Latest Odisha News

BREAKING NEWS

ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ଦଳକୁ ୫୦ ହଜାର ଟଙ୍କା ଜୋରିମାନା

ନୂୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ଏକ ଆବେଦନ ଉପରେ କୋର୍ଟରେ ଶୁଣାଣି କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ସଂପୃକ୍ତ ରାଜନୈତିକ ଦଳକୁ ତାଗିଦ କରିବା ସହ ଜୋରିମାନା ମଧ୍ୟ ଲଗାଇଛନ୍ତି।

ମଧ୍ୟପ୍ରଦେଶର ଜନ ବିକାଶ ପାର୍ଟି ସୁପ୍ରିମକୋର୍ଟରେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ଏକ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କ ଖଣ୍ଡପୀଠ କହିଛନ୍ତି, ଯେଉଁ ଦଳ ଭୋଟରଙ୍କଠାରୁ ଜନମତ ପାଇବାରେ ବିଫଳ ହୋଇଛନ୍ତି ସେହି ଦଳମାନେ ଏପରି ଆବେଦନ କରି ନିଜ ଦଳକୁ ସ୍ୱୀକୃତି ପାଇବା ପାଇଁ ଚେଷ୍ଟା କରୁଛନ୍ତି।

ଏପରି କହି ସୁପ୍ରିମକୋର୍ଟ ଜନ ବିକାଶ ପାର୍ଟିର ଆବେଦନକୁ ଖାରଜ କରିଦେଇଛନ୍ତି। ଏବଂ ଏହା ଉପରେ ୫୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସାରା ଦେଶରେ ନିର୍ବାଚନ ପୂର୍ବରୁ ଏବଂ ପରେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଏକ ଟ୍ରେଣ୍ଡ ପାଲଟିଛି। ଯେଉଁ ଦଳ ଜନାଦେଶ ପାଇବାରେ ବିଫଳ ହେଉଛନ୍ତି ସେହି ଦଳ ଜିତାପଟ ପାଇଥିବା ଦଳ ବିରୋଧରେ ଇଭିଏମ ଟାମ୍ପରିଂ ଅଭିଯୋଗ ଆଣୁଥିବାର ନଜିର ରହିଛି। ସେହିପରି ନିର୍ବାଚନ କମିଶନଙ୍କୁ ମଧ୍ୟ ବିଭିନ୍ନ ସମୟରେ କାଠଗଡାରେ ଛିଡା କରାଯାଇଛି।

ଅନ୍ତିମ ସାଧାରଣ ନିର୍ବାଚନ ବେଳେ ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ବିଏସପି ଏବଂ କଂଗ୍ରେସ ଭଳି ଦଳ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଥିଲେ। ଆଉ ଏହାକୁ ଚ୍ୟାଲେଞ୍ଜ କରି ନିର୍ବାଚନ କମିଶନ ମଧ୍ୟ ଇଭିଏମରେ ତ୍ରୁଟି ରହିଛି ବୋଲି ପ୍ରମାଣ କରିବାକୁ କହିଥିଲେ। କିନ୍ତୁ ଏଯାବତ ଇଭିଏମ୍ ଯେଉଁ ପ୍ରମାଣ ଓ ଦଲିଲ ଦେଇଛି ସେଥିରେ ନିର୍ବାଚନ କମିଶନ କହିଛନ୍ତି, ଭାରତରେ ଇଭିଏମ୍ ଟାମ୍ପରିଂ ସମ୍ଭବ ନୁହେଁ।

Comments are closed.