କୁଞ୍ଜ ବିହାରୀ ସାହୁ
ଗୋଟିଏ ସହରର ଉତ୍ତର ମଧୁବନରେ ରହନ୍ତି ସୁକାନ୍ତି । ପ୍ରାଇମେରୀ ସ୍କଲ ଶିକ୍ଷୟତ୍ରୀ । ପିଲାଙ୍କୁ ଭଲ ପଢ଼ାନ୍ତି । ପଢ଼ା ସମୟରେ ପିଲାଙ୍କର ଭଲମନ୍ଦ ବୁଝନ୍ତି । ସେଇଥିପାଇଁ ସୁକାନ୍ତିକୁ ସମସ୍ତେ ଭକ୍ତି କରନ୍ତି ।
ସୁକାନ୍ତି ସକାଳୁ ଉଠିଲା ପରେ ନିତ୍ୟକର୍ମ ସାରି ଉପରମହଲାରୁ କିଛି ଖଣ୍ଡ ବାସିରୁଟି ତଳେ ପକେଇଦିଅନ୍ତି। ବେଳେବେଳେ ବୁଲା କୁକୁର ଆାସି ଖାଇଦିଏ । ନୋହିଲେ ଘର ପାଖ ପେସ୍ତା ବାଦାମ ଗଛରେ ବସିଥିବା ଦୁଇ ତିନୋଟି କାଉ ଆସି ଖାଇଦିଅନ୍ତି । ସେମାନେ ଅନେଇଥାନ୍ତି ସୁକାନ୍ତି ଦିଦିଙ୍କୁ । କେତେବେଳେ ରୁଟି ଦୁଇଟା ତଳେ ପକେଇବେ ଆଉ ସେମାନେ ଖାଇବେ ।
ଖାଇଲାବେଳେ ସୁକାନ୍ତି ନଜର ରଖିଥାନ୍ତି । ମନେମନେ ଭାବୁଥାନ୍ତି ସତରେ କାଉ ସିନା କଥା କହିପାରୁନି, ହେଲେ ସିଏ ସବୁ ଜାଣିପାରୁଛି । କା..କା..ରାବି ଆମକୁ ନିଦରୁ ଉଠେଇଦେଉଛି । ଅଳସୁଆ ନ ହେବାପାଇଁ କହୁଛି ।
ସୁକାନ୍ତି ଜାଣିପାରିଲେ ଯେ କାଉ କଅଣ ସବୁ କହିଦେଉଛି । ଗୋଜିଆ ଲମ୍ବା ଥଣ୍ଟଟିକୁ ତଳ ଉପର କରି ସାଥୀ କାଉ ସହ ଏଣୁତେଣୁ ଗୁଡାଏ ଗପି ଚାଲୁଛି । ସୁକାନ୍ତି ଆଡେ ଚାହିଁ ଦେଇ କା..କା..କରୁଛନ୍ତି ।
ସୁକାନ୍ତି ତାଙ୍କ ନାତୁଣୀକୁ ଡାକିଲେ । କହିଲେ – ‘ଦେଖିଲୁ..ଦେଖିଲୁ ମିତୁ, କଳାମଚମଚ ତିନୋଟି କାଉ କେମିତି ରୁଟି ଖାଉଛନ୍ତି !’
ମିତୁ କହିଲା – ‘ହଁ ଲୋ ଆଈ । ତୁମେ ତ ମତେ ଗରମ ଗରମ ରୁଟି, ପରଟା ଖାଇବାକୁ ଦେଉଛ । ତାଙ୍କୁ କାହିଁକି ବାସିରୁଟି ଦେଉଛ ?
ସୁକାନ୍ତି କିଛି ବୁଝିପାରିଲେନି ।
ବେଶୀ ଡେରି ନ କରି ମିତୁ ନିଜେ ଖାଉଥିବା ଗରମରୁଟିକୁ ଖଣ୍ଡ ଖଣ୍ଡ କରି ତଳେ ଫୋପାଡ଼ିଦେଲା । ତିନୋଟି କାଉ ଖୁସିରେ ଖାଇଲେ । କୁଆଡ଼େଥିଲା କେଯାଣି ଗୋଟେ ମୋଟାସୋଟା କାଉଟିଏ ଉଡ଼ିଆସିଲା । କା..କା..ରାବିଲା । ତାକୁ ଭୋକ ଲାଗୁଥିଲା । ମିତୁ କହିଲା
– “କାଉରେ କାଉ
ଗରମ ରୁଟି ଖାଇବୁ ଆଉ ।”
କାଉ ଥଣ୍ଟ ଲମ୍ବେଇ ମୁଣ୍ଡ ଟୁଙ୍ଗାରିଲା ।
ମିତୁ କାଉର ମନକଥା ବୁଝିପାରିଲା । ରୋଷେଇ ଘରୁ ରୁଟି ଆଣି ଖଣ୍ଡ ଖଣ୍ଡ କରି ତଳେ ପକେଇଲା । ମୋଟା କାଉଟି ଖୁସିରେ ଖାଇଦେଲା ।
ଏତିକିବେଳେ ଗୁଣ୍ଡୁଚିମୂଷାଟିଏ ପାଚେରୀରେ ବୁଲୁଥିଲା । ଚାରୋଟି କାଉକୁ ଦେଖି ଡରିଗଲା । ରୁଟି ଦେଖି ତାକୁ ଭୋକ ଲାଗିଲା । କାଉ କହିଲା –
ଗୁଣ୍ଡୁଚିମୂଷାରେ ଗୁଣ୍ଡୁଚିମୂଷା
କାହିଁକି ଦେଉଛୁ ଏ ଆଡ଼ରୁଷା ?
ନେ ନେ ରୁଟି ଖାଇଦେ
ଖୁସି ହୋଇ ଗୀତ ଗାଇଦେ ।
କାଉମାନେ ମିଳିମିଶି ଗୁଣ୍ଡୁଚିମୂଷାକୁ ରୁଟି ଦେଲେ । ଭୋକ ହେଉଥିଲା , ଟାଉ ଟାଉ କରି ଖାଇଦେଲା ।
ମିତୁ ଆଈକୁ କହିଲା – ଦେଖିଲୁ ଆଈ, କାଉ ଆଉ ଗୁଣ୍ଡୁଚିମୂଷା ଭିତରେ ଏକତା ଅଛି । ଭୋକବେଳେ ଭାଗବାଣ୍ଟି ରୁଟି ଖାଉଛନ୍ତି ।
ସୁକାନ୍ତି କହିଲେ – ସେମାନେ ସିନା କଥା କହିପାରୁନାହାଁନ୍ତି । ହେଲେ ସବୁ ବୁଝିପାରୁଛନ୍ତି ।
ଏତିକିବେଳେ ଗୁଣ୍ଡୁଚିମୂଷା ଉପରକୁ ଅନେଇଲା । ଦେଖିଲା – ଗୁଲୁଗୁଲିଆ ଝିଅଟିଏ । ଥାଳିରେ ରୁଟି ଖାଉଛି ।
ମିତୁ ଗୁଣ୍ଡୁଚିମୂଷାକୁ କହିଲା – ତୋତେ କଅଣ ଭୋକ ଲାଗୁଛି ??
ଗୁଣ୍ଡୁଚିମୂଷା ମୁଣ୍ଡ ଟୁଙ୍ଗାରିଲା । ମିତୁ ବୁଝିପାରିଲା । ତା ଗିନାରୁ ଖଣ୍ଡେ ରୁଟି ତଳକୁ ପକେଇଦେଲା । କି ଖୁସି ଗୁଣ୍ଡୁଚିମୂଷାର । ଟାଉ ଟାଉ କରି ପାଟିରେ ପୂରେଇଦେଲା । ସୁକାନ୍ତି ମିତୁକୁ କହିଲେ – “ତୁ ତ ସବୁ ରୁଟି କାଉ ଆଉ ଗୁଣ୍ଡୁଚିମୂଷାକୁ ଦେଇଦେଲୁ । ତୁ କଅଣ ଖାଇବୁ ?’
ମିତୁ ହସିଦେଇ କହିଲା – ‘ଆଈ ସେମାନଙ୍କୁ ଭୋକ ଲାଗୁଥିଲା, ଖାଇବାକୁ ଦେଲି ।
ସୁକାନ୍ତି ତାଙ୍କ ଗେହ୍ଲୀ ନାତୁଣୀ ମିତୁକୁ ଗେଲ କରିଦେଲେ । କହିଲେ – ‘ସତରେ ତୋ ମୁଣ୍ଡରେ ଏତେ ବୁଦ୍ଧି ?ପରୋପକାରୀ ଝିଅଟିଏ ତୁ ।’
ମିତୁର ପରୋପକାରରେ ଖୁସି ହୋଇ କାଉମାନେ ଗଛଡାଳକୁ ଉଡ଼ିଗଲେ । ଗୁଣ୍ଡୁଚିମୂଷା ପାଚେରୀ କଡ଼େ କଡ଼େ ପଳେଇଗଲା ।
ଏଲ୍.ଆଇ.ଜି ୧୫, ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର
Comments are closed.