Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ନୂଆବର୍ଷରେ ଆଗ ଭଳି ଆଗ ଶୁଭେଚ୍ଛା ବାର୍ତ୍ତା ଆସୁନି ସ୍ୱପ୍ନିଲଙ୍କର ! ଅପେକ୍ଷା କରିବାକୁ ପଡୁଛି ଦି’ଚାରି ଦିନ ଯାଏଁ ! କି କୌଣସି ପର୍ବ ପର୍ବାଣୀରେ ବି ଶୁଭେଚ୍ଛା, ଶୁଭ କାମନା କି ଅଭିନନ୍ଦନର ବାର୍ତ୍ତା ବି ଆସୁନି ! ଜନ୍ମ ଦିନରେ ହ୍ଵାଟ୍ସଆପ, ଫେସବୁକରେ ଶୁଭେଚ୍ଛା ଶୁଭକାମନାର ସୁଅ ଛୁଟିବା ବେଳେ ସ୍ୱପ୍ନିଲଙ୍କୁ କିନ୍ତୁ ସମୟ ନଥାଏ ଶୁଭେଚ୍ଛା ବାର୍ତ୍ତା ଜଣେଇବା ପାଇଁ ! ସେହିଭଳି ଅପେକ୍ଷାରେ ରହିଯାଏ ଆସ୍ଥା !! ହଁ କିଛି ଦିନ ପରେ ମୁଁ ଟିକେ ଏଇ , ଏନ. ଜି .ଓ କାମରେ ବ୍ୟସ୍ତ ରହି ଯାଇଥିଲି ତ ମାଇଣ୍ଡ କରିବନି ପ୍ଲିଜ !

ସ୍ୱପ୍ନିଲ ଏତେ ମହାନ କାମ ସବୁ କରୁଛନ୍ତି ବୋଲି । ଏମିତି ଆହୁରି ଅଧିକ ଅଧିକ କାମ କରନ୍ତୁ ।ସମାଜର ମଙ୍ଗଳ ସାଧନ ରେ ବ୍ରତୀ ରୁହନ୍ତୁ କହି ଈଶ୍ୱରଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରେ,ଶୁଭ ମନାସେ ଆସ୍ଥା ସ୍ୱପ୍ନିଲ ପାଇଁ ଆଉ ମନକୁ ବି ଖୁବ୍ ସହଜରେ ବୁଝେଇ ଦିଏ !!

ଦିନରେ ହେଉ କି ରାତିରେ ହେଉ ସ୍ୱପ୍ନିଲ ଅନ୍ଲାଇନ୍ ଥିଲାବେଳେ ଆସ୍ଥା ଭାବେ ,କାଳେ ଟିକେ ସମୟ ବାହାର କରି ସ୍ୱପ୍ନିଲ କଥା ହୁଅନ୍ତେ ନି ?! ଏବେ ବି ନୋଟିସ କରୁଛି ସ୍ୱପ୍ନିଲ ଅଧିକ ସମୟ ପ୍ରାୟ ଅନ୍ଲାଇନରେ ରହୁଛନ୍ତି ।ଅଥଚ …! ରାତି ରାତି ଅପେକ୍ଷା କରି କରି ଶୋଇପଡେ ଆସ୍ଥା । ଦିନଟା ବି ଅପେକ୍ଷା ରେ ବିତିଯାଏ । ସେମିତି କିଛି ହୁଏନି ! ଆସ୍ଥାର ଆଶା ଆଶାରେ ହିଁ ରହିଯାଏ ଏଇ କଥା ପଦିଏ ପାଇଁ !

ବେଳେ ବେଳେ ଅଭିମାନ ଆସେ ,ରାଗ ଆସେ ! କୋହ ଆସେ ! ତଥାପି ମୋହ ତୁଟେଇ ପାରୁନି ଆସ୍ଥା ସ୍ୱପ୍ନିଲଙ୍କଠାରୁ ! ଆଜି କାଲି ଆକୁହା ଯନ୍ତ୍ରଣାରେ ଜର୍ଜରିତ ଆସ୍ଥା ! ରାତିରେ ନିଦ ହେଉନି , ଲୁଚି ଲୁଚି ଲୁହରେ ତକିଆ ଭିଜୁଛି, କଡ ଲେଉଟାଇ ରାତି ପାହୁଛି ! ଦିନରେ ଭୋକ ହଉନି ! ଅଜଣା ଦୁଃଖ ଯେମିତି କାବୁ କରି ବସିଛି !କାହାକୁ କହିବ , କହିପାରୁନି ! ଗୁମ୍ ମାରି ବସୁଛି !! ଏତେ କୋଳାହଳ ଭିତରେ ଏକଲା ପଣ ତାକୁ ଖାଇ ଗୋଡାଉଛି !

* ଯେତିକି ଦରକାର ସେତିକି କାମ କରି ଦେଇ ଶେଜ ରେ ପଡି ରହୁଛି । ଭିତରୁ ଭିତରୁ ଖୁବ୍ ବେଶି ଅସୁସ୍ଥତା ଆଉ ଅଣନିଶ୍ୱାସୀ ଅନୁଭବ କରୁଛି ଆସ୍ଥା ! ଅଳ୍ପ ଦିନରେ ଛନ ଛନ ହୋଇ ବଢୁଥିବା ଅଗଣାର ଉପବନଟି ଦଗ୍ଧ ଉପବନ ପାଲଟି ଗଲାଣି ! ତା ସ୍ୱପ୍ନ ର ଉପବନ ତା ଆଖି ସାମ୍ନାରେ ଜଳି ପୋଡ଼ି ପାଉଁଶ ହୋଇ ଯାଉଛି !!

 

କ୍ରମଶଃ

Leave A Reply

Your email address will not be published.