Latest Odisha News

BREAKING NEWS

ଟିଉସନ ଯାଉଛି କହି ନାବାଳିକା ଫେରାର

ବ୍ରହ୍ମପୁର: ଘରୁ ଟିଉସନ ଯାଉଛି କହି ବ୍ରହ୍ମପୁରରୁ ଜଣେ ନାବାଳିକା ଟ୍ରେନରେ କୁଆଡେ ଫେରାର ହୋଇ ଯାଇଛନ୍ତି। ପରିବାର ଲୋକଙ୍କ ଅନୁରୋଧ କ୍ରମେ ସେହି ନାବାଳିକାଙ୍କୁ କାବୁ କରିବାକୁ ହାଇଦ୍ରାବାଦ ଷ୍ଟେସନରେ ସ୍ଥାନୀୟ ଆରପିଏଫ ଜଗି ରହିଥିବା ଜଣାପଡିଛି।

ବ୍ରହ୍ମପୁର ସହରର ହାଉସିଂ ବୋର୍ଡ ଅଞ୍ଚଳର ଜଣେ ନାବାଳିକା ମଙ୍ଗଳବାର ସକାଳୁ ଟିଉସନ ଯାଉଛି କହି ନିଜ ସାଇକଲରେ ଘରୁ ବାହାରି ଥିଲେ। ହେଲେ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନାବାଳିକାଙ୍କୁ ନପାଇବା ପରେ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା। ଏପଟେ ଖୋଜାଖୋଜି ପରେ ନାବାଳିକାଙ୍କ ସାଇକେଲଟି ଉତ୍କଳ ସିନେମା ହଲ ଛକରେ ମିଳିଥିଲା। ପରିବାର ଲୋକେ ସେହି ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ନାବାଳିକା ଜଣକ ସେଠାରେ ସାଇକଲ ଥୋଇ ଏକ ଅଟୋରେ ବସିଥିବା ଜଣାପଡିଥିଲା।

ପରେ ପରିବାର ଲୋକେ ଅଟୋ ଚାଳକଙ୍କୁ ଠାବ କରି ପଚରାଉଚରା କରିବା ପରେ ତାଙ୍କ ଝିଅ ରେଲଓ୍ୱେ ଷ୍ଟେସନକୁ ଯାଇଥିବା ଜଣାପଡ଼ିଥିଲା। ଘଟଣାକୁ ନେଇ ପରିବାର ଲୋକେ ବ୍ରହ୍ମପୁର ଆରପିଏଫ ନିକଟରେ ଅଭିଯୋଗ କରିବା ପରେ ପୋଲିସ ରେଲଓ୍ୱେ ଷ୍ଟେସନର ସିସିଟିଭି ଯାଞ୍ଚ କରିଥିଲା।

ନାବାଳିକା ଜଣକ ବିଶାଖା ଏକ୍ସପ୍ରେସରେ ବସି ହାଇଦ୍ରାବାଦ ଅଭିମୁଖେ ଯାଇଥିବା ଜଣାପଡ଼ିଥିଲା । ଆରପିଏଫ ପକ୍ଷରୁ ନାବାଳିକାଙ୍କ ଧରିବା ପାଇଁ ସମସ୍ତ ରେଳଷ୍ଟେସନକୁ ସୂଚନା ଦିଆଯାଇଛି। ଏପଟେ ଟ୍ରେନଟି ହାଇଦ୍ରାବାଦରେ ପହଞ୍ଚିଥିଲେ ମଧ୍ୟ ନାବାଳିକାଙ୍କ ଖୋଜ୍ ଖବର ମିଳିନଥିବା ସୂଚନା ରହିଛି। ତାଙ୍କୁ ଖୋଜିବା ପାଇଁ ସ୍ଥାନୀୟ ଆରପିଏଫ୍ ଉଦ୍ୟମ କରିଥିଲେ ମଧ୍ଯ ସଫଳତା ମିଳିନାହିଁ। ଅନ୍ୟପଟେ ପରିବାର ଲୋକେ ବୁଧବାର ନାବାଳିକାକୁ ଖୋଜିବା ପାଇଁ ହାଇଦ୍ରାବାଦ ଯାଇଛନ୍ତି।

Leave A Reply

Your email address will not be published.