Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୩ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ମହାରାଣୀ ଗୁଣ୍ଡିଚାଙ୍କ ଉପରେ ଏପରି ଥିଲା ଯେ ନିଜର ଜନମକୁଞ୍ଜ ବା ଜନ୍ମବେଦୀରେ ନିର୍ମିତ୍ତ ମନ୍ଦିରର ନାମ ରଖିଲେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ପ୍ରତିବର୍ଷ ଏହି ଜନମ ବେଦୀକୁ ଆସିବାର କଥାଦେଇ ଆରମ୍ଭ କରିଥିଲେ ଶ୍ରୀଗୁଣ୍ଡିଚା ଯାତ। ଅବଶ୍ୟ ଏଠାରେ ରାଣୀଙ୍କ ଅଚଳା ଭକ୍ତି ପ୍ରଭୁଙ୍କ ମନକୁ କିଣିନେଇ ଥିଲା। ଏହି ଶ୍ରୀଗୁଣ୍ଡିଚା ମନ୍ଦିର ଏକ ତପୋବର ସ୍ୱରୂପ ଧାରଣ କରି ବକ୍ଷରେ ନଡ଼ିଆ, ଆମ୍ବ, ପଣସ,ବଉଳ ଆଦି ନାନା ପ୍ରକାର ବୃକ୍ଷ ଧାରଣ କରିଛି । ବର୍ଷ ସାରା ଏହା ଅବ୍ୟବହୃତ ରହୁଥିବାରୁ, ଠିକ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଚୈତନ୍ୟ ପନ୍ଥୀମାନେ ଏହାକୁ ମାର୍ଜନା କରନ୍ତି। ଜନ୍ମବେଦୀକୁ ମଧ୍ୟ ଜଳରେ ସମ୍ପୂର୍ଣ୍ଣ ଧୋଇ ସଫା କରନ୍ତି। ପ୍ରତିବର୍ଷ ଏହି କାର୍ଯ୍ୟ ଏକ ସେବା ହିସାବରେ ଚୈତନ୍ୟ ପନ୍ଥୀମାନେ ଗ୍ରହଣ କରି ନିଷ୍ଠାର ସହ ସମ୍ପାଦିତ କରିଥାନ୍ତି। ଯାହାର ନାମ ଶ୍ରୀଗୁଣ୍ଡିଚା ମାର୍ଜନା ଭାବରେ ଖ୍ୟାତ। ଆଷାଢ଼ ଶୁକ୍ଳ ତୃତୀୟାରେ ତିନି ଠାକୁରଙ୍କୁ ରଥରୁ ପହଣ୍ଡିରେ ନେଇ ଆଡପ ମଣ୍ଡପରେ ବିଜେ କରାଇବା ପରେ ମହାସ୍ନାନକରାଯାଇ ବଡ଼ ଓଡ଼ିଆ ମଠ ତରଫରୁ ପ୍ରଦତ୍ତ ସୁନାଗୋସେଇଁ ଚନ୍ଦନ ଶ୍ରୀଅଙ୍ଗରେ ମାର୍ଜନା କରାଯାଏ। ଏଣେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଥିବା ତିନି ରଥରେ ଧ୍ୱଜ ପୂଜା, ଦିଗପାଳମାନଙ୍କୁ ପାୟସ ବଳି, ଭୂତ ପିଶାଚମାନଙ୍କୁ ଅନ୍ନ ବଳି ପ୍ରଦାନ କରାଯାଏ।

ଆଷାଢ଼ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ତିନି ଦିନ ଇଦ୍ରଦୁମ୍ନ ମହୋତ୍ସବ ଅନୁଷ୍ଠିତ ହୁଏ। ଏହି ଉତ୍ସବକୁ ମହାରାସ ବା ପ୍ରାବୃଟ ରାସ ବୋଲି କୁହାଯାଏ । ଏହି ସପ୍ତମୀ ତିଥିରେ ତିନି ରଥ ଦକ୍ଷିଣ ମୋଡ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ରହିଥାଏ। ନବମୀ ଦିନ ଆଡପ ମଣ୍ଡପରେ ଶେଷ ସାନ୍ଧ୍ୟ ଦର୍ଶନ ବ୍ୟବସ୍ଥା କରାଯାଏ ଓ ପ୍ରବଳ ଜନ ସମାଗମ ହୋଇଥାଏ। କୁହାଯାଏ ସାଧକ ଭକ୍ତ ରାମାନନ୍ଦ ଏହିସାନ୍ଧ୍ୟlରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାମ ରୂପରେ ଦର୍ଶନ କରିଥିଲେ। ଆଷାଢ଼ ଶୁକ୍ଳ ଦଶମୀରେ ଶ୍ରୀଜୀଉ ମାନେ ଧାଡି ପହଣ୍ଡିରେ ଆସି ରଥରେ ବସନ୍ତି। ଆରମ୍ଭ ହୁଏ ବାହୁଡା଼ ଯାତ୍ରା ଆଉ ଶ୍ରୀଗୁଣ୍ଡିଚା ମନ୍ଦିର ପୁଣି ହୋଇଯାଏ କୋଳାହଳ ଶୂନ୍ୟ, ଶ୍ରୀହୀନ।

ନୀଳାଚଳ ସମlୟାନ୍ତଂ ରଥସ୍ଥ ଦକ୍ଷିଣାମୁଖମ, ଯେ ପଶ୍ୟନ୍ତି ହୃଷିକେଶଂ ସୁଭଦ୍ରା ଲାଙ୍ଗଳାୟୁଧମnକାଳକଳ୍ପତରୁଂ ପୁଂସାଂ ଦର୍ଶନାଦେବ ମୁକ୍ତିଦମ, ତେବ୍ରଜନ୍ତି ମହାତ୍ମାନଃ ବୈକୁଣ୍ଠ ଭବନଂ ହରେ। ଅର୍ଥାତ ଏହି ଦକ୍ଷିଣାଭିମୁଖୀ ରଥରେ ଶ୍ରୀଜଗନ୍ନାଥ, ସୁଭଦ୍ରା ଓ ବଲଭଦ୍ରଙ୍କ ଦର୍ଶନ ଅଶେଷ ପୁଣ୍ୟ ଦାୟକ ଓ ବୈକୁଣ୍ଠ ପ୍ରାପ୍ତିର କାରଣ ହୋଇ ଥାଏ। ଭକ୍ତ କିନ୍ତୁ ଭୁଲେନି ଶ୍ରୀଗୁଣ୍ଡିଚା ମନ୍ଦିରକୁ ତେଣୁ ଏବେ ଶୂନ୍ୟ ମନ୍ଦିର ବୁଲିବାର ବ୍ୟବସ୍ଥା ହୋଇଛି। ସାମାନ୍ୟ ଶୁଳ୍କ ଦେଇ ଯିଏ ଚାହିଁବ ସେ ବୁଲି ପାରିବ ଆମେ କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ ମନର ଶାନ୍ତି ପାଇଁ ।

ସକଳ ଶାସ୍ତ୍ର ଅନୁମାନେ
ନିର୍ମଳ ଚିତ୍ତେ ମହାଜନେ ।
ବେଦ ବିଚାରି ବହୁଭାଗ
ବୋଲନ୍ତି ଧନ୍ୟ କଳିଯୁଗ ।
ବ୍ରାହ୍ମଣ ଆଦି ଚାରି ବର୍ଣ
କରିବେ ନାମ ସଂକୀର୍ତନ।
କଳି କଳୁଷ ଦୁଷ୍ଟ ଚିତ୍ତେ
ଗୃହ କଷଣ ଅବିରତେ ।
ନାନା ସଂକଟେ ଯେବେ ଥିବେ
ସଂସାରେ ଭ୍ରମ ନ କରିବେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.