Latest Odisha News

BREAKING NEWS

ଚୈତ୍ୟ-ଗବାକ୍ଷ ତଥା ବଜ୍ରମସ୍ତକ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ଶ୍ରୀମନ୍ଦିର ଗଣ୍ଡିରେ ଥିବା ଚୈତ୍ୟ-ଗବାକ୍ଷ ବା ବଜ୍ରମସ୍ତକର ସ୍ଥାପତ୍ୟିକ ବିନ୍ୟାସରେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ରୂପର ଅନନ୍ୟ ସଂଯୋଜନାର ସଠିକ୍‌ ତାତ୍ତ୍ୱିକ ସମୀକ୍ଷା କରାଯାଇନାହିଁ କାରଣ ଶ୍ରୀଜଗନ୍ନାଥ ମନ୍ଦିରର ବିମାନ ଓ ଜଗମୋହନର କୀର୍ତ୍ତିରାଜି ଚୂନ ଆସ୍ତରଣ ତଳେ ବହୁ କାଳଧରି ଲୁଚି ରହିଥିଲା । ବିଗତ ୯୦ ଦଶକରେ ବିମାନ ଓ ଜଗମୋହନର ଦକ୍ଷିଣପାଶ୍ୱର୍ ଅଂଶରୁ ଚୂନ ଆସ୍ତରଣ ଛଡ଼ାଯାଇ ଏହି ବିରଳ ସ୍ଥାପତ୍ୟର ପୁନଃରୁଦ୍ଧାର କରାଯାଇଛି । ପରିତାପର ବିଷୟ ଶ୍ରୀମନ୍ଦିର ବିମାନର ଦକ୍ଷିଣ ପାର୍ଶ୍ଵର ଗଣ୍ଡିରେ ଥିବା ଚୈତ୍ୟ-ଗବାକ୍ଷ ସର୍ବାଧିକ ଅଂଶ ଏବଂ ପଶ୍ଚିମ ପାଶ୍ୱର୍ରେ ଥିବା ଏହି ସ୍ଥାପତ୍ୟର ଅର୍ଦ୍ଧାଧିକ ଅଂଶ କାଳର କରାଳ ଆଘାତରେ ବିଦୀର୍ଣ୍ଣ ତଥା କ୍ଷତିଗ୍ରସ୍ତ । କେବଳ ଉତ୍ତର ପାଶ୍ୱର୍ ଗଣ୍ଡିରେ ଥିବା ଚୈତ୍ୟ-ଗବାକ୍ଷର ଅଧ୍ୟୟନ କରାଯାଇପାରେ ଯଦିଓ ଏହାର ମଧ୍ୟ କିଛି ଅଂଶ ନଷ୍ଟ ହୋଇଯାଇଛି । ଏହାର କେନ୍ଦ୍ରରେ ଏକ ପଦକ ଭଳି ଗୋଲାକାର କ୍ଷେତ୍ରରେ କିଛି ବିଷୟ ଭିତ୍ତିକ ଭାସ୍କର୍ଯ୍ୟ ବିଦ୍ୟମାନ । ଏହା ସ୍ଥଳବିଶେଷରେ ଭିନ୍ନ ହୋଇଥିବାର ଜଣାଯାଏ । କ୍ଷୁଦ୍ରାକୃତି ବଜ୍ରମସ୍ତକର ପଦକରେ ଆନୁପାତିକ ଆକୃତିର କେବଳ ଏକ ମୁଣ୍ଡ ରହିଥାଏ । ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ତଥା ଅନ୍ୟାନ୍ୟ ଶୈବ ମନ୍ଦିରମାନଙ୍କରେ ଦୃଶ୍ୟମାନ ପ୍ରୋକ୍ତ ସ୍ଥାପତ୍ୟର କେନ୍ଦ୍ରରେ ନଟରାଜ, ଶିବଲିଙ୍ଗ ଅଥବା ଭୈରବ ମୂତ୍ତିଟିଏ ଉତ୍କୀର୍ଣ୍ଣ ହେଇଥିବାର ଦେଖାଯାଏ । ଏଣୁ ଅନୁମାନ କରାଯାଇପାରେ ଯେ ଶ୍ରୀମନ୍ଦିର ଏକ ବୈଷ୍ଣବ ପୀଠ ହେଇଥିବାରୁ ଏହାର ଗଣ୍ଡିରେ ସର୍ଜିତ ଚୈତ୍ୟ-ଗବାକ୍ଷ ବା ବଜ୍ରମସ୍ତକର କେନ୍ଦ୍ରରେ ସେହିଭଳି ବୈଷ୍ଣବୀୟ କୀର୍ତ୍ତିର ଅବତାରଣା କରାଯାଇଥିବ!

 

କେତେକ ଶିଳ୍ପ ପୋଥିରେ ଏହି ପ୍ରକାର ରଚନାକୁ ‘ଭୋ’ ଭାବେ ନାମିତକରାଯାଇଛି । ଏହି ରଚନାର ମଧ୍ୟଭାଗରେ ଥିବା ପଦକରେ ଯେଉଁ ମୂର୍ତ୍ତି ରହିଥାଏ, ତାହାକୁ ସେହି ପ୍ରକାର ‘ଭୋ’ ବୋଲି କୁହାଯାଏ । ଯଥା ବିଷ୍ଣୁ ମନ୍ଦିରରେ ‘ପଦ୍ମ-ଭୋ’, ଶିବ ମନ୍ଦିରରେ ‘ଶିବ-ଭୋ’ବା ‘ନଟରାଜ-ଭୋ’, ଶକ୍ତିପୀଠରେ ‘ଦୁର୍ଗା-ଭୋ’ ଇତ୍ୟାଦି । ଏହି ‘ଭୋ’ ବା ବଜ୍ରମସ୍ତକଗୁଡ଼ିକର ଅଗ୍ରଭାଗରେ ବା ନିମ୍ନଦେଶରେ ଅଧିକାଂଶସ୍ଥଳେ କୀର୍ତ୍ତିମୁଖ ଦେଖାଯାଏ ।

ଶ୍ରୀମନ୍ଦିରରେ ଆଂଶିକ କ୍ଷତିଗ୍ରସ୍ତ ଉତ୍ତର ପାଶ୍ୱର୍ର ଗଣ୍ଡିରେ ଥିବା ଚୈତ୍ୟ-ଗବାକ୍ଷର ପଦକରେ ଜଣେ ରଜା ବା ଉପାସ୍ୟ ଦେବତାଙ୍କ ତୋରଣ ଶୋଭିତ ଆସ୍ଥାନ ଭଳି ସୂଷ୍ମ ଭାସ୍କର୍ଯ୍ୟରେ ମଣ୍ଡିତ ହୋଇଅଛି । ଏହାଙ୍କ ନିକଟରେ ପରିଚାରକ ଅଥବା ଭକ୍ତଗଣ ବିଭିନ୍ନ ଭଙ୍ଗୀରେ ରହିଛନ୍ତି । ଗବେଷକମାନଙ୍କ ମତରେ ଉକ୍ତ କେନ୍ଦ୍ରାଧିପତି ବିଷ୍ଣୁଙ୍କର ଏକ ରୂପ ହୋଇଥାଇପାରେ । ଉକ୍ତ ପଦକର ବାହାରେ କ୍ରମାନ୍ୱୟରେ ତିନି ଗୋଟି ବୃତ୍ତାକାର ବଳୟ ପରିଲକ୍ଷିତ ହୁଏ ।

ପଦକର ନିକଟତମ ବାହ୍ୟ ବଳୟ ସଂପୂର୍ଣ୍ଣ ରୂପେ ପେଣ୍ଡୁ ସଦୃଶ ଗୁଟିରେ ସଜ୍ଜିତ । ତା’ର ବା

ହ୍ୟ ବଳୟ ମଧ୍ୟରେ ଉଭୟ ପାଶ୍ୱର୍ରେ ନିମ୍ନରୁ ଉର୍ଦ୍ଧ୍ୱକୁ ତିନିଗୋଟି ନାରୀ ରୂପ ଭିନ୍ନ ଭିନ୍ନ ଭଙ୍ଗୀରେ ନିମ୍ନରୁ ଉପରକୁ ରୂପାୟିତ ହୋଇଅଛି । ଏହା ମଧ୍ୟରୁ ସର୍ବନିମ୍ନରେ ଥିବା ନାରୀ ରୂପର ମୁଣ୍ଡ ଉପରେ ସର୍ପଫେଣୀ ରହି ଏହାକୁ ନାଗକନ୍ୟା ବୋଲି କୁହାଯାଇପାରେ । ତା ଉପରେ ଥିବା ନାରୀ ରୂପଟି ହାତରେ ଏକ ସୂକ୍ଷ୍ମ ରଜ୍ଜୁ ରହିଅଛି । ଏହି ତିନିଗୋଟି ନାରୀରୂପ ବଳୟ ମଧ୍ୟରେ ରହିଥିବାରୁ ବକ୍ରାୟିତ ଭଙ୍ଗୀରେ ରହିଛନ୍ତି । ଏମାନଙ୍କୁ ଅପ୍‌ସରା କୁହାଯାଏ । ଏହାର ବାହ୍ୟାଂଶରେ ଅନ୍ୟ ଏକ ବଳୟ କେବଳ ଅପେକ୍ଷାକୃତ ବୃହତ୍ ଗୁଟିମାଳାରେ ସଜ୍ଜିତ ହୋଇଅଛି । ଏହି ଦୁଇଗୋଟି ଗୁଟିମାଳାର ଗୋଲାକାର ପେଣ୍ଡୁଗୁଡ଼ିକ ଏକକ ଭାବରେ ଏଭଳି ଖୋଦିତ ହୋଇଛି ଯେ ଏଗୁଡ଼ିକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରି ନେଇ ଖଞ୍ଜି  ଦେଲା ଭଳି ମନେ ହୁଏ । ବାହ୍ୟ ଗୁଟିମାଳା ଆଭ୍ୟନ୍ତରୀଣ ଗୁଟିମାଳର ଉପରିଭାଗରେ ମିଳିତ ହୋଇ ଉଭୟ ପୁନଶ୍ଚ ବାହ୍ୟପାଶ୍ୱର୍କୁ ବକ୍ର ହୋଇ ଉର୍ଦ୍ଧ୍ୱରେ ଥିବା ପତ୍ରାଚ୍ଛାଦିତ ଅଂଶରେ ଲୀନ ହୋଇଛନ୍ତି । ଏହାର ଦୁଇ ପାଶ୍ୱର୍ରେ ଝୁଲନ୍ତ ଲତା ରହି ସ୍ଥାପତ୍ୟର ଉପରିଭାଗକୁ ଏକ ବୃକ୍ଷର ଆଭାସ ରୂପ ପ୍ରଦାନ କରୁଛି । ସ୍ଥୂଳ ଭାବରେ ଦେଖିଲେ ସ୍ଥାପତ୍ୟର ଏହି ଅଂଶ ଏକ ସୁସଜ୍ଜିତ କଳସର ମୁହଁରେ କିଛି ଉଦ୍‌ବୃତ୍ତ ତରୁଲତାର ପେନ୍ଥା ଖଚିତ ହେଲା ଭଳି ପ୍ରତ୍ୟୟ ହୋଇଥାଏ ।

ଚୈତ୍ୟ ଗବାକ୍ଷର ଅଳଙ୍କରଣକୁ ନିମ୍ନରୁ ଅବଲୋକନ କଲେ ବିମାନର ଗଣ୍ଡିର ପ୍ରାରମ୍ଭରେ ଦଶଗୋଟି ସ୍ତରରେ ବରଣ୍ଡ ନିରବଚ୍ଛିନ୍ନ ଭାବରେ ରହିଛି । ଏହି ବରଣ୍ଡଗୁଡ଼ିକ ଅତି ସୂଷ୍ମ କାରୁକାର୍ଯ୍ୟରେ ମଣ୍ଡିତ ହୋଇ ଅନୁଭୂମିକ ଭାବରେ ଦୁଇ ପାଶ୍ୱର୍ରେ ଅନୁରଥ ଓ କୋଣିକ ପଗର ବରଣ୍ଡ ସହିତ ସନ୍ତୁଳନ ରକ୍ଷାକରି ସୌନ୍ଦର୍ଯ୍ୟବୃଦ୍ଧିରେ ସହାୟକ ହୋଇଛି । ଏହି ଦଶ-ସ୍ତର ବରଣ୍ଡର ଉପରିଭାଗର ମଧ୍ୟସ୍ଥଳୀରେ ପ୍ରଥମେ ଉଦ୍‌ଗତ କୀର୍ତ୍ତିମୁଖ, ତଦୁର୍ଦ୍ଧରେ ଗଜସିଂହ ଏକ ଉଦ୍‌ଗତ ପଥର ପିଷ୍ଟ ଉପରେ ସ୍ଥାନିତ । ସର୍ବନିମ୍ନରେ ଏକ ଅପେକ୍ଷାକୃତ କ୍ଷୁଦ୍ର ଚୈତ୍ୟ-ଗବାକ୍ଷର ଉର୍ଦ୍ଧ୍ୱରେ ଏ ସମସ୍ତ ସ୍ଥାପତ୍ୟାଶଂ ଗଣ୍ଡିର ରାହାପଗରେ ମଧ୍ୟଭାଗରେ ଏକ ଉଲମ୍ବ ସରଳରେଖାରେ ଅବସ୍ଥିତ । ନିମ୍ନରେ ଥିବା କ୍ଷୁଦ୍ର ଗଜସିଂହର ପିଷ୍ଟ ପଥରକୁ ବେଷ୍ଟନ କରି ଆଉ ଏକ ଗୁଟି ଶୋଭିତ ବଳୟ ରହିଛି ଏବଂ ଏହାର ଦୁଇ ପାଶ୍ୱର୍କୁ ଚୈତ୍ୟ ଗବାକ୍ଷର ଭିତ୍ତି-ପଟା ସୂକ୍ଷ୍ମ କଳାମଣ୍ଡିତ ହୋଇ ବିସ୍ତାର ଲାଭ କରିଛି । ଏହି ଭିତ୍ତି -ପଟା ଉପରେ ବୃହତ ଗୁଟିମାଳାର ନିମ୍ନଦେଶ ରହିଛି ଏବଂ ଦୁଇପାଶ୍ୱର୍ର ସନ୍ଧିସ୍ଥଳରେ ଦୁଇଗୋଟି ମଗରମୁଣ୍ଡ ବିପରୀତ ଦିଗକୁ ମୁହଁ କରି ରହିଛି । ଚୈତ୍ୟ ଗବାକ୍ଷରେ ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ପ୍ରୋକ୍ତ ମଗର ମୁଣ୍ଡ ଉପରେ
ଅର୍ଥାତ୍ କେନ୍ଦ୍ରୀୟ କଳସ ସଦୃଶ୍ୟ ମୋଟିଫ୍‌ର ଉଭୟ ପାଶ୍ୱର୍ରେ ସ୍ଥାନୀତ ଦୁଇଗୋଟି ଯକ୍ଷରୂପୀ ଭାସ୍କର୍ଯ୍ୟ । ହୃଷ୍ଟପୃଷ୍ଟ ଅବୟବର ଏହି ରୂପ ବିିଭିନ୍ନ ଅଳଙ୍କାର ମଣ୍ଡିତ, କୁଞ୍ôଚତ କେଶ ସହିତ ଗୋଲାକାର ଢ଼ିମା ଚକ୍ଷୁ ଯୁଗଳ, ନିଶ ଓ ଶ୍ମଶ୍ରୁଯୁକ୍ତ, କାନରେ କୁଣ୍ଡଳ ପିନ୍ଧି ଗୋଟିଏ ଗୋଡ଼ ଉପରକୁ ଭାଙ୍ଗି ଗୁଟିମାଳା ଉପରେ ଭରାଦେଇ ଦଣ୍ଡାୟମାନ । ଏହାର ଗୋଟିଏ ହାତରେ ଗଦା ସଦୃଶ ଶସ୍ତ୍ର ଏବଂ ଅନ୍ୟ ହାତରେ ଉପରୁ ଝୁଲିଥିବା ସୂକ୍ଷ୍ମ ଶିକୁଳିର ଶେଷ ଭାଗ ରହିଛି । ଉଭୟ ରୂପ ବିପରୀତ ଭଙ୍ଗୀରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ସ୍ଥାନିତ । ଏହି ରୂପଗୁଡ଼ିକୁ ଯକ୍ଷ ବୋଲି କୁହାଯାଏ ।

ଚିତ୍ର ସୌଜନ୍ୟ : ଡଃ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ‘ ଶ୍ରୀମନ୍ଦିର କଳା ଓ ସ୍ଥାପତ୍ୟ’ ପୁସ୍ତକରୁ ସଂଗୃହିତ

କଳିଙ୍ଗଶୈଳୀର ସ୍ଥାପତ୍ୟ କଳାରେ ଯକ୍ଷ ଗନ୍ଧର୍ବ , ବିଦ୍ୟାଧର, ଅପ୍‌ସରା, ମକର ଆଦି ସହିତ ବିଭିିନ୍ନ ସୂଷ୍ମ କାରୁକଳାର ସମନ୍ୱିତ ସଂରଚନାରେ ଏହି ଅଳଙ୍କରଣ ମନ୍ଦିର ଦେହରେ ମୁଖ୍ୟ ଏବଂ ଉତ୍‌କୃଷ୍ଟ କଳାତ୍ମକ ରଚନା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଗୁଡ଼ିକୁ ସର୍ବ-ଶକ୍ତି ସମ୍ପନ୍ନ କରିବା ଉଦ୍ଦେଶ୍ୟ ନେଇ, ଏହାର ପରିକଳ୍ପନାରେ ଦେବତା, ଉପଦେବତା, ଓ ପବିତ୍ର ଶୁଭସୂଚକ ବସ୍ତୁମାନଙ୍କ ଶକ୍ତି, ପବିତ୍ରତା ତଥା ଆଧ୍ୟାତ୍ମିକତାର ଏକତ୍ରୀକରଣ ହିଁ ବିଦ୍ୱାନ ତଥା ଶିଳ୍ପୀମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ଅନୁମାନ କରାଯାଇପାରେ ।

ଗଣ୍ଡିର ତିନି ପାଶ୍ୱର୍ରେ ଥିବା ପ୍ରୋକ୍ତ ସ୍ଥାପତ୍ୟଗୁଡ଼ିକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଇଥିଲେ ମଧ୍ୟ ଏହା ସହିତ ସଂଯୁକ୍ତ ପ୍ରତ୍ୟେକ ପାଶ୍ୱର୍ରେ ଦୁଇଗୋଟି କରି ଗଜସିଂହ ମୂର୍ତ୍ତିଗୁଡ଼ିକ ପ୍ରାୟତଃ ଅକ୍ଷୁଣ୍ଣ ରହିଛି ଏବଂ ଏହି ଗଜସିଂହର ନିମ୍ନରେ ଥିବା ସିଂହମୁଖୀ ବା କୀର୍ତ୍ତିମୁଖଗୁଡ଼ିକ ମଧ୍ୟରୁ ପଶ୍ଚିମ ପାଶ୍ୱର୍ର ମାତ୍ର ଗୋଟିଏ ଅକ୍ଷୁଣ୍ଣ ରହିଥିବା ବେଳେ ଅନ୍ୟଗୁଡ଼ିକ ଭଗ୍ନ ବା ବିକୃତ ହୋଇଯାଇଛି । ଏହି ଖଣ୍ଡିତ ସ୍ଥାପତ୍ୟର ଅବକ୍ଷୟମୁଖୀ ଅବସ୍ଥାକୁ ଦେଖିଲେ ଭବିଷ୍ୟତରେ ଏଗୁଡ଼ିକର ରୂପ ଯେ ଆହୁରି ଅଧିକ କ୍ଷୁର୍ଣ୍ଣ ନହେବ ସେଥିରେ ସଂଶୟ ଜାତ ହୁଏ ।

ଦେବୀ ପ୍ରସନ୍ନ ନନ୍ଦ
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.