Latest Odisha News

BREAKING NEWS

ଯୋଶୀ ବନାମ ପାଇଲଟ୍ : କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!

ଜୟପୁର: ରାଜସ୍ଥାନ ରାଜନୀତି ଏବେ ଘଡିକେ ଘାେଡା ଛୁଟୁଛି । କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ରାତିସାରା ନେତାଙ୍କ ସହ ଆଲୋଚନା ଚାଲିଛି । କୁହାଯାଉଛି ଅଶୋକ ଗେହଲୋଟଙ୍କ ଗୋଷ୍ଠୀର ୮୦ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ କହିବା କଥା ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାନଯାଉ । ଅଜୟ ମାକେନ ଏହି ବିଧାୟକଙ୍କ ସହ ରାତିସାରା ଆଲୋଚନା କରିଥିଲେ ମଧ୍ୟ ବିଧାୟକମାନେ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅଡ଼ି ବସିଛନ୍ତି ।

କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ଦିଲ୍ଲୀରେ ରାଜନେତାଙ୍କ ଚର୍ଚା ଚାଲିଥିବା ବେଳେ ରାଜସ୍ଥାନ ରାଜନୀତିରେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସରକାର ବିପଦରେ ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି।  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କ୍ୟାମ୍ପର ୮୦ ରୁ ଅଧିକ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିବା ବେଳେ ଇସ୍ତଫାକୁ ଗ୍ରହଣ କରିନାହାଁନ୍ତି ବାଚସ୍ପତି। ବିଧାୟକ ପ୍ରତାପ ଖାଚାରିଆ କହିଛନ୍ତି ଯେ ସମସ୍ତ ବିଧାୟକ ଅତ୍ୟଧିକ ରାଗିଛନ୍ତି ଏବଂ ସେମାନେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଚାହୁଁନାହାଁନ୍ତି ।

କଂଗ୍ରେସ ବିଧାୟକ କହିଛନ୍ତି, “କେବଳ ୧୦-୧୫ ଜଣ ବିଧାୟକ ଚାହୁଁଛନ୍ତି ପାଇଲଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ସିପି ଯୋଶୀଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି ଅଧିକାଂଶ ବିଧାୟକ ।

ଏହାପୂର୍ବରୁ ସୋନିଆ ଗାନ୍ଧୀ ବିଧାୟକମାନଙ୍କ ସହ ଆଲୋଚନା କରିବା ପାଇଁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଓ ଅଜୟ ମାକେନଙ୍କୁ ଜୟପୁର ପଠାଇ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ରାତିସାରା ବିଧାୟକଙ୍କ ସହ ଆଲୋଚନା ଚାଲିଥିବା ବେଳେ କିଛି ନିଷ୍କର୍ସ ବାହାରିପାରିନାହିଁ ।

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ ଯଦି ଅଶୋକ ଗେହଲୋଟ୍ ସଭାପତି ହୁଅନ୍ତି, ତେବେ ତାଙ୍କୁ ସିଏମ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ଏହା ଉପରେ ଗେହଲୋଟଙ୍କ ସମର୍ଥକମାନେ କଡ଼ା ଆପତ୍ତି ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ବିଧାୟକମାନେ କଣ ଚାହୁଁଛନ୍ତି ତାହା ଦଳ ଶୁଣିବା ଆବଶ୍ୟକ । କିଏ ମୁଖ୍ୟମନ୍ତ୍ରୀ ହେବ ବିଧାୟକମାନେ ସ୍ଥିର କରିବେ ।

ଏସବୁକୁ ନେଇ ରାଜସ୍ଥାନ ରାଜନୀତିରେ ଆଜି କିଛି ବଡ଼ ନିଷ୍ପତ୍ତି ହୋଇପାରେ । ତେବେ ୨୦୨୦ରୁ ଅପେକ୍ଷା କରିଥିବା ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରୁଛନ୍ତି ନା ନାହିଁ ତାକୁ ନେଇ ସବୁଆଡ଼େ ଭିନ୍ନ ଭିନ୍ନ ଚର୍ଚା ଲାଗି ରହିଥିବା ବେଳେ ଆଜି ଦଳର ହାଇକମାଣ୍ଡ କିଛି ନିଷ୍ପତ୍ତି ନେଇପାରନ୍ତି ।

Comments are closed.