବାବ୍ ମଲିକ୍‌, ପ୍ରତାପ ଶରଣିକ୍ ଆଦି ୧୪ ଜଣ ନେତାଙ୍କ ବିରୁଦ୍ଧରେ ସି.ବି.ଆଇ., ଇ.ଡି. ଓ ଆଇ.ଟି. ଡିପାର୍ଟମେଣ୍ଟକୁ ଲଗାଯାଇଥିଲା । ଭୟର ଚାପ ଏତେ ଅଧିକ ହେଲା ଯେ, ଶିବସେନାର ବିଧାୟକମାନେ ନିଜ ନେତାଙ୍କ ବିରୁଦ୍ଧରେ ବିଦ୍ରୋହ କରି, ଶିବସେନା ଦଳ ଭାଙ୍ଗି, ମହାରାଷ୍ଟ୍ର ସରକାରକୁ ଭାଙ୍ଗି ଦେଲେ ଓ ବିଜେପି ସହିତ ମିଶି ମହାରାଷ୍ଟ୍ରରେ ନୂଆ ସରକାର ଗଠନ କଲେ । ଯାହା ବିଜେପି ଦୀର୍ଘଦିନରୁ ଚେଷ୍ଟା କରିଆସୁଥିଲା । କେବଳ ମହାରାଷ୍ଟ୍ର ନୁହେଁ, କର୍ଣ୍ଣାଟକରେ ମଧ୍ୟ ଅନୁରୂପ ଭାବେ ସରକାର ଭଙ୍ଗାଗଲା ଓ ବିଜେପିର ସରକାର ଗଠନ କରାଗଲା । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମଧ୍ୟ ବିଜେପି ସମାନ୍ ନୀତି ଆପଣାଉଛି କିନ୍ତୁ ଏଯାଏ ସଫଳ ହୋଇପାରିନାହିଁ । କିନ୍ତୁ
ସି.ବି.ଆଇ.ର ଭୟ ଦେଖାଇ କେନ୍ଦ୍ର ସରକାର ଏକାଧିକ ପ୍ରସଙ୍ଗରେ ବିଜେଡିର ସମର୍ଥନ ହାସଲ କରିବାରେ ସଫଳ ହୋଇଛି । ଏତଦ୍‌ବ୍ୟତୀତ କଂଗ୍ରେସ୍‌ର ନେତାମାନଙ୍କୁ ବାରମ୍ବାର ସି.ବି.ଆଇ. ଓ ଇ.ଡି. ଜେରା କରୁଥିବାର ଦେଖାଯାଉଛି । ଏହା ପଛରେ ବିଜେପିର କୁଟୀଳ ଉଦ୍ଦେଶ୍ୟ ଓ ପ୍ରଚ୍ଛନ୍ନ ହାତ ନାହିଁ କହିବା ସତ୍ୟର ଅପଳାପ ହେବ । ସମ୍ପ୍ରତି ରାଜ୍ୟମାନଙ୍କରେ ସରକାର ଭାଙ୍ଗିବା ଓ ସରକାର ଗଢ଼ିବାର ପ୍ରମୂଖ ମାଧ୍ୟମ ହୋଇଛି ସି.ବି.ଆଇ. ଓ ଇ.ଡି. ପରି କେନ୍ଦ୍ରୀୟ ଅନୁଷ୍ଠାନ । ଯେଉଁ ଛାତ୍ର ନେତା ଓ ସାମ୍ବାଦିକମାନେ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶଦ୍ରୋହ ଦଫାରେ ଜେଲ୍‌ରେ ଭର୍ତ୍ତି
କରିଦିଆଯାଉଛି । ବିଜେପିକୁ କ୍ଷମତାକୁ ଆସିବା ପୂର୍ବରୁ ଅତୀତରେ ଆମ ଦେଶରେ କେନ୍ଦ୍ର ସରକାରଙ୍କୁ ବହୁତ ସମାଲୋଚନା କରାଯାଇଛି । ସରକାରଙ୍କ ବିରୁଦ୍ଧରେ ଅନେକ ଆନ୍ଦୋଳନ ହୋଇଛି । କିନ୍ତୁ ଏପରି ଭାବେ ଭୟ ଦେଖାଇ ଦମନ କରିବାର ପରମ୍ପରା ୨୦୧୪ ପରଠାରୁ ଆରମ୍ଭ ହୋଇଛି । ଗଣତନ୍ତ୍ରର ମୂଖ୍ୟ ଚାଳକ ହେଉଛି ସଶକ୍ତ ବିରୋଧୀ ଦଳ । କିନ୍ତୁ ଏହି ସରକାର ଅମଳରେ ବିରୋଧୀଙ୍କ ପଛରେ ସି.ବି.ଆଇ. ଓ ଇ.ଡି. ଲଗେଇ, ଇନ୍‌କମ୍ ଟ୍ୟାକ୍ସ ରେଡ଼୍ କରି, ଆଇ. ଟି. ସେଲ୍ ଦ୍ୱାରା ମିଛ କ୍ୟାମ୍ପେନ୍ ଚଲେଇ, ଭୟ ଦେଖାଇ ଭିନ୍ନ ମତକୁ ଦମନ କରାଯାଉଛି । କଳାକାର ଓ ଲେଖକମାନେ ବି ଏଥିରୁ ବାଦ୍ ଯାଉନାହାନ୍ତି । ଯିଏ ଭୟରେ ନଦବିଲା ସେମାନଙ୍କୁ କ୍ଷମତାର ଲୋଭ ଦେଖାଇ କିଣି ନିଆଯାଉଛି । ଯେନତେନ ପ୍ରକାରେ ବିଜେପି ହିଁ କ୍ଷମତାକୁ ଆସିବା ଦରକାର, ଏହା ହିଁ ଏକମାତ୍ର ଲକ୍ଷ ।

ସେଥିପାଇଁ ଗଣତନ୍ତ୍ର ଓ ସମ୍ବିଧାନକୁ ଦଳିମକଚି ଦିଆଯାଉଥିବାର ଉଦାହରଣ କମ୍ ନାହିଁ । ସରକାରକୁ ବିରୋଧୀଶୁନ୍ୟ କରିବାର ଏହା ଏକ ପ୍ରାୟୋଜିତ ପ୍ରକ୍ରିୟା । ଏହା ଭୂଲିଯିବା ଉଚିତ୍ ନୁହେଁ ଯେ, କେବଳ ସ୍ୱେଚ୍ଛାଚାରୀମାନେ ହିଁ ଏକ ବିରୋଧୀଶୁନ୍ୟ ପରିସ୍ଥିତି ଚାହାନ୍ତି । ତାହେଲେ ଆମ ସରକାର ଆମ ଦେଶକୁ କେଉଁ ଆଡ଼କୁ ନେବାକୁ ଚାହାନ୍ତି? ବିରୋଧୀଶୁନ୍ୟ ହୋଇଗଲେ ବିପକ୍ଷରେ ଥିବା ରାଜନୈତିକ ଦଳମାନେ ଯେତିକି କ୍ଷତି ନସହିବେ ତା’ଠାରୁ ଅଧିକ କ୍ଷତି ସହିବେ ସାଧାରଣ ଜନତା । ପେଟ୍ରୋଲ୍ ଓ ଗ୍ୟାସ୍ ଦର ବଢ଼ିବା, ଜଙ୍ଗଲ ଅଧିକାର ଆଇନ୍‌ରେ ପରିବର୍ତ୍ତନ ହେବା, ଦରଦାମ୍ ବଢ଼ିବା, ରେଲୱେଠାରୁ ଆରମ୍ଭ କରି ସବୁକିଛି ଘରୋଇ କଂପାନୀଙ୍କ ହାତକୁ ଟେକିଦେବା ଏହାର ପ୍ରାରମ୍ଭିକ ଉଦାହାରଣ । ବିରୋଧୀଙ୍କୁ ନିପାତ କରିବାକୁ ଚାହୁଁଥିବା ଏକ ସରକାରର ଚରିତ୍ର ସର୍ବଦା ଜନବିରୋଧୀ
ହିଁ ହୋଇଥାଏ । ଯଦି ଲୋକମାନେ ଏହି ଜାଲରୁ ମୁକୁଳିବାକୁ ଚାହାନ୍ତି, ତେବେ ପ୍ରଥମେ ଏକ ଶକ୍ତ ବିରୋଧୀ ଦଳକୁ ଠିଆ କରିବାକୁ ହେବ । ବିଜେପିର କଂଗ୍ରେସ୍‌ମୁକ୍ତ ଭାରତ ଅର୍ଥାତ୍ ବିପକ୍ଷଶୁନ୍ୟ ସରକାର ତତ୍ତ୍ୱକୁ ବିଫଳ କରିବାକୁ ହେବ । ସ୍ୱାଧୀନତା ପରେ ପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ କିଛି କାର୍ଯ୍ୟକୁ ସମାଲୋଚନା କରି ପ୍ରସିଦ୍ଧ କାର୍ଟୁନିଷ୍ଟ ଆର.କେ. ଲକ୍ଷ୍ମଣ ଅତି ତୀକ୍ଷ୍ଣ କାର୍ଟୁନ୍‌ମାନ ପ୍ରକାଶ କରୁଥିଲେ । କିନ୍ତୁ ନେହେରୁ ଏଥିରେ ପ୍ରତିଶୋଧ ପରାୟଣ ନହୋଇ ଲକ୍ଷ୍ମଣଙ୍କୁ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ ଓ ନିଜର ଭୂଲ୍‌କୁ ତାଙ୍କ ଦ୍ୱାରା ଦେଖିପାରୁଥିଲେ । ଏହା ହିଁ ଏକ ଗଣତନ୍ତ୍ରର ଅସଲ ପରିଚୟ । ଦୁର୍ଭାଗ୍ୟର ବିଷୟ ଯେ, ସରକାର ଭିନ୍ନମତ ପ୍ରତି ଉଦାର ନହୋଇ ବିରୋଧୀଙ୍କୁ ଭୟ ଦେଖାଇ ଦମନ କରୁଛନ୍ତି । ସ୍ୱେଚ୍ଛାଚାର ଆଡ଼କୁ ଯାଉଥିବା ସରକାର କେବଳ ବିପକ୍ଷକୁ ଭୟ ଦେଖାନ୍ତି ନାହିଁ ନିଜ ସମର୍ଥକମାନଙ୍କୁ ମଧ୍ୟ ଭୟର ଜାଲରେ ଛନ୍ଦିଥାନ୍ତି । ଯେମିତି ଏବେ ସରକାର ବାରମ୍ବାର କହୁଛନ୍ତି ସମସ୍ତ ବିଦେଶୀ ରାଷ୍ଟ୍ର ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । ଯେକୌଣସି ଆନ୍ତର୍ଜାତୀୟ ସଂସ୍ଥାର ରିପୋର୍ଟକୁ ଷଡ଼ଯନ୍ତ୍ର ଭାବେ ବର୍ଣ୍ଣନା କରୁଛନ୍ତି । ହିନ୍ଦୁମାନେ ବିପଦରେ ଅଛନ୍ତି । ମୁସଲମାନ୍ ବଢ଼ି ଚାଲୁଛନ୍ତି ।
ଭାରତକୁ ଅକ୍ତିଆର କରିନେବେ । ଏପରି ମିଛ ଭୟ ଦେଖାଇ ସରକାର ସମର୍ଥକମାନଙ୍କୁ ଅନ୍ଧ କରି ରଖୁଛନ୍ତି । ସମର୍ଥକମାନେ ମଧ୍ୟ ଏହି ମିଛ ଭୟକୁ ସାମ୍‌ନା କରିବା ପାଇଁ ଆଖି ବନ୍ଦ କରି ସରକାରଙ୍କ ସମସ୍ତ କାମକୁ ସମର୍ଥନ କରୁଛନ୍ତି ।

ଭୟ ଦେଖାଇ ଦମନ କରିବା ଗଣତନ୍ତ୍ରର ଅସ୍ତିତ୍ୱ ପ୍ରତି ମସ୍ତବଡ଼ ବିପଦ । ଜନସାଧାରଣ ଏଥିପ୍ରତି ସଚେତନ ହୋଇ ଜାଗ୍ରତ ହେବା ଅତ୍ୟନ୍ତ ଜରୁରୀ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.