ପାଣାଜି: ଗୋଆରେ କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି ୮ ବିଧାୟକ। ଏହି ମିଶ୍ରଣ ପଛରେ ମାଷ୍ଟର ମାଇଣ୍ଡ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। କାରଣ ଏହି କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ପଛରେ ବିଜେପିର ଘୋର ବିରୋଧୀ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତା ରହିଛନ୍ତି ବୋଲି କୁହାଯାଉଛି।
କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ବିଜେପିରେ ଯୋଗ ଦେଇଥିଲେ। ସେମାନଙ୍କର ମିଶ୍ରଣକୁ ବିଧାନସଭାର ବାଚସ୍ପତି ଅନୁମୋଦନ ଦେଇଛନ୍ତି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତା ଚର୍ଚ୍ଚିଲ ଆଲେମାଓ ଏହି ମିଶ୍ରଣ ପଛର ମୁଖ୍ୟ ନାୟକ ବୋଲି ଜଣାପଡିଛି। ଦୁଇଜଣ କଂଗ୍ରେସ ବିଧାୟକ ରୋଡୋଲଫୋ ଫର୍ଣ୍ଣାଣ୍ଡିସଙ୍କୁ ସଫଳତାର ସହ ମନାଇବାରେ ତାଙ୍କର ଭୂମିକା ଥିବା ଜଣାପଡିଛି। ଫର୍ଣ୍ଣାଣ୍ଡିସ୍ ଦୀର୍ଘ ସମୟ ଧରି ଜଣେ କଂଗ୍ରେସ କର୍ମୀ ଥିଲେ। ତାଙ୍କ ମା ଭିକ୍ଟୋରିଆ ମଧ୍ୟ ଜଣେ ବିଧାୟକ ଏବଂ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ।
ଗୋଆ ରାଜନୀତିରେ ଆଲେମାଓଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେ ମାତ୍ର ୧୩ ଦିନ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ବିଜେପିରେ ମିଶିବା ପୂର୍ବରୁ ସେମାନେ କିପରି ବିଧାୟକ ପଦରେ ରହିବେ ତାହା ଥିଲା ଗୁରୁତ୍ବ। କାରଣ ମୋଟ୍ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ବିଧାୟକ ଦଳ ବଦଳ ନକଲେ ଦଳ ବିରୋଧୀ ଆଇନ ଲାଗୁ ହେବ। ଆଉ ସେମାନେ ବିଧାୟକ ପଦ ହରାଇବେ। ଏପରି ସ୍ଥିତିରେ ଆଲେମାଓ ଏହାର ନେତୃତ୍ୱ ନେଇଥିଲେ। ସେ କଂଗ୍ରେସର ଦୁଇ ଜଣ ବିଧାୟକ ଅଲ୍ଟୋନ୍ ଡି’କୋଷ୍ଟା ଏବଂ ରୋଡୋଲଫୋ ଫର୍ଣ୍ଣାଣ୍ଡିସଙ୍କୁ ମନାଇବାରେ ସଫଳ ହୋଇଥିଲେ।
ନାମ ଗୋପନ ରଖିବା ସର୍ତ୍ତରେ କଂଗ୍ରେସର ଜଣେ ବିଧାୟକ କହିଛନ୍ତି, ସେ ଆଲେମାଓଙ୍କୁ ଭେଟିଥିଲେ। ତାଙ୍କୁ ଏହି ଯୋଜନା ବିଷୟରେ ସେ କହିଥିଲେ। ତଥାପି ସେ ତାଙ୍କୁ ବିଶ୍ୱାସ କରିପାରିନଥିଲେ। ତା’ପରେ ସେ ରୋଡୋଲଫୋ ନିକଟକୁ ଯାଇଥିଲେ। ଆଉ ରୋଡୋଲଫୋ ଯୋଗ ଦେଇସାରିଛନ୍ତି ବୋଲି ଜାଣିବାକୁ ପାଇଥିଲେ।
ବିଜେପି ଦାବି କରିଛି ଯେ ବିଧାୟକମାନେ ସ୍ବେଚ୍ଛାକୃତ ଭାବେ ଦଳର ହାଇକମାଣ୍ଡଙ୍କ ନିକଟକୁ ଯାଇଥିଲେ। ରାଜ୍ୟ ବିଜେପି ସଭାପତି ସଦାନନ୍ଦ ତାନୱାଡେ କହିଛନ୍ତି ଯେ ଯେତେବେଳେ ସେମାନେ ପୁନର୍ବାର ଏକାଠି ହୋଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଯୋଗାଯୋଗ କଲେ ସେତେବେଳେ କେନ୍ଦ୍ରୀୟ ନେତୃତ୍ୱ ଆମକୁ ଏହା ଜଣାଇଥିଲେ। କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରୁଛି। ସେଥିପାଇଁ ବିଭିନ୍ନ ଦଳରୁ ବହୁ ସଂଖ୍ୟାରେ ଲୋକ ବିଜେପିରେ ଯୋଗ ଦେଉଛନ୍ତି।
Comments are closed.