Latest Odisha News

ଜୀବନ ନାଟକରେ ଖୁସିର ସନ୍ଧାନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 

ପ୍ରତ୍ୟେକ ମଣିଷ ଟିକେ ଖୁସି ଚାହେଁ । ଯଦି ତା’ର ଭାବନା ସାମାଜିକ ରୀତିନୀତିକୁ ଗ୍ରହଣ କରନ୍ତା ତେବେ ସହଜରେ ଖୁସି ହୋଇପାରନ୍ତା । ମାନବ ଜୀବନରେ ଥିବା କ୍ରୋଧ, ଲୋଭ, ଗର୍ବ, ଅହଂକାର ଏବଂ ଘୃଣାକୁ ହଟାଇ ସରଳ ସହଜ ଆଡ଼କୁ ଗତିକଲେ, ଜୀବନ ନିଶ୍ଚିତ ଭାବରେ ଖୁସିରେ ରୂପାନ୍ତରିତ ହେବ । ଏବେ ଏହି ଚିନ୍ତାଧାରା’ର ଦର୍ଶନ ବିଶ୍ୱକୁ ବ୍ୟାପିଛି । ଦୁନିଆରେ ଅଧିକ ଲୋକ ଏହି ଜୀବନ ଦର୍ଶନ ସହିତ ଯୋଡି ହେଉଛନ୍ତି । କହିବାକୁ ଗଲେ ଜଗତରେ ପ୍ରେମ, ସଂପର୍କ, ସୈ୍।ହାର୍ଦ୍ଦ୍ୟର ଅଭାବ ଦେଖାଦେଇଛି । ଏହି କାରଣରୁ ଜନସାଧାରଣ ଅଧିକ ଦୁଃଖରେ ଅଛନ୍ତି । ସମସ୍ତେ ଖୁସି ଇଚ୍ଛା କରିନ୍ତି , କିନ୍ତୁ ଏହି ସୁଖ ରୂପକ ଖୁସି କେଉଁଠୁ ପାଇବେ ? ଖୁସି ଦେବାକୁ କେହି ସାହାଯ୍ୟ କରିବେ ନାହିଁ, ଏହା ହେଉଛି ସଂସାର ନୀତି । ଖୁସି ପାଇବା ପାଇଁ ଆପଣାର ଭାବ, ପାରସ୍ପରିକ ବୁଝାମଣା ଓ ବିଶ୍ୱାସର ଆବଶ୍ୟକ ରହିଛି । ନିଜେ ଖୁସି ରହି ଅନ୍ୟକୁ ଖୁସି ବଣ୍ଟନ କଲେ ଖୁସି ଚିରନ୍ତନ ହେବ ।

ଦୁନିଆରେ ଯାହା ଘଟୁଛି, ସେସବୁ ଭଗବାନଙ୍କ ଉପହାର । ବିଶ୍ୱାସ ରଖିବାକୁ ହେବ ଭଗବାନ କେହି ଜଣେ ଅଟନ୍ତି । ଗୀତାରେ କୁହାଯାଇଛି ଯାହାକୁ ଭଗବାନ ବୋଲି ବିବେଚନା କର, ସେ ପ୍ରତ୍ୟେକ ମାନବ ଶରୀରରେ ଅବସ୍ଥାନ କରିଥାନ୍ତି । ମାନବ ଜୀବନ ହେଉଛି ଏପରି ଏକ ଜୀବନ, ​​ଯେଉଁଥିରେ ସୁଖ ଏବଂ ଦୁଃଖର ମୁହୂର୍ତ୍ତ ଅନୁଭୂତ ହୁଏ । ବେଳେବେଳେ ଲୋକମାନେ ଖୁସିରେ ଖୁସି ହୁଅନ୍ତି, ପୁଣି ସେମାନେ ଦୁ଼ଃଖରେ ମ୍ରିୟମାଣ ହୁଅନ୍ତି । ଏହି ଦୁଃଖ ଓ ସୁଖ ଜୀବନ ବଞ୍ଚିବାକୁ ପ୍ରେରଣା ଦିଏ । ଜୀବନକୁ ଅନୁଭୂତି ପ୍ରବଣ କରେ । ଦୁଃଖ ଓ ସୁଖର ଅଭିଜ୍ଞତା ସାହାଯ୍ୟରେ ପ୍ରତ୍ୟେକଟି ମଣିଷ ଜୀବନର ଗତିପଥ ଅତିକ୍ରମ କରନ୍ତି । ଅନେକ କୁହନ୍ତି ଯେ ଦୁନିଆରେ ବଞ୍ଚିବାର ମୂଲ୍ୟ କିଛି ନାହିଁ ? ସାମାଜିକ, ପାରିବାରିକ ଏବଂ ରାଜନୈତିକ ପରିସ୍ଥିତି ଏତେ ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ଯେ, ଲାଗେ ଏହି ଜଗତରେ ଲୋକମାନେ କେବଳ ଦୁର୍ବିସହ ଜୀବନଯାପନ କରି ମୃତ୍ୟୁ ବରଣ କରୁଛନ୍ତି ।

ଯେଉଁମାନେ ସୁଖରେ ଥାଇ ଧନ ସଂଚୟ କରୁଛନ୍ତି, ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍ । ଏହି ଜୀବନ ଦାନର ନାମ ହେଉଛି ଭଗବାନ , ଅର୍ଥାତ୍ ଦାନ କରୁଥିବା ବ୍ୟକ୍ତି ଭଗବାନ ସଦୃଶ୍ୟ । ଗରିବମାନଙ୍କୁ ବଞ୍ଚାଇବାକୁ ପଡିବ । ଜୀବନର ପ୍ରତ୍ୟେକ ପଥରେ ଦ୍ୱନ୍ଦ୍ୱ ଛାଉଣି ହୋଇ ରହିଛି । ଏଥିପ୍ରତି ଭାବନା ରହିବା ଉଚିତ୍ । ପ୍ରତ୍ୟେକ ମନୁଷ୍ୟର ଏକମାତ୍ର ଇଚ୍ଛା ଖୁସିରେ ଦିନ କାଟନ୍ତା । କିନ୍ତୁ ଅନେକ କହନ୍ତି, ଜଗତରେ ବଞ୍ଚିବା ବଡ କଷ୍ଟକର । ଏହା ଏକ ମନରେ ମସ୍ତବଡ ନିରାଶା ସୃଷ୍ଟି କରେ । ଏହି ନିରାଶାର କାରଣ ଯାହା ହେଉନା କାହିଁକି ପ୍ରତ୍ୟେକଟି ମୁହୂର୍ତ୍ତ କେତେ ଜୀବନ ପାଇଁ ବିପଦ ସଙ୍କୁଳ ଦୃଶ୍ୟମାନ ହେଉଛି । ସମାଜରେ ପ୍ରତ୍ୟେକ ବ୍ୟକ୍ତି କେବଳ ସ୍ୱାର୍ଥପର ଭାବେ ବଞ୍ଚିବା ଜାଣନ୍ତି । ନିଜେ ଭଲ ଫିଟ୍ ଫାଟ୍ ହୁଅନ୍ତି, ଅନ୍ୟମାନଙ୍କ ପାଇଁ ଯାହା ଉପଯୋଗୀ ତାହା ମିଳେ ନାହିଁ । ଏବେ ଜଗତରେ ଏ ଧରଣର ବ୍ୟକ୍ତି କେବଳ ନିଜର ଅଟନ୍ତି । ନିଜ ପାଇଁ ଯତ୍ନ ନେବାରେ ଅଧିକ ଆରାମଦାୟକ ଅନୁଭବ କରିବା ଆରମ୍ଭ କରି ଦେଇଛନ୍ତି । ଆଜି ସାମାଜିକ ପରିବେଶ ମନୁଷ୍ୟର ବ୍ୟକ୍ତିଗତ ସ୍ୱାର୍ଥରେ ମୂଳ ହୋଇଥିବାର ଦେଖାଯାଉଛି । ଏପରି କୈାଣସି ପଦାର୍ଥ ନାହିଁ ଯାହା ମଣିଷ ପାଇଁ ଉପଯୋଗୀ ନହୋଇପାରେ ।

ସଂସ୍କୃତି ବିଲୁପ୍ତ ହେବାକୁ ଯାଉଛି । ଏହାର କୈାଣସି ଉତ୍ତର ନାହିଁ, ସମାଜର ଲୋକମାନେ ପରସ୍ପର ପାଇଁ କୈାଣସି ସ୍ଥାନରେ ଠିଆ ହୋଇଥିବା ଦେଖାଯାଏ ନାହିଁ । ସାମାଜିକ ପରିବେଶ ଏପରି ବଦଳି ଯାଇଛି ଯେ କାହାରି ସହିତ କାହାର ଉତ୍ତମ ସମ୍ପର୍କ ନାହିଁ । ସମସ୍ତେ ନିଜ ନିଜର କାର୍ଯ୍ୟକୁ ନେଇ ବ୍ୟସ୍ତ । ପୂର୍ବରୁ ଲୋକମାନେ ପରସ୍ପର ପ୍ରତି ସଂପର୍କ ରଖି ବାସ କରିବାକୁ ସକ୍ଷମ ହେଉ ଥିଲେ । ସାମାଜିକ ବ୍ୟବସ୍ଥାକୁ ଆରାମଦାୟକ ଭାବରେ ଅନୁଭବ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହିପରି କିଛି ଦେଖାଯାଉ ନାହିଁ । ତେଣୁ ଲୋକମାନେ ସେମାନଙ୍କର ଖାଲି ବାହ୍ୟ ସଂପର୍କ ନୁହେଁ ବରଂ ପାରିବାରିକ ସଂପର୍କ ମଧ୍ୟ ହରାଇଛନ୍ତି । ସେମାନେ ନିଜ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କରୁଛନ୍ତି । କିଛି ବ୍ୟକ୍ତି କେବଳ ନିଜର ସ୍ୱାର୍ଥ ପାଇଁ ଅନ୍ୟର ଦୁଃଖ ଓ ସୁଖର ଅଂଶୀଦାର ହେବା ଭଲ ବୋଲି ଭାବନ୍ତି । ଦୁର୍ଯ୍ୟୋଧନର ନିର୍ଦ୍ଦେଶନାରେ କେବଳ ଗାନ୍ଧାର ବଂଶର ଜଣେ ବ୍ୟକ୍ତି ବଞ୍ଚିରହିବାର ସୁଯୋଗ ପାଇବା ଭଳି , ଏଠାରେ ସମସ୍ତଙ୍କ ପାଇଁ ରହିବାର କୈାଣସି ସୁବିଧା ନାହିଁ । ଏହି ମହଙ୍ଗା ମୁଦ୍ରାସ୍ଫୀତିରେ ଖାଦ୍ୟ ପାଇଁ ଭୋକିଲା ମଣିଷ ମାନେ କିପରି ବଞ୍ଚିବେ ? ଏବେ ସବୁ ଜିନିଷରେ ପ୍ରଦୂଷଣର ଅନୁପ୍ରବେଶ ଘଟିଛି ।

ସମସ୍ତଙ୍କ ଜୀବନ ଧାରଣ କରିବାର ଅଧିକାର ରହିଛି । ମଣିଷ ଜୀବନ ହେଉ କିମ୍ବା ସେ ପଶୁ ଜୀବନ ହେଉ । ସାମାଜିକ ବ୍ୟବସ୍ଥାର ତ୍ରୁଟି କିମ୍ବା ମନୁଷ୍ୟର କାର୍ଯ୍ୟର ଦକ୍ଷତାକୁ ନେଇ ସବୁକିଛି ପ୍ରଦୂଷଣର ଶିକାର ହେଉଛି । ଲୋକଙ୍କ ସଚେତନତା ଅଭାବ ଯୋଗୁଁ ବାୟୁ ପ୍ରଦୂଷିତ ହୋଇଛି । ଯେତେ ସଚେତନ କଲେ ମଧ୍ୟ କେତେକ ଅମାନିଆ ଅଛନ୍ତି । ପ୍ରଶାସନିକ ବା ରାଜନୈତିକ ବ୍ୟବସ୍ଥା ଯେତେ ଦୂର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାରେ ନାହିଁ । ଦେଶରେ ସମସ୍ତଙ୍କ ଜୀବନ ଯାପନର ଦାୟିତ୍ଵ ସରକାରଙ୍କୁ ଦିଆଯାଇଛି । କିନ୍ତୁ ରାଜନୈତିକ ବ୍ୟବସ୍ଥା ଏପରି କଳୁଷିତ, ରାଜନେତାମାନେ କେବଳ ନିଜ ସ୍ୱାର୍ଥ ଦେଖୁଛନ୍ତି । ଅନ୍ୟମାନଙ୍କ ଅବସ୍ଥା ଦେଖିବାକୁ ଚାହାଁନ୍ତି ନାହିଁ, କହିବାକୁ ଗଲେ ସେମାନଙ୍କ ବେଳ ନାହିଁ । ରାଜନୈତିକ ବ୍ୟବସ୍ଥା ସଂପୂର୍ଣ୍ଣ ସ୍ୱାର୍ଥରେ ପରିଣତ ହୋଇଛି । ବ୍ୟବସ୍ଥା ଏପରି ପାଲଟିଛି ଯେ ବଞ୍ଚିବାକୁ ରୋଜଗାର ନାହିଁ । ଅନାହାରଙ୍କ ପାଇଁ ରୁଟି ଯୋଗାଇ ଦିଆଯାଉ ନାହିଁ । ଏହା କେବଳ କେତେକଙ୍କ ସ୍ୱାର୍ଥପରତା ହେତୁ ବୃଦ୍ଧି ପାଇଛି ।

ଏବେ ସମସ୍ତେ ବୁଝି ଗଲେଣି ଓ ଚିନ୍ତା କଲେଣି । ଯେଉଁଠି କେବଳ ରାଜନୈତିକ ବା ଦଳୀୟ ସ୍ୱାର୍ଥ ପୂରଣ ହେବ, ସେ ନେଇ ରାଜନେତା ମାନେ ବ୍ୟଗ୍ର ଓ ଚିନ୍ତିତ । ଦେଶରେ ନିଜସ୍ୱ ବ୍ୟବସ୍ଥା ଅଛି, ଲୋକମାନେ କେବଳ ରାଜନୀତିକୁ ଏହି ରୂପରେ ଦେଖନ୍ତି । ଏହା ହେଉଛି ଦେଶର ଆଜିର ବ୍ୟବସ୍ଥା । ବିଜ୍ଞାନୀ ମଣିଷର ଦ୍ରୁତ ପ୍ରଗତି ଘଟୁଥିବା ବେଳେ, ଆଉ କେତେକ ଅନାହାରରେ ଜୀବନ ବିତାଉଛନ୍ତି । ସାଧାରଣ ବ୍ୟକ୍ତିଙ୍କ ଜୀବନ ଦେଖିବାକୁ କୈାଣସି ଆରାମଦାୟକ ବ୍ୟବସ୍ଥା ନାହିଁ । ତେଣୁ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଛି ଯେ ସମସ୍ତେ କେବଳ ଜଣେ ନେତା ହୋଇ ଦୁନିଆରେ ବଞ୍ଚିବାକୁ ଚାହାଁନ୍ତି । ସମସ୍ତେ ବିତର୍କ କରନ୍ତି, ସମସ୍ତେ ଚିନ୍ତା କରନ୍ତି ଏବଂ ନିଷ୍କର୍ଷରେ କୁହନ୍ତି, ଖାଲିଟାରେ ବଞ୍ଚି ରହିବାର ମୂଲ୍ୟ କିଛି ନାହିଁ । ସତରେ ବିଶ୍ୱର ଲୋକମାନେ ସ୍ୱାର୍ଥପର ଏବଂ ବିଶ୍ୱର ଲୋକମାନଙ୍କ ମଧ୍ୟରେ ରାଜନୀତିର ଇଚ୍ଛା ସୁବିଧାଜନକ ପରି ମନେହୁଏ ।

ରାଜନେତାମାନେ ସବୁ ପ୍ରକାର ସୁବିଧା ପାଆନ୍ତି, କିନ୍ତୁ ସାଧାରଣ ଲୋକ ନୁହଁନ୍ତି । ମୁଦ୍ରାସ୍ଫୀତି, ବେକାରୀ ସମେତ ଅନେକ ପ୍ରକାରର ସମସ୍ୟା ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ପରିବାରର ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏବେ ପରିବାରରେ ପରସ୍ପରର ଭାଇ ଓ ସମ୍ପର୍କୀୟଙ୍କୁ ଦେଖି ଖୁସି ଅନୁଭବ କରୁ ନାହାଁନ୍ତି । ଯିଏ ଦୁଃଖିତ, ସୁଖର ଇଚ୍ଛା ଅନ୍ୟମାନଙ୍କ ଠାରେ ସେ ଦେଖିପାରେ ନାହିଁ । ପାରିବାରିକ କ୍ଷେତ୍ରରେ ପିତା ପୁତ୍ରର ସଂପର୍କ ବିଚ୍ଛିନ୍ନ ମନେହୁଏ । ପୁତ୍ର ଯାହାକୁ ପିତା ଅବତାର ଦେଇଥିଲେ, ସେହି ପୁଅ ଯେତେବେଳେ ତାଙ୍କ ପାଦରେ ଠିଆ ହୁଏ, ସେ ବୁଝେ ଯେ ଈଶ୍ବର ତାଙ୍କୁ ଏହି ଜଗତକୁ ଆଣିଛନ୍ତି ଓ ଭଗବାନ ଯାହା ସୁଖ ଦେଉଛନ୍ତି, ସେ ତାହା ପାଇଛନ୍ତି । ତାହା କେବଳ ତାଙ୍କର ଉପହାର, ଅର୍ଥାତ୍ ଈଶ୍ବରଙ୍କ ଉପହାର । ପିତା ଦୁଃଖିତ ହୁଅନ୍ତି ପୁଅର ଦୁଃଖ ଦେଖି । କିନ୍ତୁ ପୁଅ ପିତାଙ୍କ ଦୁଃଖରେ ଜଡିତ ହେବାକୁ ଚାହେଁ ନାହିଁ । ପ୍ରତ୍ୟେକ ପରିବାରର ଏଭଳି ସମାନ ପରିସ୍ଥିତି ଦେଖାଯାଏ । ପାରିବାରିକ ଅବସ୍ଥା ବିପର୍ଯ୍ୟସ୍ତରୁ ସାମାଜିକ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟୟ । ଏହା ମଧ୍ୟ ସ୍ୱାର୍ଥପରତାର ଦିଗକୁ ବୁଝାଉଛି ଯେ ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରେ ହଜିଯାଇଛି । ପ୍ରତ୍ୟେକ ପିତା ନିଜ ପୁଅକୁ ଉପଲବ୍ଧ କରାଇବା ପାଇଁ ସମସ୍ତ ପ୍ରକାରର ପ୍ରୟାସ, କଠିନ ପରିଶ୍ରମ ଏବଂ ଆଶୀର୍ବାଦ କରନ୍ତି, କିନ୍ତୁ ପୁଅ ଏହାକୁ ପ୍ରଶଂସା କରେ ନାହିଁ । ପୁଅ ଯେତେବେଳେ ପିତା ହୁଏ, ସେତେବେଳେ କେବଳ ଏସବୁ ତାଙ୍କ ମୁଣ୍ଡରେ ପ୍ରବେଶ କରିବ, ସେତେବେଳେ ବୁଝିଯିବ ।

ଏସବୁ ଦୃଷ୍ଟିରୁ ଆଜିର ପରିସ୍ଥିତିରେ, ଜୀବନ କଷ୍ଟସାଧ୍ୟ ହୋଇପଡିଛି । ସଂଘର୍ଷର ଏକ ଲମ୍ବା ତାଲିକା ସବୁଆଡେ ଚାଲିଛି । ସମସ୍ତେ ନିଜ ଇଚ୍ଛାରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ରାଜନୈତିକ, ସାମାଜିକ ତଥା ପାରିବାରିକ ଏହି ତିନୋଟି ବ୍ୟବସ୍ଥା ଆଜି ଧୂଳିସାତ୍ ହୋଇଯାଇଛି । ଲୋକମାନେ ନିଜ ଉପରେ ଭଲ କୁହନ୍ତି, କିନ୍ତୁ ଅନ୍ୟ ଉପରେ ଥରେ ଭଲ କହିବା ଦେଖିବାକୁ ମିଳିନି । ସମସ୍ତେ ନିଜ ପାଇଁ , କଥାରେ ଅଛି ଆପେ ବଞ୍ଚିଲେ ବାପର ନାଁ । ଅନେକ ସରଳ ବ୍ୟକ୍ତି ଅଛନ୍ତି ବଞ୍ଚିଥିଲେ ମଧ୍ୟ ବଞ୍ଚନ୍ତି ନାହିଁ । ସମଗ୍ର ଜୀବନ ସୁଖ ଏବଂ ଦୁଃଖରେ ଗତିଶୀଳ । ଏହାକୁ ଭଲ ଭାବରେ ବୁଝିବା ଉଚିତ୍ । ପ୍ରତ୍ୟେକ ବ୍ୟକ୍ତି ଜୀବନ ଏପରି ଦୁଃଖ ଏବଂ ସୁଖର ନଦୀ ଭଳି । ଯେଉଁଥିରେ ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚିବାର ଆଲୋକ ଆସେ ଓ ପ୍ରମାଣ କରେ ଯେ ଜୀବନ ଏକ ନଦୀ ପରି, ଯାହା ଆଗକୁ ବଢି ଚାଲିଛି । ସମସ୍ତେ ଏଠାକୁ ଅନୁଭବ କଲେ , ଜୀବନରେ ଦୁଃଖ ବଦଳରେ ସୁଖ ଅନୁଭବ କରିହେବ ଓ ଖୁସି ହାତ ପାହାନ୍ତରେ ଖସି ପଡ଼ିବ । ନୋହିଲେ ଏହି ଜୀବନ ଏକଚାଟିଆ ହୋଇଯିବ ‌।

ଥରେ ମାତ୍ର ଚିନ୍ତା କରି ଦେଖନ୍ତୁ , ଶାନ୍ତି ଏକ ପବିତ୍ର ଶବ୍ଦ । ଯାହା ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଯୋଗ କରେ । ତେଣୁ ଶାନ୍ତି ମାଗିଲେ ମିଳେନାହିଁ କି କେବେ ତାକୁ କିଣି ହୁଏ ନାହିଁ । ଆଶା କରୁଥିବା ପୁତ୍ର, କନ୍ୟା ବା କାହାରି ଠାରୁ ଛଡେଇ ବି ଆଣି ହୁଏନାହିଁ । ଅଶାନ୍ତି ପାଇଁ ଅନ୍ୟକୁ ଆରୋପ କରିବା ଠିକ୍ ନୁହେଁ । ବରଂ ନିଜ ସଂସ୍କାରରେ, ଚିନ୍ତାଧାରାରେ, ପ୍ରକୃତିରେ, ସ୍ୱଭାବରେ ଶାନ୍ତିକୁ ଅନୁଶୀଳନ କରିବା ଆବଶ୍ୟକ । ଆତ୍ମା ସହିତ ଏହା ଓତଃପ୍ରୋତ ଭାବରେ ଜଡ଼ିତ । ନିଜର ମେଧା ଦ୍ୱାରା, ଆତ୍ମତର୍ଜମା ଦ୍ୱାରା ଶାନ୍ତିକୁ ଉପଲବ୍ଧି କରିବାକୁ ପଡିବ । ନିଜ ଭିତରେ ଲୁଚି ରହିଥିବା ବିକାର, ଆକାଂକ୍ଷା, ଦ୍ୱେଷ, ଲୋଭ, ପରଶ୍ରୀକାତରତା,ଘୃଣା ଓ ଭୟ ଭଳି ନକରାତ୍ମକ ଶକ୍ତିକୁ ନଷ୍ଟ କରି ସକାରାତ୍ମକ ଉର୍ଜା ବଢାଇ ପାରିଲେ ଶାନ୍ତ ସ୍ୱରୂପ ଆତ୍ମା ସୁଖ ମିଳି ପାରିବ ।

ଏ ଜୀବନ ରୂପକ ରଙ୍ଗ ମଞ୍ଚରେ ସମସ୍ତେ ଜଣେ ଜଣେ ଅଭିନେତା ବା ଅଭିନେତ୍ରୀ । ମଞ୍ଚରେ ନାଟକ ମଞ୍ଚସ୍ଥ ବେଳେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କଲା ଭଳି ଏଠାରେ ସମସ୍ତେ ଅଭିନୟ କରୁଛେ । କାହାକୁ କେବେ ନାୟକ କି ଖଳନାୟକ, କେବେ କମେଡିୟାନ୍ କି ଯୋଗୀ ଆଦି ଚରିତ୍ରରେ ଅଭିନୟ କରିବାକୁ ପଡ଼େ । ସମସ୍ତେ ନାଟକ ପୂର୍ବରୁ ଏବଂ ପରେ ନିଜ ନିଜ ଚରିତ୍ରରେ ରହିଥାନ୍ତି । ନାଟକ ଦେଖୁ ଥିବା ଦର୍ଶକ ନାୟକ ଚରିତ୍ରରେ ଖୁସି ହୁଅନ୍ତି, ଟାଳିମାରି ବାଃ ବାଃ ଦିଅନ୍ତି , କିନ୍ତୁ ମନ୍ଥରା କି ଶକୁନି ଭଳି ଖଳନାୟକ ଚରିତ୍ରକୁ ଘୃଣା କରନ୍ତି, ଆକ୍ରୋଶ ମଧ୍ୟ କରନ୍ତି । ଦର୍ଶକ ଜାଣେ ନାଟକର କେଉଁ ଚରିତ୍ର ସମାଜ ପାଇଁ କେତେ ଉପଯୋଗୀ ଏବଂ କିଏ ଅନୁପଯୋଗୀ । ଠିକ୍ ସେମିତି ଈଶ୍ବରଙ୍କ ରଙ୍ଗମଞ୍ଚରେ ଅଭିନୟ କରୁଥିବା ପ୍ରତ୍ୟେକ ମଣିଷ ଜଣେ ଜଣେ କଳାକାର । କେବଳ ସଂସାର ଭିତରେ ସମସ୍ତଙ୍କୁ କର୍ତ୍ତବ୍ୟ କରିବାକୁ ହେବ । ଶେଷରେ ଯେମିତି ନାଟକର କଳାକାର ସେଇ ଚରିତ୍ର ନେଇ ଘରକୁ ଫେରେନି, ନାଟକ ପରେ ନିଜ ପରିଚୟକୁ ଫେରିଆସେ । ଠିକ୍ ସେମିତି ଆମ ଅଭିନୟ ପରେ ଆମକୁ ପରମାତ୍ମାଙ୍କ ପାଖକୁ ଫେରିଯିବାର ହେବ । ତେଣୁ ଏ ଜୀବନ ଏକ ନାଟକ । ନାଟକ ରୂପକ ରଙ୍ଗ ମଞ୍ଚରେ ଏଭଳି ତୁଚ୍ଛ ମୋହ, ମାୟା , ଆଶା, ଆକାଂକ୍ଷା, କ୍ରୋଧ ,ଭୟ , ପଦ ପଦବୀ, କ୍ଷମତା , ଲାଳସା ଆଦିକୁ ପରିହାର କରି ପାରିଲେ ଖୁସିର ମାର୍ଗ ଆପେ ଆପେ ଦେଖାଯିବ ।

ଜୀବନର ଅର୍ଥ କେବଳ ଦୁଃଖ ଓ ସୁଖର ସମାହାର । ଜୀବନ ହେଉଛି ଆତ୍ମା ​​ଏବଂ ସେହି ସମାନ ଈଶ୍ବର ଯାହାକୁ ଭଗବାନ ଭାବରେ ବିବେଚନା କରାଯାଏ । ଯଦି ଏହା ବାସ୍ତବ, ତେବେ ମଣିଷ ମନୁଷ୍ୟରେ ବସିଥାଏ । ଏହାକୁ ବିଶ୍ୱାସ କର ଓ ଜୀବନକୁ ଉତ୍ସର୍ଗ କର, ଏହା ଜୀବନକୁ ସେବାରେ ସଫଳ କରିବ । ଦୁଃଖ ସ୍ୱାଭାବିକ ସୁଖରେ ରୂପାନ୍ତରିତ ହେବ, ତାହାହିଁ ଖୁସି ପାଲଟି ଯିବ..!!!

ଅଧ୍ୟକ୍ଷ,
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦ ୧୫୧୪ ୭୫
Email: Laxmansahoo9040@gmail.com

Comments are closed.